ସମ୍ପର୍କ ପ୍ରତିଷ୍ଠାତା

– ଜିତେନ୍ଦ୍ର କୁମାର ନାୟକ

 

ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ଦୂର ସମ୍ପର୍କୀୟ ନିଲେଶ ଦେଶାଇ। ଗୁଜରାଟର ଭଲସାଦ ଜିଲାରେ ଜନ୍ମଗ୍ରହଣ କରିଥିବା ନିଲେଶ କିନ୍ତୁ ମଧ୍ୟପ୍ରଦେଶର ରତଲାମ୍‌ରେ ବଢ଼ିଥିଲେ। ପିତା ଦିନାକର ଦେଶାଇ ସେଠାରେ ରେଲ୍‌ଓ୍ବେ କ୍ଲର୍କ ଥିଲେ। ଏଥିସହିତ ସେ ସର୍ବଭାରତୀୟ ରେଳ କର୍ମଚାରୀ ମହାସଂଘର ଯୁଗ୍ମ ସମ୍ପାଦକ ଦାୟିତ୍ୱ ନିର୍ବାହ କରୁଥିଲେ। ନିଲେଶ ପିଲା ବେଳେ ଉମ୍‌ରାଉମଲ ପୁରୋହିତ ଓ ଜର୍ଜ ଫର୍ଣ୍ଣାଣ୍ଡିଜ୍‌ଙ୍କ ଭଳି ବିଶିଷ୍ଟ ଶ୍ରମିକ ନେତାଙ୍କୁ ତାଙ୍କ ଘରେ ଦେଖିଥିଲେ। ୧୯୭୪ରେ ହୋଇଥିବା ବଡ଼ ରେଲ୍‌ଓ୍ବେ ଧର୍ମଘଟ ଦୀର୍ଘ ୨୦ ଦିନ ଧରି ଚାଲିଥିଲା। ସେଥିରେ ୧୭ ଲକ୍ଷ ରେଳ କର୍ମଚାରୀ କାମ ବନ୍ଦ ଡାକରା ଦେଇଥିଲା, ଯାହା ଭାରତ ଇତିହାସରେ ସର୍ବାଧିକ ପ୍ରଭାବଶାଳୀ ଶିଳ୍ପ ପ୍ରତିବାଦ ବୋଲି ଅଭିହିତ ହୋଇଥିଲା। ସେହି ସମୟରେ ନିଲେଶଙ୍କ ଘର ଶତାଧିକ ନିଲମ୍ବିତ କର୍ମଚାରୀଙ୍କ ଆଲୋଚନାର କେନ୍ଦ୍ର ପାଲଟି ଯାଇଥିଲା। ପିତାଙ୍କୁ ଜେଲ ହୋଇଯିବାରୁ ନିଲେଶ ଧର୍ମଘଟରେ ସାମିଲ ହୋଇଥିଲେ ଓ ପିଲାମାନଙ୍କୁ ନେଇ ପ୍ରତିବାଦ କରିଥିଲେ। ସେହି ଅସ୍ବାଭାବିକ ଦିନଗୁଡ଼ିକ ନିଲେଶଙ୍କ ମଗଜରେ ସାମାଜିକ କାର୍ଯ୍ୟ ଓ ଶ୍ରମ କଲ୍ୟାଣର ମଞ୍ଜି ବୁଣିଦେଇଥିଲା। ସେ ମନସ୍ଥ କରିଥିଲେ ଜନକଲ୍ୟାଣ ଦିଗରେ ଜୀବନବ୍ୟାପୀ କାର୍ଯ୍ୟ କରିବେ। ସେଥିପାଇଁ ଉଚ୍ଚଶିକ୍ଷାରେ ସେ ସୋସିଆଲ୍‌ ଓ୍ବାର୍କକୁ ବିଷୟ ଭାବେ ନେଇ ଇନ୍ଦୋର ସ୍କୁଲ ଅଫ୍‌ ସୋସିଆଲ୍‌ ଓ୍ବାର୍କରୁ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିଲେ। ପଢ଼ା ଶେଷ ବର୍ଷରେ ସେ ଗ୍ରାମୀଣ ବିକାଶକୁ ପ୍ରାଧାନ୍ୟ ଦେଇଥିଲେ। ଲକ୍ଷ୍ୟକୁ ନିର୍ଦ୍ଦିଷ୍ଟ ବିନ୍ଦୁରେ କେନ୍ଦ୍ରିତ କରି ଆଗେଇ ଚାଲିଥିବାରୁ ଆଜି ତାଙ୍କୁ ଭାରତର ଅନ୍ୟତମ ଶ୍ରେଷ୍ଠ ସମ୍ମାନ ‘ଜମ୍‌ନାଲାଲ ବାଜାଜ ପୁରସ୍କାର’ରେ ସମ୍ମାନିତ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ୧୯୭୭ରେ ପ୍ରତିଷ୍ଠିତ ଏହି ପୁରସ୍କାର ୪ଟି କ୍ଷେତ୍ର ଉପରେ ଦିଆଯାଇ ଆସୁଛି। ଗଠନମୂଳକ କାର୍ଯ୍ୟ, ଗ୍ରାମୀଣ ବିକାଶରେ ବିଜ୍ଞାନ ଓ ପ୍ରଯୁକ୍ତିର ପ୍ରୟୋଗ, ମହିଳା ଓ ଶିଶୁ ବିକାଶ ଏବଂ ଭାରତ ବାହାରେ ଗାନ୍ଧିବାଦ ପ୍ରଚାର ଦିଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଅନ୍ତର୍ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥାଏ। ଚଳିତବର୍ଷ ନିଲେଶ ଦେଶାଇ ଗଠନମୂଳକ କାର୍ଯ୍ୟ ଲାଗି ଏହି ପୁରସ୍କାର ପାଇଥିବା ବେଳେ ଅନ୍ୟ କ୍ଷେତ୍ରରେ ଯଥାକ୍ରମେ ଗୁଜରାଟର ମନ୍‌ସୁଖଭାଇ ପ୍ରଜାପତି, ଓଡ଼ିଶାର ସୋଫିଆ ସାଇକ୍‌ ଏବଂ ଲେବାନନ୍‌ର ଦୁଇ ସାମାଜିକ କର୍ମୀ ଡକ୍ଟର ଓଗିରାଟ ୟୁନାନ୍‌ ଓ ଡକ୍ଟର ଓ୍ବାଲିଡ୍‌ ସ୍ଲାଏବି ସମ୍ମାନିତ ହୋଇଛନ୍ତି। ତେବେ ନିଲେଶଙ୍କ କାର୍ଯ୍ୟ ମଧ୍ୟପ୍ରଦେଶର ଝାବୁଆ ଓ ଅନ୍ୟାନ୍ୟ ଜିଲାରେ ଯେଭଳି ପ୍ରଭାବ ପକାଇଛି, ତାହା ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ଚାହୁଁଥିବା ଯୁବପିଢ଼ିଙ୍କୁ ନିଶ୍ଚିତ ପ୍ରେରଣା ଦେବ ବୋଲି କୁହାଯାଇପାରେ।
୬୩ ବର୍ଷୀୟ ନିଲେଶ ସାମାଜିକ କାର୍ଯ୍ୟକୁ ବ୍ୟାପକ କରିବା ଲାଗି ଜୀବନରେ ଯାହାଙ୍କଠାରୁ ଅଧିକ ପ୍ରେରଣା ପାଇଥିଲେ, ସେହି ବ୍ୟକ୍ତିଙ୍କୁ ସେ ରାଜସ୍ଥାନରେ ଖୋଜି ପାଇଥିଲେ। ୧୯୭୨ରେ ସାମାଜିକ କର୍ମୀ ବୁଙ୍କାର ରାୟଙ୍କ ପ୍ରତିଷ୍ଠିତ ସାମାଜିକ କାର୍ଯ୍ୟ ଓ ଗବେଷଣା କେନ୍ଦ୍ର-‘ବେୟାରଫୁଟ୍‌ କଲେଜ’ ଦେଶରେ ଚର୍ଚ୍ଚିତ ହୋଇଥିଲା। ଆଜମେର ଜିଲା ତିଲୋନିଆରେ ଏହି ସଙ୍ଗଠନ ଗ୍ରାମୀଣ ଲୋକଙ୍କୁ ଶିକ୍ଷା, ଦକ୍ଷତା ବିକାଶ, ସ୍ବାସ୍ଥ୍ୟ ଓ ପାନୀୟ ଜଳ ସୁନିଶ୍ଚିତ କରିବା, ମହିଳା ସଶକ୍ତୀକରଣ ଏବଂ ସୌର ଶକ୍ତି ମାଧ୍ୟମରେ ଆଲୋକୀକରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏଭଳି ସଫଳତା ବିଷୟରେ ଏକ ଲେଖା ପଢ଼ି ଜାଣିବା ପରେ ନିଲେଶ ତିଲୋନିଆ ଯାଇ ରାୟଙ୍କୁ ଭେଟିଥିଲେ। ସେତେବେଳେ ରାୟ ତାଙ୍କୁ ଝାବୁଆର ଭିଲ୍‌ ଆଦିବାସୀଙ୍କ ଜୀବନମାନରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ୧୯୮୭ରେ ରାୟଙ୍କ କହିବା ଅନୁଯାୟୀ ୨୬ ବର୍ଷୀୟ ନିଲେଶ ଝାବୁଆର ରାଇପୁରିଆ ଗ୍ରାମରେ ପହଞ୍ଚତ୍ ସାମାଜିକ କାର୍ଯ୍ୟ ଆରମ୍ଭ କଲେ। ସେହିଠାରେ ଗଢ଼ିଲେ ସ୍ବେଚ୍ଛାସେବୀ ସଙ୍ଗଠନ-‘ସମ୍ପର୍କ। ପ୍ରାରମ୍ଭିକ ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ପାଇଁ ପାନୀୟ ଜଳ ଉପଲବ୍ଧ କରାଇବାରେ ସେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଲୋକଙ୍କ ଶୋଷ ମେଣ୍ଟାଇବା ପରେ ସେ ସେଠାକାର ସମ୍ପ୍ରଦାୟଙ୍କୁ ଶିକ୍ଷିତ କରିବା ଦିଗରେ ଲାଗିପଡ଼ିଲେ। ପର୍ଯ୍ୟାୟ କ୍ରମେ ଲୋକଙ୍କୁ ଆର୍ଥିକ ସ୍ବାବଲମ୍ବୀ ଓ ସଶକ୍ତ କରିବା ସକାଶେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ବିକାଶରେ ମନୋନିବେଶ କଲେ। ଜୈବିକ ଚାଷ ପ୍ରତି ଆଗ୍ରହ ବଢ଼ାଇ ସମ୍ପର୍କ ସିଡ୍‌ ବ୍ୟାଙ୍କ ପ୍ରତିଷ୍ଠା କଲେ। ସ୍ବଦେଶୀ ମଞ୍ଜି ପାଇ କୃଷକମାନେ ଭଲ ଅମଳ କଲେ। ସେତେବେଳେ ଆନ୍ଧ୍ରପ୍ରଦେଶରୁ ଦଲାଲମାନେ ଆସି ଝାବୁଆରେ ମହାଜନୀ କରି ଲୋକଙ୍କୁ ଠକାଉଥିଲେ। ସେଥିରୁ ସେମାନଙ୍କୁ ରକ୍ଷା କରିବା ଲାଗି ନିଲେଶ ଧୋଡି ବ୍ୟାଙ୍କ (ହ୍ବାଇଟ୍‌ ବ୍ୟାଙ୍କ) ସ୍ଥାପନ କରି ଲୋକଙ୍କୁ ଉଚିତ ସୁଧରେ ସେମାନଙ୍କ ଆର୍ଥିକ ଜୀବନକୁ ସୁଗମ କରିଥିଲେ। ସେଥିରୁ ମହିଳାମାନେ ବ୍ୟାଙ୍କ ଋଣ ନେଇ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ମଧ୍ୟ ଲାଭବାନ ହୋଇଥିଲେ। ‘ସମ୍ପର୍କ’ର ସଫଳତା ଦେଖି ଆନ୍ଧ୍ର ମହାଜନୀ ସ୍ଥାନ ଛାଡ଼ି ପଳାଇଥିଲେ। ବର୍ଷ ବର୍ଷ ଧରି ଗରିବ ଓ ଅସହାୟ ବ୍ୟକ୍ତି ସେମାନଙ୍କ ଆୟ ବୃଦ୍ଧି କରି ନ ପାରି ଦାଦନ ଭାବେ ଅନ୍ୟ ସ୍ଥାନକୁ ଖଟିବାକୁ ଯାଉଥିବାରେ ନିଲେଶ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।
‘ସମ୍ପର୍କ’ର ଯାତ୍ରା ସକାରାତ୍ମକ ଦିଗକୁ ଅନିଶା କରି ଆଜି ଝାବୁଆ ଓ ଏହାର ପଡ଼ୋଶୀ ଜିଲାର ଦୁଇ ଲକ୍ଷ ପରିବାରଙ୍କ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିପାରିଛି। ୧୯୯୦ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଭି.ପି. ସିଂଙ୍କଠାରୁ ଜାତୀୟ ଯୁବ ପୁରସ୍କାର ପାଇଥିବା ନିଲେଶ ୪୪ତମ ଜମ୍‌ନାଲାଲ ବାଜାଜ ସମ୍ମାନ ସହ ଅନେକ ପୁରସ୍କାରର ଅଧିକାରୀ ହୋଇଛନ୍ତି। କିନ୍ତୁ ସେ ଅସହାୟଙ୍କ ଓଠରେ ହସ ଫୁଟାଇପାରିଲେ ଅଧିକ ତୃପ୍ତ ହୁଅନ୍ତି ବୋଲି କହିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri