ପଢ଼ିବା ମଣିଷତ୍ୱ ଆଣେ

ସହଦେବ ସାହୁ

 

ଆମେ ସମସ୍ତେ ଜାଣିଛୁ, ଯୁକ୍ତରାଷ୍ଟ୍ର ଆମେରିକାର ୧୬ଶ ରାଷ୍ଟ୍ରପତି ଆବ୍ରାହମ୍‌ ଲିଙ୍କନ୍‌ (ଜନ୍ମ ୧୨.୦୨.୧୮୦୯-ନିହତ ୧୫.୦୪.୧୮୬୫) ତାଙ୍କ ଦେଶରେ ପ୍ରଚଳିତ କ୍ରୀତଦାସ ପ୍ରଥାର ଅନ୍ତ କରିଥିଲେ। କାରଣ ଆମେରିକାନ୍‌ମାନଙ୍କ କିଣା ଚାକର ଭାବେ ଆଫ୍ରିକୀୟ କୃଷ୍ଣକାୟମାନେ କିପରି ନିର୍ଯାତିତ ହେଉଛନ୍ତି ତାହା ସେ ‘ହାରିଅତ୍‌ ବିଚର୍‌ ଷ୍ଟୋୱେ’ଙ୍କ ଲିଖିତ ‘ଅଙ୍କ୍‌ଲ ଟମ୍‌ସ କାବିନ୍‌’ ବହି ପଢ଼ି ଅନୁଭବ କରିଥିଲେ। ପଢ଼ିବା କିପରି ମଣିଷତ୍ୱ ଉଦ୍ରେକ କରେ ଏ ତା’ର ଏକ ମସ୍ତବଡ଼ ଉଦାହରଣ। ଯଦି ଆମ ଦେଶର କ୍ଷମତା-ଜାହିର କରୁଥିବା ନେତାମାନେ ବହିପତ୍ର ଓ ଖବରବାହିକାଗୁଡ଼ିକୁ ପଢୁଥାନ୍ତେ ଆମେ ବହୁତ ସଂସ୍କାର ଦେଖନ୍ତୁଣି! ପଢ଼ିବା ମାନେ ଆଖି ବୁଲେଇ ଆଣିବା ନୁହେଁ। ଫ୍ରାନ୍ସିସ୍‌ ବେକନ୍‌ କହିଛନ୍ତି ‘ରିଡିଙ୍ଗ ମେକ୍‌ଥ ଏ ଫୁଲ୍‌ ମ୍ୟାନ୍‌, କନ୍‌ଫରେନ୍ସ ଏ ରେଡି ମ୍ୟାନ୍‌ ଆଣ୍ଡ ରାଇଟିଂ ଆନ୍‌ ଏଗ୍‌ଜାକ୍ଟ ମ୍ୟାନ୍‌’: ପଢ଼ାପଢ଼ି କରୁଥିବା ଲୋକ ସମ୍ପୂର୍ଣ୍ଣ ମଣିଷ ହୋଇଥାଏ; ଆଳାପ, ଭାଷଣ ଆଦି ମଣିଷକୁ ପରିସ୍ଥିତିର ସାମ୍‌ନା କରିବା ଲାଗି ପ୍ରସ୍ତୁତ କରେ ଏବଂ ଲେଖାଲେଖି କରୁଥିବା ଲୋକ ଠିକ୍‌ ନିଷ୍ପତ୍ତି ନେଇଥାଏ! ଆଜିକାଲି ପଢ଼ିବା କେବଳ ଦୃଶ୍ୟ ନୁହେଁ ତା’ ଶ୍ରୁତ ମଧ୍ୟ, ଆଗକାଳରେ ବେଦ ଉପନିଷଦ ଆଦି ଶୁଣି ଶୁଣି ବୁଝି ହେଉଥିଲା, ଏବେ ‘କିଣ୍ଡ୍‌ଲ’ ବ୍ରାଣ୍ଡ୍‌ ନାଁରେ କହୁଥିବା ଲେଖା (ବହି, ପତ୍ରିକା, ପଡ୍‌କାଷ୍ଟ) ମିଳୁଛି, ତେଣୁ ଗାଡି ବା ଟ୍ରେନ୍‌ରେ ବସିଥିଲା ବେଳେ ବା ବିମାନଯାତ୍ରାପୂର୍ବ ଅପେକ୍ଷା ସ୍ଥାନରେ ଶ୍ରୁତ-ପଠନ କରିହେବ। କିନ୍ତୁ ଦୃଶ୍ୟ-ପଠନ ସବୁଠାରୁ ଭଲ, କାରଣ ପଢ଼ିସାରିଥିବା ଲେଖାକୁ ବି ଦେଖିହୁଏ ଓ ତୁଳନା କରିହୁଏ। ବିଜ୍ଞାନ କହେ, ପାଠକର ସମୟର ୧୦୦% ପାଠ ବୁଝିବାରେ ଲାଗିଯାଏ, ମାତ୍ର ଆଖି ଘୂରିବା ସମୟ ୧୦ ଭାଗରୁ ଭାଗେ। ପାଠଟିକୁ ଦେଖୁଥିବ ଓ କମ୍ପ୍ୟୁଟର ବା ସ୍ମାର୍ଟଫୋନ୍‌ ତାକୁ ପଢୁଥିବ ତେବେ ଯାଇ ପଠନ-କ୍ରିୟା ସମ୍ପୂର୍ଣ୍ଣ ହେବ। ଦୃଶ୍ୟ-ପଠନରେ ଗୋଟିଏ ପୂରା ପୃଷ୍ଠାକୁ ଏକାଥରକେ ପଢ଼ିହେବ ନାହିଁ। ବାଁ ଡାହାଣ, ଉପର ତଳ, ଏପରି ଦେଖିବା କାମ ଆମ ଆଖି ଏକା ଥରକେ କରିପାରେ ନାହିଁ। ମସ୍ତିଷ୍କ ଯେତେ ବୁଝିବାକୁ ଚାହେଁ ସେତେ ବେଶି ଧ୍ୟାନ ଓ ସମୟ ପଢ଼ିବାରେ ଦେଇଥାଏ। ସିଦ୍ଧାନ୍ତ, ଟିକିନିଖି ବିଶ୍ଳେଷଣ ଓ ସହାନୁଭୂତି ଭଳି ପ୍ରକ୍ରିୟା ବହୁତ ସମୟ ନେଉଥିବାରୁ ପଢିବାର ବେଗ ଧୀର ହୋଇଯାଏ। ଯଦି ପଢ଼ିବାର ବେଗ ବଢ଼ାଇବା ତେବେ ଏ ତିନୋଟି କାମ ଧୀର ହୋଇଯିବ, ତେଣୁ ଆମେ ପଠନରୁ ଜ୍ଞାନ ଆହରଣ କରିବା ଓ ନିଜର ମତାମତ ତିଆରି କରିବା ପାଇଁ ଯଥେଷ୍ଟ ସମୟ ଦେଇପାରିବା ନାହିଁ। ପଠନ ବେଗ ଯେତେ ବଢ଼େ ଆମର ବୁଝିବା ଶକ୍ତି ସେତେ କମିଯାଏ। ତେଣୁ ଆମେ ଫେରିଆସୁ ଆଉଥରେ ପଢ଼ିବା ପାଇଁ। ଯଦି ଆମର ଲକ୍ଷ୍ୟ ହେଲା ଲେଖାଟାକୁ ଦେଖିବା, ଯଥା ସଉଦା ତାଲିକା ବା ଥିଏଟର୍‌ରେ ବସିବା ବ୍ୟବସ୍ଥାର ଚିତ୍ର, ସେଠି ସ୍ପିଡ୍‌ ରିଡିଂ ଠିକ୍‌, କାରଣ ସେଠି ପୂରା ସୂଚନା ବା ଜ୍ଞାନ ଦରକାର ପଡେ ନାହିଁ, ପଢ଼ିବା ପରମୁହୂର୍ତ୍ତରେ (ବଜାରରେ କିଣି ସାରିଲା ପରେ ବା ଥିଏଟରରେ ବସିଗଲା ପରେ) ନଷ୍ଟ ହୋଇଯାଏ।
କନ୍‌ଫରେନ୍ସ ମାନେ ଆଳାପ ଆଲୋଚନା। ଆଳାପ ଆଲୋଚନା କରୁଥିବା ଲୋକ ସବୁବେଳେ ପ୍ରସ୍ତୁତ (ରେଡି) ଥାଏ, ଯେ କୌଣସି ବିଷୟରେ ଆଲୋଚନା କରିବାକୁ। ସେ ସବୁବେଳେ ପ୍ରସ୍ତୁତ; କେବେ ଅପ୍ରସ୍ତୁତ ଜଣାପଡେ ନାହିଁ ବୋଲି ବେକନ୍‌ ଲେଖିଛନ୍ତି। ତା’ ପରେ କହିଛନ୍ତି, ରାଇଟିଂ ମଣିଷକୁ ଏଗ୍‌ଜାକ୍ଟ କରେ, ରଚନା ବା ଲେଖାଲେଖି କରୁଥିଲେ ଲୋକ ନ୍ୟାୟପୂର୍ଣ୍ଣ ହୁଏ, ଠିକ୍‌ ଠିକ୍‌ ବିଚାର କରେ। ଆଉ ଜଣେ ଲେଖି ଦେବ ଓ ତୁମେ ତାକୁ ପଢ଼ିବ – ଏପରି ପଠନ ମନଭିତରେ ସ୍ଥାୟୀ ହୋଇ ରହେ ନାହିଁ: ପଦାଧିକାରୀ ନେତାମାନଙ୍କ ଭିତରୁ ଅଧିକାଂଶ ଏହି ଧରଣର ପଠନ କରନ୍ତି। ଯେଉଁ ୟୁରୋପୀୟମାନେ ଆଫ୍ରିକୀୟ ନିଗ୍ରୋମାନଙ୍କୁ ମଣିଷ ଭଳି ବଞ୍ଚିବାର ଅଧିକାର ନାହିଁ ବୋଲି କହୁଥିଲେ ସେମାନେ ବେଶି ପଢ଼ାପଢ଼ି କରି ନ ଥିଲେ। ଯେଉଁ ମାର୍କିନ୍‌ ମାଲିକମାନେ କହୁଥିଲେ, ପାଠପଢ଼ିବା ସବୁଠାରୁ ଭଲ ନିଗ୍ରୋକୁ ବି ଖରାପ କରିଦେବ, ପଢ଼ିବା ତାକୁ ଦାସ ହେବାକୁ ବି ଅଯୋଗ୍ୟ କରିଦେବ, ସେମାନଙ୍କ ପଢ଼ା ବଡ ସଂକୀର୍ଣ୍ଣ ଥିଲା! ଭାରତକୁ ଉପନିବେଶ କରିଥିବା ଯେଉଁ ୟୁରୋପୀୟମାନେ କହୁଥିଲେ ଯେ ଅଣଖ୍ରୀଷ୍ଟିଆନମାନଙ୍କୁ ସଭ୍ୟ କରିବା ଗୋରାମାନଙ୍କ ବୋଝ (ହ୍ବାଇଟ୍‌ମ୍ୟାନ୍‌ସ ବର୍ଡନ୍‌), ସେମାନେ ବେଶି ପଢ଼ାପଢ଼ି କରି ନ ଥିଲେ, ଅଳ୍ପ ବିଦ୍ୟା ଭୟଙ୍କରୀ।
ପଠନ ଚରିତ୍ର ଓ ବ୍ୟକ୍ତିତ୍ୱକୁ ଉନ୍ନତ କରି ମଣିଷକୁ ପରିପକ୍ୱ କରେ। ଲିଖିତ ଚରିତ୍ରମାନଙ୍କ ସମ୍ପର୍କରେ ଆସି ପାଠକର ମାନସିକ ଦିଗ୍‌ବଳୟ ପ୍ରଶସ୍ତ ହୁଏ ଓ ସେ ସାମ୍‌ନାରେ ପଡୁଥିବା ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବାରେ ସମର୍ଥ ହୁଏ, ଅର୍ଥାତ୍‌ ସେ ବେଶି ବେଶି ସାମାଜିକ ହୁଏ। କିନ୍ତୁ ରଚନା ବା ଲେଖାଲେଖି ପ୍ରକ୍ରିୟାରେ ମଣିଷ କେତେଗୁଡ଼ିଏ ନିୟମ ମାନିବାକୁ ବାଧ୍ୟ ହୁଏ, ଯଥା ବ୍ୟାକରଣର ନିୟମ, ଶବ୍ଦ-ସଂଯୋଗ ଶବ୍ଦ-ବିନ୍ୟାସ ଓ ଯତି-ଚିହ୍ନ ଆଦି ସହ ଶବ୍ଦଭଣ୍ଡାର ବ୍ୟବହାର କରେ, ନିୟମିତ ରଚନା କରୁଥିବା ଲୋକ ତା’ ମାନସିକ ଦୃଷ୍ଟିିକୋଣରେ ସଠିକତା ହାସଲ କରେ ସିନା, ପଢ଼ିବା ମଣିଷକୁ ସମ୍ପୂର୍ଣ୍ଣ କରେ, ପଠନରତ ଲୋକ ଜୀବନ ବିଷୟରେ ବହୁତ କଥା ଜାଣେ, ସେ ବେଶି ଚାଲାକ ହୋଇଯାଏ, ପରିସ୍ଥିତିକୁ ଅନୁଧ୍ୟାନ କରିପାରେ, ନୂଆ ନୂଆ ପରିସ୍ଥିତିର ସାମ୍‌ନା କରିପାରେ।
ଲିଙ୍କନ୍‌ ବହିପତ୍ର ପଢ଼ାପଢ଼ି କରୁଥିଲେ, ଯଦି ଆମ ମନ୍ତ୍ରୀମାନେ ବିଭିନ୍ନ ବହି ଓ ଖବରକାଗଜ ପଢୁଥାନ୍ତେ କି ବିଭିନ୍ନ ଟିଭି ଚାନେଲ୍‌ରେ ସରକାରୀ କାର୍ଯ୍ୟାବଳୀର ବିଶ୍ଳେଷଣ ଦେଖୁଥାନ୍ତେ ଓ କାନ ଡେରୁଥାନ୍ତେ ସେମାନେ ଜାଣନ୍ତେ ରାଜ୍ୟସାରା କିପରି ପରସେଣ୍ଟେଜ୍‌ କାରବାର ଚାଲିଛି, ବିଶୃଙ୍ଖଳା ଓ ହିଂସାକାଣ୍ଡ ବଢୁଛି, ଦଳର ଲୋକେ କିପରି ଆଇନକୁ ହାତକୁ ନେଉଛନ୍ତି, ସାଧାରଣ ଲୋକେ ଗୋଟିଏ ପେନସନ ପାଉଥିବାର ଆଇନ ସେମାନେ ତିଆରି କରିଥିବା ବେଳେ ସାଂସଦ/ବିଧାୟକ ହୋଇ ସେମାନେ କିପରି ଯେତେ ଥର ବିଧାୟକ ହେବେ ସେତେଥରର ପେନ୍‌ସନ ମିଶାଇ ପେନ୍‌ସନ ପାଇବେ? ସେମାନେ ପଢ଼ନ୍ତେ ଓ ଦେଖନ୍ତେ – କେବଳ କୋଠାବାଡ଼ି କରିଦେଲେ ଲୋକଙ୍କୁ ସେବା ମିଳେ ନାହିଁ, ଶିକ୍ଷକ, ଡାକ୍ତର, ନର୍ସ ଆଦି ଭଳି ସେବାଧିକାରୀ/ରିଣୀ ଦରକାର; ତା ନ ହେଲେ ସବୁ ସରକାରୀ କୋଠା/ଘର ଭୂତକୋଠି ହୋଇଯିବ। ଶ୍ରୀମନ୍ଦିରର ପୂଜକମାନେ ଯଦି ବାହାରର ବହିପତ୍ର ପଢୁଥାନ୍ତେ ସେମାନେ ଶ୍ରୀଜଗନ୍ନାଥଙ୍କୁ କଣ୍ଢେଇ ଭଳି ନଚାଉ ନଥାନ୍ତେ, ଭୋଗ ନ ଦେଲେ ଭଗବାନ ମଣିଷ ହାତରୁ ନ ଖାଇଲେ ଭୋକରେ ରହନ୍ତି କହନ୍ତେ ନାହିଁ; ଶାଳଗ୍ରାମ କିପରି ଏକ ଭୌତିକ ପ୍ରକ୍ରିୟା ସେମାନେ ବି ଜାଣନ୍ତେ; ଠାକୁର-ପୂଜା କରିଦେଲେ ସ୍ବାସ୍ଥ୍ୟ ସୁଖ ଓ ଶାନ୍ତି ଆସେ ନାହିଁ, ମନରୁ ଆବିଳତା ଗଲେ ହିଁ ଆସେ। ନେତାମାନେ ପଢ଼ାପଢ଼ି କଲେ ନିଜର ମାନବିକତାର ବିକାଶ କରିପାରନ୍ତେ, ଧନଲୋଭରେ ମାନବିକତା ହରାନ୍ତେ ନାହିଁ। ପୂର୍ବକାଳରେ ରାଜାମାନେ ପ୍ରଜାଙ୍କ ଭଲମନ୍ଦ ଜାଣିବା ପାଇଁ ପରିସ୍ଥିତିକୁ ପଢ଼ିବା (ଜାଣିବା) ପାଇଁ ଗୋପନରେ ରାଜ୍ୟ ବୁଲୁଥିଲେ, ଏବେ ଗୋପନରେ ବୁଲିବା ଦରକାର ନାହଁ; ଆସନ ନ ଛାଡି ଦୃଶ୍ୟ-ଶ୍ରାବ୍ୟ ମାଧ୍ୟମମାନଙ୍କରୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ବଡ଼ ବଡ଼ ତ୍ରୁଟି ଜାଣିପାରନ୍ତେ ଓ ସମାଜକୁ ଉନ୍ନତ କରିପାରନ୍ତେ, ଅଘଟଣକୁ ରୋକନ୍ତେ; ଅପରାଧ ଓ ଭ୍ରଷ୍ଟାଚାରକୁ କିପରି ପଦାଧିକାରୀମାନେ ଓ କୁଜିନେତାମାନେ ଘଣ୍ଟ ଘୋଡ଼ାଇ ଦେଉଛନ୍ତି ଜାଣିପାରନ୍ତେ। ନିଜର ବିକାଶ ପାଇଁ ଛାତ୍ର ପଢ଼େ, ଦେଶର ବିକାଶ ପାଇଁ ନେତାମାନେ ପଠନରତ ହେବା ଉଚିତ। ଘଟଣାବଳୀ ପଢ଼ିଲା (ଦେଖି, ଶୁଣି ଓ ପଢ଼ି) ପରେ କନ୍‌ଫରେନ୍ସ ଓ ପ୍ରେସ୍‌ନୋଟ୍‌ ନେତାକୁ ସମ୍ପୂର୍ଣ୍ଣ ମଣିଷ କରିପାରେ – ଆବ୍ରାହମ୍‌ ଲିଙ୍କନ୍‌ଙ୍କ ଏକ ସଂସ୍କରଣ ପରି।
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri