ଭୁବନେଶ୍ୱର,୨୮ା୮(ସୁଚିସ୍ମିତା ସାହୁ): ରାଜ୍ୟରେ ଶିକ୍ଷା ଭିତ୍ତିଭୂମିର ବିକାଶ ଲାଗି ସରକାର ଗୁରୁତ୍ୱ ଦେଉଥିବା କଥା କହୁଛନ୍ତି। ଏପରି କି ଏଥିପାଇଁ ବହୁ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ଖୋଦ୍ ରାଜଧାନୀରେ ଶ୍ରେଣୀ ଗୃହ ନ ଥିବାରୁ ପିଲାମାନେ ପାଠପଢ଼ାରୁ ବଞ୍ଚତ୍ତ ହେଉଛନ୍ତି। ୫ ଘଣ୍ଟା ବଦଳରେ ସାଢ଼େ ୩ ଘଣ୍ଟା ପଢ଼ୁଛନ୍ତି। ପୁଣି ଅଧିକାଂଶ ସମୟରେ କ୍ଲାସ୍ ସସ୍ପେଣ୍ଡ କରିବାକୁ ପଡୁଛି। ସେହିଭଳି ଅଧ୍ୟାପକଙ୍କଠାରୁ ଆରମ୍ଭ କରି ଅନ୍ୟ କର୍ମଚାରୀଙ୍କ ପର୍ଯ୍ୟନ୍ତ ବହୁ ପଦବୀ ଖାଲି ପଡ଼ିଥିବାରୁ ଏହା ପିଲାଙ୍କ ପାଠପଢ଼ାକୁ ଗୁରୁତର ଭାବେ ପ୍ରଭାବିତ କରୁଛି। ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ରମାଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(+୨ କଲେଜ)ରେ ଏପରି ଦୟନୀୟ ସ୍ଥିତି ଶିକ୍ଷା କ୍ଷେତ୍ରର ବାସ୍ତବ ଚିତ୍ରକୁ ପଦାକୁ ଆଣିଛି।
ମହିଳା ମାଧ୍ୟମିକ ବିଦ୍ୟାଳୟରେ ପ୍ରାୟ ୨୪୦୦ ପିଲା ପାଠ ପଢ଼ୁଛନ୍ତି। ବିଦ୍ୟାଳୟର ନିଜସ୍ବ ଶ୍ରେଣୀ ଗୃହ ନ ଥିବାରୁ ପିଲାମାନେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଶ୍ରେଣୀ ଗୃହରେ ପାଠ ପଢ଼ୁଛନ୍ତି। ସକାଳ ୭ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଛାତ୍ରୀମାନେ ପାଠ ପଢ଼ୁଛନ୍ତି। ବିଶ୍ୱବିଦ୍ୟାଳୟରେ ପରୀକ୍ଷା ହେଲେ ଏମାନଙ୍କ ପଢ଼ିବା ପାଇଁ ଶ୍ରେଣୀଗୃହ ମିଳେ ନାହିଁ। ଫଳରେ ବାଧ୍ୟ ହୋଇ ଅଧିକାଂଶ କ୍ଲାସ୍ ସସ୍ପେଣ୍ଡ କରିବାକୁ ପଡ଼େ ବୋଲି ଅଧ୍ୟାପକମାନେ କହିଛନ୍ତି। ସେହିପରି ଅଧିକାଂଶ ବିଷୟରେ ସ୍ଥାୟୀ ଅଧ୍ୟାପକ ନ ଥିବାରୁ ଅତିଥି ଅଧ୍ୟାପକମାନେ ପାଠ ପଢ଼ାଉଛନ୍ତି। ତର୍କଶାସ୍ତ୍ର, ଇତିହାସ, ହୋମ ସାଇନ୍ସ ବିଷୟଗୁଡ଼ିକରେ ଦୁଇଜଣ ଲେଖାଏ ଅଧ୍ୟାପକ ପଦବୀ ରହିଥିବା ବେଳେ ଜଣେ ଜଣେ ଅଧ୍ୟାପକ କାମ ଚଳାଉଛନ୍ତି। ସମାଜବିଜ୍ଞାନ ଓ ମ୍ୟୁଜିକ୍ରେ କେହି ଅଧ୍ୟାପକ ନାହାନ୍ତି। କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି। ହେଲେ ଦୀର୍ଘ ୯ ବର୍ଷ ହେଲା ବିଦ୍ୟାଳୟରେ ଧନ୍ଦାମୂଳକ ବିଷୟରେ ପଢ଼ାଇବାକୁ କୌଣସି ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ପାଇନାହାନ୍ତି। ଧନ୍ଦାମୂଳକ ଶିକ୍ଷା ପାଇଁ ଦୁଇଟି ଲେଖାଏ ଟିଚିଂ ଏବଂ ନନ୍ ଟିଚିଂ ପଦବୀ ସେମିତି ଖାଲି ରହିଛି।
ବିଦ୍ୟାଳୟର ପ୍ରଶାସନିକ ଅବ୍ୟବସ୍ଥା ଲାଗି ରହିଛି। ଜଣେ କିରାଣିରେ ଚାଲିଛି ବିଦ୍ୟାଳୟର କାଗଜପତ୍ର କାମ। ମୁଖ୍ୟ କିରାଣି ପଦବୀ ଖାଲି ପଡ଼ିଥିବାବେଳେ ସବୁ କାମ ଜୁନିୟର କିରାଣିକୁ କରିବାକୁ ପଡୁଛି। ମେ’ ମାସରେ ସିନିୟର କିରାଣି ଅବସର ନେଇଥିବାବେଳେ ଏବେ ଜଣେ କିରାଣି ଓ ପିଅନରେ କାମ ହେଉଛି। ବିଦ୍ୟାଳୟ ପରିସରରେ ଥିବା ଲାଇବ୍ରେରୀରେ କେହି କର୍ମଚାରୀ ନ ଥିବାରୁ ଛାତ୍ରୀମାନେ ଲାଇବ୍ରେରୀରେ ବସି ପାଠପଢ଼ିବାର ସୁବିଧା ପାଇପାରୁ ନାହାନ୍ତି। ବିଭିନ୍ନ ବିଭାଗରେ ମୋଟ ୩୩ଟି ପଦବୀ ରହିଥିଲେ ସୁଦ୍ଧା ୨ଜଣ କିପରି କାମ କରୁଛନ୍ତି ତାହା ସହଜରେ ଅନୁମେୟ । ଫାଇଲ କାମଗୁଡ଼ିକ ବହୁଦିନ ଧରି ପଡ଼ିରହୁଛି। ପିଲାମାନେ ଖେଳକୁଦ କରିବା ପାଇଁ ଖେଳ ପଡ଼ିଆ ମଧ୍ୟ ନାହିଁ। ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷା ସରୋଜଲକ୍ଷ୍ମୀ ସିଂହଙ୍କ କହିବାନୁଯାୟୀ, ନିଜସ୍ବ କୋଠା ନିର୍ମାଣ ପାଇଁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ ଆଲୋଚନା ହୋଇଛି। ପିଲାଙ୍କ ପାଠପଢ଼ା ପାଇଁ ଆବଶ୍ୟକ ଅଧ୍ୟାପକ ଓ ଅନ୍ୟ କର୍ମଚାରୀ ପଦବୀ ଲାଗି ଚିଠି ଲେଖାଯାଇଥିବା ସେ କହିଛନ୍ତି।


