ଭୁବନେଶ୍ୱର, ୧୫।୩(ସୁନିତ୍ ମିଶ୍ର): ବିଜେଡିର ଅଧିକାଂଶ ନେତାଙ୍କ ଭିତରେ ବର୍ତ୍ତମାନ ଆଲୋଚନା ରାଜ୍ୟ ସଭା ନିର୍ବାଚନ ଲାଗି ଦଳର ଏଜେଣ୍ଟ କିଏ ହେବେ। ଏଜେଣ୍ଟଙ୍କ କାମ ହେଉଛି, ରାଜ୍ୟ ସଭା ଭୋଟ କେନ୍ଦ୍ର ପାଖରେ ଚୌକି ଧରି ବସିବେ। ସମ୍ପୃକ୍ତ ଦଳୀୟ ବିଧାୟକମାନେ ଭୋଟ କାଗଜରେ ନିଜର ଏକ ନମ୍ୱର କିମ୍ୱା ଅଧିକ ପସନ୍ଦର ପ୍ରାର୍ଥୀଙ୍କ ନାମ ପାର୍ଶ୍ୱରେ ସଂଖ୍ୟା ଲେଖି ଏଜେଣ୍ଟଙ୍କୁ ଦେଖାଇବେ ଏବଂ ତା’ପରେ ଭୋଟ ବାକ୍ସରେ ପକାଇବେ। ଖାଲି ଏଜେଣ୍ଟଙ୍କୁ ହିଁ କ୍ରସ୍ ଭୋଟିଂର ସତ୍ୟ ଜଣାପଡ଼ିବ। ପରବର୍ତ୍ତୀ ସମୟରେ ଏଭଳି ଅନିୟମିତତା ଘଟାଉଥିବା ବିଧାୟକଙ୍କ ନାମ ପ୍ରକାଶ କରିବାର ଏକମାତ୍ର ସୂତ୍ର ଭାବେ ଶକ୍ତିଶାଳୀ ହୋଇଯିବେ। ୨୦୨୬ ରାଜ୍ୟ ସଭା ନିର୍ୱାଚନରେ ବିପୁଳ ଅର୍ଥ ଉଡୁଥିବା ହେତୁ ବିଜେଡି ଏବଂ କଂଗ୍ରେସର ଏଜେଣ୍ଟ ମନୋନୀତ ହୋଇଥିବା ବ୍ୟକ୍ତି ଭଲ କିଛି ଲାଭ ପାଇବାର ଯଥେଷ୍ଟ ସୁଯୋଗ ରହିଛି। ବିଜେଡି ଏବେ ୨ ଗୋଷ୍ଠୀରେ ବିଭକ୍ତ ହୋଇ ରହିଥିବା କୁହାଯାଉଛି। ଗୋଟିଏ ଗୋଷ୍ଠୀ ଭାଜପା ସପକ୍ଷରେ ଆନ୍ତରିକତା ରଖି ନିଜର କାର୍ଯ୍ୟକାଳପ ଚଲାଇଛି। ଆଉ ଗୋଟିଏ ଗୋଷ୍ଠୀ, ଯେଉଁମାନେ ଦଳର ଭବିଷ୍ୟତକୁ ସୁଧାରିବା ଲାଗି ଅଣ୍ଟା ଭିଡ଼ିଛନ୍ତି; ଯେଉଁଥିରେ ବିଧାୟକ ଅରୁଣ ସାହୁଙ୍କ ଭଳି ବ୍ୟକ୍ତି ରହିଛନ୍ତି। ରାଜ୍ୟ ସଭା ନିର୍ୱାଚନରେ ଯିଏ ଦଳର ଏଜେଣ୍ଟ ହୁଅନ୍ତି ସେମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାଜପା ସମର୍ଥନରେ ରହିଥିବା ଗୋଷ୍ଠୀରୁ ଯଦି କେହି ଏଜେଣ୍ଟ ହୁଅନ୍ତି ତା’ହେଲେ କେଉଁମାନେ କ୍ରସ୍ ଭୋଟିଂ କଲେ ଦଳରୁ କିଏ କାହାକୁ ଭୋଟ ଦେଲା ନ ଦେଲା ତା’ର ବାସ୍ତବ ରିପୋର୍ଟ ମିଳିବ ନାହିଁ। ଯଦି ଶାସକ ଦଳ ପୂର୍ୱରୁ ବିଜେଡିର କେତେଜଣ ବିଧାୟକଙ୍କୁ ନିଜ ସପକ୍ଷରେ ନେଇସାରିଥିବ ଏବଂ ଯିଏ ଏଜେଣ୍ଟ ହେଲା ସେକଥା ଲୁଚାଇଦେବେ ତେବେ କ୍ରସ୍ ଭୋଟିଂର ଦୋଷ କାହା ମୁଣ୍ଡରେ ବି ପରବର୍ତ୍ତୀ ସମୟରେ ଲଦି ଦିଆଯାଇପାରିବ। କଂଗ୍ରେସ ଉପରେ କ୍ରସ୍ ଭୋଟିଂର ଦୋଷ ଲଦି ଜଣେ ପ୍ରାର୍ଥୀଙ୍କୁ ହରାଇଦେବା ପାଇଁ ଭାଜପା ସପକ୍ଷବାଦୀ କାହାକୁ ଯେପରି ଏଜେଣ୍ଟ ନ କରାଯିବ ତାକୁ ନେଇ ବିଜେଡି ଭିତରେ ଗୁଞ୍ଜରଣ ଆରମ୍ଭ ହୋଇଛି।

