Posted inଫୁରସତ

ମାଣ୍ଡିଆ…ସେବେରୁ ଏବେ

ଦିନେ ମାଣ୍ଡିଆ ଥିଲା ନିହାତି ସାଧାରଣ ଖାଦ୍ୟ। ମାତ୍ର ସମୟ କ୍ରମେ ଏଥିରେ ଅନେକ ପରିବର୍ତ୍ତନ ଘଟିଥିବାରୁ ଏହି ମୋଟା ଶସ୍ୟ ମାଣ୍ଡିଆ ଏବେ ପାଇଛି ନୂଆ ପରିଚୟ। ଏବେ ସରକାରୀ ସ୍ତରରେ ଏହାର ଖୁବ୍‌ ପ୍ରଚାର ପ୍ରସାର ତଥା ଉପାଦେୟ ବିଷୟରେ ଲୋକଙ୍କୁ ସଚେତନ କରାଯାଇ ପାରିବାରୁ ଏହା ଏବେ ସମସ୍ତଙ୍କ ପ୍ରିୟ ଖାଦ୍ୟ ହୋଇପାରିଛି।

ମାଣ୍ଡିଆ ଚାଷ- ମୋଟା ବା ବଗଡ଼ା ଶସ୍ୟ ଭାରତରେ ସର୍ବ ପ୍ରଥମେ ଚାଷ କରାଯାଇଥିଲା। ସିନ୍ଧୁ ସଭ୍ୟତା କାଳରେ ଲୋକମାନେ ଏଭଳି ମିଲେଟ୍‌ ଜାତୀୟ ଖାଦ୍ୟ ଖାଉଥିଲେ। ଏହା ଏକ ପ୍ରମୁଖ ଖାଦ୍ୟ ଉତ୍ସ ହୋଇରହିଥିଲା। ପାହାଡ଼ିଆ ଓ ଢାଲୁ ଶୁଷ୍କ ଭୂମିରେ ସ୍ବଳ୍ପ ଜଳରେ ଏହି ଶସ୍ୟ ଉତ୍ପାଦିତ ହୋଇପାରିଥାଏ। ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ କୋରାପୁଟ, ମାଲକାନଗିରି, ଗଜପତି, କଳାହାଣ୍ଡି, ରାୟଗଡ଼ା, ବଲାଙ୍ଗୀର, ନୂଆପଡ଼ା, ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୋଳ, କେନ୍ଦୁଝର ସମେତ ଗଞ୍ଜାମ ଓ ଖୋର୍ଦ୍ଧା ଜିଲାର କେତେକ ଅଞ୍ଚଳରେ ମାଣ୍ଡିଆ, ବାଜରା ଓ କାଙ୍ଗୁ ଆଦି ଚାଷ ହୋଇଥାଏ।

ମାଣ୍ଡିଆ ତିଆରି ବିଭିନ୍ନ ଖାଦ୍ୟ- ଆଜିକାଲି ସମସ୍ତେ ମାଣ୍ଡିଆର ଉପକାରିତା ଜାଣିବା ପରେ ତା’ର ଗୁରୁତ୍ୱ ବଢିଯାଇଛି। ଏଥିରେ ବିଭିନ୍ନ ପ୍ରକାରର ସୁସ୍ବାଦୁ ଖାଦ୍ୟ ପ୍ରସ୍ତୁତ ହୋଇପାରୁଛି। ମାଣ୍ଡିଆ କେକ୍‌, ଲଡ଼ୁ, ଜୁସ, ଚା, ସୁପ୍‌, ପିଠା, ଖିରି, ଛତୁଆ, ହାଲୁଆ, ରୁଟି, ଦୋସା, ଇଡ୍‌ଲି, ଚକୁଳି, ପକୋଡ଼ି, ବିସ୍କୁଟ, ଡ୍ରିଂକ୍ସ, ଉପମା ଆଦି ଅନେକ ପ୍ରକାରର ସୁସ୍ବାଦ ଖାଦ୍ୟଦ୍ରବ୍ୟ ପ୍ରସ୍ତୁତ କରାଯାଇପାରୁଛି। ମାଣ୍ଡିଆ ତିଆରି ବିଭିନ୍ନ ଖାଦ୍ୟ ତାରକା ହୋଟେଲରେ ମଧ୍ୟ ଦେଖିବାକୁ ମିଳୁଛି।

ମାଣ୍ଡିଆରେ ରହିଛି ଏକାଧିକ ଭିଟାମିନ୍‌: ଏହି ମୋଟା ଶସ୍ୟ ଜାତୀୟ ଖାଦ୍ୟ ମାଣ୍ଡିଆରେ ରହିଛି ଭିଟାମିନ- ବି, ସି, କେ, ଇ, ପ୍ରୋଟିନ, ଆଇରନ୍‌, କ୍ୟାଲସିୟମ ଆଦି ଏକାଧିକ ଭିଟାମିନ, ପୁଷ୍ଟିସାର, ଜୀବନିକା, ଖଣିଜଲବଣ, ଲୌହ, କ୍ୟାଲସିୟମ, ତନ୍ତୁ ।
ମାଣ୍ଡିଆର ଔଷଧୀୟ ଗୁଣ: ଆୟୁବେର୍ଦିକ ଡାକ୍ତର ତ୍ରୈଲୋକ୍ୟନାଥ ମହାରଣା କୁହନ୍ତି, ମାଣ୍ଡିଆକୁ ଉତ୍ତମ ପଥ୍ୟ ହିସାବରେ ଗ୍ରହଣ କରାଯାଇଛି।ଛୋଟ ପିଲାଠାରୁ ଆରମ୍ଭ କରି ବୃଦ୍ଧ ଓ ରୋଗାକ୍ରାନ୍ତ ବ୍ୟକ୍ତି ସମସ୍ତେ ଏହାକୁ ବ୍ୟବହାର କରିପାରିବେ। ମାଣ୍ଡିଆରେ ବହୁତ ଔଷଧୀୟ ଗୁଣ ରହିଛି। ଏଥିରେ ପ୍ରଚୁର ପରିମାଣରେ କ୍ୟାଲସିୟମ, ମାଙ୍ଗାନିଜ, ଭିଟାମିନ ଡି’ ରହିଛି। ତ୍ରିପୋଟୋଫାୟାଡ୍‌ ଆମିନୋ ଏସିଡ୍‌ ରହିଛି, ଯାହାକି ଭୋକକୁ ନିୟନ୍ତ୍ରଣ କରିଥାଏ। ଅଧିକ ଫାଇବର ଥିବାରୁ ଭୋକ ଲାଗି ନ ଥାଏ। ଅସ୍ଥି କ୍ଷୟ ରୋଗ ବା ଅଷ୍ଟିଓପୋରୋସିସ୍‌ ହୋଇ ନ ଥାଏ। ସର୍ବଦା ମାଣ୍ଡିଆ ଖାଉଥିବା ବ୍ୟକ୍ତିଙ୍କୁ ମଧୁମେହ ରୋଗ ହେବାର ଆଶଙ୍କା କମ୍‌ ଥାଏ। ରକ୍ତରେ କୋଲେଷ୍ଟରଲକୁ ନିୟନ୍ତ୍ରିତ କରିଥାଏ। ମାଣ୍ଡିଆରେ ଆମିନୋ ଏସିଡ୍‌ ଭରପୂର ଥିବାରୁ ଲିଭରରେ ଚର୍ବି ଜମିବାକୁ ଦେଇ ନ ଥାଏ। ତେଣୁ ଲିଭର ବା ଯକୃତ୍‌ ସୁସ୍ଥ ରଖିବାରେ ମାଣ୍ଡିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନିଦ୍ରାହୀନତା, ଅବସାଦ ଆଦି ରହି ନ ଥାଏ। ରକ୍ତରେ ହିମୋଗ୍ଲୋବିନ ସ୍ତର ଠିକ୍‌ ରହିଥାଏ। ସୁନ୍ଦର ଯୁବ ସୁଲଭ ଚେହେରା ରହିଥାଏ। ଅମ୍ଳପିତ୍ତ, ଗ୍ୟାଷ୍ଟ୍ରିକ୍‌, ଉଦରବିକାର, ରକ୍ତଗତ ରୋଗ, ଶରୀର ଦାହ ବା ପୋଡ଼ାଜଳା ରୋଗ ହୋଇ ନ ଥାଏ। ଆୟୁର୍ବେଦିକ ବିଶେଷଜ୍ଞ ଡା. ବାସୁଦେବ ପ୍ରଧାନ କୁହନ୍ତି, ମାଣ୍ଡିଆକୁ ସବୁବର୍ଗର ଲୋକମାନେ ଖାଇପାରିବେ। ଏହି ଖାଦ୍ୟ ଶସ୍ୟକୁ ପ୍ରାତଃକାଳରେ ଖାଇବା ଶ୍ରେଷ୍ଠ ସମୟ । ଏହା ଏକ ପୋଷକ ଖାଦ୍ୟ। କିନ୍ତୁ ଯେଉଁମାନଙ୍କର କିଡ୍‌ନୀ ସମସ୍ୟା ରହିଛି ସେମାନେ କମ୍‌ ଖାଇପାରନ୍ତି। ଆୟୁର୍ବେଦରେ ଏହାକୁ ମୂତ୍ରକାରକ ଦ୍ରବ୍ୟ ହିସାବରେ ଗ୍ରହଣ କରାଯାଇଛି। ମୂତ୍ର କମ୍‌ ମାତ୍ରାରେ ହେଉଥିବା ସମୟରେ ଏହାକୁ ବ୍ୟବହାର କରାଯାଇପାରିବ। ଯୁବ ବୟସରେ ଧାତୁ କ୍ଷୟ ରୋଗ ହେଲେ, ସକାଳୁ ମାଣ୍ଡିଆ ଜାଉ କରି ବ୍ୟବହାର କରିବା ପରେ ଏଥିରୁ ଉପଶମ ମିଳେ। ବୀର୍ଯ୍ୟବର୍ଦ୍ଧକ ଇନ୍ଦ୍ରିୟ ତୃପ୍ତିଦାୟକ, ରକ୍ତପିତ୍ତ ନାଶକ, ଗର୍ଭବତୀ ମହିଳାଙ୍କ ପ୍ରସବ ପରେ ମାଣ୍ଡିଆ ଚକୁଳି ଉପଯୁକ୍ତ ଖାଦ୍ୟ ଭାବେ ଖାଇପାରନ୍ତି। ମାଣ୍ଡିଆ ଖାଉଥିବା ବ୍ୟକ୍ତିଙ୍କୁ ସୁନିଦ୍ରା ହୋଇଥାଏ। ପ୍ରଚୁର ଲୌହସାର ଫଳରେ ଶରୀରରେ ଏହା ରକ୍ତ ତିଆରିରେ ସହାୟକ ହୋଇଥାଏ। ନର୍ଭସ ସିଷ୍ଟମକୁ ସୁଦୃଢ଼ କରେ। ମାନସିକ ଅବସାଦକୁ ନିୟନ୍ତ୍ରଣ କରିଥାଏ। ନିମ୍ନ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ଯେଉଁ ସବୁ ପଦାର୍ଥ ଶରୀରରେ କ୍ଷତି ସାଧନ ଘଟାଇଥାଏ ତା’ ବିରୋଧରେ ଏହା ସଂଗ୍ରାମ କରିଥାଏ। ଶରୀରରେ ଥିବା କ୍ଷତିକାରକ କୋଲେଷ୍ଟରଲ (ଏଲ୍‌ଡିଏଲ୍‌)କୁ କମାଇଥାଏ। ଶରୀର କୋଷିକାକୁ ସୁରକ୍ଷିତ ରଖିଥାଏ। ମାଣ୍ଡିଆ ବୌଦ୍ଧିକତାର ପରିପ୍ରକାଶ ସହିତ ପୁଷ୍ଟିହୀନତା ଦୂରକରେ। ପ୍ରୋଟିନ ଯୋଗୁ ଶିଶୁଙ୍କ ମାଂସପେଶୀ ବିକାଶରେ ସାହାଯ୍ୟ କରିଥାଏ। ଏଥିରେ ପର୍ଯ୍ୟାପ୍ତ ପରିମାଣର କ୍ୟାଲସିୟମ ଯୋଗୁ ଅସ୍ଥିକୁ ମଜଭୁତ କରେ। ଶରୀରର ଓଜନ ହ୍ରାସ କରିଥାଏ। ଏହି ଶସ୍ୟଗୁଡ଼ିକ ନିମ୍ନ ଗ୍ଲାଇସେମିକ ସୂଚକାଙ୍କ ଓ ଗ୍ଲୁଟେନମୁକ୍ତ ଗୁଣଯୋଗୁ କର୍କଟରୋଗ, ରକ୍ତହୀନତା ଏବଂ ଭିଟାମିନ ବି’ର ଅଭାବ, ହୃଦ୍‌ଘାତ, ମଧୁମେହଜନିତ ସମସ୍ୟା ଇତ୍ୟାଦି କମାଇବାରେ ସାହାଯ୍ୟ କରିଥାଏ।

୧୦ପ୍ରକାର ମାଣ୍ଡିଆ ସାଇତି ରଖିଛନ୍ତି ସୁବାସ-: ନାଁ ତାଙ୍କର ସୁବାସ ମହାନ୍ତ, ବୟସ ପ୍ରାୟ ୫୦ ଟପିଲାଣି। ଘର ମୟୂରଭଞ୍ଜ ଜିଲା ଯଶିପୁର ବ୍ଲକର ମାଟିଆଗନ ଗ୍ରାମପଞ୍ଚାୟତର ଗୋଇଁଲି ଗାଁରେ। ସେ କୁହନ୍ତି, ସ୍ବାମୀ ସୁରେଶ ମହାନ୍ତ ଏବଂ ମୋର ଗୋଟିଏ ଝିଅ, ଗୋଟିଏ ପୁଅକୁ ନେଇ ଆମ ପରିବାର। ପୂର୍ବରୁ ଦିନମଜୁରିଆ ଭାବେ କାମ କରି ପରିବାର ଚଳାଉଥିଲୁ। ଆଜକୁ ପ୍ରାୟ ୫ବର୍ଷ ହେବ ୫ଏକର ପଡ଼ିଆ ଜମିକୁ ଲିଜ୍‌ ନେଇ ମାଣ୍ଡିଆ ଚାଷ କରି ଭଲରେ ଚଳୁଛି। ଏଥିରୁ ଭଲ ରୋଜଗାର ହୋଇପାରୁଛି। ବିଭିନ୍ନ କିସମ ମାଣ୍ଡିଆ ମଧ୍ୟରୁ ଚାଷ ପାଇଁ ଭୈରବୀ, ଆରେଙ୍ଗୁ, ରଞ୍ଜା, ଜହ୍ନା, ସାନମାଣ୍ଡିଆ, ବଡ଼ ମାଣ୍ଡିଆ, ବରଷି, ରୁଚିକା, ବାଟି ଓ ସିମିଳା ଆଦି ୧୦ପ୍ରକାର ମାଣ୍ଡିଆ ବିହନକୁ ନେଇ ଚାଷ କରିଥାଏ। ଏହି ଚାଷ ପାଇଁ ବିଭିନ୍ନ ସଂସ୍ଥାରୁ ମୋତେ ପୁରସ୍କାର ମିଳିଛି।

ମାଣ୍ଡିଆ ଚା’ର ଚାହିଦା- କୋରାପୁଟ ଜିଲାର ଜୟପୁର ପାରାବେଡାରେ ମାଣ୍ଡିଆ ଚା ବିକ୍ରି ହେଉଛି । ଚା ଖାଲି ନୁହେଁ ମାଣ୍ଡିଆରେ ମିକ୍ସଚର, ବିସ୍କୁଟ, ମୁଡ୍‌କି, ଲଡ଼ୁ ମଧ୍ୟ ପ୍ରସ୍ତୁତ କରାଯାଉଛି । ଜଗନ୍ନାଥ ଚିନାରି ନାମକ ଜଣେ ବ୍ୟକ୍ତି ଏପରି ପ୍ରସ୍ତୁତ କରି ଜିଲା କ’ଣ ରାଜ୍ୟ ଓ ଜାତୀୟ ସ୍ତରରେ ମଧ୍ୟ ପୁରସ୍କୃତ ହୋଇଛନ୍ତି । ଜୟପୁର ପାରାବେଡାରେ ଏକ ଷ୍ଟଲ୍‌ରେ ଚା ସହ ମାଣ୍ଡିଆ ଜାତୀୟ ଖାଦ୍ୟ ପ୍ରସ୍ତୁତ କରି ବିକ୍ରୟ କରୁଛନ୍ତି । ଘର ସହର ନିକଟ ବାରିଣିପୁଟରେ ହୋଇଥିବା ବେଳେ ଏଠାରେ ଷ୍ଟଲ୍‌ରେ ବିକ୍ରୟ କରୁଛନ୍ତି ା ଗୋଟିଏ ଚା କପ ୧୦ ଟଙ୍କା ଦର ରହିଥିବା ବେଳେ ପ୍ରତ୍ୟେକ ଦିନ ୪୦ରୁ ୫୦ କପ୍‌ ବିକ୍ରୟ କରୁଛନ୍ତି ା ମାଣ୍ଡିଆ ପତି, ଗୁଡ, ଲେମ୍ବୁ, ବ୍ଲାକ ସଲ୍‌ଟ ପକାଇ ଚା ପ୍ରସ୍ତୁତ କରୁଛନ୍ତି । ନିଶାଯୁକ୍ତ ଚା କିପରି ହୋଇ ପାରିବ ସେ ନେଇ ଉଦ୍ୟମ କରି ମାଣ୍ଡିଆ ଚା ପ୍ରସ୍ତୁତ କରି ସଫଳ ହୋଇଛନ୍ତି । ଏମିତକି ଜଗନ୍ନାଥ ଚିନାରି ମାଣ୍ଡିଆ ପତି ମଧ୍ୟ ବହୁତ ଚାହିଦା ରହିଛି ା ରାଜ୍ୟ ଓ ରାଜ୍ୟ ବାହାରେ ସେ ରପ୍ତାନି କରନ୍ତି । ଭୁବେନେଶ୍ୱର, କଟକ, ସମ୍ବଲପୁର, ହାଇଦ୍ରାବାଦ, ରାଜସ୍ଥାନ, ଦିଲ୍ଲୀ, ମାଡ୍ରାସ, ରାୟପୁରକୁ ମଧ୍ୟ ପଠାନ୍ତି । ମାଣ୍ଡିଆ ପତି ପ୍ରସ୍ତୁତ କରିବା ପାଇଁ ୨୦ରୁ ୨୨ ଦିନ ସମୟ ଲାଗେ । ମାଣ୍ଡିଆ ପତିରେ ମାଣ୍ଡିଆ, ତୁଳସୀ, ଅର୍ଜୁନ ଛାଲି, ତାଳଚିନି, ଗୁଜୁରାତି, ଗୋଲମରୀଚ ଆଦି ପକାଇ ପ୍ରସ୍ତୁତ କରନ୍ତି । ଶହେ ଗ୍ରାମ ଚା ପତି ପିଛା ୫୦ ଟଙ୍କା ଦର ରହିଛି। କୋରାପୁଟ ଜିଲାରେ ୧୨ଟି ବ୍ଲକରେ ଚାଷ କରାଯାଉଥିବା ବେଳେ କୁ୍‌ନ୍ଦୁରା, ବୈପାରିଗୁଡା, ଲମତାପୁଟ, କୋରାପୁଟ, ନନ୍ଦପୁର, ଲମୀପୁର ଆଦି ଅଞ୍ଚଳରେ ବହୁ ପରିମାଣରେ ମାଣ୍ଡିଆ ଚାଷ ହୋଇଥାଏ । ଏନେଇ ସ୍ବାମୀନାଥନ ଗବେଷଣା ପ୍ରତିଷ୍ଠାନର ବୈଜ୍ଞାନିକ ପ୍ରଶାନ୍ତ କୁମାର ପରିଡା କହିଛନ୍ତି ଯେ ମାଣ୍ଡିଆ ସ୍ବାସ୍ଥ୍ୟ ପ୍ରତି ହିତକର ହୋଇଥିବା ବେଳେ ଏହାକୁ ପ୍ରତ୍ୟେକ ଦିନ ଖାଇଲେ ରୋଗକୁ ମୁକାବିଲା କରିବାର ଶକ୍ତି ବଢ଼ିଥାଏ ।

ଓଡ଼ିଶାର ପ୍ରୟାସ- ଓଡ଼ିଶା ମିଲେଟ୍‌କୁ ବିଶ୍ୱବ୍ୟାପୀ ପହଁଚାଇବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାକୁ ସହଜ କରିବା ପାଇଁ ବିଶ୍ୱର କୋଣ ଅନୁକୋଣରେ ପହଁଚାଇବା ଲକ୍ଷ୍ୟରେ ଓଡ଼ିଶା ମିଲେଟ୍ସ ଏଥିଲାଗି ଅନ୍‌ ଲାଇନରେ ବ୍ୟବସାୟ ଲାଗି କେତେକ ସଂସ୍ଥା ସହିତ ଆଲେଚନା ଚଳାଇଛି। ୨୦୧୭ ମସିହାରୁ ଓଡ଼ିଶା ମିଲେଟ୍ସ୍‌ ମିଶନ କାର୍ଯ୍ୟ କରୁଅଛି। ଓଡ଼ିଶା ସରକାର ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବରେ ପାଳନ କରୁଛନ୍ତି। ଏହି ମିଲେଟ୍‌କୁ ନେଇ ରାଜ୍ୟରେ ଅନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବ ଆୟୋଜନ ହେବ। ବିଭିନ୍ନ ଖାଦ୍ୟ ମେଳାରେ ଏହା ସ୍ଥାନ ପାଇବ। ଏମିତିରେ ସ୍କୁଲ କଲେଜ ଓ ହସ୍ପିଟାଲରେ ଏହି ମିଲେଟ୍‌ ସଚେତନତା କରାଯିବ। ଆଗାମୀ ଦିନରେ ପୃଥିବୀରୁ କ୍ଷୁଧାମୁକ୍ତି ପାଇଁ ଏହାକୁ ନଜରରେ ରଖି ଭାରତ ସରକାର ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ମାଧ୍ୟମରେ ଏହି ପୁଷ୍ଟି ଶସ୍ୟର ଚାଷ ଓ ଖାଦ୍ୟକୁ ବ୍ୟବହାର କରିଛନ୍ତି।
ସମସ୍ତଙ୍କ ପ୍ରିୟ ମିଲେଟ୍‌-ସମନିତ୍ୱ ଶିଶୁ ବିକାଶ ଯୋଜନାରେ ଶିଶୁମାନଙ୍କ ପୁଷ୍ଟି ସାଧନ ପାଇଁ ସୁନ୍ଦରଗଡ଼ ଓ କେନ୍ଦୁଝରରେ ସ୍କୁଲ ଓ ଅଙ୍ଗନଓ୍ବାଡ଼ି ପିଲାଙ୍କୁ ପ୍ରଥମେ ମିଲେଟ୍‌ରୁ ପ୍ରସ୍ତୁତ ଖାଦ୍ୟ ପ୍ରଦାନ କରାଯାଇଥିଲା। ଅନ୍ୟ ଜିଲାଗୁଡ଼ିକରେ ଏହାର ଅନୁକରଣ ହୋଇଛି। ସେହିପରି ନୂଆପଡ଼ା ଜିଲାର କୋମନା ଉଦ୍ୟନବନ୍ଧ ଏବଂ କାଣ୍ଡେତରାରେ ମିଲେଟ୍‌ ଟିଫିନ ସେଣ୍ଟର ରହିଛି । ଏହାକୁ ଏକ ଘରୋଇ ସ୍ବେଚ୍ଛା ସେବୀ ସଙ୍ଗଠନ ଚଳାଉଛି। ଏହାର ଲୋକପ୍ରିୟତା ପାଇଁ ମିଲେଟମ୍ୟାନ ଏବଂ ମିଲି ମାସ୍କଟ୍‌ଙ୍କ ଭୂମିକା ରହିଛି।

ମାଣ୍ଡିଆ ପୂର୍ବରୁ ଆଦିବାସୀଙ୍କ ଖାଦ୍ୟ ଥିଲା -:ଓଡ଼ିଶାର ଆଦିବାସୀ ବହୁଳ ଅଞ୍ଚଳରେ ବହୁବର୍ଷ ଧରି ଅନୁସୂଚିତ ଜନଜାତିର ଲୋକମାନେ ପୋଡୁ ଚାଷ କରି ପାହାଡ଼ ଅଞ୍ଚଳରେ ମାଣ୍ଡିଆ ଚାଷ କରୁଥିଲେ। ଏହି ମାଣ୍ଡିଆ ସେମାନଙ୍କର ସାରାବର୍ଷର ମୁଖ୍ୟ ଖାଦ୍ୟ । ମାଲକାନଗିରି ଜିଲା ଚିତ୍ରକୋଣ୍ଡା, ମାଥିଲି, କୁଡୁମୁଲୁଗୁମ୍ମା, ଖଇରପୁଟ, କୋରୁକୋଣ୍ଡା, ଅଞ୍ଚଳରେ ବହୁଳ ଭାବେ ମାଣ୍ଡିଆ ଚାଷ କରାଯାଉଛି। ଜିଲା ସ୍ବାଭିମାନ ଅଞ୍ଚଳ ବଡପଡା, ପାପରମେଟଲାର ବିଭିନ୍ନ ଗ୍ରାମରେ ମାଣ୍ଡିଆ ଚାଷ ହେଉଛି। ଚଳିତ ବର୍ଷ -ଚିତ୍ରକୋଣ୍ଡା ବ୍ଲକରେ ୧୪ଟି ପଞ୍ଚାୟତରେ ୧୩୦୦ ହେକ୍ଟର ଜମିରେ କେବଳ ଜୈବିକ ଖତ ସାର ବ୍ୟବହାରରେ ମାଣ୍ଡିଆ ଚାଷ ହେଉଛି। ମାଣ୍ଡିଆର ଜଳଖିଆ ଚାହିଦା ଏହି ଜିଲାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଜିଲା ମିଲେଟ୍‌ ମିଶନର ପ୍ରକଳ୍ପ ସଂଯୋଜକ ତପନ କୁମାର ରଥ କୁହନ୍ତି, ଆଗାମୀ ଦିନରେ ଜିଲାରେ ଚାଷୀମାନଙ୍କୁ ଅଧିକ ମାଣ୍ଡିଆ ଚାଷ କରିବା ପାଇଁ ଉତ୍ସାହିତ କରାଯିବ ।

କେନ୍ଦୁଝର ମାଣ୍ଡିଆ ଲଡ଼ୁ -ଆଦିବାସୀବହୁଳ କେନ୍ଦୁଝର ଜିଲାରେ ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ମାଣ୍ଡିଆ ଚାଷ ଓ ଖାଦ୍ୟ ପ୍ରସ୍ତୁତି କାର୍ଯ୍ୟକ୍ରମ ଚାଲିଛି ା ମାଣ୍ଡିଆ ପୁଷ୍ଟି ଶସ୍ୟର କ୍ରୟ ଓ ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ରାଜ୍ୟ ପୋଷଣ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଇବା ଆଦି ଲକ୍ଷ୍ୟରେ ୨୦୧୭-୧୮ ମସିହାରୁ କାର୍ଯ୍ୟକାରୀ କରାଯାଉଛି ା ଜିଲା କୃଷି ଅଧିକାରୀ ମିହିର କୁମାର ସାହୁ କୁହନ୍ତି, ଜିଲାର ପ୍ରାୟ୧୧ଟି ବ୍ଲକରେ ମାଣ୍ଡିଆ ଚାଷ ଚାଲିଛି। ା ଜିଲା ପ୍ରଶାସନ ସହଭାଗିତାରେ ୨୦୧୮-୧୯ରେ ପ୍ରଥମ ପର୍ଯ୍ୟାୟରେ ୭ଟି ବ୍ଲକ ଯଥା ବାଂଶପାଳ, ହରିଚନ୍ଦନପୁର, ଚମ୍ପୁଆ, ଝୁମ୍ପୁରା, ଯୋଡା, ହାଟଡିହି ଏବଂ ସଦର ବ୍ଲକକୁ ସାମିଲ କରାଯାଇଥିଲା । ୭ଟି ବ୍ଲକର ୮୮ ପଞ୍ଚାୟତରେ ୪୦୪୨ ଜଣ ଚାଷୀ ୧୮୨୨.୬୪ ହେକ୍ଟର ଜମିରେ ମିଲେଟ୍‌ ଚାଷ କରିଥିଲେ । ଏବେ ଏହା ବୃଦ୍ଧି ପାଇ ୩୭୯୮.୨୨ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରାଯାଉଛି ା ଚାଷୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରତ୍ୟେକ ବ୍ଲକରେ ୯ଟି ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ୱାରା ତାଲିମ, ଗୁଣାତ୍ମକ ବିହନ ଯୋଗାଣ କରାଯାଉଛି। ବିଭିନ୍ନ ସ୍ଥାନରେ ଗୋଷ୍ଠୀ ପରିଚାଳିତ ବିହନ କେନ୍ଦ୍ର ଓ ଯନ୍ତ୍ରପାତି ଭଡା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ା ଦେଶର ପ୍ରଥମ ମଡେଲ ଭାବରେ ୨ ଜୁଲାଇ ୨୦୨୦ରୁ ସମସ୍ତ ୩୨୫୭ ଅଙ୍ଗନଓ୍ବାଡିରେ ୮୭,୦୦୦ ପ୍ରାକ୍‌ ପ୍ରାଥମିକ ବିଦ୍ୟାଳୟର ଶିଶୁଙ୍କୁ ମାଣ୍ଡିଆ ଲଡୁ ନିର୍ଦ୍ଧାରିତ ଖାଦ୍ୟ ସହିତ ଅତିରିକ୍ତ ଭାବେ ସାପ୍ତାହିକ ୪ଟି ଲେଖାଏ ବଣ୍ଟନ କରାଯାଉଛି ା ରାଜ୍ୟର ପ୍ରଥମ ଜିଲା ଭାବରେ ଏସ୍‌ସି/ଏସ୍‌ଟି ଉନ୍ନୟନ ବିଭାଗ ଅଧୀନରେ ଚାଲିଥିବା ବିଦ୍ୟାଳୟର ୩୩୪ ହଷ୍ଟେଲର ୩୯,୦୦୦ ଅନ୍ତେବାସୀଙ୍କୁ ମାଣ୍ଡିଆ ଲଡୁ ବଣ୍ଟନ କରାଯାଇଛି । ଏହି ମାଣ୍ଡିଆ ଲଡୁ ମିଶ୍ରଣ ୨୧ଟି ସ୍ବୟଂ ସହାୟକ ଗୋଷ୍ଠୀ ପ୍ରସ୍ତୁତ କରୁଛନ୍ତି । ଓଡ଼ିଶାର ପ୍ରଥମ ମିଲେଟ୍‌ କାଫେ କେନ୍ଦୁଝର ଜିଲା ମୁଖ୍ୟାଳୟରେ ପ୍ରତିଷ୍ଠା କରାଯାଇଛି ।

ବିଦେଶରେ ପ୍ରଶଂସା-: ଫ୍ରାନ୍ସର ପ୍ୟାରିସ୍‌ଠାରେ ଆୟୋଜିତ ଅନ୍ତର୍ଜାତୀୟ ଖାଦ୍ୟ ଉତ୍ପାଦନ ପ୍ରଦର୍ଶନୀ ସିଆଇ-୨୦୨୨ରେ ଓଡ଼ିଶା ମିଲେଟ ମିଶନ ସାମିଲ ହୋଇଥିଲା। ଏହା ଦ୍ୱାରା ପ୍ରସ୍ତୁତ ମାଣ୍ଡିଆ ବିସ୍କୁଟ୍‌ ଓ ଲଡ଼ୁର ଚାହିଦା ରହିଥିଲା। -ମିଲି ମାସ୍କଟ୍‌-: ଘରେ ଘରେ ମିଲେଟ ଖାଦ୍ୟକୁ ପରିଚିତ ଓ ଏହି ଚାଷକୁ ପ୍ରୋତ୍ସାହିତ ପାଇଁ ଜାତୀୟ ଖାଦ୍ୟର ପ୍ରଚାର ପ୍ରସାର ଲାଗି ଓଡ଼ିଶା ମିଲେଟ୍‌ ମିଶନ ପକ୍ଷରୁ ଏହି ମାସ୍କଟ୍‌ ଆରମ୍ଭ ହୋଇଥିଲା

ମିଲେଟ୍‌ ବର୍ଷ-: ଭାରତବର୍ଷର ପ୍ରୟାସ କ୍ରମେ ୨୦୧୮ରେ ଭାରତ ଜାତୀୟ ମିଲେଟ୍‌ ବର୍ଷ ପାଳନ କରିଥିଲା। ୨୦୨୧ ମସିହା ମାର୍ଚ୍ଚରେ ରୋମ୍‌ଠାରେ ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଙ୍ଗଠନ (ଏଫ୍‌ଏଓ)ପକ୍ଷରୁ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ରୂପେ ପାଳନ କରିବାକୁ ଘୋଷଣା କରିଥିଲା। ଭାରତର ଏହି ପ୍ରସ୍ତବକୁ ବିଶ୍ୱର ପ୍ରାୟ ୭୨ଟି ରାଷ୍ଟ୍ର ସମର୍ଥନ ଜଣାଇଥିଲେ। ଏହି ମୋଟା ଶସ୍ୟର ଗୁରୁତ୍ୱତ୍କୁ ସ୍ବୀକାରପୂର୍ବକ ଏବଂ ଲୋକମାନଙ୍କୁ ପୁଷ୍ଟିକର ଆହାର ଯୋଗାଇବାର ନେତୃତ୍ୱ ନେଇ ବିଶ୍ୱରେ ନିଜସ୍ବ ଓ ବୈଶ୍ୱିକ ଚାହିଦା ପୂରଣ ସକାଶେ ଭାରତ ୨୦୨୩ ବର୍ଷ ନିଜକୁ ବିଶ୍ୱ ନେତୃତ୍ୱ ଭାବେ ପ୍ରତିଷ୍ଠିତ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ପ୍ରତ୍ୟେକ ନାଗରିକଙ୍କ ଖାଦ୍ୟ ଥାଳିରେ ଭାରତର ପ୍ରାଚୀନ ପୌଷ୍ଟିକ ଖାଦ୍ୟଶସ୍ୟ ତା’ର ଉଚିତ ଅଧିକାର ଓ ସ୍ଥାନ ପାଇବା ଉଚିତ। ଭବିଷ୍ୟତର ଖାଦ୍ୟ ବିକଳ୍ପରେ ଏହା ପରିଣତ ହେବ। ସମୟ ବଦଳିବା ସହିତ ଧୀରେ ଧୀରେ ଖାଦ୍ୟ ସାରଣୀରେ ମିଲେଟ୍‌ ସାମିଲ ହୋଇଛି।

-ବନବିହାରୀ ବେହେରା, ପବନ ପାଣିଗ୍ରାହୀ, ନରେଶ ଚନ୍ଦ୍ର ପଟ୍ଟନାୟକ,ଦୁର୍ଯ୍ୟୋଧନ ପାତ୍ର, ସରୋଜ ମହାନ୍ତ


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?