ଅମୃତକାଳର ଜାତିବାଦ ବିଷ

ଗତ ଅଗଷ୍ଟ ପନ୍ଦର ଦିନ ଯେତେବେଳେ ସାରା ଦେଶ ସ୍ବାଧୀନତାର ୭୫ବର୍ଷ ଅବସରରେ ଅମୃତକାଳ ପାଳନ କରୁଥିଲା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ ଲାଲକିଲ୍ଲାର ପ୍ରାଚୀରରୁ ନିଜର ଭାଷଣ ଜରିଆରେ ଅମୃତକାଳର ଉଦ୍‌ଘୋଷ କରୁଥିଲେ, ତାର ଠିକ୍‌ କିଛି ଘଣ୍ଟା ପୂର୍ବରୁ ରାଜସ୍ଥାନର ଝାଲୌରରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଥିଲା। ଜିଲାର ସରସ୍ବତୀ ବିଦ୍ୟା ମନ୍ଦିରରେ ତୃତୀୟ ଶ୍ରେଣୀରେ ପଢ଼ୁଥିବା ୯ ବର୍ଷର ଦଳିତ ଛାତ୍ର ଉଚ୍ଚ ଜାତିର ପ୍ରଧାନ ଶିକ୍ଷକଙ୍କ ଜାତିଗତ ଘୃଣା ଓ ହିଂସାର ଶିକାର ହୋଇ ପ୍ରାଣ ହରାଇଥିଲା। ତା’ର ଏକମାତ୍ର ଅପରାଧ ଥିଲା, ସେ ଦଳିତ ପିଲାଙ୍କ ବ୍ୟବହାର ପାଇଁ ନିଷିଦ୍ଧ ଥିବା ସ୍କୁଲର ଏକ ପାଣିପାତ୍ରକୁ ଛୁଇଁ ପାଣି ପିଇଥିଲା। ଜୁଲାଇ ୨୦ର ଏହି ଘଟଣା ପରେ ଛାତ୍ରଟିର କାନରୁ ରକ୍ତସ୍ରାବ ହୋଇଥିଲା। ଅଭିଭାବକ ତାକୁ ଚିକିତ୍ସା ପାଇଁ ହସ୍‌ପିଟାଲକୁ ନେଇଥିଲେ। ସେଠାରେ ଭଲ ନ ହେବାରୁ ତାକୁ ଅନ୍ୟ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଦୀର୍ଘ ୨୩ ଦିନ ଧରି ଚିକିତ୍ସା ପରେ ଅଗଷ୍ଟ ୧୩ରେ ଅହମଦାବାଦର ଏକ ହସ୍‌ପିଟାଲରେ ପିଲାଟିର ମୃତ୍ୟୁ ହୋଇଥିଲା।
ତେବେ ଘଟଣା ସମ୍ପର୍କରେ ଖବର ପ୍ରସାରିତ ହେବା ପରେ ତାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ଅଗଷ୍ଟ ୧୧ରେ ହସ୍‌ପିଟାଲ କର୍ତ୍ତୃପକ୍ଷ ଏହାକୁ ଏକ ମେଡିକୋ ଲିଗାଲ କେସ୍‌ ବୋଲି ରାଜସ୍ଥାନ ପୋଲିସକୁ ଜଣାଇବା ପରେ ପୋଲିସ ସମ୍ପୃକ୍ତ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ମାମଲା ମଧ୍ୟ ଦାଏର କରିଥିଲା। ସ୍ବାଧୀନତା ଦିବସରେ ବହୁସଂଖ୍ୟାରେ ଲୋକେ ଏହି ଘଟଣାର ପ୍ରତିବାଦରେ ନିଜର ସୋସିଆଲ ମିଡିଆ ଡିପିରେ ତ୍ରିରଙ୍ଗା ବଦଳରେ ମୃତ ଛାତ୍ରଟିର ଫଟୋ ଓ ଚିତ୍ରକୁ ରଖିବା ଦେଖାଯାଇଥିଲା। ରାଜସ୍ଥାନର ବିଭିନ୍ନ ଦଳିତ ସଙ୍ଗଠନ ରାସ୍ତାକୁ ଓହ୍ଲାଇ ଏହାର ପ୍ରତିବାଦ କରିଥିଲେ। ରାଜନୈତିକ ଦଳମାନେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଘଟଣାର ଗମ୍ଭୀରତାକୁ ଦେଖି ରାଜସ୍ଥାନ ସରକାର ତୁରନ୍ତ ସକ୍ରିୟ ହୋଇଯାଇ ଅଭିଯୁକ୍ତ ଶିକ୍ଷକଙ୍କୁ ହତ୍ୟା ଓ ଜାତି ନିର୍ଯାତନା ମାମଲାରେ ଗିରଫ କରିବା ସହ ମୃତ ଛାତ୍ରର ପରିବାରକୁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଘୋଷଣା କରିଥିଲେ।
ଆମ ସମାଜରେ ଜାତି ନାଁରେ କିପରି ଭୟଙ୍କର ଘୃଣା ଓ ହିଂସାର ବିଷ ଭରି ରହିଛି, ତାକୁ ଝାଲୌରର ଘଟଣା ପୁଣିଥରେ ଉଜାଗର କରିଛି। ଆମେ ଜାତିର ଆଧାରରେ ଯେ ଭାଗ ଭାଗ ହୋଇ ରହିଛୁ ଏବଂ ଜଣେ ଜଣକୁ ଘୃଣା ଓ ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛୁ, କମ୍‌ ସେ କମ୍‌ ଝାଲୌର ପରି ଘଟଣା ମନେପକେଇ ଦେଉଛି। କିଛି ଦିନ ତଳେ ଉତ୍ତରପ୍ରଦେଶର ରାୟବରେଲି ଜିଲାରେ ଜାତିବାଦର ଏକ ଘଟଣା ସାମ୍‌ନାକୁ ଆସିଥିଲା। ଗାଁରେ ଜଣେ ଦଳିତ ମହିଳା ଶ୍ରମିକ ନିଜର ବକେୟା ମଜୁରି ମାଗିବାରୁ ସମ୍ପୃକ୍ତ ଉଚ୍ଚଜାତିର ବ୍ୟକ୍ତି ମହିଳାଙ୍କ ନାବାଳକ ପୁଅକୁ ରାସ୍ତା ମଝିରେ ହିଁ ଚମଡ଼ା ବେଲ୍ଟରେ ମାଡ଼ ମାରିବା ସହ ନିଜର ପାଦକୁ ଚାଟିବାକୁ ବାଧ୍ୟ କରିଥିଲେ। ଏଭଳି ଅପରାଧ ଘଟଣାର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ଯୋଗୁ ପୋଲିସ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା।
ବିଡ଼ମ୍ବନାର ବିଷୟ, ଆଧୁନିକ ଶିକ୍ଷା ପାଇ ବିଚାର ଓ ଦୃଷ୍ଟିଭଙ୍ଗୀ ବ୍ୟାପକ ତଥା ସମ୍ବେଦନଶୀଳ ହେବା ପରିବର୍ତ୍ତେ ଆମର ଛାତ୍ରୀଛାତ୍ର ଏବଂ ଶିକ୍ଷକମାନେ ଅଧିକ ଜାତିବାଦୀ ହେଉଛନ୍ତି। କେବଳ ଝାଲୌରର ସରସ୍ବତୀ ବିଦ୍ୟାମନ୍ଦିର ନୁହେଁ, ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଶିକ୍ଷାନୁଷ୍ଠାନରେ ଜାତିଗତ ବିଦ୍ୱେଷର ଖବର ସବୁ ମଝି ମଝିରେ ଆସିବାରେ ଲାଗିଛି। କିଛିଦିନ ତଳେ ଉତ୍ତରାଖଣ୍ଡର ଏକ ସ୍କୁଲରେ ଦଳିତ ରୋଷେୟା ରାନ୍ଧିଥିବା ଖାଦ୍ୟକୁ ସ୍କୁଲର ଉଚ୍ଚ ଜାତିର ଛାତ୍ରୀଛାତ୍ର ଖାଇବାକୁ ମନା କରିଦେବା ଦେଖିବାକୁ ମିଳିଛି। ଆମେ ଆମର ଘର ଭିତରେ ହିଁ କିପରି ପିଲାଙ୍କ ମନରେ ଜାତିଗତ ଘୃଣା ଓ ଉଚ୍ଚଜାତି ଅହଂକାରକୁ ଭର୍ତ୍ତି କରୁଛୁ, ଉତ୍ତରାଖଣ୍ଡର ସ୍କୁଲର ଘଟଣାଟି ପ୍ରମାଣିତ କରୁଛି। ଯଦିଓ ପୂର୍ବପରି ସ୍କୁଲମାନଙ୍କରେ ଦଳିତ ଓ ସବର୍ଣ୍ଣ ପିଲା ଶ୍ରେଣୀକକ୍ଷରେ ଅଲଗା ବସୁ ନାହାନ୍ତି କିନ୍ତୁ ଜାତିଗତ ବିଦ୍ୱେଷର ପ୍ରତିଫଳନ ଶିକ୍ଷାନୁଷ୍ଠାନମାନଙ୍କରେ ଦେଖିବାକୁ ମିଳୁଛି। ଦେଶର ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷାର ଅନୁଷ୍ଠାନଗୁଡ଼ିକ ବି ଏଥିରୁ ମୁକ୍ତ ନୁହନ୍ତି। ଏହା ଦଳିତ ଛାତ୍ର ରୋହିତ ଭେମୁଲାଙ୍କ ଆତ୍ମହତ୍ୟାରୁ ଉଜାଗର ହୋଇସାରିଛି। ଦେଶର ଶିକ୍ଷାନୁଷ୍ଠାନମାନଙ୍କରେ କାର୍ଯ୍ୟରତ ମୋଟ ୧୨.୮୪ ଲକ୍ଷ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ମାତ୍ର ୮.୬% ଅନୁସୂଚିତ ଜାତିର ଏବଂ ୨.୨୭% ଅନୁସୂଚିତ ଜନଜାତିର ହେବା ବି ଶିକ୍ଷାନୁଷ୍ଠାନମାନଙ୍କରେ ରହିଥିବା ଉଚ୍ଚ ଜାତିର ଆଧିପତ୍ୟକୁ ପ୍ରମାଣିତ କରୁଛି।
କେବଳ ଶିକ୍ଷାନୁଷ୍ଠାନ ନୁହେଁ, ପ୍ରଶାସନଠାରୁ ଆରମ୍ଭ କରି ମିଡିଆ, ନ୍ୟାୟପାଳିକା, ରାଜନୀତି ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ଦଳିତ, ଆଦିବାସୀ ଏପରି କି ଓବିସିଙ୍କ ପ୍ରତିନିଧିତ୍ୱ ନଗଣ୍ୟ ରହିଛି। କେନ୍ଦ୍ର ସରକାରଙ୍କ କ୍ୟାବିନେଟ ସଚିବାଳୟରେ ୮୧ ଜଣ ବରିଷ୍ଠ ଅଧିକାରୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୬ଜଣ ଅନୁସୂଚିତ ଜାତିର ହୋଇଥିବା ବେଳେ ଜଣେ ମାତ୍ର ଅନୁସୂଚିତ ଜନଜାତିର ଅଛନ୍ତି। ସେହିପରି ଗ୍ରୁପ୍‌-ବି ପଦବୀରେ ୧୦୯ ଜଣ ଅଧିକାରୀଙ୍କ ମଧ୍ୟରୁ ମାତ୍ର ୬ ଜଣ ହିଁ ଅନୁସୂଚିତ ଜାତିର ରହିଛନ୍ତି। ନୀତି ଆୟୋଗରେ ମଧ୍ୟ କାର୍ଯ୍ୟରତ ୧୯୩ଜଣ ଅଧିକାରୀଙ୍କ ମଧ୍ୟରୁ ମାତ୍ର ୧୯ ଜଣ ଅନୁସୂଚିତ ଜାତିର, ୧୩ ଆଦିବାସୀ ଓ ୧୫ ଜଣ ଓବିସି ସମ୍ପ୍ରଦାୟର ରହିଛନ୍ତି। ଏହା ସମାଜର ଜାତିବାଦୀ ବ୍ୟବସ୍ଥାକୁ ପ୍ରତିଫଳିତ କରିବା ସହ ସମ୍ପୃକ୍ତ ଅନୁଷ୍ଠାନମାନଙ୍କରେ ଜାତି ନେଇ ସମ୍ବେଦନଶୀଳତାର ଦୁର୍ବଳ ସ୍ଥିତିକୁ ସୂଚାଉଛି।
ଦେଶର ସମ୍ବିଧାନରେ ଅସ୍ପୃଶ୍ୟତାକୁ ଅପରାଧ ବୋଲି ଘୋଷଣା ହେବା ଏବଂ ଜାତିଗତ ନିର୍ଯାତନା ରୋକିବା ପାଇଁ ଆଇନ ତିଆରି ହେବା ସତ୍ତ୍ୱେ ଦେଶରେ ଦଳିତ ଓ ଆଦିବାସୀମାନଙ୍କ ଉପରେ ଜାତିଗତ ଉପତ୍ୀଡ଼ନ ଓ ହିଂସା ଘଟଣା ବଢ଼ିବାରେ ଲାଗିଛି। ଗତ ୨୫ ବର୍ଷ ମଧ୍ୟରେ ଦେଶରେ ୧୦ ଲକ୍ଷରୁ ଅଧିକ ଜାତିଗତ ନିର୍ଯାତନା ଓ ହିଂସା ମାମଲା ଦାଏର ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ନିକଟରେ ସାଂସଦ ହାଜୀ ଫଜଲୁର ଇମାନଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ ରାମଦାସ ଅଠୱାଲେ ଦେଶରେ ୨୦୧୮ରୁ ୨୦୨୦ ଅର୍ଥାତ୍‌ ତିନି ବର୍ଷ ମଧ୍ୟରେ ଦଳିତ ନିର୍ଯାତନାର ୧,୩୯,୦୪୫ଟି ମାମଲା ଦାଏର ହୋଇଥିବା କହିଛନ୍ତି। ସେଥିମଧ୍ୟରୁ ଉତ୍ତରପ୍ରଦେଶରେ ୩୬,୪୬୭ଟି ମାମଲା, ବିହାରରେ ୨୦,୯୭୩ ମାମଲା, ରାଜସ୍ଥାନରେ ୧୮୪୧୮ ଓ ମଧ୍ୟପ୍ରଦେଶରେ ୧୬୯୫୨ଟି ମାମଲା ରହିଥିବା ଜଣାପଡ଼ିଛି। ଦେଶରେ ୨୦୧୮ରେ ଏଭଳି ମୋଟ ୪୨୭୯୩ଟି ମାମଲା ଦାଏର ହୋଇଥିବା ବେଳେ ୨୦୧୯ରେ ୪୫,୯୬୧ଟି ମାମଲା ଓ ୨୦୨୦ରେ ୫୩,୮୮୬ଟି ମାମଲା ଦାଏର ହୋଇଛି। କେବଳ ରାଜସ୍ଥାନରେ ୨୦୧୭ରେ ୪୨୩୮ଟି ମାମଲା ଦାଏର ହୋଇଥିବା ବେଳେ ୨୦୨୦ରେ ଏହିପରି ମାମଲା ସଂଖ୍ୟା ୭୦୧୭କୁ ବୃଦ୍ଧି ପାଇଥିଲା। ୨୦୧୭-୨୦ ମଧ୍ୟରେ ଦେଶରେ ଅନୁସୂଚିତ ଜାତିର ଲୋକଙ୍କ ବିରୋଧରେ ଅପରାଧ ୧୬% ବୃଦ୍ଧି ଘଟିଥିବା ବେଳେ କେବଳ କଂଗ୍ରେସ ଶାସିତ ରାଜସ୍ଥାନରେ ୬୫% ଓ ଭାଜପା ଶାସିତ ଉତ୍ତରାଖଣ୍ଡରେ ୩୫% ବୃଦ୍ଧି ଘଟିଛି।
ଦେଶରେ ବଢ଼ିଚାଲିଥିବା ଜାତିଗତ ବିଦ୍ୱେଷ ଓ ହିଂସାର ଘଟଣାକୁ ରୋକିବାକୁ ହେଲେ କେବଳ ଆଇନ କରିଦେବା ଯଥେଷ୍ଟ ନୁହେଁ। କାରଣ ଜାତିଗତ ନିର୍ଯାତନା ମାମଲାରେ ଦଣ୍ଡବିଧାନର ହାର ବହୁତ କମ୍‌। ଅତଏବ ଆଇନକୁ ଠିକ୍‌ ରୂପେ କାର୍ଯ୍ୟକାରୀ କରି ଅପରାଧର ତଦନ୍ତ ଓ ଦଣ୍ଡବିଧାନ କରିବାକୁ ହେଲେ ଏକ ସମ୍ବେଦନଶୀଳ ପୋଲିସ ଏବଂ ନ୍ୟାୟବ୍ୟବସ୍ଥା ଅତ୍ୟନ୍ତ ଜରୁରୀ। ଏହାସହ ସମାଜରୁ ଜାତିବାଦକୁ ହଟାଇବାକୁ ହେଲେ ଏକ ଶକ୍ତିଶାଳୀ ଜାତି ବିରୋଧୀ ସମାଜ ସଂସ୍କାର ଆନ୍ଦୋଳନ ମଧ୍ୟ ଅନିବାର୍ଯ୍ୟ। ଆମର ସ୍କୁଲ ପାଠ୍ୟକ୍ରମରେ ଜାତି ବିରୋଧରେ ଲେଖାକୁ ସ୍ଥାନିତ କରିବା ସହ ଡ. ବି.ଆର୍‌. ଆମ୍ବେଡକର, ପେରିୟାର, ମହାତ୍ମା ଜ୍ୟୋତିବା ଫୁଲେ, ନାରାୟଣ ଗୁରୁ, ଆୟାଂକଲି, ସୋଦରନ୍‌ ଆୟାପ୍ପାନ୍‌, ଭୀମ ଭୋଇ ପ୍ରଭୃତି ସମାଜ ସଂସ୍କାରକମାନଙ୍କ ଜୀବନୀ ଓ ସଂଘର୍ଷର ଇତିହାସକୁ ଆମ ପିଲାଙ୍କୁ ପଢ଼ାଇବା ଦରକାର।

– ଭାଲଚନ୍ଦ୍ର ଷଡ଼ଙ୍ଗୀ
ମୋ : ୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଏଇ ଭାରତରେ

ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍‌ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…

‘ଘିବଲି’ ଦୁନିଆ: ଅପରାଧ ଓ ଆଇନ

ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…

ନାଗରିକ ସ୍ବାଧୀନତା କ୍ଷୁଣ୍ଣ

୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍‌ ଇନ୍‌ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?