ଖେଳରେ ଜାତି

ଅଗଷ୍ଟ ୮, ୨୦୨୧ରେ ସବୁ ଭାରତୀୟ ଖବରକାଗଜର ଶିରୋନାମାରେ ନୀରଜ ଚୋପ୍ରା ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିଲେ। ରାଜନେତା ଆସନ୍ତି ଓ ଯାଆନ୍ତି। ପରବର୍ତ୍ତୀ ପିଢ଼ିକୁ ଇତିହାସ ବହିର ପୃଷ୍ଠା ଖେଳାଇବାକୁ ପଡ଼େ ସେମାନଙ୍କ ନାମ ଜାଣିବା ପାଇଁ। କିନ୍ତୁ ଭାରତରେ ଗୋଟେ ଅଭିନବ ବିନ୍ଦ୍ରା ଓ ଗୋଟେ ନୀରଜ ଚୋପ୍ରାଙ୍କ ଭଳି ବ୍ୟକ୍ତିବିଶେଷଙ୍କୁ କେହି ପରିଚିତ କରାଇବାର ପ୍ରୟୋଜନ ଉଠିବ ନାହିଁ। ପୃଥିବୀର ସର୍ବୋଚ୍ଚ ଖେଳ ପ୍ରତିଯୋଗିତା-ଅଲିମ୍ପିକ୍ସ-ରେ ନୀରଜଙ୍କ ଅବଦାନ ଦେଶର ଯୁବପିଢ଼ି ସକାଶେ ଉତ୍ସାହ ଆଣିଦେଇଛି। ତେବେ ଦୁଃଖର ବିଷୟ ହେଉଛି, ଭାରତ ସରକାରଙ୍କ ୨୦୨୧-୨୨ କେନ୍ଦ୍ରୀୟ ବଜେଟରେ କ୍ରୀଡ଼ା ଲାଗି ପୂର୍ବ ବର୍ଷଠାରୁ ଏ ବର୍ଷ ୨୩୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହ୍ରାସ କରିଦିଆଯାଇଛି। ଅନ୍ୟପଟେ ନୀରଜ ଚୋପ୍ରାଙ୍କ ଘର ହରିୟାଣାରେ ହୋଇଥିବାରୁ ସେଠାକାର ସରକାର ତାଙ୍କୁ ୬ କୋଟି ଟଙ୍କାର ଉପହାର ଓ ସରକାରୀ ଚାକିରି ଆଦି ଯାଚିବା ଅତ୍ୟନ୍ତ ହାସ୍ୟାସ୍ପଦ କଥା। ହୁଏତ ହରିୟାଣା ସରକାରଙ୍କ ଏହିଭଳି ସୁବିଧା ତାଙ୍କୁ ପୂର୍ବରୁ ଦିଆଯାଇଥିଲେ ନୀରଜଙ୍କୁ ଓଡ଼ିଶା ଆସି ଅଭ୍ୟାସ କରିବାକୁ ପଡ଼ି ନ ଥାନ୍ତା। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମହିଳା ହକି ଖେଳାଳିଙ୍କୁ ଆଉ ଅଧିକ କାନ୍ଦ ନାହିଁ ବୋଲି କହିଲା ବେଳକୁ ଭାବିବା ଉଚିତ ଥିଲା ଯେ ଏହିଭଳି ପ୍ରୋତ୍ସାହନ ଖେଳ ପୂର୍ବରୁ ଦିଆଯାଇପାରି ଥାଆନ୍ତା। ଅବଶ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅନ୍ୟ ଏକ ନିଷ୍ପତ୍ତି ପାଇଁ ପ୍ରଶଂସା ଜଣାଇବାକୁ ହେବ। ରାଜୀବ ଗାନ୍ଧୀ ଖେଳରତ୍ନ ଉପାଧିର ନାମ ବଦଳାଇ ଧ୍ୟାନଚାନ୍ଦ ଖେଳରତ୍ନ କରିବା ଅତ୍ୟନ୍ତ ସ୍ବାଗତଯୋଗ୍ୟ। ସମଗ୍ର ଦେଶକୁ ଦେଖିଲେ ସବୁଠାରେ ବ୍ୟବସାୟୀ, ରାଜନେତା ଏବଂ ଅନ୍ୟ କେତେକ ଟାଉଟର ବିଭିନ୍ନ କ୍ରୀଡ଼ା ସଙ୍ଗଠନକୁ ଦୀର୍ଘକାଳ ମାଡ଼ି ବସିଛନ୍ତି। ଏହିଭଳି ବ୍ୟକ୍ତିଙ୍କ ପ୍ରଭାବ ହ୍ରାସ କରିବା ସହିତ ଯୁବପିଢ଼ିଙ୍କୁ ପ୍ରୋତ୍ସାହନ ଦେବା ଲାଗି ଖେଳ ଓ ତତ୍‌ସହିତ ଜଡ଼ିତ ସଙ୍ଗଠନ ଏବଂ ଭିତ୍ତିଭୂମିଗୁଡ଼ିକର ନାମ କେବଳ ସ୍ଥାନୀୟ ଖେଳାଳିଙ୍କ ନାମରେ ନାମିତ ହେବା ଉଚିତ। ଯଦି ଆଲ୍ଲାହାବାଦ ନାମକୁ ପ୍ରୟାଗରାଜ କରାଯାଇପାରିଲା, ଅହମ୍ମଦାବାଦକୁ ଆମ୍‌ଡାବାଦ୍‌ କରାଗଲା, ସେହିଭଳି ଗୁଜରାଟର ମୋଟେରାସ୍ଥିତ ଷ୍ଟାଡିୟମ ସହିତ ଦିଲ୍ଲୀର ପୁରାତନ ଫିରୋଜ ଶାହା କୋଟ୍‌ଲାର ନାମ କୌଣସି ରାଜନେତାଙ୍କ ନାମରେ ନାମିତ ହେବା ଉଚିତ ନୁହେଁ।
ଆଭିମୁଖ୍ୟରେ ପରିବର୍ତ୍ତନ ଆସିଲେ ଦେଶରେ ଖେଳାଳି ଉତ୍ସାହିତ ହେବେ। ଭାରତର ସହରାଞ୍ଚଳରେ ରହୁଥିବା ଧନୀ ପରିବାରର ଯୁବପିଢ଼ି ଦେଶ ପାଇଁ କ୍ରୀଡ଼ାରେ କୌଣସି ନାମ ଅର୍ଜନ କରିଥିବାର କ୍ୱଚିତ ଉଦାହରଣ ଥିବ। ଅପରପକ୍ଷରେ ମନେରଖିବାକୁ ହେବ ଯେ, ଆମ ଦେଶର ଗରିବ ଓ ଅନୁନ୍ନତ ପରିବାରରୁ ଆସୁଥିବା ପିଲାମାନେ ମୁଖ୍ୟତଃ କ୍ରୀଡ଼ାରେ ନାମ ଅର୍ଜନ କରୁଛନ୍ତି। ସେମାନଙ୍କୁ କେଉଁଭଳି ବ୍ୟବହାର ଭାରତୀୟ ସମାଜ ପ୍ରଦର୍ଶନ କରେ ତାହାର ଏକ କୁତ୍ସିତ ଉଦାହରଣ ମହିଳା ହକି ଖେଳାଳି ବନ୍ଦନା କାଟାରିଆଙ୍କ ଘଟଣାରେ ଦେଖିବାକୁ ମିଳେ। ଭାରତୀୟ ମହିଳା ହକି ଦଳ ସେମିଫାଇନାଲରେ ହାରିବା ପରେ ଉତ୍ତରପ୍ରଦେଶର ହରିଦ୍ୱାରରେ ଏକ ଗରିବ ଓ ଦଳିତ ପରିବାରରେ ଜନ୍ମିତ ହକି ଖେଳାଳି ବନ୍ଦନାଙ୍କ ଘର ଚାରିପଟେ ଉଚ୍ଚଜାତିର ଲୋକମାନେ ହୋହଲ୍ଲା କରିଥିବା ଖବର ମିଳିଛି। ଟିମ୍‌ରେ ଦଳିତ, ଜନଜାତି ଓ ସଂଖ୍ୟାଲଘୁମାନଙ୍କୁ ସ୍ଥାନ ଦିଆଯାଉଥିବାରୁ ଏଭଳି ଘଟୁଛି ବୋଲି ସେମାନେ କହିଥିଲେ। ବାସ୍ତବରେ ଯେଉଁମାନେ ଏପରି ଅଶୋଭନୀୟ ମନ୍ତବ୍ୟ ଦେଇଥିଲେ ସେମାନଙ୍କ ପରିବାରରୁ କେହି କେବେ ଆଞ୍ଚଳିକ ସ୍ତରର ଖେଳ ପାଇଁ ଯୋଗ୍ୟତା ଅର୍ଜନ କରି ନ ଥିବେ ବୋଲି କୁହାଯାଇପାରେ। କାରଣ ଖେଳୁଆଡ଼ ମନୋଭାବରେ ବିଶ୍ୱାସୀ କୌଣସି ବ୍ୟକ୍ତି ଏପରି ମନ୍ତବ୍ୟ ଦେଇ ନ ଥାନ୍ତି।
ବନ୍ଦନା ଭାରତୀୟ ମହିଳା ହକିର ଜଣେ ଉଚ୍ଚକୋଟୀର ଡିଫେଣ୍ଡର ଭାବେ ଜଣାଶୁଣା। ଭାରତୀୟ ହକିକୁ ଉଚ୍ଚ ସ୍ଥାନକୁ ନେବା ପାଇଁ ସେ କରିଥିବା ଅବଦାନକୁ ଏଭଳି ଅସହିଷ୍ଣୁ ଲୋକମାନେ ବୁଝିବାକୁ ଅକ୍ଷମ। ଅଲିମ୍ପିକ୍ସ ପାଇଁ ଅଭ୍ୟାସ ସମୟରେ କରୋନା ଲାଗି ପ୍ରତିଷେଧକ ଭାବେ କରାଯାଇଥିବା ବ୍ୟବସ୍ଥା ବାୟୋ ବବ୍‌ଲ ମଧ୍ୟରେ ବନ୍ଦନା ଥିଲେ। ଅଲିମ୍ପିକ୍ସ କମିଟିର ନିୟମ ଅନୁଯାୟୀ ସେ ୩ ମାସ ଘରକୁ ଯାଇପାରି ନ ଥିଲେ। ଏହି ସମୟରେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା। ତଥାପି କ୍ରୀଡ଼ା ପ୍ରତି ନିଷ୍ଠା ରଖି ସେ ଖେଳି ଭାରତକୁ ସେମିଫାଇନାଲ ସ୍ତରକୁ ନେବାରେ ସହଯୋଗ କରିଥିଲେ। ଏଭଳି ସ୍ଥଳେ ଉଚ୍ଚଜାତିର ଲୋକମାନେ ତାଙ୍କୁ ସମାଲୋଚନା କରିବା ଅତ୍ୟନ୍ତ ଅରୁଚିକର ମନେହେଉଛି। କେବଳ ଅରୁଚିକର ନୁହେଁ, ଏହା ଭାରତୀୟ ସମାଜ ଭିତରେ ଥିବା ଏକ ବିକୃତ ରୋଗକୁ ପଦାରେ ପକାଇଛି। ବିଧିବଦ୍ଧ ଭାବେ ଏହି ରୋଗର ଚିକିତ୍ସା କରାଯିବାର ଆବଶ୍ୟକତା, ଏବେ, ହଠାତ୍‌ ଉଠିଛି। ସମସ୍ତେ ସ୍ବୀକାର କରିବେ ଯେ, ଭାରତର ଜାତିଆଣ ମନୋଭାବ ଦୀର୍ଘକାଳ ରହିଆସିଛି। କିନ୍ତୁ ନିକଟ ଅତୀତରେ ତାହା ପଛରେ ରାଜନୈତିକ ପ୍ରୋତ୍ସାହନ ଅଧିକ ସ୍ପଷ୍ଟ ବୁଝାପଡ଼ୁଛି। ଏହି କୁତ୍ସିତ ରାଜନୈତିକ ଚିନ୍ତାଧାରା ଏକବିଂଶ ଶତାବ୍ଦୀରେ ଭାରତୀୟ ସମାଜକୁ ଜାତି ଓ ଧର୍ମଗତ ବିଭାଜନ କରି ବୁଡ଼ାଇ ମାରିଦେବାକୁ ଚେଷ୍ଟା କରୁଛି। ତାହାର ପ୍ରତିକାର ନିଶ୍ଚିତ ଭାବେ ଅଛି। ଉଦାହରଣ ସ୍ବରୂପ, ପୁନର୍ବାର ବନ୍ଦନାଙ୍କ ପରିବାରକୁ ହଇରାଣ କରୁଥିବା ଉଚ୍ଚଜାତିର ଲୋକମାନେ ଖସିଯିବା ଉଚିତ ନୁହେଁ। ବାସ୍ତବରେ ସେହିମାନେ ହେଉଛନ୍ତି ଦେଶଦ୍ରୋହୀ। ଭାରତ ହାରିଲେ ଯେଉଁମାନେ ଖୁସି ମନାଉଛନ୍ତି, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। ସେହିମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ୍‌ର ଦଫା ‘୧୨୪ ଏ’ ଲଗାଯାଇ ଦେଶଦ୍ରୋହ ମାମଲା ରୁଜୁ କରାଯିବା ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?