କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପରୀକ୍ଷାକୁ ବାତିଲ କରିବା ସହ ଘଟଣାର ଆଇନଗତ ତଦନ୍ତ ପାଇଁ ପଦକ୍ଷେପ ନେଇଛନ୍ତି।
ବିଶ୍ୱବିଦ୍ୟାଳୟ ପରୀକ୍ଷା ପରିଚାଳକ ବିଶ୍ୱରଞ୍ଜନ ପ୍ରଧାନ ଏନେଇ କୋରାପୁଟ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ପ୍ରଶ୍ନପତ୍ର କିପରି ବାହାରକୁ ଗଲା, ଏହା ପଛରେ କାହାର ଭୂମିକା ରହିଛି ଏବଂ ଘଟଣାରେ କେଉଁମାନେ ସମ୍ପୃକ୍ତ ଏହା ତଦନ୍ତର ପରିସରକୁ ଆସିଛି। ଏପରିକି ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ତଦନ୍ତ କମିଟି ଗଠନ କରାଯାଇଛି। କମିଟି ବିଭିନ୍ନ ଦିଗରୁ ଘଟଣାର ଅନୁଧ୍ୟାନ କରିବା ସହ ତଥ୍ୟ ଏବଂ ପ୍ରମାଣ ସଂଗ୍ରହ କରିବ।
ଅଭିଯୋଗର ସତ୍ୟତା ତଦନ୍ତରେ ପ୍ରମାଣିତ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଶ୍ନପତ୍ର ଲିକ ଭଳି ଅଭିଯୋଗ କେବଳ ଗୋଟିଏ ପରୀକ୍ଷାକୁ ନୁହେଁ, ସମଗ୍ର ପରୀକ୍ଷା ବ୍ୟବସ୍ଥାର ଗୋପନୀୟତା ଏବଂ ବିଶ୍ୱସନୀୟତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

