ଦଣ୍ଡ ସଂହିତାରେ ସଂଶୋଧନର ନିହିତାର୍ଥ

ସଂସଦର ଗତ ମୌସୁମୀ ଅଧିବେଶନର ଶେଷ ଦିନରେ କେନ୍ଦ୍ର ସରକାର ଦେଶର ଫୌଜଦାରି ଦଣ୍ଡ ବ୍ୟବସ୍ଥାରେ ଏକ ବଡ଼ଧରଣର ସଂଶୋଧନ କରିବାକୁ ତିନୋଟି ବିଲ୍‌ ଆଗତ କରିଛନ୍ତି। ଅଚାନକ ଭାବେ ଆଗତ ଏହି ବିଲ୍‌ଗୁଡ଼ିକ ଜରିଆରେ ସରକାର ଭାରତର ଆପରାଧିକ ଦଣ୍ଡ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଥିବା ତିନୋଟି ପ୍ରମୁଖ ସଂହିତା ଯଥା ଭାରତୀୟ ଦଣ୍ଡ ସଂହିତା (ଆଇପିସି) -୧୮୬୧, ଆପରାଧିକ ପ୍ରକ୍ରିୟା ସଂହିତା (ସିଆର୍‌ପିସି)- ୧୯୭୩ ଏବଂ ଭାରତୀୟ ପ୍ରମାଣ ଆଇନ-୧୮୭୨ର ନାମ ସହିତ ସେସବୁର ଅନେକ ଧାରାରେ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଛନ୍ତି। ଭାରତୀୟ ଦଣ୍ଡ ସଂହିତାକୁ ଭାରତୀୟ ନ୍ୟାୟ ସଂହିତା- ୨୦୨୩, ଫୌଜଦାରି ପ୍ରକ୍ରିୟା ଆଇନକୁ ନାଗରିକ ସୁରକ୍ଷା ସଂହିତା ବିଲ୍‌ – ୨୦୨୩ ଏବଂ ଇଣ୍ଡିଆନ୍‌ ଏଭିଡେନ୍ସ ଆକ୍ଟ – ୧୮୭୨କୁ ବଦଳାଇ ତା’ ସ୍ଥାନରେ ଭାରତୀୟ ସାକ୍ଷ୍ୟ ବିଲ୍‌ – ୨୦୨୩ ଅଣାଯାଇଛି। ଭାରତୀୟ ଦଣ୍ଡ ସଂହିତାରେ ରହିଥିବା ୨୨ଟି ଧାରାକୁ ଉଚ୍ଛେଦ କରାଯାଇଥିବା ବେଳେ ୧୫୭ଟି ଧାରାରେ ସଂଶୋଧନ କରାଯାଇଛି ଏବଂ ୮ଟି ଧାରାକୁ ଏଥିରେ ନୂଆକରି ଯୋଡ଼ାଯାଇଛି। ସେହିପରି ନାଗରିକ ସୁରକ୍ଷା ବିଲ୍‌ରେ ଫୌଜଦାରି ପ୍ରକ୍ରିୟା ଆଇନର ୯ଟି ଧାରାକୁ ବାତିଲ କରାଯାଇଥିବା ବେଳେ ୧୬୦ଟି ଧାରାକୁ ସଂଶୋଧନ କରାଯାଇଛି ଏବଂ ୯ଟି ଧାରାକୁ ନୂତନ ଭାବେ ଯୁକ୍ତ କରାଯାଇଛି। ଭାରତୀୟ ସାକ୍ଷ୍ୟ ବିଲ୍‌ରେ ମଧ୍ୟ ବର୍ତ୍ତମାନର ଏଭିଡେନ୍ସ ଆକ୍ଟରେ ଥିବା ୫ଟି ଧାରାକୁ ବାତିଲ କରାଯାଇଥିବା ବେଳେ ୨୩ଟି ଧାରାରେ ସଂଶୋଧନ କରାଯାଇଛି ଏବଂ ଗୋଟିଏ ନୂତନ ଧାରାକୁ ଯୋଡାଯାଇଛି। ତେବେ ବିଲ୍‌ ତିନୋଟି ସଂସଦରେ ଆଗତ କରିବା ପରେ ତା’ ଉପରେ ଅଧିକ ବିଚାର ଆଲୋଚନା କରିବା ନାଁରେ ସରକାର ତାକୁ ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ ପଠାଇ ଦେଇଛନ୍ତି।
ଏହା ନିଃସନ୍ଦେହ ଯେ ଦୀର୍ଘ ୧୬୨ ବର୍ଷ ତଳେ ବ୍ରିଟିଶ ଶାସକମାନଙ୍କ ଦ୍ୱାରା ପ୍ରଣୀତ ଦଣ୍ଡ ସଂହିତା ବର୍ତ୍ତମାନ ପରିସ୍ଥିତିର ଆବଶ୍ୟକତା ଅନୁସାରେ ପରିବର୍ତ୍ତିତ ହେବା ଜରୁରୀ ଥିଲା। ବିଶେଷକରି ଗଣତାନ୍ତ୍ରିକ ମୂଲ୍ୟବୋଧ, ବ୍ୟକ୍ତିଗତ ସ୍ବାଧୀନତା ଓ ମାନବିକ ଅଧିକାର ଆଧାରରେ ଏହାକୁ ଅଧିକ ସରଳ ଓ ଉଦାର କରିବା ଆବଶ୍ୟକ ହୋଇପଡ଼ିଥିଲା। ନାଗରିକଙ୍କ ମାନବିକ ଅଧିକାର ଓ ବ୍ୟକ୍ତି ସ୍ବାଧୀନତାକୁ ହନନ କରୁଥିବା ବିଭିନ୍ନ ଆଇନକୁ ଉଚ୍ଛେଦ କରିବା ସହ ମୃତ୍ୟୁଦଣ୍ଡ ପରି କଠୋର ଦଣ୍ଡର ବ୍ୟବସ୍ଥାକୁ ସମୀକ୍ଷା କରିବା ଦରକାର ଥିଲା। କିନ୍ତୁ ସରକାରଙ୍କ ପଦକ୍ଷେପ ସମସ୍ତଙ୍କୁ ନିରାଶ କରିଛି। ବିନା କୌଣସି ବିଚାରବିମର୍ଶରେ ଅତ୍ୟନ୍ତ ତରବରିଆ ଭାବେ ଅଣାଯାଇଥିବା ଏହି ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପଛରେ ସରକାରଙ୍କ ଉଦ୍ଦେଶ୍ୟକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।
ମୋଦି ସରକାର ପ୍ରସ୍ତାବିତ ସଂହିତାରେ ଔପନିବେଶିକ ଶାସନ କାଳରୁ ରହି ଆସିଥିବା ରାଷ୍ଟ୍ରଦ୍ରୋହ ଆଇନ ବା ଧାରା ୧୨୪(କ)କୁ ହଟାଇ ଦେଇଛନ୍ତି ବୋଲି ଦାବି କରିଛନ୍ତି। ଦେଶର ସ୍ବାଧୀନତା ସଂଗ୍ରାମ କାଳରେ ସଂଗ୍ରାମୀମାନଙ୍କୁ ଦମନ କରିବା ପାଇଁ ବ୍ରିଟିଶ ଶାସକମାନେ ଏହି ଆଇନକୁ ତିଆରି କରିଥିଲେ। ତେବେ ଦେଶରୁ ବ୍ରିଟିଶମାନେ ଯିବା ପରେ ଆମ ଶାସକମାନେ ଏହାକୁ ଅବ୍ୟାହତ ରଖିବା ସହ ସରକାରଙ୍କ ବିରୋଧରେ ଭିନ୍ନମତ ପୋଷଣ କରୁଥିବା ରାଜନୈତିକ ନେତା, ସାମାଜିକ କର୍ମୀଙ୍କ ଠାରୁ ଆରମ୍ଭକରି ସାମ୍ବାଦିକ, ଲେଖକ ଓ କାର୍ଟୁନିଷ୍ଟ୍‌ ପର୍ଯ୍ୟନ୍ତ ସମସ୍ତେ ଏହାର ଶିକାର ହୋଇ ଆସିଛନ୍ତି। ଏଭଳି ଦମନକାରୀ ଆଇନର ଉପସ୍ଥିତି ଏକ ଗଣତାନ୍ତ୍ରିକ ସମାଜ ପାଇଁ ବିପଦ ହୋଇଥିବାରୁ ବ୍ରିଟିଶରମାନେ ଏହାକୁ ନିଜ ଦେଶରୁ ଅନେକ ପୂର୍ବରୁ ଉଚ୍ଛେଦ କରି ସାରିଛନ୍ତି। ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟ କିଛି ମାସ ତଳେ ଏହି ଆଇନକୁ ନେଇ ପ୍ରଶ୍ନ କରିବା ସହ ନୂତନ ଆଇନ ନ ଆଣିବା ପର୍ଯ୍ୟନ୍ତ ବର୍ତ୍ତମାନ ରହିଥିବା ଆଇନର କାର୍ଯ୍ୟକାରିତାକୁ ସ୍ଥଗିତ ରଖିଥିଲେ ଏବଂ ଏହି ଆଇନରେ ଗିରଫ ସବୁ ବ୍ୟକ୍ତିଙ୍କୁ ତୁରନ୍ତ ଜାମିନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ପରିସ୍ଥିତିରେ ସରକାର ପ୍ରସ୍ତାବିତ ନ୍ୟାୟ ସଂହିତାରେ ଯଦିଓ ରାଷ୍ଟ୍ରଦ୍ରୋହ ଆଇନର ୧୨୪(କ) ଧାରାକୁ ଉଚ୍ଛେଦ କରିଛନ୍ତି, କିନ୍ତୁ ପ୍ରସ୍ତାବିତ ଧାରା ୧୫୦ରେ ତାକୁ ପୁଣି ଥରେ ସାମିଲ କରି ତା’ ପରିସରକୁ ଅଧିକ ବ୍ୟାପକ କରିଛନ୍ତି। ଫଳରେ ଏଣିକି ସରକାରଙ୍କ ବିରୋଧରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବା ଦେଶଦ୍ରୋହ ଅପରାଧର ପର୍ଯ୍ୟାୟବାଚୀ ହେବ। ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଲେଖା, ଭାଷଣ, ସଭାସମିତି, ଧର୍ମଘଟ କରିବା ବି ଦେଶଦ୍ରୋହ ବୋଲି ବିଚାର କରାଯିବ ଏବଂ ଦୋଷୀ ସାବ୍ୟସ୍ତ ହେଲେ ସର୍ବନିମ୍ନ ସାତ ବର୍ଷରୁ ଆଜୀବନ କାରାଦଣ୍ଡର ବ୍ୟବସ୍ଥା କରାଯାଇଛି।
ସେହିଭଳି ପ୍ରସ୍ତାବିତ ସଂହିତାର ଧାରା ୧୧୧ରେ ସନ୍ତ୍ରାସବାଦକୁ ଯୋଡ଼ାଯାଇଛି। ପ୍ରଥମଥର ପାଇଁ ସନ୍ତ୍ରାସବାଦ ଦେଶର ଦଣ୍ଡ ସଂହିତାରେ ସନ୍ତ୍ରାସବାଦ ଶବ୍ଦର ଉଲ୍ଲେଖ ଦେଖିବାକୁ ମିଳିଛି। ଉଲ୍ଲେଖଯୋଗ୍ୟ ଯେ ବ୍ରିଟିଶ ଶାସନ କାଳରେ ସେମାନଙ୍କ ବିରୋଧରେ ଅନେକ ସଶସ୍ତ୍ର ବିଦ୍ରୋହ ଓ ଆତଙ୍କବାଦୀ କାର୍ଯ୍ୟକଳାପ ହେଉଥିଲେ ମଧ୍ୟ ସେମାନେ ନିଜର ସଂହିତାରେ କୌଣସି ଆତଙ୍କବାଦୀ ଧାରାକୁ ରଖି ନ ଥିଲେ। ୧୯୬୭ରେ ଭାରତ ସରକାର ପ୍ରଥମ ଥର ପାଇଁ ଦଣ୍ଡ ସଂହିତାରେ ଆତଙ୍କବାଦକୁ ସାମିଲ କରି ଆଇନ ଆଣିଥିଲେ। ବର୍ତ୍ତମାନର ୟୁଏପିଏ ଆଇନରେ ସନ୍ତ୍ରାସବାଦ ବୋଲି ଏକ ଧାରା ରହିଥିଲେ ବି ତା’ର ଏକ ସୀମିତ ପରିଭାଷା ରହିଛି। ଯଦି କୌଣସି କାର୍ଯ୍ୟ ଦେଶର ଐକ୍ୟ, ସାର୍ବଭୌମତ୍ୱ ଓ ସଂହତିକୁ ବିପନ୍ନ କରୁଛି ତାହେଲେ ତାକୁ ଏକ ସନ୍ତ୍ରାସବାଦୀ କାର୍ଯ୍ୟ ବୋଲି ବିବେଚନା କରାଯିବ ବୋଲି ରହିଥିଲା। ଏପରିକି ଦେଶରେ ଆଇନ ଶୃଙ୍ଖଳା ବ୍ୟାଘାତ କଲେ, ସରକାରୀ ପଣ୍ୟ ସରବରାହ ବା ସେବାରେ ବିଘ୍ନ ଘଟାଇଲେ ବି ତାହା ସନ୍ତ୍ରାସବାଦୀ କାର୍ଯ୍ୟକଳାପ ବୋଲି ପରିଗଣିତ ହେବ। ଏହାର ଅର୍ଥ ହେଲା, ନିକଟ ଅତୀତରେ ଦିଲ୍ଲୀରେ ରାସ୍ତା ଅବରୋଧ କରି ବର୍ଷାଧିକ କାଳ ବସିଥିବା କୃଷକମାନଙ୍କ ଆନ୍ଦୋଳନ ପ୍ରସ୍ତାବିତ ସଂହିତାରେ ଏକ ଆତଙ୍କବାଦୀ କାର୍ଯ୍ୟ ବୋଲି ପରିଗଣିତ ହେବ। ଆଗାମୀ ଦିନରେ ସରକାରଙ୍କ ବିରୋଧରେ ସଂଗଠିତ ବିଭିନ୍ନ ଆନ୍ଦୋଳନକୁ ଆତଙ୍କବାଦୀ କାର୍ଯ୍ୟ ବୋଲି ଧରାଯାଇ ତାକୁ ଦମନ କରାଯିବ।
ନୂତନ ସଂହିତାରେ ପୋଲିସ ହାଜତରେ ଜଣେ ଅଭିଯୁକ୍ତଙ୍କୁ ରଖିବାର ମିଆଦକୁ ବର୍ତ୍ତମାନର ୧୫ ଦିନରୁ ୬୦ ଦିନକୁ ବଢ଼େଇ ଦିଆଯାଇଛି। ପୋଲିସ ହାଜତରେ ନିର୍ଯାତନାର ଅଭିଯୋଗ ବଢ଼ୁଥିବା ସତ୍ତ୍ୱେ ଏଭଳି ବ୍ୟବସ୍ଥା ପୋଲିସକୁ ଅଧିକ କ୍ଷମତା ଦେବା ସହ ଲୋକଙ୍କ ଉପରେ ହାଜତ ଭିତରେ ଦମନ ଓ ଅତ୍ୟାଚାରକୁ ଆହୁରି ବଢ଼େଇବାକୁ ଯାଉଛି। ପୂର୍ବପରି ଏଥିରେ ମଧ୍ୟ ମୃତ୍ୟୁଦଣ୍ଡକୁ ବଜାୟ ରଖାଯାଇଛି ଏବଂ ‘ଭିଡ଼ ଦ୍ୱାରା ହତ୍ୟା’ ବା ମବ୍‌ ଲିଂଚିଙ୍ଗ୍‌ ପାଇଁ (ଯାହାର ପ୍ରଥମ ଥର ପାଇଁ ସିଧାସଳଖ ବ୍ୟବସ୍ଥା ଅଛି) ସାଧାରଣ ହତ୍ୟା ଅପେକ୍ଷା କମ୍‌ ଦଣ୍ଡର ବ୍ୟବସ୍ଥା ରହିଛି। ସାମ୍ପ୍ରଦାୟିକ ହିଂସାକୁ ନେଇ ରହିଥିବା ପ୍ରାବଧାନ ବି ଅତ୍ୟନ୍ତ ଭେଦଭାବପୂର୍ଣ୍ଣ ରହିଛି।
ଏକ ଫାସୀବାଦୀ ବିଚାର ଅନୁରୂପ ଦେଶବ୍ୟାପୀ ସରକାର ବିରୋଧୀ ଆନ୍ଦୋଳନକୁ ଦବେଇବାର ଉଦ୍ଦେଶ୍ୟ ନେଇ ଏହି ନୂଆ ସଂହିତାର ପରିକଳ୍ପନା କରାଯାଇଛି। ଯଦିଓ ସଂହିତାରେ ଥିବା ଦଣ୍ଡ ବଦଳରେ ନ୍ୟାୟ କରିବା ପାଇଁ ଏକ ସଂସ୍କାରମୂଳକ ପଦକ୍ଷେପ ଭାବେ ନୂତନ ସଂହିତାକୁ ଅଣାଯାଇଛି ବୋଲି ସରକାର ଦାବି କରିଛନ୍ତି, କିନ୍ତୁ ବାସ୍ତବ କ୍ଷେତ୍ରରେ ତାହା ନାଗରିକମାନଙ୍କ ଉପରେ ଦଣ୍ଡ ଓ ରାଷ୍ଟ୍ରର ଦମନକୁ ବଢ଼ାଇ ଏକ ଏକଚ୍ଛତ୍ରବାଦୀ ରାଷ୍ଟ୍ର ଗଠନ କରିବାକୁ ଯାଉଛି।

  • ଭାଲଚନ୍ଦ୍ର ଷଡ଼ଙ୍ଗୀ
    ମୋ.-୯୪୩୭୧୬୬୩୯୧

Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

ପରିସ୍ଥିତିର ଦାସ ମଣିଷ

ମହାନ୍‌ ମାନବବାଦୀ ନେତା ଆବ୍ରାହମ୍‌ ଲିଙ୍କନ ଥରେ କହିଥିଲେ, ”ମୁଁ ମୋର ସାମ୍ନା କରିଥିବା ପରିସ୍ଥିତିର ଫଳ“ ଅର୍ଥାତ୍‌ ସେ ଯେଉଁ ଆସନରେ ମଣ୍ଡିତ ଥିଲେ ତାହା…

ଜୀବନ ନଦୀର ଦୁଇ କୂଳ

ଶ୍ରଦ୍ଧାବାନ୍‌ ଲଭ୍ୟତେ ଜ୍ଞାନମ୍‌ ଓ ସଂଶୟାତ୍ମା ବିନଶ୍ୟତି’ର ମହତ୍ତ୍ୱ ହୃଦୟଙ୍ଗମ କରିବା ଉଚିତ। ଜ୍ଞାନ ପାଇଁ ସଂଶୟହୀନତା ଓ ଶ୍ରଦ୍ଧା ଉଭୟ ଆବଶ୍ୟକ, ଠିକ୍‌ ଯେପରି ଆଲୋକ…

ରଣନୀତିରୁ ଲାଭ

ଆମେରିକା ପୃଥିବୀର ଯେ କୌଣସି ସ୍ଥାନରେ ସାମରିକ ଆକ୍ରମଣ କରିବାକୁ ସକ୍ଷମ। ଏହାସହ ଅନ୍ୟ ଦେଶ ଉପରେ କ୍ଷତିକାରକ ଟାରିଫ୍‌ ଓ ପ୍ରତିବନ୍ଧକ ଲଗାଇବା ଏବଂ ସହଯୋଗୀଙ୍କ…

ରତନପୁରର ରାବଣ

ଛତିଶଗଡ଼ ବିଳାସପୁର ନିକଟରେ ଥିବା ରତନଗଡ଼ ବା ରତନପୁର ଦୁର୍ଗ ଏକଦା ମଧ୍ୟପ୍ରଦେଶର ଏକ ଅଂଶ ଥିଲା। ଏହି ଦୁର୍ଗରେ ରାବଣର ଏକ ବିରଳ ତଥା ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri