ବଡ଼ଦାଣ୍ଡକୁ ସଙ୍କୁଚିତ କରୁଛି ଜବରଦଖଲ

ପୁରୀ ଅଫିସ,୨୫।୭: ଜାତୀୟ ରାଜପଥ ପ୍ରାଧିକରଣ ଆଇନ ପୁରୀ ବଡ଼ଦାଣ୍ଡରେ ଲାଗୁ ହେଉନାହିଁ। ବଡ଼ଦାଣ୍ଡ ୩୧୬ ନମ୍ବର ଜାତୀୟ ରାଜପଥ ଭାବେ ମାନ୍ୟତାପ୍ରାପ୍ତ। ଜାତୀୟ ରାଜପଥ ଆଇନକାନୁନ ଅନୁଯାୟୀ ରାଜପଥ ଅବରୋଧ କରାଯାଇପାରିବ ନାହିଁ। ବିଗତ ଦିନରେ ସୁପ୍ରିମକୋର୍ଟ ନିଜ ରାୟରେ ମଧ୍ୟ ଏହି କଥା ଦୋହରାଇଥିଲେ। ରାଜପଥ ଅବରୋଧ କରାଯାଇ ବ୍ୟବସାୟିକ ପ୍ରତିଷ୍ଠାନ କରାଯାଇପାରିବ ନାହିଁ। ତେବେ ଏଭଳି ଆଇନକୁ ଦୀର୍ଘ ବର୍ଷ ଧରି ଉଭୟ ଦୋକାନୀ ଓ ପ୍ରଶାସନ ଉଲ୍ଲଂଘନ କରି ଆସୁଛନ୍ତି। ବଡ଼ଦାଣ୍ଡ ଉପରେ ବଡ଼ଶଙ୍ଖ ବଜାରର ଗୋଟିଏ ଭାଗକୁ ଭେଣ୍ଡିଂ ଜୋନ୍‌ରେ ପରିଣତ କରାଯାଇଛି। ପ୍ରଶାସନ ସେଠାରୁ ମାସିକିଆ ଭଡ଼ା ଆଦାୟ କରିପାରୁ ନ ଥିବାରୁ ଜରିମାନା ଦର୍ଶାଇ ଦୋକାନୀଙ୍କଠାରୁ ପ୍ରାୟ ଦେଢ଼ ହଜାର ଟଙ୍କା ଲେଖାଏ ନେଉଛି। ଅର୍ଥାତ୍‌ ସରକାରୀ ସ୍ତରରେ ଏଭଳି ଭେଣ୍ଡିଂ ଜୋନ୍‌କୁ ଜବରଦଖଲ ସ୍ଥାନ ଭାବେ ଦର୍ଶାଉଛି। ଅନ୍ୟପକ୍ଷରେ ଦୋକାନୀଙ୍କଠାରୁ ଅର୍ଥ ନେଇ ଜବରଦଖଲ ଭଳି ବେଆଇନ କାର୍ଯ୍ୟକୁ ସମର୍ଥନ କରୁଛି। ତେବେ ବଡ଼ଶଙ୍ଖରେ ଭେଣ୍ଡିଂ ଜୋନ୍‌ ହେବା ଫଳରେ ସ୍ଥାନୀୟ ଲୋକେ ହଇରାଣ ହେଉଛନ୍ତି। ବଡ଼ଦାଣ୍ଡ ସଙ୍କୁଚିତ ହେବ ସହ ଟ୍ରାଫିକ ସମସ୍ୟା ଉପୁଜୁଛି। ଶ୍ରୀଗୁଣ୍ଡିଚା ମନ୍ଦିରଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଅନେକ ଦୋକାନୀ ପସରା ମେଲାଉଛନ୍ତି। ତନ୍ମଧ୍ୟରୁ ଅଧିକାଂଶ ଉଠାବେପାରୀ। ସଂପୃକ୍ତ ବେପାରୀଙ୍କଠାରୁ ପ୍ରଶାସନ ଟିକସ ନେଉଛି। ବଡ଼ଦାଣ୍ଡ ଉପରେ ସ୍ଥାୟୀ ଦୋକାନ ସମସ୍ୟା ବଢ଼ାଇଛି। ପ୍ରଶାସନ ନିଜ ଅପାରଗତାକୁ ଲୁଚାଇବାକୁ ଯାଇ ପରୋକ୍ଷରେ ଭେଣ୍ଡିଂ ଜୋନ କରିଛି। ଜବରଦଖଲ ଭିତରେ ବଡ଼ଦାଣ୍ଡ ଲୁଚିଯାଉଛି। ବଡ଼ଦାଣ୍ଡ ସଂଲଗ୍ନ ଘରମାଲିକମାନେ ପ୍ରଶାସନ ନିକଟରେ ଯେତେ ନେହୁରା ହେଲେ ମଧ୍ୟ ଘର ଆଗରେ ଯାତାୟାତ କରିବାକୁ ରାସ୍ତା ଛଡ଼ାଯାଉନାହିଁ। ଏ ସମ୍ପର୍କରେ ଆଇନଜୀବୀ ଶରତ କୁମାର ରାୟଗୁରୁ କହିଛନ୍ତି, ବଡ଼ଦାଣ୍ଡକୁ ଜବରଦଖଲ ମୁକ୍ତ କରିବା ଦାୟିତ୍ୱ ପ୍ରଶାସନର ପ୍ରାଥମିକତା ହେବା ଦରକାର। ପୁରୀରେ ମାଳମାଳ ପ୍ରକଳ୍ପ କାର୍ଯ୍ୟକ୍ଷମ ଥିବା ବେଳେ ବଡ଼ଦାଣ୍ଡ ସୌନ୍ଦର୍ଯ୍ୟକରଣ ଦିଗରେ ସରକାର କାହିଁକି ଧ୍ୟାନ ଦେଉନାହାନ୍ତି, ତାହା ସଭିଁଙ୍କୁ ଆଶ୍ଚର୍ଯ୍ୟ କରୁଛି। ଅନ୍ୟପକ୍ଷରେ ଏ ନେଇ ପୁରୀ ପୌରସଂସ୍ଥା ଅଧିକାରୀ ସରୋଜ କୁମାର ସ୍ବାଇଁ କରିଛନ୍ତି, ଭେଣ୍ଡି ଜୋନ୍‌ରେ ଥିବା ଦୋକାନୀମାନେ ୪୦ରୁ ୪୫ ବର୍ଷ ହେବ ଦୋକାନ କଲେଣି। ସେମାନଙ୍କୁ ଦୋକାନ ଉଠାଇବାକୁ କହିଲେ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଉଛନ୍ତି। ହାଇକୋର୍ଟ ବଡ଼ଦାଣ୍ଡ ଉପରୁ ଜବରଦଖଲ ପାଇଁ ହଟାଇବାକୁ କହୁଛନ୍ତି, ମାତ୍ର ସର୍ତ୍ତ ରଖୁଛନ୍ତି ଯେ, ଦୋକାନୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉ। ତେବେ ପ୍ରଶାସନ ପାଖରେ ଭେଣ୍ଡିଂ ଜୋନ୍‌ ପାଇଁ ବିକଳ୍ପ ବ୍ୟବସ୍ଥା ଏପର୍ଯ୍ୟନ୍ତ ନାହିଁ। ତେଣୁ ବାଧ୍ୟ ହୋଇ ଜବରଦଖଲକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରୁନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ବଡ଼ଦାଣ୍ଡ ବିକାଶ ପ୍ରକଳ୍ପ ଅଧୀନରେ ଏହି ଦୋକାନୀମାନଙ୍କୁ ସାମିଲ କରାଯିବା ନେଇ ଏକ ଯୋଜନା ରହିଛି। ଯାହା ଆଧାରରେ ବିକଳ୍ପ ବ୍ୟବସ୍ଥା ଲାଗି ଯୋଜନା ଚାଲୁଛି। ତେବେ ଏହାର ରୂପରେଖ କେବେ ସ୍ପଷ୍ଟ ହେବ ଓ କାର୍ଯ୍ୟକ୍ଷମ ହେବ ସେନେଇ ଏବେଠୁ କହିବା ମୁସ୍କିଲ।