ଦୁର୍ନୀତିଗ୍ରସ୍ତଙ୍କ ରକ୍ଷାକବଚ

ଗତ କିଛି ଦିନ ମଧ୍ୟରେ ଆଖି ଝଲସାଇ ଦେବାଭଳି ସମ୍ପତ୍ତିର ମାଲିକ ହୋଇଥିବା ଅନେକ ଅଧିକାରୀ ଓ କର୍ମଚାରୀ ରାଜ୍ୟ ଭିଜିଲାନ୍ସ ପଞ୍ଝାକୁ ଆସିଛନ୍ତି। ଏହା ସ୍ବତଃ ସ୍ପଷ୍ଟ ହୁଏ ସେମାନଙ୍କର ଦୁର୍ନୀତି ଏବେକାର ନୁହେଁ। ରାଜ୍ୟ ସରକାର ବଦଳିବା ପରେ ଭିଜିଲାନ୍ସ ବିଭାଗର ତତ୍ପରତା ଓ ଏହି ସଫଳତା ମଧ୍ୟ ପ୍ରମାଣ କରୁଛି ଯେ, ପୂର୍ବ ସରକାରଙ୍କ ସମୟରେ ବିଭାଗ ବୋଧହୁଏ ଚାପରେ ଥିଲା। ଯେଉଁ ଅଧିକାରୀ ବା କର୍ମଚାରୀ ଭିଜିଲାନ୍ସ ଦ୍ବାରା ଧରାପଡ଼ିଛନ୍ତି ସେମାନଙ୍କର ସଂଖ୍ୟା ମଧ୍ୟ ନିଶ୍ଚିତ ନଗଣ୍ୟ। ଯେତେବେଳେ ଜନପ୍ରତିନିଧି ଅତିରିକ୍ତ କ୍ଷମତାଲୋଭୀ ହୋଇ ଶାସନତନ୍ତ୍ରକୁ ଦୀର୍ଘକାଳ ନିଜ ଅକ୍ତିଆରରେ ରଖିବାକୁ ପ୍ରୟାସ କରନ୍ତି ସେଇ ଦୁର୍ବଳତାର ସୁଯୋଗରେ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଦୁର୍ନୀତିକୁ ନୀତି କରିଥାନ୍ତି। ଉଦାହରଣ ସ୍ବରୂପ ୨୦୧୯ ପୂର୍ବରୁ ଯେଉଁ କାଳିଆ ଯୋଜନା କରାଯାଇଥିଲା ସେଥିରେ ପ୍ରଶାସନରେ ଥିବା ଅଧିକାରୀ ଓ କର୍ମଚାରୀମାନେ ଉତ୍ସାହିତ ହୋଇ ୧୨ ଲକ୍ଷ ୭୨ହଜାର ତାଳମେଳ ନଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ୭୮୨ କୋଟି ଟଙ୍କା ବାଣ୍ଟିଥିବା ସିଏଜି ରିପୋର୍ଟରେ ଦର୍ଶାଯାଇଛି। ଏହାଦ୍ବାରା ଶାସକ ଦଳ ରାଜନୈତିକ ସଫଳତା ପାଇବା ସହ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀ ଆର୍ଥିକ ଲାଭ ପାଇଥିବା ମଧ୍ୟ ସ୍ପଷ୍ଟ ହେଉଛି। ଜାଲ୍‌ ପ୍ରମାଣପତ୍ରରେ ଛାତ୍ରବୃତ୍ତି ହଡ଼ପ ବା ଭୂତ ହିତାଧିକାରୀଙ୍କ ନାମରେ ଲକ୍ଷ ଲକ୍ଷ ଖାଉଟି କାର୍ଡ ପଛରେ ରାଜନୈତିକ ବ୍ୟକ୍ତି ଓ ଅଧିକାରୀ ଉଭୟ ପକ୍ଷ ଲାଭବାନ ହୋଇଛନ୍ତି। ଶୂନ୍ୟ ସହନଶୀଳତା ତାଗିଦରେ ଦୁର୍ନୀତିରେ ଲିପ୍ତ ଅଧିକାରୀ ବା କର୍ମଚାରୀଙ୍କୁ ପ୍ରଭାବିତ କରିବା ସମ୍ଭବ ନୁହେଁ। ଏବେ ରାଜ୍ୟର ଅଶୀ ଶତାଂଶ ଅଧିକାରୀ ବା କର୍ମଚାରୀ ଶୂନ୍ୟ ସହନଶୀଳତା ବଳୟ ବାହାରେ ଅଛନ୍ତି। ନିଜର ସମ୍ପତ୍ତି ତାଲିକା ଦାଖଲ ପାଇଁ ବାରମ୍ବାର ସରକାର ସମୟ ଦେଉଥିଲେ ବି ଅନେକ କର୍ମଚାରୀ ଓ ଅଧିକାରୀ ତାହା ନିୟମିତ ଦେଇନାହାନ୍ତି।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମ ଆଇନ ବ୍ୟବସ୍ଥାକୁ ଅନୁଶୀଳନ କଲେ ଜଣାଯାଏ ଯେ, ଦୁର୍ନୀତିରେ ଅଭିଯୁକ୍ତଙ୍କୁ ଖଲାସ ପାଇଁ ଆଇନଗତ ଗଳାବାଟର ଉପଯୋଗ ଅଧିକ କରାଯାଏ। ଅପରପକ୍ଷରେ ରାଜ୍ୟ ଭିଜିଲାନ୍ସ ବିଭାଗ ଦ୍ବାରା ଧରାପଡ଼ିଥିବା ଅଧିକାରୀ ବା କର୍ମଚାରୀଙ୍କ ଆୟ ବହିର୍ଭୂତ ସମ୍ପତ୍ତି ବା ଲାଞ୍ଚ ଗ୍ରହଣ ମାମଲା କୋର୍ଟରେ ବର୍ଷ ବର୍ଷ ଧରି ସରେ ନାହିଁ । ଏବେବି ୨୦୦୫ ମସିହାର ଅନେକ ମାମଲା ଫଇସଲା ହୋଇନାହିଁ। ବିଳମ୍ବିତ ବିଚାର ସେମାନଙ୍କ ପାଇଁ ଆଶୀର୍ବାଦ ହୋଇଥାଏ। ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ ଯେ, ଅନେକ ମାମଲା ୨୦୧୬ ମସିହାରୁ ଏପର୍ଯ୍ୟନ୍ତ ତଦନ୍ତ ପ୍ରକ୍ରିୟା ମଧ୍ୟରେ ରହିଛି। ମାମଲାକୁ ପ୍ରମାଣ କରିବାକୁ ଅନେକ ତଥ୍ୟ ଆବଶ୍ୟକ ଥିବାବେଳେ କିଛି ଅଧିକାରୀଙ୍କ କାଳକ୍ଷେପଣ ନୀତି ମଧ୍ୟ ଏହାର ଅନ୍ୟତମ ମୁଖ୍ୟ କାରଣ। କୌଣସି ପ୍ରଥମ ଶ୍ରେଣୀ ବା ତଦୂଦ୍ଧର୍‌ବ ଶ୍ରେଣୀର ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ମାମଲା ପୂର୍ବରୁ ସରକାରଙ୍କର ପୂର୍ବାନୁମତି ଆବଶ୍ୟକ ଥିବାରୁ ଏବେ ବି ସରକାରଙ୍କ ପାଖରେ ଅନୂ୍ୟନ ଦୁଇଶହ ଆବେଦନ ବହୁ ବର୍ଷ ଧରି ପଡ଼ିରହିଛି। ଅନୁମତି ପାଇବା ବେଳକୁ ସମ୍ପୃକ୍ତ ଅଧିକାରୀ ନିଶ୍ଚିତ ସତର୍କ ହୋଇଯାଇଥିବେ ବା ଚାକିରିରୁ ଅବସର ନେଇ ସାରିଥିବେ। ମାମଲାର ତଦନ୍ତ ପ୍ରକ୍ରିୟାରେ ଅହେତୁକ ବିଳମ୍ବ ହେଉଥିବାରୁ ସେଥିପାଇଁ ବିଭାଗୀୟ ତାଗିଦ ବା ସହଯୋଗ ପରିବର୍ତ୍ତେ ଖୋଦ ସରକାର ଅନେକ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଆଇନଗତ ସହଯୋଗ କରୁଥିବା ଭଳି ସ୍ପର୍ଶକାତର ନିଷ୍ପତ୍ତି ନେବା ନିଶ୍ଚିତ ଉଦ୍‌ବେଗଜନକ। ରାଜ୍ୟ ଅର୍ଥବିଭାଗ ଦ୍ବାରା ସଂକଳିତ ଓଡ଼ିଶା ସିଭିଲ ସର୍ଭିସ (ପେନ୍‌ସନ୍‌) ନିୟମାବଳୀ ୧୯୯୨ର ଧାରା ୬୬ ଅନୁଯାୟୀ ଯେଉଁ ଅଧିକାରୀଙ୍କ ନାମରେ ଭିଜିଲାନ୍ସ ମାମଲା ଥିବ ସେମାନେ ମାମଲା ଶେଷ ନ ହେବା ପର୍ଯ୍ୟନ୍ତ କେବଳ ପ୍ରୋଭିଜିନାଲ ପେନ୍‌ସନ ପାଇବା ପାଇଁ ବିଧି ରହିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ରାଜ୍ୟ ଗୃହ ବିଭାଗ ମାଗିଥିବା ସ୍ପଷ୍ଟୀକରଣରେ ଆଇନ ବିଭାଗ ସେହି ନିୟମାବଳୀର ଧାରା ୭ ଅନୁଯାୟୀ ଯଦି ଭିଜିଲାନ୍ସ ମାମଲା ଥିବା ଅଧିକାରୀଙ୍କ ବିରୋଧରେ ସେମାନଙ୍କର ଅବସର ଦିନ ପୂର୍ବରୁ କୋର୍ଟରେ ଅଭିଯୋଗ ଫର୍ଦ୍ଦ ଗୃହୀତ ହୋଇ ନଥାଏ ତେବେ ସମ୍ପୃକ୍ତ ଅଧିକାରୀଙ୍କ ନାମରେ କୌଣସି ମାମଲା ନାହିଁ ବୋଲି ଧରି ନେବାକୁ ଜଣାଇବାରେ ତାହା ଗୃହ ବିଭାଗ ପତ୍ର ନଂ ୩୩୦୩୯ ତା ୨୨-୮-୨୦୨୪ରିଖରେ ପ୍ରକାଶ କରିଛି। ଯାହାର ସୁଯୋଗ ଭିଜିଲାନ୍ସ ମାମଲାରେ ଅଭିଯୁକ୍ତ ଥିବା ଶତାଧିକ ଅଧିକାରୀଙ୍କ ପାଇଁ ଆଶୀର୍ବାଦ ହୋଇଛି।
ପ୍ରକାଶଯୋଗ୍ୟ ଯେ ଭିଜିଲାନ୍ସ ଗୃହ ବିଭାଗ ଅଧୀନ ହୋଇଥିବା ବେଳେ ଅର୍ଥ ବିଭାଗ ହେଉଛି ନିୟମର ସଂକଳକ। କିନ୍ତୁ ଭିଜିଲାନ୍ସ ବିଭାଗରୁ ମାମଲାର ସ୍ଥିତି ଓ ଅଗ୍ରଗତି ତ୍ୱରାନ୍ବିତ ପରିବର୍ତ୍ତେ ଆଇନଗତ ଦିଗର ତର୍ଜମା କରିବାର ଯଥାର୍ଥତା କେବଳ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସହାୟତା କରିବା ପାଇଁ ଉଦ୍ଦିଷ୍ଟ ,ଏଥିରେ ସନ୍ଦେହ ନାହିଁ। ସୂଚନାଯୋଗ୍ୟ ଯେ ଅନେକ ଦୃଷ୍ଟାନ୍ତ ମଧ୍ୟରୁ ତିନି ବର୍ଷ ପୂର୍ବେ ସେହି ଗୃହ ବିଭାଗର ଜଣେ ସ୍ବତନ୍ତ୍ର ଶାସନ ସଚିବ ଅବସର ନେବାର ପନ୍ଦର ଦିନ ଆଗରୁ ଏବଂ ନିକଟରେ ଉଚ୍ଚ ଶିକ୍ଷା ପରିଷଦର ନଥି ରକ୍ଷକ ଅବସର ନେବାର ଚାରି ଦିନ ପୂର୍ବରୁ ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିଲେ। ସେମାନଙ୍କର ଅବସର ପୂର୍ବରୁ ଅଭିଯୋଗ ପତ୍ର ଦାଖଲ କୋର୍ଟ ଦ୍ବାରା ଗୃହୀତ ହେବା ଅସମ୍ଭବ। ସରକାର ସମସ୍ତ ବିଭାଗର ନିର୍ଣ୍ଣାୟକ ହୋଇଥିବା ବେଳେ ଏଇ ସ୍ପଷ୍ଟୀକରଣ ଯୋଗୁ ସାମଗ୍ରିକ ଭାବରେ ସରକାର ହିଁ ଦୁର୍ନୀତିରେ ଲିପ୍ତ ଅଧିକାରୀଙ୍କ ରକ୍ଷାକବଚ ହେଉଥିବା ସ୍ପଷ୍ଟ ହେଉଛି।
ଏହା ସତ୍ୟ ଯେ ସରକାର ଯଦି ଶୂନ୍ୟ ସହନଶୀଳତା ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରିବେ ଏବଂ ସେଥିପାଇଁ ଆବଶ୍ୟକ ଆଇନ କରି ତା’ର ଠିକ୍‌ ଉପଯୋଗ କରିପାରିଲେ ଦୁର୍ନୀତି କିଛି ମାତ୍ରାରେ ନିୟନ୍ତ୍ରିତ ହୋଇପାରିବ। ପ୍ରଥମେ ଭିଜିଲାନ୍ସ ବିଭାଗକୁ ସ୍ବୟଂସଂପୂର୍ଣ୍ଣ କ୍ଷମତା ପ୍ରଦାନ ସହ ରାଜ୍ୟର ପ୍ରତ୍ୟେକ ଜିଲାରେ ଭିଜିଲାନ୍ସ କୋର୍ଟ ପ୍ରତିଷ୍ଠା ଏଂ ଅଧୀକ୍ଷକ ପଦବୀ ସୃଷ୍ଟି କରାଯାଇ ତଦନ୍ତ ଓ ବିଚାର ପାଇଁ ସର୍ବୋଚ୍ଚ ସମୟସୀମା ନିର୍ଦ୍ଧାରଣ କରାଯାଉ। ପ୍ରତ୍ୟେକ ମାମଲା ଅଗ୍ରଗତିର ସମୀକ୍ଷା ପାଇଁ ଉଚ୍ଚ ନ୍ୟାୟାଳୟର ଜଣେ ବିଚାରପତିଙ୍କୁ ନାମିତ କର୍ତ୍ତୃପକ୍ଷ ଘୋଷଣା ଏବଂ କ୍ଷମତା ପ୍ରଦାନ କରାଯିବା ଉଚିତ । ଏଥିସହ ବିଭାଗକୁ ଅଧିକ ସକ୍ରିୟ ପାଇଁ ଆବଶ୍ୟକ ଅନୁଯାୟୀ ଦକ୍ଷ ଓ ସଚ୍ଚୋଟ କର୍ମଚାରୀ ନିଯୁକ୍ତି ହେବା ଦରକାର। ଏତଦବ୍ୟତୀତ ଭିଜିଲାନ୍ସ ମାମଲାରେ ସମ୍ପୃକ୍ତ ଅଧିକାରୀ ବା କର୍ମଚାରୀମାନଙ୍କୁ ମାମଲା ଶେଷ ନହେବା ପର୍ଯ୍ୟନ୍ତ ପୁନଃ ସ୍ଥାପନ ନ କରିବା ଆବଶ୍ୟକ। ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀ ବା କର୍ମଚାରୀ ଭିଜିଲାନ୍ସ ମାମଲାରେ ଗିରଫ ପରେ ପୁନଃ ସ୍ଥାପିତ ହୋଇ ପୁନଶ୍ଚ ଦୁର୍ନୀତିରେ ଗିରଫ ହୋଇଥିଲେ ତାଙ୍କୁ ଚାକିରିରୁ ବହିଷ୍କାର କରାଯିବା ପାଇଁ ନିୟମ ହେଉ। ପ୍ରତ୍ୟେକ ବର୍ଗର କର୍ମଚାରୀଙ୍କ ବାର୍ଷିକ ସମ୍ପତ୍ତି ତାଲିକା ଭିଜିଲାନ୍ସ ତଦାରଖ ହେବା ଉଚିତ। ରାଜ୍ୟରୁ ଦୁର୍ନୀତି କମିଲେ ରାଜ୍ୟର ପ୍ରଗତି ତ୍ୱରାନ୍ବିତ ହେବ ଏଥିରେ ସନ୍ଦେହ ନାହିଁ।
୧୧୩- ଗୁଣ୍ଡିଚା ବିହାର, ପୁରୀ
ମୋ: ୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

ସରଳ ଓ ଜଟିଳତାର ଭାଗମାପ

ସାଧାରଣତଃ ଆମେ ଲୋକଙ୍କଠାରୁ ଏପରି ଶୁଣିବାକୁ ପାଉ ଯଥା ”ଆମ ସାଇର ରାମବାବୁ ଖୁବ୍‌ ସରଳ, ସିଧାସାଦା ଲୋକ। ତାଙ୍କ ପୁଅ ରମେଶ ମଧ୍ୟ ଠିକ୍‌ ତାଙ୍କ…

ବିଷ ବଳୟର ଧାରା

ବ୍ରିଟିଶ ଜୀବବିଜ୍ଞାନୀ ତଥା ରିଭର ମନଷ୍ଟର୍ସ ଉପସ୍ଥାପକ ଜେରେମି ୱେଡ୍‌ ରହସ୍ୟମୟ ମିଠାପାଣି ପ୍ରାଣୀଙ୍କୁ ଖୋଜିବାରେ ପ୍ରସିଦ୍ଧ। ତାଙ୍କର ଯାତ୍ରା କେବଳ ମାଛ ଧରିବା ନୁହେଁ, ପ୍ରକୃତି…

ସମ୍ଭାବ୍ୟ ଖାଦ୍ୟ ସଙ୍କଟ

ଇରାନ୍‌ ବିରୋଧରେ ଆମେରିକା-ଇସ୍ରାଏଲ୍‌ ଯୁଦ୍ଧ ଆରମ୍ଭ କରିବା ପରଠାରୁ ହର୍ମୁଜ ଷ୍ଟ୍ରେଟ୍‌ରେ ସଙ୍କଟ ଦେଖାଯାଇଛି। ସେହି ସମୁଦ୍ର ପଥ ଦେଇ ପ୍ରତିଦିନ ପାଖାପାଖି ୧୦୦ ଜାହାଜ ଯାଉଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri