ହିମାଳୟକୁ ଜଗ

ଗୋଟେ ଧାରଣା ଥିଲା ଯେ, ପାହାଡ଼ କିମ୍ବା ପର୍ବତ ଅତ୍ୟନ୍ତ ମଜଭୁତ ଓ ଝୁଙ୍କିବା ଲାଗି ଅନେକ ଶହ ବର୍ଷ ଲାଗେ। ତିବ୍ବତ ସୀମାନ୍ତ କେନ୍ଦ୍ରୀୟ ନେପାଳର ବାଗ୍‌ମତୀ ପ୍ରଦେଶ ଏବଂ ତ୍ରିଶୂଳୀ ନଦୀ ପାର୍ଶ୍ୱାଞ୍ଚଳରେ ଘଟିଥିବା ପ୍ରଳୟଙ୍କରୀ ଆକସ୍ମିକ ବନ୍ୟା ଏବଂ ଗ୍ଲେସିୟର ବା ହିମବାହ ବିପର୍ଯ୍ୟୟ ମଣିଷର ସବୁ ବୁଦ୍ଧି ହଜାଇ ଦେଇଛି। ଏହି ବନ୍ୟା ତ୍ରିଶୂଳୀ ନଦୀ କୂଳରେ ୭୨ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିଲା, ଯାହା ରସୁୱା, ନୁୱାକୋଟ, ଧାଦିଙ୍ଗ, ଗୋର୍ଖା, ତନହୁନ, ନବଲପରାସୀ ଏବଂ ଚିତ୍‌ୱାନ ସହିତ ନେପାଳର ଅନେକ ଜିଲାକୁ ଘୋର୍‌ ପ୍ରଭାବିତ କରିଛି। ଚାଇନା-ନେପାଳ ସୀମା ନିକଟରେ ଥିବା ଜିରୋଙ୍ଗ ପୋର୍ଟର ଅନେକ ଅଂଶ ସମ୍ପୂର୍ଣ୍ଣ ରୂପେ ବନ୍ୟାର ଆବର୍ଜନା ଏବଂ ପ୍ରଖର ସ୍ରୋତରେ ଭାସିଯାଇଛି। ଉକ୍ତ ବିପର୍ଯ୍ୟୟରେ ଅଦ୍ୟାବଧି ୭୯୪ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ୩,୦୦୦ ନିଖୋଜ ହୋଇଥିବା ସରକାରୀ ଭାବେ ସୂଚନା ଦିଆଯାଇଛି। ଏହି ସଂଖ୍ୟା ଆହୁରି ଅନେକ ଗୁଣରେ ବଢ଼ିବ ବୋଲି ନିଶ୍ଚିତ କରିଦେଉଛି।
ନେପାଳର ଦେଖାଦେଇଥିବା ବିପତ୍ତି ସମ୍ପୂର୍ଣ୍ଣ ମନୁଷ୍ୟକୃତ। ଏହା ଏକ ଚେତାବନୀ ଯେ ହିମାଳୟ ଏବେ ଏଭଳି ଏକ ସମୟରେ ପହଞ୍ଚିଛି ଯେ, ଯେଉଁଠାରେ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତିର ସୁଯୋଗ କମି ଆସିଲାଣି। ପ୍ରାରମ୍ଭିକ ପର୍ଯ୍ୟାୟରେ କୁହାଯାଉଥିଲା ଯେ, ହିମାଳୟ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇ ପାହାଡ଼ ଫାଟିବାରୁ ସେଥିରେ ଥିବା ହିମବାହ ବ୍ୟାପକ ଭାବେ ତରଳି ବିପର୍ଯ୍ୟୟ ସୃଷ୍ଟି କଲା। କିନ୍ତୁ ଦେଖିଲା ବେଳକୁ ମଣିଷ ପାହାଡ଼ ଓ ନଦୀ ତଟବର୍ତ୍ତୀ ଅଞ୍ଚଳରେ ଜଳବିଦ୍ୟୁତ୍‌ ପ୍ରକଳ୍ପଠାରୁ ଆରମ୍ଭ କରି ଭିତ୍ତିଭୂମି ବିକାଶ ଲାଗି ପ୍ରାକୃତିକ ଭୂଭାଗକୁ ନଷ୍ଟ କରୁଥିବାରୁ ତାହାର ପ୍ରଭାବ ସିଧାସଳଖ ଭଙ୍ଗୁର ଅବସ୍ଥାରେ ଥିବା ଅଞ୍ଚଳକୁ ଅତି ଦୁର୍ବଳ ସ୍ତରକୁ ନେଇଆସିଲାଣି। ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ଯେ, ହିମାଳୟର ଏକ ପାର୍ଶ୍ୱରୁ ବଡ଼ ଧରଣର ବରଫ ଏବଂ ପଥରଖଣ୍ଡ ଖସିପଡି ଭୋଟେକୋଶୀ ନଦୀ ମଧ୍ୟକୁ ଚାଲିଯାଇଥିଲା। ଗ୍ଲେସିୟର ଭୁଶୁଡ଼ିବା ଏବଂ ପଥର ଓ ମାଟିର ପ୍ରବାହ ନଦୀ ଜଳକୁ ଭୟଙ୍କର କରିଦେଇଥିଲା। ଏହି ପ୍ରଚଣ୍ଡ ଆଘାତ ଯୋଗୁ ବରଫ ତରଳି ଯାଇଥିଲା ଏବଂ ଏକ ବୃହଦାକାର ଭଗ୍ନାବଶେଷ ପ୍ରବାହ ସୃଷ୍ଟି କରିଥିଲା, ଯାହା ଫଳରେ ନେପାଳ ଆଡ଼କୁ ନଦୀର ତଳ ମୁଣ୍ଡରେ ଏକ ଆକସ୍ମିକ ଓ ଶକ୍ତିଶାଳୀ ବନ୍ୟା ମାଡ଼ି ଯାଇଥିଲା। ସାଧାରଣତଃ ନଦୀରେ ବଢ଼ି ଆସିଲେ ଯେଉଁଠାକୁ ଅନେଇ ହେବ ସେଯାଏ ପାଣି ଦେଖାଯାଇଥାଏ। କିନ୍ତୁ ନେପାଳରେ ଅଚାନକ ବନ୍ୟା ଯେଉଁଭଳି ଛୋଟିଆ ଘରଠାରୁ ଆରମ୍ଭ କରି ସୁଉଚ୍ଚ ଅଟ୍ଟାଳିକା ଭସାଇ ଦେଇଛି, ସେହି ଦୃଶ୍ୟ ହଲିଉଡ୍‌ର କୌଣସି ଚଳଚ୍ଚିତ୍ର ଏତେ ଭୟଙ୍କର ଭାବେ ଦେଖାଇପାରି ନାହିଁ । ଏଭଳି ସ୍ଥଳେ ମନୁଷ୍ୟକୃତ କାର୍ଯ୍ୟ ଯୋଗୁ ସୃଷ୍ଟି ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟକୁ ରୋକିବାର ରଜ୍ଜୁ ହାତଛଡ଼ା ହେଲାଣି ବୋଲି କୁହାଯାଇପାରେ। ଓଡ଼ିଆରେ ଢଗ ଅଛି-‘କୁମ୍ଭୀର ନେଇ ମଝିନଈରେ କଲାଣି, ବାପା କହୁଛି ପୁଅ ପହଁରୁଛି’।
ଚାଇନା ଜାଣିଶୁଣି ଭାରତ ଓ ନେପାଳ ସହିତ ତ୍ରି-ମଧ୍ୟବର୍ତ୍ତୀ ସୀମାରେ ୟାର୍‌-ଲୁଙ୍ଗ୍‌ ସାଙ୍ଗ୍‌ପୋ ନଦୀ ଉପରେ ବିଶ୍ୱର ସର୍ବବୃହତ୍‌ ଜଳବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ କରିବା ଆରମ୍ଭ କରିଛି। ୨୦୦୦ ମସିହାଠାରୁ ଚାଇନା ପଡ଼ୋଶୀ ଦେଶଗୁଡ଼ିକ ଆଡ଼କୁ ପ୍ରବାହିତ ହେଉଥିବା ନଦୀଗୁଡ଼ିକ ଉପରେ ସମଗ୍ର ତିବ୍ବତ ଅଞ୍ଚଳରେ ୧୯୩ରୁ ଅଧିକ ଜଳବିଦ୍ୟୁତ୍‌ ପ୍ରକଳ୍ପ ବା ବନ୍ଧ ନିର୍ମାଣ କରିବା ସହ ଆହୁରି ଅନେକ ପ୍ରକଳ୍ପ ସକାଶେ ଯୋଜନା କରିଛି। ଭାରତ ମଧ୍ୟ କୌଣସି ଭାବେ ଏ ଦିଗରେ ଊଣା ନୁହେଁ। ଅସଂଖ୍ୟ ଜଳବିଦ୍ୟୁତ୍‌ ପ୍ରକଳ୍ପ, ସଡ଼କ, ସୁଡ଼ଙ୍ଗ ଏବଂ ଧର୍ମୀୟ ପର୍ଯ୍ୟଟନ ପାଇଁ ଭିତ୍ତିଭୂମି ଯଥା ଉତ୍ତରାଖଣ୍ଡର ଚାରଧାମ ପ୍ରକଳ୍ପ ସକାଶେ ଯେଉଁଭଳି ଭାବେ ଜଙ୍ଗଲ କଟାଯାଇ ରାଜପଥ ନିର୍ମାଣ କରାଯାଉଛି, ତାହା ଏହି ଅଞ୍ଚଳର ସୂକ୍ଷ୍ମ ଭାରସାମ୍ୟକୁ ଅସନ୍ତୁଳିତ କରିଦେଲାଣି। ଭାରତରେ ମଧ୍ୟ ପାହାଡ଼ି ଅଞ୍ଚଳରେ ଦୈନନ୍ଦିନ ଭୂସ୍ଖଳନ, ଅଚାନକ ବନ୍ୟା ଭଳି ବିପର୍ଯ୍ୟୟ ଦେଖିବାକୁ ମିଳୁଛି। ଦେଖିବାକୁ ଗଲେ ତିବ୍ବତ ଅଞ୍ଚଳରେ ଚାଇନା ଯେଉଁସବୁ ଭିତ୍ତିଭୂମି ଓ ବିକାଶମୂଳକ କାର୍ଯ୍ୟ କରୁଛି, ତାହା ଦ୍ୱାରା ଭାରତ ମଧ୍ୟ ଘୋର କ୍ଷତିଗ୍ରସ୍ତ ହେବାର ଆଶଙ୍କା ଉପୁଜିଲାଣି। ଅନ୍ୟପକ୍ଷରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ନେପାଳରେ ଅଙ୍ଗାରକାମ୍ଳ ନିର୍ଗମନ ବିଶ୍ୱ ପ୍ରତିଶତର ମାତ୍ର ଶୂନ ଦଶମିକ ୧ । ହେଲେ ସେହି ଦେଶ ଏବେ ସର୍ବାଧିକ କ୍ଷତି ସହିଛି। ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ଯେଭଳି ଦେଖାଦେଇଛି ବିପର୍ଯ୍ୟୟ ହେବା ଥୟ। ଏହି ମାଡ଼ି ଆସୁଥିବା ବିପତ୍ତିକୁ କେହି ବ୍ୟକ୍ତି ବା ଗୋଟିଏ ଦେଶ ରୋକିପାରିବ ନାହିଁ। ଯଦି ଏହି ଅଞ୍ଚଳର ସବୁ ଦେଶ ମିଶିକରି ପରସ୍ପର ସହିତ ଇଚ୍ଛା କରୁଥିବା ବିକାଶର ଚିଠା ସମ୍ପର୍କରେ ଆଲୋଚନା କରିବେ ଏବଂ ସମସ୍ତେ ସମସ୍ତଙ୍କର ସ୍ବାର୍ଥ ଜଗିବେ, ତେବେ ଯାଇ ସ୍ଥିତିରେ ଉନ୍ନତି ଆସିପାରେ। ସମ୍ପୃକ୍ତ ଦେଶଗୁଡ଼ିକ ସ୍ବାର୍ଥପର ହେବା ସ୍ବାଭାବିକ। କିନ୍ତୁ ନିଜର ସ୍ବାର୍ଥ ଜଗିବାକୁ ଯାଇ ଭୂଖଣ୍ଡର ସ୍ବାର୍ଥକୁ ଜଳାଞ୍ଜଳି ଦେଇଦେଲେ କାହାରି ଦୀର୍ଘମିଆଦୀ ଉନ୍ନତି ଘଟିବା ସମ୍ଭବପର ହେବ ନାହିଁ। ଅର୍ଥାତ୍‌ ଆଲୋଚନା କରି ଏବଂ ପରସ୍ପର ସହିତ ତଥ୍ୟ ବାଣ୍ଟି ହିମାଳୟକୁ ସୁରକ୍ଷିତ ରଖିବା ଦରକାର।

Dharitri – Odisha’s No.1 Odia Daily

Share