ମାଣ୍ଡିଆର ପଦୋନ୍ନତି

ଡ. ମନୋରଞ୍ଜନ ପ୍ରଧାନ

 

ସରକାରୀ ସ୍ତରରେ ସ୍ବାସ୍ଥ୍ୟ ପ୍ରତି ଅତ୍ୟନ୍ତ ଉପାଦେୟ ଖାଦ୍ୟଶସ୍ୟ ମାଣ୍ଡିଆକୁ ପଦୋନ୍ନତି ମିଳିଛି। ସରକାରୀ ସ୍ତରରେ ମିଲେଟ ମିଶନର ସଫଳ ରୂପାୟନ ହେତୁ ମାଣ୍ଡିଆ ଅତ୍ୟନ୍ତ ଉପାଦେୟ ଖାଦ୍ୟଶସ୍ୟ ପରିଚୟ ପାଇଛି। ଫଳତଃ ଏହାର ଆଦର ଓ ଚାହିଦା ବଢ଼ିବାରେ ଲାଗିଛି। ଏପରି କି ବିଶିଷ୍ଟ ଡାକ୍ତର, ଚିକିତ୍ସା ବିଜ୍ଞାନୀ ତଥା ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କର ମାଣ୍ଡିଆର ଔଷଧୀୟ ଗୁଣ ଓ ଉତ୍କୃଷ୍ଟ ଖାଦ୍ୟ ଉତ୍ସ ସମ୍ବନ୍ଧରେ ଆଲୋଚନା ଓ ପରାମର୍ଶ ବିଶେଷକରି ଶିକ୍ଷିତବର୍ଗଙ୍କୁ ପ୍ରଭାବିତ କରିଛି।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ମାଣ୍ଡିଆ ଏକ ସୁପାଚ୍ୟ ଓ ସୁଷମ ଖାଦ୍ୟ। ଏହା ଅମ୍ଳପିତ୍ତ( ଏସିଡିଟି) ପାଇଁ ଅବ୍ୟର୍ଥ ଔଷଧ ଓ ଶରୀରକୁ କ୍ୟାଲ୍‌ସିୟମ ଯୋଗାଇଥାଏ। ସଂକ୍ଷେପରେ ଏହା ଏକ ନୀରୋଗ ଖାଦ୍ୟଶସ୍ୟ। ଆଜିକାଲି ହାଇଫାଇ ମଲଗୁଡ଼ିକରେ ମାଣ୍ଡିଆ ବିକ୍ରି ହେବା ଏକ ସୁଖଦ ଅନୁଭୂତି। କାରଣ ଦିନ ଥିଲା ଗ୍ରାମାଞ୍ଚଳରେ ମାଣ୍ଡିଆ କିଣିଲାବେଳେ ଲୋକେ ଲାଜ କରୁଥିଲେ। କେବଳ ସେତିକି ନୁହେଁ, ଆଜିକାଲି ମାଣ୍ଡିଆ ତିଆରି ଖାଦ୍ୟ ସାମଗ୍ରୀର ହୋଟେଲ ଓ ରେଷ୍ଟୁରାଣ୍ଟ ତିଆରି ହେଲାଣି; ଯେଉଁଠି ମାଣ୍ଡିଆ ତିଆରି ଇଡ୍‌ଲି, ବରା, ପୁରି, ଏପରି କି ବିଭିନ୍ନ ସୁସ୍ବାଦୁ ମିଠା ମଧ୍ୟ ବିକ୍ରି ହେଲାଣି। ସତ କହିବାକୁ ଗଲେ ଅଭାବୀ, ଗରିବ, ମଳି ମୁଣ୍ଡିଆ ତଥା ଗାଁଉଲୀଙ୍କ ଖାଦ୍ୟ ଭାବରେ ପରିଚିତ ଖାଦ୍ୟଶସ୍ୟ ମାଣ୍ଡିଆ ବଡ଼ବଡ଼ିଆ ତଥା ବିଶିଷ୍ଟ ବ୍ୟକ୍ତିଙ୍କ ଖାଦ୍ୟ ଥାଳିରେ ସ୍ଥାନ ପାଇ ତା’ର ପଦୋନ୍ନତି ହୋଇଛି ବୋଲି ଏ ଲେଖକର ବ୍ୟକ୍ତିଗତ ମତ। ଏଠାରେ ଏକ ବାସ୍ତବ ଉଦାହରଣ ଉପସ୍ଥାପନ କରୁଛି।
ମୋ ଭଳି ଅନେକଙ୍କ ଏ ଅନୁଭବ ଥିବ, ଯେଉଁମାନେ ଗାଁରେ ବିଶେଷକରି ଗରିବ ଘରେ ଜନ୍ମ ନେଇଥିବେ। ମନେପଡୁଛି ପିଲାବେଳ କଥା। ଚାଷଜମିରୁ ପ୍ରବଳ ମାଣ୍ଡିଆ ଉତ୍ପାଦନ ହୁଏ। ମାଣ୍ଡିଆର ଅଭାବୀ ବିକ୍ରି ଥାଏ। ସେତେବେଳରୁ ଗ୍ରାମାଞ୍ଚଳରେ ରହୁଥିବା ସିଂହଭାଗ ଗରିବଗୁରୁବାଙ୍କ ପ୍ରମୁଖ ଖାଦ୍ୟ ଥିଲା ମାଣ୍ଡିଆ ଜାଉ । ପ୍ରତିଦିନ ଭାତ ମୁଠାଏ ପାଇବା ସମସ୍ତଙ୍କ ଭାଗ୍ୟରେ ନ ଥିଲା। ସକାଳେ ଓ ମଧ୍ୟାହ୍ନରେ ମାଣ୍ଡିଆ ଜାଉ ଖାଇବା ଏକ ପ୍ରକାର ସ୍ଥାୟୀ ମେନ୍ୟୁ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ରାତିରେ ଭାତ କିମ୍ବା ମାଣ୍ଡିଆ ତିଆରି ଚକୁଳି, ଢୁଲକା, କାକରା ବା ତମ୍ପା (ମାଣ୍ଡିଆ ଜନ୍ତୁଣି) ଆଦି ଖାଦ୍ୟ ଖାଇବାକୁ ମିଳୁଥିଲା। ଏପରି କି ଚାଷଜମିକୁ ଚାଷକାର୍ଯ୍ୟ ବା ଜଳସେଚନ ପାଇଁ ଗଲାବେଳେ ଜାଉ ତୋରାଣି ନେଇ ଯାଉଥିଲେ। ମଜା କଥା ହେଉଛି ଘରର ମାଆବାପାଙ୍କ ନିର୍ଦ୍ଦେଶ ଥାଏ କି ଯଦି କେହି ବାହାର ଲୋକ କ’ଣ ଖାଇଲୁ ବୋଲି ପଚାରନ୍ତି ମାଣ୍ଡିଆ ବଦଳରେ ଭାତ ଖାଇବାକୁ କହିବା ପାଇଁ। କାରଣ ସେତେବେଳେ ମାଣ୍ଡିଆ ଏକ ପ୍ରକାର ଗରିବ ଅବହେଳିତ ଲୋକଙ୍କ ଖାଦ୍ୟ ଥିଲା। ତେଣୁ ମାଆବାପାମାନେ ଅନ୍ୟମାନଙ୍କ ଟାହିଟାପରା ବା ସମାଲୋଚନାରୁ ବର୍ତ୍ତିବାକୁ ଏଭଳି କହିବାକୁ ପରାମର୍ଶ ଦେଉଥିଲେ। ଅବଶ୍ୟ ଏକଥା ଅନୁଭବୀ ହିଁ କହିପାରିବ ବା ବିଶ୍ବାସ କରିପାରିବେ। ଗ୍ରାମାଞ୍ଚଳରେ ମାଣ୍ଡିଆ ପ୍ରତି ନକାରାତ୍ମକ ମନୋବୃତ୍ତି ଆଜି ମଧ୍ୟ ରହିଛି। ଏକ ଉଦାହରଣ ଉପସ୍ଥାପନ କରୁଛି।
କିଛିଦିନ ପୂର୍ବେ ଜଣେ ଆଦିବାସୀ ମହିଳା ଚାଷଜମିରୁ ଉତ୍ପାଦିତ ପନିପରିବା ନେଇ ଆସିଥିଲେ। ବୋଉ ତାଙ୍କ ସହ ଭଲ ମନ୍ଦ ଆଲୋଚନା ପରେ ଆମ ପାଇଁ ମାଣ୍ଡିଆ ଆଣି ଦେବାକୁ ବରାଦ ଦେଲେ। ଦୁଇ ଚାରି ଦିନ ପରେ ମହିଳା ଜଣକ କୋଡ଼ିଏ କେ.ଜି. ମାଣ୍ଡିଆ ଆଣିଦେଲେ। ମାଣ୍ଡିଆର ପାଉଣା ଦେଲା ବେଳେ ଚିରାଚରିତ ଭାବେ ମହିଳା ଜଣକୁ ତାଙ୍କ ପରିବାର ସମ୍ବନ୍ଧରେ ପଚାରିଲି। ଚାରି ପୁଅ ସହ ଗୋଟିଏ ଝିଅ ଅଛନ୍ତି ଏବଂ ଦୁଇ ପୁଅ ସହ ଝିଅ ମଧ୍ୟ କଲେଜରେ ପଢ଼ୁଥିବା କଥା କହିଲେ। ଅଭାବ ଅସୁବିଧା ସତ୍ତ୍ୱେ ପିଲାଙ୍କୁ ଉଚ୍ଚ ଶିକ୍ଷିତ କରେଇବା ପାଇଁ ତାଙ୍କ ପ୍ରୟାସକୁ ପ୍ରଶଂସା କରିବା ସହ ଆବଶ୍ୟକୀୟ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇ କୌତୂହଳରେ ପଚାରିଲି, ତୁମ ପିଲାମାନେ ମାଣ୍ଡିଆ ତିଆରି ଖାଦ୍ୟ ଖାଉଛନ୍ତି କି ନାହିଁ? ମହିଳା ଜଣକ କହିଲେ, ଆମେ ଖାଇବା ପାଇଁ ହିଁ ମାଣ୍ଡିଆ ଚାଷ ଅଳ୍ପଜମିରେ କରିଥିଲୁ। ହେଲେ ପିଲାମାନେ ମାଣ୍ଡିଆ ଖାଇବାକୁ ମନା କରିଦେଲେ। ତେଣୁ ଆମ ସ୍ବାମୀ ସ୍ତ୍ରୀ ଖାଇବା ପାଇଁ କିଛି ରଖି ତମକୁ ବିକି ଦେଲି। ତା’ ପରେ ପଚାରିଲି ପିଲାମାନେ କାହିଁକି ମାଣ୍ଡିଆ ପସନ୍ଦ କରୁନାହାନ୍ତି? ସେ କହିଲେ ଗାଁରେ ମ୍ୟାଗି, ଚାଓମିନ ଦୋକାନ ହେଲା ଦିନଠୁ ପିଲା ମାଣ୍ଡିଆ ଖାଇବାକୁ ମନା କରୁଛନ୍ତି। ଦୁଃଖର କଥା ମାଣ୍ଡିଆ ପେଯ ପିଇ ଦିନ ସାରା ଅକ୍ଳାନ୍ତ ପରିଶ୍ରମ କରିପାରିବାର ସାମର୍ଥ୍ୟ ରଖିପାରୁଥିବା ଆଦିବାସୀ ଚାଷୀର ପୁଅଝିଅମାନେ ପୁଷ୍ଟିଶସ୍ୟ ମାଣ୍ଡିଆକୁ ହତାଦର କରି ମଇଦା ତିଆରି ଚାଓମିନ, ମ୍ୟାଗି ଭଳି ଶରୀର ଅହିତକାରୀ ଚଟ୍‌ପଟି ଖାଦ୍ୟର ଅନ୍ଧ ଉପଭୋକ୍ତା। ବାସ୍ତବରେ ଏହା କେବଳ ସେ ଆଦିବାସୀ ମହିଳାଙ୍କ ଗାଁର ଚିତ୍ର ନୁହେଁ, ସମଗ୍ର ଦେଶର ଗାଁର ଚିତ୍ର। ମୋ ନିଜ ଗାଁରେ ମଧ୍ୟ ଫାଷ୍ଟଫୁଡ ଦୋକାନରେ ପ୍ରବଳ ଭିଡ଼। ଅର୍ଥାତ୍‌ ମାଣ୍ଡିଆ ଭଳି ଶରୀର ପାଇଁ ଅତି ଉପାଦେୟ ଖାଦ୍ୟଶସ୍ୟ, ଯାହା ଗ୍ରାମରେ ବାସ କରୁଥିବା ଗ୍ରାମବାସୀଙ୍କ ପାଇଁ ମୁଖ୍ୟ ଖାଦ୍ୟ ଥିଲା ତାହା ଆଜି ଆଧୁନିକ ପିଲା ଓ ଯୁବପିଢ଼ି ପାଇଁ ଅଲୋଡ଼ା କିନ୍ତୁ ସହରୀ ଉଚ୍ଚ ଶିକ୍ଷିତମାନଙ୍କ ପାଇଁ ଅତିପ୍ରିୟ ହେବାରେ ଲାଗିଛି।
ସୌଭାଗ୍ୟର ବିଷୟ ସରକାରଙ୍କ ପ୍ରୋତ୍ସାହନରେ ମାଣ୍ଡିଆ ମିଶନ ଜରିଆରେ ମାଣ୍ଡିଆର ଔଷଧୀୟ ଗୁଣ ଓ ଉପାଦେୟତା ସମ୍ପର୍କରେ ଜନସଚେତନତା ପାଇଁ ଚେଷ୍ଟା କରାଯାଉଛି। ମାଣ୍ଡିଆ ଭଳି ଖାଦ୍ୟଶସ୍ୟ ଉପଯୋଗ କରି ବିଭିନ୍ନ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରୁଥିବା ଉଦ୍ୟୋଗୀ ଓ ଉଦ୍ୟୋଗ ଗୁଡ଼ିକୁ ପ୍ରୋତ୍ସାହନ ଦେବା ସହ ପୁରସ୍କୃତ କରାଯାଉଛି। ଆଶାକରେ ଏହି ପ୍ରୋତ୍ସାହନ ଆହୁରି ବ୍ୟାପକ ହେଉ। ଗ୍ରାମାଞ୍ଚଳଠାରୁ ସହରାଞ୍ଚଳ ଯାଏ ସମସ୍ତେ ମାଣ୍ଡିଆ ଭଳି ଖାଦ୍ୟଶସ୍ୟଗୁଡ଼ିକର ଭରପୂର ଉପଯୋଗ କରନ୍ତୁ। କାରଣ ମାଣ୍ଡିଆର ପଦୋନ୍ନତି ଉଭୟ ଚାଷୀ ଓ ଉପଭୋକ୍ତା ସମସ୍ତଙ୍କୁ ନିରାମୟ ଜୀବନଯାପନର ବରଦାନ ହେବ।
ସହକାରୀ ପ୍ରଫେସର, ବିକ୍ରମ ଦେବ ବିଶ୍ବବିଦ୍ୟାଳୟ, ଜୟପୁର, କୋରାପୁଟ ମୋ:୯୪୩୭୯୧୪୮୧୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri