ବୈଶ୍ୱିକ ଅର୍ଥ ବ୍ୟବସ୍ଥାରେ ସମସ୍ୟା

ବିକାଶଶୀଳ ଦେଶଗୁଡ଼ିକର ଲୋକଙ୍କ ଜୀବନରେ ବିକାଶ ଲାଗି ପ୍ରତିବର୍ଷ ବିଶ୍ୱ ବ୍ୟାଙ୍କ ଓ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ଦ୍ୱାରା ଅନେକ ସମ୍ମିଳନୀ ଅନୁଷ୍ଠିତ ହୋଇଥାଏ। ଏହା ସାଧାରଣତଃ ବିଶ୍ୱ ଅର୍ଥ ବ୍ୟବସ୍ଥାର ବାସ୍ତବ ସ୍ଥିତିକୁ ସାମ୍‌ନାକୁ ଆଣିବା ଲାଗି ବିଭିନ୍ନ ସଂଗଠନ, ନୀତିନିର୍ଦ୍ଧାରକ ଏବଂ ସମୀକ୍ଷକମାନଙ୍କୁ ଏକ ପ୍ଲାଟ୍‌ଫର୍ମ ଯୋଗାଇଦିଏ। ଏହି ସବୁ ସମ୍ମିଳନୀରେ ପୂର୍ବ ବର୍ଷର ବିକାଶ ଉପରେ ବିଚାର କରାଯିବା ସହ ଭବିଷ୍ୟତର ସମ୍ଭାବିତ ସ୍ଥିତି ଉପରେ ଆକଳନ କରାଯାଏ। ଏହି କ୍ରମରେ ଚଳିତବର୍ଷ ଏପ୍ରିଲରେ ଓ୍ବାଶିଂଟନରେ ଅନୁଷ୍ଠିତ ବୈଠକରେ ଗମ୍ଭୀର ପୂର୍ବାନୁମାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏକ ଦୀର୍ଘମିଆଦୀ ବୈଶ୍ୱିକ ମାନ୍ଦାବସ୍ଥାର ସମ୍ଭାବ୍ୟ ବୃଦ୍ଧି ଉପରେ ଆଲୋକପାତ କରାଯାଇଥିଲା। ପୂର୍ବ ୩ ବର୍ଷ ମଧ୍ୟରେ ବିଶ୍ୱ ଏକାଠି ଅନେକ ସଙ୍କଟ ଯଥା କୋଭିଡ୍‌-୧୯ ମହାମାରୀ, ଯୋଗାଣ ଶୃଙ୍ଖଳରେ ବାଧା, ୟୁକ୍ରେନ୍‌ ଯୁଦ୍ଧ ଓ ତତ୍‌ଜନିତ ମୁଦ୍ରାସ୍ଫୀତି ସଙ୍କଟ ଓ ବିତ୍ତୀୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବାରୁ ଏହାର ବୈଶ୍ୱିକ ଅର୍ଥ ବ୍ୟବସ୍ଥା ଉପରେ ଏକ ଆଖିଦୃଶିଆ ତଥା ଅସ୍ଥାୟୀ ପ୍ରଭାବ ପଡ଼ିବ ବୋଲି ବହୁ ବିଶ୍ଳେଷକ ଅନୁମାନ କରିଥିଲେ। ତେବେ ନୂଆ ତଥ୍ୟରୁ ଜଣାଯାଏ ଯେ, ଆର୍ଥିକ କ୍ଷେତ୍ରରେ ଏବେ ହୋଇଥିବା ହଠାତ୍‌ ବଡ଼ ଧରଣର ପରିବର୍ତ୍ତନ ଯେତିକି ସମୟର ରହିବ ବୋଲି ଅନୁମାନ କରାଯାଉଥିଲା ତା’ଠାରୁ ଅଧିକ ସମୟ ରହିବ।
ଆଇଏମ୍‌ଏଫ୍‌ର ଓ୍ବାଲର୍‌ଡ ଇକୋନୋମିକ ଆଉଟ୍‌ଲୁକ୍‌ ଏବଂ ଗ୍ଲୋବାଲ ଫାଇନାନ୍ସ ଷ୍ଟାବିଲିଟି ରିପୋର୍ଟ ସ୍ପଷ୍ଟ କରିଛି ଯେ, ଆଗକୁ କଠିନ ପଥ ଆସୁଛି। ଏହା ମଧ୍ୟ ସତର୍କ କରିଦେଇଛି ଯେ,ବିଶ୍ୱ ଆର୍ଥିକ ଦୃଷ୍ଟିକୋଣ ଅତ୍ୟଧିକ ଧୂମିଳ ହୋଇଯାଇଛି। ଆମେରିକାର ଫେଡେରାଲ ରିଜର୍ଭ ଏବଂ ଅନ୍ୟ ପ୍ରମୁଖ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ତ୍ୱରିତ ଲଗାତର ଭାବେ ବୃଦ୍ଧି କରାଯାଇଥିବା ଅତ୍ୟଧିକ ସୁଧ ହାର ଯୋଗୁ ସରକାରୀ ଏବଂ ଘରୋଇ କ୍ଷେତ୍ରର ଋଣ ଦଶନ୍ଧି ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିବାର କାରଣ ପାଲଟିଛି। ଏହାଦ୍ୱାରା ବିତ୍ତୀୟ ଅସନ୍ତୁଳନର ବିପଦ ବୃଦ୍ଧି ହୋଇଛି। ୨୦୨୨ରେ ୨.୭% ଅଭିବୃଦ୍ଧି ହାସଲ କରିଥିବା ବିଶ୍ୱର ବିକଶିତ ଅର୍ଥ ବ୍ୟବସ୍ଥାଗୁଡ଼ିକର ଚଳିତ ବର୍ଷ ୧.୩% ଅଭିବୃଦ୍ଧି ହେବ ବୋଲି ଅନୁମାନ କରାଯାଉଛି। ଏସିଆର ବିକାଶଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକ ୨୦୨୩ରେ ୫.୩% ଅଭିବୃଦ୍ଧି ( ଗତ ବର୍ଷ ୪.୪% ତୁଳନାରେ) ହାସଲ କରିବ ବୋଲି ଆଇଏମ୍‌ଏଫ୍‌ ଆଶା କରୁଥିବାବେଳେ ଭାରତର ଅଭିବୃଦ୍ଧି ଆକଳନକୁ ସଂଶୋଧନ କରାଯାଇ (ତୁଳନାମତ୍କ ଭାବେ ୨୦୨୨ରେ ଥିବା ୬.୮% ଅଭିବୃଦ୍ଧି ହାରଠାରୁ) ୫.୯%କୁ ଖସାଯାଇଛି।
ଏହି ପରିପେକ୍ଷୀରେ ବିଶ୍ୱବ୍ୟାଙ୍କ ଦ୍ୱାରା ପ୍ରକାଶିତ ଏକ ନୂଆ ବହି ଅଧିକ ନିରାଶାଜନକ। ଏହା ସର୍ତକ କରିଦେଇଛି ,ବିଶ୍ୱ ଅର୍ଥ ବ୍ୟବସ୍ଥା ବିଗତ ଦଶନ୍ଧିରେ ଘଟିଥିବା ମାନ୍ଦା ତଥା ନକାରାମତ୍କ ଆର୍ଥିକ ଅଭିବୃଦ୍ଧିର ନିକଟତର ହୋଇପାରେ। ୧୭୩ଟି ଦେଶରେ କରାଯାଇଥିବା ସମ୍ଭାବ୍ୟ ଅଭିବୃଦ୍ଧି ଆକଳନର ବ୍ୟାପକ ତଥ୍ୟକୁ ଆଧାରକରି ଉକ୍ତ ବହିର ଲେଖକମାନେ ଦର୍ଶାଇଛନ୍ତି ଯେ, ବାର୍ଷିକ ବୈଶ୍ୱିକ ଅଭିବୃଦ୍ଧି ୩ ଦଶନ୍ଧିର ସବୁଠୁ କମ୍‌ ୨.୨%କୁ ଖସିବ ଓ ଚଳିତ ଦଶନ୍ଧିରେ ଶେଷଯାଏ ଦୁର୍ବଳ ରହିବ । ବିଶ୍ୱର ଧନୀଦେଶଗୁଡ଼ିକ କଠିନ ସ୍ଥିତିର ସମ୍ମୁଖୀନ ହେଲେ ବି ସେମାନଙ୍କର ଅତ୍ୟଧିକ କ୍ଷତି ହୋଇ ନ ପାରେ ଏବଂ ସେମାନେ ତାହାକୁ ସଫଳତାର ସହ ନିୟନ୍ତ୍ରଣ କରିପାରିବେ। କିନ୍ତୁ ଗରିବ ଏବଂ ନିମ୍ନ ଆୟ ବର୍ଗର ଦେଶଗୁଡ଼ିକ କ୍ଷେତ୍ରରେ ସମାନ ସ୍ଥିତି ଆସି ନ ପାରେ; ସେମାନେ ସମ୍ଭାବ୍ୟ ମାନ୍ଦାବସ୍ଥାରେ ସବୁଠୁ ଅଧିକ ପ୍ରଭାବିତ ହେବେ।
ସାମ୍ପ୍ରତିକ ସମୟର ସମ୍ଭାବ୍ୟ ପରିଣାମକୁ ବୁଝିବାକୁ ହେଲେ ଆମକୁ ନିକଟରେ ସମ୍ମୁଖୀନ ହୋଇଥିବା କୋଭିଡ୍‌-୧୯ ଓ ୟୁକ୍ରେନ୍‌ ଯୁଦ୍ଧର ପରିଣାମକୁ ଦେଖିବାକୁ ପଡ଼ିବ। ଦଶନ୍ଧି ଧରି ଲାଗି ରହିଥିବା ତଥା ସମ୍ମୁଖୀନ ହେଉଥିବା ଅନ୍ତର୍ନିହିତ ସମସ୍ୟାଗୁଡ଼ିକୁ ବୁଝିବାକୁ ହେବ। ଏହାସହ ଜଳବାୟୁ ପରିବର୍ତ୍ତନ ସମେତ ଦ୍ରୁତ ଟେକ୍‌ନୋଲୋଜିଭିତ୍ତିକ ନୂତନତ୍ୱ ଦ୍ୱାରା ସୃଷ୍ଟି ହେଉଥିବା ସାମାଜିକ ଓ ରାଜନୈତିକ ବାଧାଗୁଡ଼ିକ ଉପରେ ବିଚାର କରିବାକୁ ପଡ଼ିବ। ତେବେ ବର୍ତ୍ତମାନ ଲଗାତର ଘଟୁଥିବା ଅନେକ ପ୍ରଳୟଙ୍କରୀ ଘଟଣାରୁ ମୁକ୍ତି ପାଇବା ଲାଗି ପଥ ସୁଗମ କରିବା ସହ ବୈଶ୍ୱିକ ଅଭିବୃଦ୍ଧିକୁ ପୁଣି ପୂର୍ବ ସ୍ଥିତିକୁ ଫେରାଇଆଣିବା ଯଦିଓ ସମ୍ଭବ, ତଥାପି ଦୁଇଟି ପ୍ରମୁଖ କାରଣ ପାଇଁ ଏହା ଅତ୍ୟଧିକ ଆହ୍ବାନପୂର୍ଣ୍ଣ ରହିବ। ପ୍ରଥମରେ, ବିଶ୍ୱବ୍ୟାଙ୍କ ରିପୋର୍ଟ ଅନୁଯାୟୀ ନିବେଶ ହ୍ରାସର ଏକ ସଙ୍କଟଜନକ ଧାରାକୁ ଅନେକ ଦେଶ ଅନୁଭବ କରୁଛନ୍ତି । ନିର୍ଦ୍ଦିଷ୍ଟ ଭାବେ ବିତ୍ତୀୟ ଓ ଆର୍ଥିକ ନୀତିଗୁଡ଼ିକ ପ୍ରମୁଖ ଭୂମିକା ନେଉଥିବାରୁ, ଆର୍ଥିକ ନୀତିସବୁର ଅଧିକ ରାଜନୀତିକରଣ ଦୁର୍ବଳ ନିବେଶର କାରଣ ବୋଲି ମୁଁ ବିଶ୍ୱାସ କରେ। ଏଭଳି ସ୍ଥିତି ସରକାରଗୁଡ଼ିକ ଉପରେ ଥିବା ବିଶ୍ୱାସରେ ଅତ୍ୟଧିକ କ୍ଷତି ପହଞ୍ଚାଇବା ସହ ସମସ୍ୟାଗୁଡ଼ିକ ସମାଧାନ କରିବାରେ ସେମାନଙ୍କ ଦକ୍ଷତାର ଆମତ୍ବିଶ୍ୱାସକୁ କମାଇଦେଇଛି। ଭାରତ ଏହାର ଏକ ଦୃଷ୍ଟାନ୍ତ। ୨୦୧୨ରୁ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ଅଂଶ ଭାବେ ପ୍ରାଇଭେଟ ସେକ୍ଟରର ନିବେଶ ଧୀରେ ଧୀରେ କମିବାରେ ଲାଗିଛି। ରାଜନୈତିକ ଧ୍ରୁବୀକରଣ ଏବଂ ବିଶ୍ୱାସର ଅଭାବ ଯୋଗୁ ଏହି ଧାରା ଜାରି ରହିଛି ବୋଲି ବିଶ୍ୱବ୍ୟାଙ୍କ ଓ ଅନ୍ୟ ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି। ଗତ ଦଶନ୍ଧିରେ ସାର୍ବଜନୀନ ନିବେଶ ନାଟକୀୟ ଢଙ୍ଗରେ ବୃଦ୍ଧି ପାଇବା ଏକ ବିପଜ୍ଜନକ ଧାରା ହୋଇପାରେ। ନିବେଶ ଉପରେ ସରକାରଙ୍କର ବ୍ୟାପକ ନିୟନ୍ତ୍ରଣ ରହିଥିବାବେଳେ ବହୁ ସମୟରେ ଏହା ଏକ ସମ୍ପର୍କବାଦ ଆଡକୁ ବାଟ କଢ଼ାଇନିଏ। ଏହା ଜ୍ୱଳନ୍ତ ଉଦାହରଣ ହେଉଛି ରୁଷିଆ। ଲୋଭନୀୟ କଣ୍ଟ୍ରାକ୍ଟ ଏବଂ ପ୍ରିୟଜନଙ୍କ ସହ ଘରୋଇକରଣ ଚୁକ୍ତି ବଳରେ ରାଜନୈତିକ ନେତାମାନଙ୍କ ସହ ସମ୍ପର୍କ ବୃଦ୍ଧି କରି ସେଠାରେ ଖୁବ୍‌ଶୀଘ୍ର ଏକ ଏକଚ୍ଛତ୍ରବାଦ ସୃଷ୍ଟି କରାଯାଇପାରିଲା।
ଦ୍ୱିତୀୟ ଆହ୍ବାନ ହେଉଛି, ସମସ୍ୟା ଦୂର କରି ଆର୍ଥିକ ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି କୌଣସି ସୁଧାରମୂଳକ ନୀତି ଆରମ୍ଭ କରିବାକୁ ଏକ ସମନ୍ବିତ ଓ ବହୁଦେଶୀୟ ପ୍ରୟାସ ଆବଶ୍ୟକ ହେବ। ବୁଝିବାକୁ ହେବ ଯେ,ଆଭ୍ୟନ୍ତରୀଣ ଯୋଗାଯୋଗଭିତ୍ତିକ ଏକ ବୈଶ୍ୱିକ ଯୋଗାଣ ଚେନ୍‌ ବା ଶୃଙ୍ଖଳରେ କୌଣସି ବାଧାର ବ୍ୟାପକ ଓ ଶକ୍ତିଶାଳୀ ପରୋକ୍ଷ ପ୍ରଭାବ ରହିଛି । ଏହାସହ ଯୁଦ୍ଧ ରଣନୀତି ରୂପରେ ଧ୍ୱଂସକାରୀ ଅର୍ଥନୀତି ଅଧିକ ଉପଯୋଗ ଯୋଗୁ ଆର୍ଥିକ ଆସେଟଗୁଡ଼ିକ ସୁରକ୍ଷାକୁ ଉତ୍ସାହିତ କରୁଥିବା ଏକ ଚୁକ୍ତି ଉପରେ ବହୁରାଷ୍ଟ୍ରୀୟ ସହଯୋଗର ଆବଶ୍ୟକତାକୁ ଜୋର୍‌ ଦେବାକୁ ହେବ।
ଏକ ସମୃଦ୍ଧ, ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇବାକୁ ହେଲେ ଜଳବାୟୁ ଳକ୍ଷ୍ୟଗୁଡ଼ିକୁ ହାସଲ କରିବା ପାଇଁ ଅଧିକ ପଦକ୍ଷେପ ନେବାକୁ ହେବ। ଦେଶ ଭିତରେ ଓ ଦେଶ ଦେଶ ମଧ୍ୟରେ ବଢୁଥିବା ଆର୍ଥିକ ଅସମାନତାକୁ ରୋକିବାକୁ ପଡ଼ିବ। ଡିଜିଟାଲ ଟେକନୋଲୋଜିର ଅତ୍ୟାଧୁନକୀକରଣ ଏବଂ ଯୋଗାଣ ଶୃଙ୍ଖଳର ଜଗତୀକରଣ କାରଣରୁ ଏଭଳି ଆହ୍ନାନସବୁ ଦୂର କରିବା ଏକାକୀ ଗୋଟିଏ ଦେଶ ପକ୍ଷରେ ସମ୍ଭବ ନୁହେଁ। ଏହିସବୁ ବୈଶ୍ୱିକ ସମସ୍ୟା ସମାଧାନ କରିବା ପାଇଁ ସରକାରଗୁଡ଼ିକ ସେମାନଙ୍କ ଆର୍ଥିକ, ବିତ୍ତୀୟ ଏବଂ ସୁରକ୍ଷା ନୀତି ମଧ୍ୟରେ ସମନ୍ବୟ ରକ୍ଷା କରିବା ଦରକାର। ଏହା ନିଶ୍ଚିତ ଯେ, ଏହି କାର୍ଯ୍ୟ କରିବା ସହଜ ନୁହେଁ। କିନ୍ତୁ ଅନ୍ୟପକ୍ଷରେ ବିଚାର କରିବାକୁ ହେବ ଯେ,ମନ୍ଥର ଅଭିବୃଦ୍ଧିର ଏକ ଭବିଷ୍ୟତ, ରାଜନୈତିକ ଅସ୍ଥିରତା ଏବଂ ପରିବେଶଗତ ପ୍ରଳୟ ଅତ୍ୟନ୍ତ ଭୟାନକ। ଏସବୁ ସମସ୍ୟାର ବିକଳ୍ପ ସମାଧାନ ପାଇଁ ଉପାୟ ବାହାର କରିବା ଜରୁରୀ ।

  • କୌଶିକ ବସୁ
    ପୂର୍ବତନ ଅର୍ଥନୀତିଜ୍ଞ, ବିିଶ୍ୱବ୍ୟାଙ୍କ
    ପୂର୍ବତନ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା,
    ଭାରତ ସରକାର

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri