ବିକାଶର ସଂଜ୍ଞା ନୁହେଁ ଘରୋଇକରଣ

ଡ. ଷ୍ଟାଲିନ ମିଶ୍ର

ଗତ କିଛିବର୍ଷ ହେଲା ‘ବିକାଶ’ ଶବ୍ଦର ବହୁଳ ପ୍ରୟୋଗ ଓ ପ୍ରଚାର ଆପଣମାନେ ଲକ୍ଷ୍ୟ କରୁଥିବେ। ରାଜନୈତିକ ଘୋଷଣା ହେଉ ଅବା ନିର୍ବାଚନ ପ୍ରଚାର, ସରକାରୀ ଯୋଜନା ହେଉ କିମ୍ବା ରାଷ୍ଟ୍ରାୟତ୍ତ ସମ୍ପତ୍ତିଗୁଡିକର ଘରୋଇକରଣ ସବୁଥିରେ ଏହି ତିନିଅକ୍ଷର ବିଶିଷ୍ଟ ଶବ୍ଦ ‘ବିକାଶ’ର ବହୁଳ ବ୍ୟବହାର ଦେଖିବାକୁ ମିଳୁଛି ।
ରାଜନୈତିକ ଉଦ୍ଦେଶ୍ୟଗୁଡିକୁ ଚରିତାର୍ଥ କରିବା ପାଇଁ ଉଠାଯାଉଥିବା ଯେକୌଣସି ପଦକ୍ଷେପକୁ ବିକାଶର ସଂଜ୍ଞା ରୂପେ ଦର୍ଶାଯାଉଛି ଓ କରଦାତାଙ୍କ ଅର୍ଥକୁ ଏଥିପାଇଁ ବହୁଳ ମାତ୍ରରେ ବ୍ୟବହାର କରାଯାଉଛି ।
ହେଲେ ସତରେ କେତେ ବିକାଶ ହୋଇଛି ଅବା ହଉଛି ତାହା ହିସାବ ଠିକ୍‌ ରୂପେ କେହି ନିରୂପଣ କରିବା ପାଇଁ ସମର୍ଥ ନୁହନ୍ତି। ଦଳମତ ହିସାବରେ ବିକାଶର ସଂଜ୍ଞା ବଦଳିବା ଆମ ଦେଶରେ ଏକ ସାଧାରଣ କଥା। ସରକାରୀ ଦଳ ଓ ବିରୋଧୀଦଳ ପାଇଁ ବିକାଶର ସଂଜ୍ଞା ସମାନ ନୁହେଁ। ଆଜିର ପ୍ରସଙ୍ଗ ଘରୋଇକରଣ ମଧ୍ୟ ବିକାଶର ସଂଜ୍ଞା ବୋଲି ସରକାରୀ କଳ ଦ୍ୱାରା ପ୍ରଚାରପ୍ରସାର ଖୁବ୍‌ ଜୋର୍‌ ଧରିଛି । ସରକାର ପରିଚାଳନାଗତ ତ୍ରୁଟିକୁ ସୁଧାରିବା ବାହାନାରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନଙ୍କୁ ଗୋଟେ ପରେ ଗୋଟେ ଘରୋଇ ଲାଭଖୋର ସଂସ୍ଥାମାନଙ୍କ ହାତକୁ ଟେକି ଦେବାକୁ ଶ୍ରେୟସ୍କର ମନେକରୁଛନ୍ତି। ନିଜର ପୋଷା ଗଣମାଧ୍ୟମ, ସ୍ବନିୟନ୍ତ୍ରିତ ସରକାରୀ ସଂସ୍ଥା, ସରକାରୀ ବିଜ୍ଞାପନ ତଥା ନିଜ ଦଳର ମୁଖପାତ୍ର ଓ ଚାଟୁକାରମାନଙ୍କୁ ନିୟୋଜିତ କରି ନିଜ ସପକ୍ଷରେ ସକାରାତ୍ମକ ପରିବେଶ ସୃଷ୍ଟିକରିବାକୁ ପଛାଉନାହାନ୍ତି।
ସଂସ୍ଥା ମୁଖ୍ୟତଃ ତିନିପ୍ରକାରର ଯଥା ସାର୍ବଜନୀନ, ଘରୋଇ ଏବଂ ସାମାଜିକ। ରାଷ୍ଟ୍ରାୟତ୍ତ ସଂସ୍ଥା ଦେଶର ଅର୍ଥନୀତିର ଅଂଶବିଶେଷ, ଯାହା ଉଭୟ ଜନସେବାସଂସ୍ଥା ଓ ସାର୍ବଜନୀନ ଉଦ୍ୟୋଗଗୁଡ଼ିକୁ ନେଇ ଗଠିତ। ଏହା ସାର୍ବଜନୀନ ସାମଗ୍ରୀ ଏବଂ ସରକାରୀ ସେବା ଯଥା ଆଇନଶୃଙ୍ଖଳା ବ୍ୟବସ୍ଥା, ବ୍ୟାଙ୍କ, ଭିତ୍ତିଭୂମି (ସଡ଼କ, ବ୍ରିଜ୍‌, ଟନେଲ୍‌, ଜଳଯୋଗାଣ, ସ୍ବେରେଜ୍‌, ବୈଦ୍ୟୁତିକଗ୍ରୀଡ୍‌, ଟେଲି ଯୋଗାଯୋଗ ଇତ୍ୟାଦି), ଗମନାଗମନ ଓ ରେଳ ପରିବହନ କ୍ଷେତ୍ର, ଜନଶିକ୍ଷା, ସ୍ବାସ୍ଥ୍ୟସେବା, ସାମରିକ ବିଭାଗ ଏବଂ ଅନ୍ୟ ସମସ୍ତ ସରକାରୀ ବିଭାଗଗୁଡିକୁ ବୁଝାଏ। ସାର୍ବଜନୀନ କ୍ଷେତ୍ର ବା ରାଷ୍ଟ୍ରାୟତ୍ତ ସଂସ୍ଥାମାନଙ୍କର ମୂଳ ଲକ୍ଷ୍ୟ ଲାଭ ଆଦାୟ ନୁହେଁ ବରଂ ସମାଜକୁ ସେବା ଯୋଗାଇ ଦେବା ପାଇଁ ଉଦ୍ଦିଷ୍ଟ। ଏଗୁଡିକ ଘରୋଇ ସାମଗ୍ରୀ ଏବଂ ସେବା ଯୋଗାଉଥିବା ସ୍ବ-ଆର୍ଥିକ ବ୍ୟବସାୟିକ ଉଦ୍ୟୋଗ ମଧ୍ୟ ଯାହା ସର୍ବସାଧାରଣ ମାଲିକାନା ଅଧୀନରେ ଥାଏ ଓ ମୂଳତଃ ଜନସାଧାରଣଙ୍କୁ ବିଭିନ୍ନ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଏକ ବ୍ୟବସାୟିକ ସଂସ୍ଥା ହିସାବରେ କାର୍ଯ୍ୟ କରିଥାଏ। ଅନ୍ୟ ଅର୍ଥରେ କହିଲେ ରାଷ୍ଟ୍ରାୟତ୍ତ ସଂସ୍ଥା ବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକ ଦେଶର ସମ୍ପତ୍ତି । ଏହାର ସୃଷ୍ଟି ଓ ଲକ୍ଷ୍ୟ ଘରୋଇ କ୍ଷେତ୍ର ପରି ଲାଭ ଉପାର୍ଜନ ପାଇଁ ନୁହେ ଁବରଂ ଜନତାଙ୍କ ସେବା ପାଇଁ ଉଦ୍ଦିଷ୍ଟ। ଯେଉଁ ସଂସ୍ଥାଗୁଡ଼ିକ ସାର୍ବଜନୀନ ବା ରାଷ୍ଟ୍ରାୟତ୍ତ କ୍ଷେତ୍ରର ଅଂଶ ନୁହେଁ ତାହା ଘରୋଇ କ୍ଷେତ୍ର କିମ୍ବା ସ୍ବେଚ୍ଛାସେବୀ କ୍ଷେତ୍ରର ଅଂଶବିଶେଷ। ଘରୋଇ ସଂସ୍ଥା ବା ଉଦ୍ୟୋଗଗୁଡିକ ମୁଖ୍ୟତଃ ମାଲିକମାନଙ୍କ ପାଇଁ ଲାଭ ଉପାର୍ଜନ କରିବା ଲାଗି ସୃଷ୍ଟ। ସେହିପରି ସାମାଜିକ ସଂସ୍ଥାଗୁଡିକ ଅଣ-ଲାଭକାରୀ ସଂସ୍ଥା ଓ ସମାଜ ସେବା ପାଇଁ ସମର୍ପିତ। ଏବେ ଆସନ୍ତୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବା ସଂସ୍ଥାଗୁଡିକର ଘରୋଇକରଣର ଆବଶ୍ୟକତା ଓ ପରିଣତି ବିଷୟରେ ଜାଣିବା। ସରକାରଙ୍କ ଯୁକ୍ତି ହିସାବରେ କହିବାକୁ ଗଲେ ଯେଉଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକ କ୍ଷତିରେ ଚାଲିଛି ବା ବହୁ ପ୍ରଚେଷ୍ଟା ପରେ ବି ପରିଚାଳନାଗତ ତ୍ରୁଟିରେ ସୁଧାର ଆସିପାରୁନାହିଁ ଏହାକୁ ଘରୋଇ ସଂସ୍ଥାମାନଙ୍କୁ ବିକ୍ରି କରିଦେବା ଉଚିତ। କିନ୍ତୁ ସରକାର ଏହି ଉଦ୍ୟୋଗଗୁଡିକର କ୍ଷତି ହେବାର ମୂଳକାରଣ ଖୋଜିବା ଓ ନିରାକରଣ କରିବାରେ କ’ଣ ପଦକ୍ଷେପ ନେଇଛନ୍ତି? ଯଦି କିଛି ପଦକ୍ଷେପ ନେଇଛନ୍ତି ବିଫଳ କାହିଁକି ହୋଇଛନ୍ତି ତାହାର ତର୍ଜମା କରିଛନ୍ତି କି? ଅନେକ କ୍ଷେତ୍ରରେ ଆପଣ ଲକ୍ଷ୍ୟ କଲେ ଜାଣିବାକୁ ପାଇବେ ଯେ ଦୁର୍ନୀତି, ଶାସକଦଳ ଅନୁଗାମୀ ଘରୋଇ ସଂସ୍ଥାମାନଙ୍କ ପ୍ରତି ଅହେତୁକ ଅନୁକମ୍ପା, ସରକାରଙ୍କ ଭୁଲ୍‌ ନୀତି, କେବଳ ଭୋଟବ୍ୟାଙ୍କକୁ ପ୍ରଲୋଭିତ କରିବା ପାଇଁ ଯୋଜନା ମାନ ଓ ସରକାରୀ ଉଦ୍ୟୋଗ/ସଂସ୍ଥାଗୁଡିକର ପରିଚାଳନାରେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ମାତ୍ରାଧିକ ଅନାବଶ୍ୟକ ହସ୍ତକ୍ଷେପ ହିଁ ଏସବୁ ସଂସ୍ଥାମାନଙ୍କର କ୍ଷତିର ମୁଖ୍ୟ କାରଣ। ସରକାର ଏସବୁ ଦିଗ ପ୍ରତି କାହିଁକି ଦୃଷ୍ଟି ଦେଉନାହାନ୍ତି ? ବି.ଏସ.ଏନ.ଏଲ. ସରକାରୀ ସଂସ୍ଥା ହୋଇ ମଧ୍ୟ ଘରୋଇ ଟେଲିଯୋଗାଯୋଗ ସଂସ୍ଥାମାନଙ୍କଠାରୁ ନିମ୍ନମାନ ଓ ବ୍ୟୟବହୁଳ ସେବା ଯୋଗାଇବା, ଘରୋଇ ବିମାନସଂସ୍ଥା ମାନେ ଏ.ଆର. ଇଣ୍ଡିଆ ଠାରୁ କମମୂଲ୍ୟରେ ବିମାନ ସେବା ଯୋଗାଇବା କିପରି ସମ୍ଭବ ହୋଇପାରୁଛି?
ଆସନ୍ତୁ ଘରୋଇକରଣର କୁପ୍ରଭାବଗୁଡିକ ଉପରେ ଦୃଷ୍ଟି ନିକ୍ଷେପ କରିବା । ୧. ଘରୋଇକରଣ ଦ୍ୱାରା ସେବାଗୁଡ଼ିକର ମାନ ଖରାପ ହୋଇଥାଏ: ସରକାରୀ ସଂସ୍ଥା ଜନସେବାକୁ ଅଧିକ ଗୁରୁତ୍ୱ ଦେଉଥିବାବେଳେ ବେସରକାରୀ ସଂସ୍ଥା ନିଜ ଲାଭ ପ୍ରତି ଅଧିକ ଧ୍ୟାନ କେନ୍ଦ୍ରିତ କରିଥାନ୍ତି । ଜନସେବା ସେମାନଙ୍କ ପ୍ରତି ଗୌଣ ହୋଇଥାଏ। ୨. ଘରୋଇକରଣ ସେବାଗୁଡ଼ିକୁ ବ୍ୟୟବହୁଳ କରାଏ: ଜନସେବାକୁ ଘରୋଇକରଣ କଲେ ଜନତାଙ୍କୁ ଅଧିକ ଦେୟ ତଥା କାରଦାତାଙ୍କୁ ଅଧିକ ଟିକସ ଦେବାକୁ ପଡିଥାଏ। ଘରୋଇ ସଂସ୍ଥାମାନଙ୍କ ପାଇଁ ଲାଭଗୁଡିକ ଅଂଶୀଦାରମାନଙ୍କୁ ପ୍ରଦାନ କରାଯାଏ, ଉନ୍ନତସେବା ପାଇ ଁପୁନଃନିବେଶ ନାହିଁ । ବେସରକାରୀ କମ୍ପାନୀଗୁଡିକ ପାଇଁ ସରକାରୀ ସଂସ୍ଥାଙ୍କ ତୁଳନାରେ ସୁଧ ହାର ମଧ୍ୟ ଅଧିକ। ଏଥିସହ, ଏକ କୃତ୍ରିମ ବଜାର ସୃଷ୍ଟି ଏବଂ ନିୟନ୍ତ୍ରଣ ପାଇଁ ଅତିରିକ୍ତ ଖର୍ଚ୍ଚର ବନ୍ଦୋବସ୍ତ ସେବାଗୁଡିକୁ ବ୍ୟୟବହୁଳ କରିଥାଏ। ଆପଣ ଲକ୍ଷ୍ୟ କଲେ ଜାଣିପାରିବେ ଘରୋଇକରଣ ଦ୍ୱାରା ପାଣି ବିଲ୍‌, ବିଜୁଳି ବିଲ୍‌, ରେଳ ଏବଂ ବସଭଡା ଇତ୍ୟାଦି ବୃଦ୍ଧି ପାଇଥାଏ? ୩. ଘରୋଇ କମ୍ପାନୀଗୁଡିକୁ ଉତ୍ତରଦାୟୀ କରିପାରିବେ ନାହିଁ : ଯେତେବେଳେ ଏକ ଘରୋଇ କମ୍ପାନୀ କିଛି ଜନସେବା ପରିଚାଳନା କରେ, ସେ ଗଣତାନ୍ତ୍ରିକ ଭାବରେ ଆପଣଙ୍କ ପାଇଁ ଉତ୍ତରଦାୟୀ ନୁହେଁ । ତେଣୁ ଆପଣଙ୍କ ସ୍ବର କ୍ଷୀଣ ହୁଏ । ସର୍ବସାଧାରଣ ସେବା ଯୋଗାଇବା ପାଇଁ ଘରୋଇ କମ୍ପାନୀ ଏବଂ ସରକାରଙ୍କ ମଧ୍ୟରେ ସହମତର ଚୁକ୍ତିନାମା ପ୍ରାୟତଃ ବନ୍ଦଗୃହରେ ହୋଇଥାଏ। ସେଠାରେ ସ୍ବଚ୍ଛତା, ଜନସାଧାରଣଙ୍କ ପ୍ରତି ଉତ୍ତରଦାୟିତ୍ୱ କିମ୍ବା ଯାଞ୍ଚର ସମ୍ଭାବନା ବହୁତ କମ୍‌ ଏବଂ ‘ବାଣିଜି୍ୟକ ଗୋପନୀୟତା’ କାରଣରୁ ଜନତା ଏସବୁ ସୂଚନା ପାଇବାକୁ ଅସମର୍ଥ ହୋଇଥାନ୍ତି ମଧ୍ୟ। ଯେତେବେଳେ କୌଣସି ବେସରକାରୀ କମ୍ପାନୀଗୁଡିକ ସେବା ବିତରଣ କରିବାରେ ବିଫଳ ହୁଅନ୍ତି, ଜନସାଧାରଣଙ୍କର ଏଥିରେ ହସ୍ତକ୍ଷେପ କରିବାର କୌଣସି କ୍ଷମତା ନ ଥାଏ ଏବଂ ସରକାର (ସ୍ଥାନୀୟ ଏବଂ ଜାତୀୟ) ମଧ୍ୟ ସେମାନଙ୍କୁ ନିଜ ପ୍ରତିଜ୍ଞା ପାଳନ କରିବାକୁ ବାଧ୍ୟ କରିବାରେ ସର୍ବଦା ସମର୍ଥ ହୋଇ ନ ଥାନ୍ତି । ୪. ଗଣତାନ୍ତ୍ରିକ ସ୍ବରର ହନନ ହୁଏ:ଯେତେବେଳେ ଆମେ କୌଣସି ଦୋକାନକୁ ଯାଉ, ଆମେ ଆମ ବ୍ୟକ୍ତିଗତ ନିଷ୍ପତ୍ତିି ଅନୁସାରେ ଜିନିଷ କିଣିଥାଉ କିନ୍ତୁ ଜନସେବା ଭିନ୍ନ ପ୍ରସଙ୍ଗ ଅଟେ, ସେମାନେ ଆମକୁ ଏକତ୍ର ହୋଇ କିପରି ସମାଜରେ ରହିବାକୁ ଚାହୁଁଛୁ ତାହାର ନିଷ୍ପତ୍ତି ନେବାକୁ ସୁଯୋଗ ଦେଇଥାନ୍ତି। ଉଦାହରଣ ସ୍ବରୂପ, ଜନତା ହୁଏତ ନିଜର ଭବିଷ୍ୟତ ପାଇଁ ସ୍ବଚ୍ଛ, ସବୁଜ ଶକ୍ତି ଚାହେଁ କିନ୍ତୁ ଘରୋଇ କମ୍ପାନୀଗୁଡିକ ନିଜର ଫାଇଦା ପାଇଁ ଶକ୍ତିବଜାରକୁ ନିୟନ୍ତ୍ରଣ କରିବାକୁ ଆମ ଅଜ୍ଞାତରେ ପରିବେଶ ପ୍ରତିକୂଳ ଉର୍ଜାର ଉତ୍ପାଦନ କରିବାକୁ ପଛାଇ ନ ଥାଏ । ୫. ଘରୋଇକରଣ ଏକ ବିଭାଜିତ ସମାଜ ସୃଷ୍ଟିକରେ : ସରକାରୀ ସେବା ସମସ୍ତଙ୍କ ମୌଳିକ ଆବଶ୍ୟକତା ସମାନ ଭାବେ ପୂରଣ କରିବା ପାଇଁ ଗୁରୁତ୍ୱ ଦେଇଥାଏ, ତେଣୁ ଆମେ ସମସ୍ତେ ସମାନ ବୋଲି ଅନୁଭବ କରିଥାଉ; ଯେପରି କି ସରକାରୀ ବିଦ୍ୟାଳୟ, ଡାକ୍ତରଖାନା ଇତ୍ୟାଦି କିନ୍ତୁ ଘରୋଇସଂସ୍ଥା ସେବାକୁ ଦେୟ ଆଧାରରେ ଗୁଣବତ୍ତା ନିରୂପଣ କରିଥାଏ, ଯାହାଦ୍ୱାରା ଗରିବ ଓ ଧନୀ ପାଇ ଁସମାନ ସୁବିଧା ଉପଲବ୍ଧ ହୋଇ ନ ଥାଏ। ଯେତେବେଳେ ଅନେକ ବେସରକାରୀ କମ୍ପାନୀ ଏକ ଜନସେବା ପ୍ରଦାନରେ ଜଡିତ ହୁଅନ୍ତି, ଏହା ଏକ ଜଟିଳ, ଖଣ୍ଡବିଖଣ୍ଡିତ ପ୍ରକ୍ରିୟା ସୃଷ୍ଟି କରିଥାଏ। ଯେଉଁଠାରେ କିଏ କ’ଣ କରୁଛି ତାହା ସର୍ବଦା ସ୍ପଷ୍ଟ ହୋଇ ନ ଥାଏ। ଉଦାହରଣ ସ୍ବରୂପ, ବେସରକାରୀ ଟେଲିକମ ସେବା ।
ଏକତ୍ର କାର୍ଯ୍ୟକରିବା ଏବଂ ସୂଚନା ବାଣ୍ଟିବା ପାଇଁ ବେସରକାରୀ କମ୍ପାନୀଗୁଡିକ ଅଧିକ ଉତ୍ସାହ ଦେଖାଇ ନ ଥାନ୍ତି, ଫଳ ସ୍ବରୂପ ଏକ ସମନ୍ବିତ ସେବା ଯୋଗାଇବା କଷ୍ଟକର ହୋଇପଡ଼ିଥାଏ। ୬. ଏକଚାଟିଆ ନୀତି: ବେସରକାରୀ ଏକଚାଟିଆ ନୀତି ଦୁନିଆର ସବୁଠୁ ଖରାପ ନୀତି ହୋଇଥାଏ। ଅନ୍ୟ ବିକଳ୍ପ ଅଭାବରେ ଆପଣ ଘରୋଇ ସଂସ୍ଥାର ଏକ ଚାଟିଆ ନୀତିକୁ ମାନିବାକୁ ବାଧ୍ୟ କାରଣ ଗଣତାନ୍ତ୍ରିକ ଉତ୍ତରଦାୟିତ୍ୱ ମାଧ୍ୟମରେ ସେବାକୁ ଉନ୍ନତ କରିବାକୁ ନାଗରିକ ଭାବରେ ଆପଣଙ୍କର ଶକ୍ତି ଘରୋଇକ୍ଷେତ୍ରରେ ପ୍ରଯୁଜ୍ୟ ହୋଇ ନ ଥାଏ । ୭. ଘରୋଇକରଣରେ ନମନୀୟତାର ଅଭାବ : ସରକାରୀ ସଂସ୍ଥା ତୁଳନାରେ ଘରୋଇସଂସ୍ଥାରେ ଜନସାଧାରଣଙ୍କ ଆବଶ୍ୟକତା ପୂରଣ ପାଇଁ ପରିସ୍ଥିତି ପରିବର୍ତ୍ତନ କଠିନ ହୋଇଥାଏ। ଯଦି ଏକ ଘରୋଇକମ୍ପାନୀ କୌଣସି ସେବା ଚୁକ୍ତିନାମାର ପରିବର୍ତ୍ତନ ବା ଉନ୍ନତୀକରଣ ଆବଶ୍ୟକ କରେ, ତେବେ ସେଥିପାଇଁ ସରକାରଙ୍କୁ ଅଧିକ ଅର୍ଥ ଦେବାକୁ ପଡିଥାଏ।
ସାର୍ବଜନୀନ ସମ୍ପତ୍ତି ବିକ୍ରୟ କରିବା କିମ୍ବା ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡିକର ଘରୋଇକରଣ ଦ୍ୱାରା ଭବିଷ୍ୟତରେ ଜନତାଙ୍କ ଆବଶ୍ୟକତା ପୂରଣ ପାଇଁ ବିକଳ୍ପକୁ କମ୍‌ କରିବା ଓ ଘରୋଇ ଏକ ଚାଟିଆର ଶିକାର ହେବାକୁ ବାଧ୍ୟ କରିବ। ଏଣୁ ଘରୋଇକରଣ ବିପଦ । ସରକାର ଏସବୁ ଦିଗ ପ୍ରତି ଯତ୍ନବାନ ହୋଇ ଉଚିତ ପଦକ୍ଷେପ ନେବାକୁ ଅନୁରୋଧ। ଘରୋଇକରଣ ଏକମାତ୍ର ବିକଳ୍ପ ନୁହେଁ।
ସୂଚନା ପ୍ରଯୁକ୍ତିବିତ୍‌, ସିଙ୍ଗାପୁର
ମୋ : ୯୩୪୩୯୩୫୩୪୧
Twitter – @DSMOdisha


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri