ପୋଲାଖିଆ

ଦ୍ୱିତୀ ଚନ୍ଦ୍ର ସାହୁ

ଆଦିବାସୀ ନିଜ ଡଙ୍ଗର ଜମିରେ ଉତ୍ପାଦନ କରୁଥିବା ଜିନିଷକୁ ବିକିବ କେଉଁଠି ? ବଜାର ନ ଥିଲା ସେତେବେଳେ। ସର୍ବଶେଷ ଆଶା ଦେଉଥିଲା ଗାଁର କୁମୁଟି କି ଶୁଣ୍ଢି ସାଉକାର। ଅବଶ୍ୟ ସାଉକାରମାନଙ୍କ ହିସାବ କେବେ ସରୁ ନ ଥିଲା। ଆଦିବାସୀଙ୍କ ଋଣ ଛିଡୁ ନ ଥିଲା। ବାକି ଗଡୁଥିଲା ଖାତାରେ। ବର୍ଷଯାକର ଖଟଣିର ମୂଲରୁ ଯାହା ମାଟି ଦେଉଥିଲା ସବୁତକ ନେଉଥିଲେ ବି ସେ ହିସାବ ଯୁଗ ଯୁଗ ଧରି ଛିଡିବାର ନାହିଁ। ବାପା ମଲେ ଋଣ ଶୁଝିବ ପୁଅ। ନ ହେଲେ ଋଣ ବାବଦକୁ କେତେବେଳେ ଆଦିବାସୀର ଭିଟାମାଟି ବି ସାଉକାରର ହିସାବଖାତାକୁ ଚାଲି ଆସିଥିବ। ଅଧିକାଂଶ ଆଦିବାସୀ ଅଞ୍ଚଳର ସ୍ଥିତି ଏମିତି କିଛି ଥିଲା। ଉଧାର ଦେଉଥିଲା ମାଣେ। କିନ୍ତୁ ହିସାବ ଥିଲା ବିଚିତ୍ର। ମାପିଲି ମାଣେ, ଦେଲି ମାଣେ, ନେଲୁ ମାଣେ। ମୋଟ ହେଲା ତିନି ମାଣ। ବିଚରା ଅଶିକ୍ଷିତ ଆଦିବାସୀ କି ଜାଣେ! ମାଣ, ପୁଟି, ନଉତି, ଗଡିଶାର ହିସାବ। ପେଟ ବିକଳରେ ସବୁକିଛି ହଁ ମାରେ। ଥରେ ନେଇଗଲେ ହିସାବ କେବେ ଆଉ ସରେନା। ଆଦିବାସୀଠାରୁ ଜିନିଷ କିଣିଲେ ଅଲଗା। ଆଦିବାସୀଙ୍କୁ ଜିନିଷ ଦେଲେ ଅଲଗା ପ୍ରକାରର କାରବାର। ଘର ବାଟକୁ ମୁଣ୍ଡେଇ ନେଇଥିବା ଉତ୍ପାଦିତ ଶସ୍ୟକୁ ଦେଖିଲେ ସାଉକାର ଦାଣ୍ଡ ପିଣ୍ଡାରୁ ବସି ରଡି ଛାଡେ ପେଦାମ୍ମା। ଆସିଯାଏ ବଡ ମାଣ। ମପା ହୁଏ ଅଧିକା ଅଧିକା। ଆଦିବାସୀକୁ ଦେବାକୁ ହେଲେ ଡାକ ଶୁଭେ ଚିନାମ୍ମା। ଆସେ ଛୋଟ ମାଣ। ଦିଆହୁଏ ଆବଶ୍ୟକତାଠାରୁ କମ। କମ୍‌ ମୂଲ ଦେଇ ଆଦିବାସୀଙ୍କୁ ଲଗାଇ ପାହାଡ ତଳେ ଜମି ତିଆରି କରେ ଜମିଦାର। ବଡ ଚଲାଖି କରି ବର୍ଷେ କି ଦି’ ବର୍ଷ ଚାଷବାସ କରି ଫସଲ ଖାଇବାକୁ କହେ ଜମିଦାର। ଫସଲ ପାଚି ଆସିଲାବେଳେ ଏମିତି ସୂତ୍ର ପକାଏ ଫସଲର ବଡ ଭାଗ ଘରକୁ ଆଣି ଦେଇଯାଏ ଆଦିବାସୀ। ଦି’ ବର୍ଷ ବେଳକୁ ଜମି ଚାଷବାସ ପାଇଁ ଅନୁକୂଳ ଲାଗିଲେ ଜମିଦାର ଋଣ ଦେଇ ହେଉ କିମ୍ବା ନାଲି ଆଖି ଦେଖାଇ ନିଜ କବଳକୁ ଆଣେ ଜମିତକକୁ। ସେଠୁ ଆଦିବାସୀ ସେଇ ଜମିରେ ଗୋତି ଖଟେ। ହେଲେ ବର୍ଷ ଶେଷରେ ଖଟିବାର ମୂଲତକ ବି ପାଏନି। ଯାହା ପାଏ ଚାରି ମାସକୁ ନିଅଣ୍ଟ। ବାକି ସମୟ ବଞ୍ଚିବା ଲାଗି ସାଉକାର କି ଜମିଦାରଠାରୁ ଋଣ କରେ। ନ ହେଲେ ଆମ୍ବ ଟାକୁଆ, ସଲପ ଗଛର ମଞ୍ଜି, ଜଙ୍ଗଲି କନ୍ଦା, କରଡି ଆଦିକୁ ବିକଳ୍ପ ଖାଦ୍ୟ ରୂପେ ଗ୍ରହଣ କରେ। ସତୁରି ଦଶକ ଯାଏ ଜନଜାତି ଅଞ୍ଚଳରେ ଏମିତି ପୋଲାଖିଆଙ୍କ ଥିଲା ରାଜୁତି। ଶିକ୍ଷା ଓ ସଚେତନତା ପରେ କିଛି ସୁଧାର ଆସିଲା ସତ, କିନ୍ତୁ ଜନଜାତିଙ୍କ ସାମାଜିକ- ଅର୍ଥନୈତିକ ସ୍ଥିତିର ଯେମିତି ବିକାଶ ହେବା କଥା ସେମିତି ହେଲାନି।
ଏବେ ପୋଲାଖିଆଙ୍କ ସ୍ବରୂପ ବଦଳିଛି । ସାଉକାରଙ୍କ ସ୍ଥାନ ନେଇଛନ୍ତି ବେପାରୀ। ବର୍ଷ ଆରମ୍ଭରୁ ଗାଁ ଗାଁ ବୁଲୁଛନ୍ତି ଆନ୍ଧ୍ର, ତାମିଲନାଡୁ ଓ କର୍ନାଟକ ବେପାରୀ। କପା ଚାଷ ଲାଗି ଆଖିବୁଜି ଜମି ହିସାବରେ ଦିଅନ୍ତି ଆଗୁଆ ଅର୍ଥ। ବିଭିନ୍ନ ସମୟରେ ତା’ ସହିତ ଦିଅନ୍ତି ମଞ୍ଜି ଓ ଔଷଧ। ବର୍ଷ ଶେଷରେ ପହଞ୍ଚିଯାଏ ଗାଡ଼ି। ଗାଁ ଗାଁରୁ ଟ୍ରକ ଟ୍ରକ କପା ଉଠାଏ। ହିସାବ ହୁଏ। ନେଲୁ କେତେ। ଦେଲୁ କେତେ। ଯାହା ବଳେ ବର୍ଷତମାମ ସମସ୍ତ ପରିବାରର ଖଟଣି ପଇସାଠାରୁ କମ ମିଳେ। ତଥାପି ଆଦିବାସୀ ଖୁସି। ଅନ୍ୟ ଫସଲ ଅପେକ୍ଷା କପାରେ ଟିକେ ଅଧିକା ମିଳେ ଧନ ହାତକୁ। କିନ୍ତୁ ଯେବେ ପାଗ ପ୍ରତିକୂଳ ଯୋଗୁ କପା ଚାଷ ବିଗିଡି ଯାଏ ସେତେବେଳେ ଖଟିଖିଆ ମଣିଷ ଋଣ ଯନ୍ତାରୁ ମୁକ୍ତି ଲାଗି କପା ଔଷଧ ଖାଇବାକୁ ବାଧ୍ୟ ହୁଏ। ପୋଲାଖିଆଙ୍କ ହିସାବ କିନ୍ତୁ ତୁଟେନି। ଆର ବର୍ଷକୁ ପରିବାରକୁ ଆଗୁଆ ସହାୟତା ଦିଏ ଏବଂ ଆଗପଛର ହିସାବ କରି କପା ଓଜନ କରି ନିଏ। ଧାନ ବେପାରରେ ବି ସେଇ ସେଇ ସମସ୍ୟା। ଖଳା ମୁଣ୍ଡରେ ଧାନ ଗଦା ହୁଏ । ବର୍ଷା କାକର ଖାଇ ଗଜା ହୁଏ। ଏମିତିରେ ବ୍ୟାଙ୍କ ଖାତାକୁ ଅର୍ଥ ଆସିଲାପରେ ଯାହା ସବୁ ଋଣ ଗଣିଲା ବେଳକୁ ବର୍ଷ ଶେଷରେ ଚାଷୀ ପାଖରେ କେବଳ ଥାଏ ଆଖିଏ ଲୁହ । ପୋଲାଖିଆ ଏବେ ବି ଅଛନ୍ତି। ଗାଁ ସହର ସବୁଠି। ରୂପ ଅନେକ। କମ ପରିଶ୍ରମରେ ଅଧିକ ଲାଭ ଉପରେ ପୋଲାଖିଆଙ୍କ ଗୁରୁତ୍ୱ। ହାତକୁ ହାତ ହସ୍ତାନ୍ତର କରିବେ ମଝିରେ ରହି ଫାଇଦା ନେବେ। ଯେତେସବୁ ମଧ୍ୟସ୍ଥ, ଦଲାଲ, ଟାଉଟର ଏଇ ଶ୍ରେଣୀର। ଜମିଜମା, ବିବାହ, ଚିଟ୍‌ଫଣ୍ଡ, କମିଶନ ଏଜେଣ୍ଟମାନେ ଏଇ ପୋଲାଖିଆ ଶ୍ରେଣୀର। କିଛି ଜଣ ସେବା ଯୋଗାଇ ଅର୍ଥ ପାଆନ୍ତି। ଆଉ ବାକି ନେଣଦେଣ କାରବାର କରାଇ ମଝିରେ ଲୁଟି ନିଅନ୍ତି। ଏସବୁ ବାଦେ ସରକାରୀ କାଗଜପତ୍ର କରାଇବା ନାମରେ କିଛି ଟାଉଟର ଦଲାଲ ବି ଗାଁ ଗାଁରେ ସକ୍ରିୟ ଅଛନ୍ତି। ଆଦିବାସୀ ତଥା ଗ୍ରାମୀଣ ଅଞ୍ଚଳରେ ଏମାନଙ୍କ ରାଜୁତି ଚାଲେ। କିଏ କେଉଁ ଚମକରେ ଲୋକଙ୍କୁ ଲୁଟି ନିଅନ୍ତି ା ଖାଲି ଗାଁ କାହିଁକି ସହରୀ ମଣିଷଙ୍କୁ ଆଖିରେ ଆଙ୍ଗୁଠି ଗେଞ୍ଜି ଅର୍ଥ ଲୁଟି ନେଉଥିବାର ଘଟଣା ଏବେ କିଛି କମ୍‌ ନାହିଁ ା ଅନ୍‌ଲାଇନ ସାମଗ୍ରୀ କିଣା ହେଉ କି ଧୋକାଧାରୀ ବେନାମୀ କଲ ଜରିଆରେ ହେଉ ଅବା ଇ- କାରବାର ଜରିଆରେ ଲୋକଙ୍କୁ କାଙ୍ଗାଳ କରି ଲୁଟୁଛନ୍ତି ପୋଲାଖିଆ। ଅଧିକାଂଶଙ୍କ ମିଳୁନି ଟେର। ସର୍ବସ୍ବାନ୍ତ ମଣିଷ ଥାନା ଓ ବ୍ୟାଙ୍କ ହୋଇ କିଛି କାଳ ପାଇଯିବାର ଆଶାରେ ଦୌଡାଦୌଡି କରେ। କିନ୍ତୁ ସମୟକ୍ରମେ ଆଶା ମଉଳି ଯାଏ । ଚେତନା ଜାଗ୍ରତ ହୁଏ। ରାଜନୀତି ନାମରେ ତଳସ୍ତରରେ ନେତାଗିରି ଦେଖାଉଥିବା କିଛି ଟାଉଟର ଏବେ ଅତ୍ୟାଧୁନିକ ପୋଲାଖିଆର ରୂପ। ସରକାରୀ ଯୋଜନା ସବୁ କରେଇ ଦେବାର ନାମରେ ଗରିବଗୁରୁବାଙ୍କୁ ହରିଲୁଟ କରନ୍ତି ଅକ୍ଳେଶରେ। ପରେ କ୍ଷମତାର ଦୁରୁପଯୋଗ କରି ବିଚରା ମଣିଷମାନଙ୍କୁ ଭୁତେଇ ଚାଲନ୍ତି। ନିରୀହ ଲୋକର ଆଖିର ସ୍ବପ୍ନ ତଥାପି ସରେନି। ଆଶା ମିଳିଯିବ ସରକାରୀ ସହଯୋଗ। ଏମିତି ଆଶା ଓ ଲୋଭମାନେ ଯେତେବେଳେ ଡେଣା ମେଲନ୍ତି ସେତେବେଳେ ପୋଲାଖିଆମାନେ ସକ୍ରିୟ ହୁଅନ୍ତି। ନିମିଷକରେ ଲୁଟି ନେଇପାରନ୍ତି ଆପଣଙ୍କ ଆଖି ସାମ୍ନାରେ। ଆପଣ ହିଁ ସେଥିରେ ଅଂଶୀଦାର ଥିବେ। କିନ୍ତୁ ପଛରେ କିଛି କରିପାରିବେନି। ତା’ପରଠାରୁ ହୁଏତ ଅସହାୟ, ନିରାଶା ଓ ଦୁଃଖ ଭିତରେ ବୁଡି ରହିବାକୁ ବାଧ୍ୟ ହେବେ। ବିଳମ୍ବ ନ କରି ଚିହ୍ନନ୍ତୁ ଆଖପାଖର ପୋଲାଖିଆଙ୍କୁ। ଏଥର ସହଜରେ ଚିହ୍ନିପାରିବେ ଆପଣ। ସେମାନଙ୍କ କବଳରୁ ନିଜେ ବଞ୍ଚନ୍ତୁ ଓ ଅନ୍ୟଙ୍କୁ ବଞ୍ଚାନ୍ତୁ।
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡା
ମୋ-୯୫୫୬୨୮୭୭୭୫


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri