ଜନସ୍ବାର୍ଥ ପ୍ରତି ପ୍ରାଥମିକତା

ବଡ଼ ବିଚିତ୍ର ଏ ରାଜନୀତି। ତା’ଠାରୁ ବିଚିତ୍ର ରାଜନେତାଙ୍କ ମତିଗତି। ବିରୋଧୀ ଦଳରେ ଥିବାବେଳେ ସରକାରର ସମସ୍ତ ଦୋଷ ଦୁର୍ବଳତାକୁ ନେଇ ବିଧାନସଭା ହୁଏ ରଣାଙ୍ଗନ। ବନ୍ଦ ପାଳନ, ଧର୍ମଘଟ ଓ ସତ୍ୟାଗ୍ରହ ମାଧ୍ୟମରେ ଜନତାଙ୍କ ମନରେ ପ୍ରତ୍ୟୟ ସୃଷ୍ଟିର ପ୍ରୟାସ କରାଯାଏ ଯେ ସରକାର ଅପାରଗ, ଜନସ୍ବାର୍ଥ ବିରୋଧୀ, ଦୁର୍ନୀତିଗ୍ରସ୍ତ ଓ ଆଇନ ଶୃଙ୍ଖଳା ରକ୍ଷା କରିବାରେ ଅସମର୍ଥ। ଆମ ଦଳ କ୍ଷମତାକୁ ଆସିଲେ ରାଜ୍ୟ ତଥା ଜନତାଙ୍କ ସ୍ବାର୍ଥକୁ ପ୍ରାଥମିକତା ଦିଆଯିବ। ଆଇନ ଶୃଙ୍ଖଳା ସହ ଦୁର୍ନୀତିର ଶୂନ୍ୟ ସହନଶୀଳତାକୁ ପ୍ରାଧାନ୍ୟ ଦିଆଯିବ। ସମୟ ଚକ୍ର ଘୂରିଯାଏ। କାଲି ଯେ ବିରୋଧୀ ଭାବେ ସରକାର ବିରୋଧରେ ବିଷୋଦ୍‌ଗାର କରୁଥିଲେ ଆଜି ସରକାରୀ ଆସନରେ। ଆମେ ଜାଣିଛେ ଯେ ବିକ୍ରମାଦିତ୍ୟଙ୍କ ବତ୍ରିଶ ସିଂହାସନର ବିଶେଷତ୍ୱ ଥିଲା ଏହାକୁ ଯେ ଆରୋହଣ କରୁଥିଲେ ସେ ଯେତେ ଅନ୍ୟାୟୀ ହୋଇ ଥିଲେ ମଧ୍ୟ କେବଳ ସତ୍ୟଧର୍ମ ଓ ନ୍ୟାୟ ହିଁ ଆଚରଣ କରୁଥିଲେ। କିନ୍ତୁ ଆଜିର ଯୁଗରେ ରାଜନୀତି ସିଂହାସନର ମାହାତ୍ମ୍ୟ ହେଉଛି, ଏହାକୁ ଯେ ଦଖଲ କରିବ ସତ୍ୟ, ଧର୍ମ ଓ ନ୍ୟାୟ ତା’ଠାରୁ ଅନ୍ତର୍ହିତ ହୋଇ ସମସ୍ତ ବିପରୀତ ଗୁଣର ଅଧିକାରୀ ହେବ।
ଓଡ଼ିଶା ପରିପ୍ରେକ୍ଷୀରେ ଆଲୋଚନା ପ୍ରାସଙ୍ଗିକ ମନେହୁଏ। ଓଡ଼ିଶାରେ କଂଗ୍ରେସ ସରକାର ଅମଳରେ ନିଶ୍ଚିତ ଭାବେ ଅନୁଗୋଳ ନାଲ୍‌କୋ ପ୍ରକଳ୍ପ, ତାପଜ ବିଦ୍ୟୁତ୍‌ ଶିଳ୍ପ ପରି ଅନେକ ଲୋକହିତକର କାର୍ଯ୍ୟ ହୋଇଛି। ସମତାଳରେ କିଛି ଅରୁଚିକର ଘଟଣା ମଧ୍ୟ ଘଟିଛି। ଆମ ଲୋକଚରିତ୍ର ବୈଶିଷ୍ଟ୍ୟ ହେଲା- ଆମେ ଶହେ ଭଲକାମକୁ ଭୁଲିଯାଉ ଓ ଗୋଟିଏ ମନ୍ଦ କାମକୁ ଗଣ୍ଠିକରି ଧରୁ। ବିରୋଧୀଙ୍କର ଲକ୍ଷ୍ୟ ହେଲା ସରକାରକୁ ସବୁ କାର୍ଯ୍ୟରେ ବିରୋଧ କରିବା। ନାରୀ ନିର୍ଯାତନା ସବୁ ସରକାର ଅମଳରେ ଘଟେ। ଘଟଣା ଘଟିଲା ପରେ କିଭଳି କାର୍ଯ୍ୟାନୁଷ୍ଠାନ ହେଉଛି ତା’ ଉପରେ ସମସ୍ତଙ୍କର ନଜର। କଂଗ୍ରେସ ସରକାର ସମୟରେ ଛବିରାଣୀ ବଳାକତ୍ାର ଓ ହତ୍ୟା ଘଟଣା ଚାରିଦଶନ୍ଧି ପରେ ମଧ୍ୟ ଲୋକ ସ୍ମୃତିରେ ଉଜ୍ଜୀବିତ ଅଛି। ସେହିପରି ଅଞ୍ଜନାଙ୍କ ପ୍ରତି ବର୍ବରତା ସବୁ ସୀମା ଟପିଗଲା, ଯାହା ସରକାରର ପତନ ଘଟାଇଲା। ପରେ ଦୀର୍ଘ ୨୪ ବର୍ଷ ବିଜୁ ଜନତା ଦଳ ଓଡ଼ିଶାରେ ଶାସନ କରିବା ପରେ ୨୦୨୪ ନିର୍ବାଚନରେ ପରାସ୍ତ ହୋଇ କ୍ଷମତାରୁ ଓହରି ଯାଇଛି। ବିଜୁ ଜନତା ଦଳର ଭଲ କାମଗୁଡିକର ତାଲିକା ଯେତିକି ଲମ୍ବା ସମାଲୋଚନାର ଫର୍ଦ୍ଦ ମଧ୍ୟ ସେତିକି ଦୀର୍ଘ। କୁନ୍ଦୁଲି ପୀଡ଼ିତା, ଟିକିରି ଘଟଣା, ବେବିନା, ଇତିଶ୍ରୀଙ୍କ ମାର୍ମିକ ବେଦନା, ପରୀ ନିଖୋଜ ଘଟଣା ଓ ସର୍ବୋପରି ମମିତା ମେହେରଙ୍କ ମର୍ମନ୍ତୁଦ ହତ୍ୟା ଘଟଣା ଗୋଟିଏ ଗୋଟିଏ କଳା ଫର୍ଦ୍ଦ। ଲୋକେ ଭୁଲିନାହାନ୍ତି ଫରେଷ୍ଟ ରେଞ୍ଜର ସୌମ୍ୟରଞ୍ଜନ ମହାପାତ୍ରଙ୍କୁ ହତ୍ୟା ଓ ମାହାଙ୍ଗା ଡବଲ ମର୍ଡର ଘଟଣା। ସବୁଠାରୁ ଚର୍ଚ୍ଚିତ ଘଟଣା ହେଲା ନବ ଦାସଙ୍କ ପରି ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ସ୍ପଷ୍ଟ ଦିବାଲୋକରେ ହତ୍ୟା କରାଯିବା। ସେତେବେଳର ପ୍ରମୁଖ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟିର ସ୍ଲୋଗାନ ଥିଲା ଦଳ କ୍ଷମତାକୁ ଆସିଲେ ଏ ସମସ୍ତ ଘଟଣାର ପର୍ଦ୍ଦାଫାଶ କରାଯାଇ ଦୋଷୀଙ୍କୁ ଦଣ୍ଡ ଦିଆଯିବ ଯେପରି ଆଉ କେହି ଏପରି ଘଟଣା ଘଟାଇବାର ସାହସ କରିବେ ନାହିଁ। ଚକ୍ର ଘୂରିଛି। କାଲିର ବିରୋଧୀ ଆଜିର ସରକାର। ଇତି ମଧ୍ୟରେ ଓଡ଼ିଶାରେ ଭାଜପା ସରକାର ୧ବର୍ଷ ପୂର୍ତ୍ତି ପାଳନ କରିସାରିଛି। କିନ୍ତୁ ଶାସନ ବ୍ୟବସ୍ଥା ସବୁ ଅଧାପନ୍ତରିଆ। ମନ୍ତ୍ରିମଣ୍ଡଳ ପୂର୍ଣ୍ଣାଙ୍ଗ ପ୍ରାପ୍ତ ହୋଇପାରି ନାହିଁ, କର୍ପୋରେଶନଗୁଡିକର ପଦବୀ ପୂରଣ ହୋଇନାହିଁ। ଆଶା କରାଯାଏ ୨୦୨୫ ଶେଷ ସୁଦ୍ଧା ସେହିସବୁ ଗଠନ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଗଲେ ସର୍ବାଦୌ ହିତକର ହେବ। ଅପର ପକ୍ଷେ ନୂତନ ସରକାର କିଛି ଜନକଲ୍ୟାଣ କାର୍ଯ୍ୟ ପ୍ରାକ୍‌ ନିର୍ବାଚନୀ ପ୍ରତିଶ୍ରୁତି ସ୍ବରୂପ ସଫଳତାର ସହ କରିପାରିଛି। ଧାନର ବିକ୍ରିମୂଲ୍ୟ ଉପରେ ୮୦୦ଟଙ୍କାର ବୋନସ ପ୍ରଦାନ, ସୁଭଦ୍ରା ଯୋଜନାର ରୂପାୟନ, ୮୦ବର୍ଷରୁ ଊଦ୍ଧର୍‌ବ ବ୍ୟକ୍ତିଙ୍କୁ ବର୍ଦ୍ଧିତ ହାରରେ ଭତ୍ତା ପ୍ରଦାନ, ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ଓ ରତ୍ନଭଣ୍ଡାର ମରାମତି ଭଳି କାର୍ଯ୍ୟସମ୍ପନ୍ନ ହୋଇଛି। କିନ୍ତୁ ନୂତନ ସରକାରଠାରୁ ଲୋକେ ଆଶା କରୁଥିଲେ ଯେ ପୂର୍ବ ସରକାରର ଆର୍ଥିକ ଅନିୟମିତତା ଓ ଏଥିରେ ଜଡିତ ବ୍ୟକ୍ତି ବିଶେଷଙ୍କୁ ଲୋକଲୋଚନକୁ ଆଣିବା। ଅବଶ୍ୟ ମାଳ ମାଳ ଅସାଧୁ ସରକାରୀ ଅଧିକାରୀଙ୍କୁ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଧରାଯାଇ ବେଆଇନ ଓ ଆୟ ବହିର୍ଭୂତ ସମ୍ପତ୍ତିର ପର୍ଦ୍ଦାଫାଶ କରାଯାଉଛି। ମାତ୍ର ନାରୀ ନିର୍ଯାତନାର ଧାରା ଅବ୍ୟାହତ ରହିଛି। ଆଇନ ଶୃଙ୍ଖଳା ରକ୍ଷା ମଧ୍ୟ ସରକାରଙ୍କ ନିୟନ୍ତ୍ରଣାଧୀନ ଥିବା ପରି ଲୋକେ ଅନୁଭବ କରିପାରୁନାହାନ୍ତି। ପ୍ରତ୍ୟହ ନାରୀ ନିର୍ଯାତନାର କରୁଣ ଖବର ଗଣମାଧ୍ୟମରେ ପ୍ରକାଶ ପାଇ ଲୋକଙ୍କୁ ବ୍ୟଥିତ କରୁଛି। କିଟ୍‌ସ ବିଶ୍ୱବିଦ୍ୟାଳୟର ନେପାଳୀ ଛାତ୍ରୀ ଦୁହିଁଙ୍କର ଆତ୍ମହତ୍ୟା ବିଶ୍ୱରେ ଓଡ଼ଶାର ଛବି ମଳିନ କରିଛି। ବାଲେଶ୍ୱର ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମଦାହ ହେଉ କିମ୍ବା ପୁରୀ ଜିଲା ବଳଙ୍ଗା ନାବାଳିକାଙ୍କୁ ଦହନ ଘଟଣା ପରି ମାଳମାଳ ହୃଦୟ ବିଦାରକ ଘଟଣା ସମାଜ ପ୍ରତି ଗୋଟିଏ ଗୋଟିଏ ଆହ୍ବାନ।
ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ପୁରୀ ରାଜଭବନର ବରିଷ୍ଠ କର୍ମଚାରୀଙ୍କୁ ମାଡମାରି ଲହୁଲୁହାଣ କରିବା ପରି ଘଟଣା ଲୋକଲୋଚନ ଅଗୋଚରରେ ରହିଗଲା। ସରକାର କେବଳ ତଦନ୍ତ ନିର୍ଦ୍ଦେଶ ଦେଇ ନୀରବ ରହୁଛନ୍ତି। ପୂର୍ବ ଅଭିଜ୍ଞତାରୁ ଆମେ ଜାଣୁ ଯେ ଓଡ଼ିଶାରେ ବିଭିନ୍ନ ସମୟରେ ଯେଉଁସବୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ତା’ର ରିପୋର୍ଟ କେବେହେଲେ ସାର୍ବଜନୀନ ହୋଇନାହିଁ। ତଦନ୍ତ ନିର୍ଦ୍ଦେଶ ଏକ ଏପରି ଜିନିଷ ଯାହା କୌଣସି ସରକାରକୁ ଆସନ୍ନ ପ୍ରତିକୂଳ ପରିସ୍ଥିତିରୁ ରକ୍ଷା କରିବାର ଏକ ଶାଣିତ ଅସ୍ତ୍ର। ସବୁ ସରକାର ସମୟରେ ଯେତେସବୁ ଅଘଟଣ ଘଟିଛି ସରକାର ପ୍ରତିରକ୍ଷାତ୍ମକ ବ୍ୟବସ୍ଥା ମୁତାବକ ତଦନ୍ତ ନିର୍ଦ୍ଦେଶ ଦେଇ ଲୋକମତକୁ ପ୍ରଶମିତ କରିବାକୁ ଉଦ୍ୟମ କରିଛନ୍ତି। ସେପରି କୌଣସି ତଦନ୍ତ ରିପୋର୍ଟ ପ୍ରାୟତଃ ସାର୍ବଜନୀନ ହୋଇନାହିଁ। ସତୁରି ଦଶକଠାରୁ ସାମ୍ପ୍ରତିକ ସମୟ ପର୍ଯ୍ୟନ୍ତ ପୁରୀ ଶ୍ରୀମନ୍ଦିର ସଂକ୍ରାନ୍ତରେ ୧୮ଟି ନ୍ୟାୟିକ କମିଶନ ବସାଯାଇଥିଲେ ମଧ୍ୟ ତା’ର ନିର୍ଯାସ ସାର୍ବଜନୀନ କରାଯାଇନାହିଁ। କିମ୍ବା କେହି ଦୋଷୀସାବ୍ୟସ୍ତ ହୋଇ ଦଣ୍ଡ ପାଇଥିବାର ସେପରି କୌଣସି ଉଦାହରଣ ସୃଷ୍ଟି କରାଯାଇନାହିଁ। ତତ୍କାଳୀନ ରାଜ୍ୟପାଳ ଭାଗବତ ଦୟାଲ ଶର୍ମାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ନୀତି କାନ୍ତିକୁ ସୁବ୍ୟବସ୍ଥିତ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଢ଼ାଯାଇଥିଲା, ଯାହାର ରିପୋର୍ଟ ମଧ୍ୟ ସାର୍ବଜନୀନ ହୋଇପାରିଲା ନାହିଁ। ଏଥିରୁ ସ୍ପଷ୍ଟ ଯେ କୌଣସି ଦୁର୍ଘଟଣା ବା ଅନିୟମିତ କାର୍ଯ୍ୟାବଳୀ ବିରୋଧରେ ଜନମତକୁ ବିଭ୍ରାନ୍ତ କରିବା ପାଇଁ ଏକମାତ୍ର ଅସ୍ତ୍ର ହେଲା ତଦନ୍ତ କମିଶନ ନିଯୁକ୍ତି। କିନ୍ତୁ ତଦନ୍ତ ରିପୋର୍ଟ କାଳେ କାଳେ ଅପ୍ରକାଶିତ। ତଦନ୍ତ ସମ୍ବନ୍ଧରେ ଓଡ଼ିଶାର ସୁପ୍ରତିଷ୍ଠିତ କବି ତଥା ସମାଲୋଚକ ଗୋଦାବରୀଶ ମହାପାତ୍ରଙ୍କ ଉକ୍ତି ପ୍ରଣିଧାନ ଯୋଗ୍ୟ – ଓଡ଼ିଶାର ଚାରିଆଡ଼େ ଚାଲିଛି ତଦନ୍ତ -ତଦନ୍ତ ରିପୋର୍ଟ କିନ୍ତୁ ବିଗଳିତ ଦନ୍ତ। କାମୁଡ଼ିଲେ କାଟୁ ନାହିଁ ସତେକି ଚୁମ୍ବନ – ଜନତା ଆଖିକୁ ଦିଶେ ମହାବିଡ଼ମ୍ବନ। ଫସଲର ବାଡ଼ ଏଠି ପାଲଟିଛି ଗୋରୁ – ଯେ ଜଗୁଛି ସେ ଚୋର ଚୋର ଧରୁ । ସବୁ ସରକାର ସମାନ। କିନ୍ତୁ ଜନମତ ପ୍ରତି ଉଦାସୀନ ନ ରହି ଗୋଟିଏ ଜନପ୍ରିୟ ସରକାରର ଦାୟିତ୍ୱ ହେଲା ଜନସ୍ବାର୍ଥକୁ ପ୍ରାଥମିକତା ପ୍ରଦାନ। ସରକାର ଜନସ୍ବାର୍ଥ ପ୍ରତି ସଚେତନ ହେଲେ ଦୀର୍ଘ ସ୍ଥାୟୀ ହେବ।
ସିଦ୍ଧଳ, ଜଗତ୍‌ସିଂହପୁର
ମୋ:୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?