ପ୍ରାଥମିକ ଶିକ୍ଷା ଓ ମଧ୍ୟାହ୍ନଭୋଜନ

ଶିକ୍ଷା ହେଉଛି ଦେଶର ମୂଳଦୁଆ। ଭାରତର ନବ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାଠାରୁ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ୧୯୯୦ ବିଶ୍ୱ ସମ୍ମିଳନୀରେ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ଶିକ୍ଷା ଘୋଷଣା କରାଗଲା। ସରକାର ଏହାକୁ ଆଖି ଆଗରେ ରଖି ୧୯୯୫ ଅଗଷ୍ଟ ୧୫ରୁ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଯୋଜନା ଆରମ୍ଭ କରିଥିଲେ। ଏହା ମଧ୍ୟରେ ‘ଚଲୋ ସ୍କୁଲ ଚଲୋ’ ଠାରୁ ‘ବେଟି ବଚାଓ, ବେଟି ପଢ଼ାଓ’ ଭଳି ଅନେକ ସ୍ଲୋଗାନ୍‌ ଦିଆଯାଇଛି। ମନରେ ପ୍ରଶ୍ନ ଉଠେ, ଭାରତରେ ପ୍ରାଥମିକ ଶିକ୍ଷାର ସର୍ବୋତ୍ତମ ବ୍ୟବସ୍ଥା ଫଳପ୍ରଦ ହୋଇଛି କି? ଏହାର ଅସମ୍ପୂର୍ଣ୍ଣ ଉତ୍ତର କେବଳ ଚଟାଣରେ ଗଡ଼ୁଛି। ପ୍ରାଥମିକ ଶିକ୍ଷାକୁ ମାଗଣା ଓ ବାଧ୍ୟତାମୂଳକ କରିବାର ଲକ୍ଷ୍ୟ କ’ଣ ହୋଇପାରେ?
କୋଭିଡ୍‌-୧୯ର ଦୁଇ ବର୍ଷ ବିଦ୍ୟାଳୟଗୁଡିକୁ ବଡ଼ ଆଘାତ ଦେଇଛି। ବଡ଼ କଥା ହେଉଛି, ୨୦୨୦ ମାର୍ଚ୍ଚ ୧୪ରେ ମଧ୍ୟାହ୍ନଭୋଜନ ଯୋଜନା ଉପରେ ପ୍ରତିବନ୍ଧକ ଲାଗିଥିଲା। ବିଦ୍ୟାଳୟକୁ ପଢ଼ିବାକୁ ଆସୁଥିବା ପିଲାମାନଙ୍କ ପାଇଁ ଏହା ବଡ଼ ସମସ୍ୟାଥିଲା। ବର୍ତ୍ତମାନ ମଧ୍ୟାହ୍ନଭୋଜନ ଯୋଜନା ପୁଣି ଥରେ ଚାଲିଛି। କିନ୍ତୁ ଖାଦ୍ୟ ମାଧ୍ୟମରେ କେତେ ପିଲା ବିଦ୍ୟାଳୟକୁ ଫେରି ଆସିଛନ୍ତି, ତାହା ସଠିକ ଅନୁସନ୍ଧାନ ହେଉନାହିଁ। ଏହି ଯୋଜନା ଯୋଗୁ ଛଅରୁ ଚଉଦ ବର୍ଷ ବୟସର ଅର୍ଥାତ୍‌ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ବାର କୋଟି ପିଲା ଅନ୍ତର୍ଭୁକ୍ତ ଥିବା ଆକଳନ କରାଯାଇଛି। ସୂଚନାଯୋଗ୍ୟ, ସରକାରୀ ତଥା ଅଣ-ସରକାରୀ ବିଦ୍ୟାଳୟ ସମେତ ସ୍ବୀକୃତିପ୍ରାପ୍ତ ବିଦ୍ୟାଳୟରେ ଏକରୁ ଅଷ୍ଟମ ଶ୍ରେଣୀର ଛାତ୍ରମାନଙ୍କୁ ସରକାର ମଧ୍ୟାହ୍ନଭୋଜନ ଯୋଗାଉଛନ୍ତି। ୨୦୨୧ରେ ଏହାର ନାମ (PM) ପିଏମ୍‌ ପୁଷ୍ଟିକର ଯୋଜନାରେ ପରିବର୍ତ୍ତିତ କରାଯାଇଥିଲା। ଲକ୍ଷ୍ୟ ଥିଲା, ଅଧିକରୁ ଅଧିକ ପିଲା ବିଦ୍ୟାଳୟକୁ ଆସିପାରିବେ। କୁହାଯାଇପାରେ କେତେକାଂଶରେ ଏହି ଯୋଜନା ସଫଳ ହୋଇଛି। କିନ୍ତୁ ବାସ୍ତବରେ ସଫଳତା ଯେତିକି ଆକଳନ କରାଯାଏ, ତାହା ସଠିକ୍‌ ନୁହେଁ। ଆକଳନ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ସରକାରଙ୍କ ଦାୟିତ୍ୱ। କହିବାବାହୁଲ୍ୟ, ଯୋଜନା ଯେତେ ଶକ୍ତିଶାଳୀ ବା ପ୍ରଭାବଶାଳୀ ହେଉନା କାହିଁକି, ଏହାର କାର୍ଯ୍ୟକାରିତା ନିଶ୍ଚିତ ହେବା ଉଚିତ୍‌। ରିପୋର୍ଟରେ ଦର୍ଶାଯାଇଛି, ଦେଶରେ ସରକାରୀ ବିଦ୍ୟାଳୟ ସଂଖ୍ୟା ହ୍ରାସ ପାଉଥିବାବେଳେ ଘରୋଇ ବିଦ୍ୟାଳୟ ସଂଖ୍ୟା ବୃଦ୍ଧି ପାଉଛି। ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ଦେଶରେ ପଚାଶ ହଜାରରୁ ଅଧିକ ସରକାରୀ ବିଦ୍ୟାଳୟ ବନ୍ଦ ରହିଥିଲା। ମଧ୍ୟାହ୍ନ ଭୋଜନ ଯୋଜନା ସତ୍ତ୍ୱେ ପିଲାମାନଙ୍କ ବିଦ୍ୟାଳୟ ଛାଡ଼ିବା ପ୍ରକ୍ରିୟା ବନ୍ଦ ହୋଇନାହିଁ। ୟୁନେସ୍କୋର ସଦ୍ୟତମ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ, କରୋନା ମହାମାରୀ ହେତୁ ପିଲାଙ୍କ ସ୍କୁଲ ଛାଡ଼ିବା ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇଛି। ୧୯୯୭-୯୮ ସୁଦ୍ଧା ଦେଶର ସବୁ ରାଜ୍ୟରେ ମଧ୍ୟାହ୍ନଭୋଜନ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ୨୦୧୪-୧୫ରେ ଏହି ଯୋଜନା ଏଗାର ଲକ୍ଷ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚାଲିଥିଲା। ଆକଳନରୁ ଜଣାପଡ଼ିଛି, ଏଥିରେ ଦଶ କୋଟି ପିଲା ଉପକୃତ ହେଉଛନ୍ତି। ୨୦୧୧ରେ ଯୋଜନା ଆୟୋଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତରେ ସ୍କୁଲ ସଂଖ୍ୟା ୧୫ ଲକ୍ଷ ଥିଲା। ଶିକ୍ଷାର ପ୍ରଗତିଶୀଳ ବିକାଶକୁ ଦେଖିଲେ ବୁଝିହେବ ଯେ, ଏକ ଦଶନ୍ଧି ପରେ ଏହି ସଂଖ୍ୟା ଆହୁରି ଅଧିକ ହୋଇଥାଆନ୍ତା। ଭାରତ ଭଳି ବିଶାଳ ଦେଶରେ ଯେତିକି ବ୍ୟକ୍ତି ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି ସମ ପରିମାଣରେ ଅଶିକ୍ଷିତ ଅଛନ୍ତି। ଫଳତଃ ଯୋଜନାଗୁଡ଼ିକର ମୂଲ୍ୟ ବହୁତ ଲମ୍ବା କହିଲେ ଅତ୍ୟୁକ୍ତି ହେବ ନାହିଁ। ଶିକ୍ଷା, ଦାରିଦ୍ର୍ୟ ତଥା ଆର୍ଥିକ ପ୍ରତିବନ୍ଧକ ମଧ୍ୟରେ ଖୁବ୍‌ କ୍ୱଚିତ୍‌ ବୃଦ୍ଧି ପାଇଥାଏ। ପ୍ରସଙ୍ଗ ଯେ ପ୍ରଥମରୁ ପଞ୍ଚମ ଶ୍ରେଣୀର ସମସ୍ତ ପିଲାଙ୍କୁ ପ୍ରତିଦିନ ୧୦୦ ଗ୍ରାମ୍‌ ଶସ୍ୟ, ଡାଲି, ପନିପରିବା ଦିଆଯାଉଥିବା ବେଳେ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ପିଲାମାନଙ୍କୁ ୧୫୦ ଗ୍ରାମ୍‌ ସମାନ ଖାଦ୍ୟ ସାମଗ୍ରୀ ଦିଆଯାଉଛି। ଉଦ୍ଦେଶ୍ୟ ହେଉଛି ପିଲାମାନଙ୍କୁ କ୍ୟାଲୋରି, ପ୍ରୋଟିନ୍‌ ବ୍ୟତୀତ ଆଇରନ୍‌ ଫୋଲିକ୍‌ ଏସିଡ୍‌ ପରି ମାଇକ୍ରୋନ୍ୟୁଟ୍ରିଏଣ୍ଟସ ଯୋଗାଇବା। ସୂଚନାଯୋଗ୍ୟ, ମଧ୍ୟାହ୍ନ ଭୋଜନ ଯୋଜନା କେବଳ ଏକ ଯୋଜନା ନୁହେଁ, ବରଂ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ ଅନୁଯାୟୀ ଏହା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶ୍ରେଣୀର ପିଲାମାନଙ୍କର ଏକ ଆଇନଗତ ଅଧିକାର। ପ୍ରାଥମିକ ଶିକ୍ଷା ବିସ୍ତାର ତଥା ନବୀକରଣ ପାଇଁ ୧୯୫୭ରେ ସରକାରଙ୍କ ଦ୍ୱାରା ଅଲ୍‌ ଇଣ୍ଡିଆ ପ୍ରାଥମିକ ଶିକ୍ଷା ଆୟୋଗ ଗଠନ କରାଯାଇଥିଲା।
୧୯୬୫ରେ ରାଷ୍ଟ୍ରୀୟ ଶିକ୍ଷା ଆୟୋଗ ରିପୋର୍ଟରେ ଦର୍ଶାଯାଇଛି, ଶିକ୍ଷା ବ୍ୟବସ୍ଥାରେ କୌଣସି ଭେଦଭାବ ନ ରଖି ପ୍ରତ୍ୟେକ ଧର୍ମ, ଜାତି ଓ ଲିଙ୍ଗର ପିଲାଙ୍କୁ ସମାନ ଗୁରୁତ୍ୱ ଦିଆଯାଇଛି। ଏହି ଆୟୋଗ ଯୋଗୁ ଜାତୀୟ ଶିକ୍ଷା ନୀତି ୧୯୬୮ ସାମ୍ନାକୁ ଆସିଲା। ଶିକ୍ଷାକୁ ମାଗଣା ଓ ବାଧ୍ୟତାମୂଳକ କରିବା ପାଇଁ ଏଠାରେ ଠୋସ୍‌ ପଦକ୍ଷେପ ମଧ୍ୟ ନିଆଯାଇଥିଲା। ନ୍ୟାଶନାଲ ପଲିସି ଅଫ୍‌ ଏଜୁକେଶନ ୧୯୮୬ରୁ ଶିକ୍ଷାଗତ ପରିବେଶରେ ଏକ ନୂତନ ଧାରଣା ସୃଷ୍ଟି ହୋଇଥିବାବେଳେ ୧୯୮୫ର ଅପରେଶନ ବ୍ଲାକ ବୋର୍ଡ ମୌଳିକ ସୁବିଧାରେ ପରିପୂର୍ଣ୍ଣ ଥିଲା। ବର୍ତ୍ତମାନ ନୂତନ ଶିକ୍ଷା ନୀତି ୨୦୨୦ ସହିତ ଜଡ଼ିତ। ମାନବିକ ଶିକ୍ଷା କେବଳ ଶିକ୍ଷା ଦ୍ୱାରା ଉପଯୋଗୀ ହୋଇପାରିବ। ବର୍ତ୍ତମାନର ଯୁଗ ହେଉଛି କେବଳ ସୂଚନା ଓ ତଥ୍ୟ ସଂଗ୍ରହ କରିବା। ଏହାର ଉପଯୋଗମୂଳକ ଉପସ୍ଥାପନା ହେଉଛି ଆଜିର ଦୁନିଆରେ ବୁଦ୍ଧିର ପ୍ରମାଣ ଦେବା।
ଏଭଳି ପରିସ୍ଥିତିରେ ପିଲାମାନଙ୍କ ଶିକ୍ଷା ଉପରେ କୌଣସି ଆପୋସ ବୁଝାମଣା କରିବା ଠିକ୍‌ ନୁହେଁ, ଯାହା ସେମାନଙ୍କ ଶିକ୍ଷାକୁ କ୍ଷତିରେ ପହଞ୍ଚାଇ ଦେବ।
ସ୍କୁଲ ମଧ୍ୟାହ୍ନଭୋଜନ ଯୋଜନାରେ କୌଣସି ଘୋଟାଲା କିମ୍ବା ଅବହେଳା ନ ହେବା ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏକ କମିଟି ଗଠନ କରିଛି। ଏହି କମିଟି ଜାତୀୟ ସ୍ତରରେ ଯୋଜନା ଉପରେ ତୀକ୍ଷ୍ମ ନଜର ରଖିଛି। ଯାହା ଫଳରେ ଦେଶର ପ୍ରତ୍ୟେକ ବିଦ୍ୟାଳୟରେ ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ଦିଆଯାଉଛି। ଏହା ସତ୍ତ୍ୱେ ଏଥିରେ ଅନେକ ତ୍ରୁଟି ଥିବା ଅଭିଯୋଗ ହେଉଛି। ଅଖାଦ୍ୟ ପରିବେଷଣ ଯୋଗୁ ପିଲାମାନେ ଅସୁସ୍ଥ ହୋଇପଡ଼ିଛନ୍ତି। ଅନେକ ସମୟରେ କେତେକଙ୍କ ମୃତ୍ୟୁ ହେବାର ଦେଖାଯାଉଛି। ଏହି ଯୋଜନାରେ ପିଲାମାନେ ଲାଭ ପାଉଥିବାବେଳେ ଏହାର ଅପବ୍ୟବହାରକୁ ରୋକିବା ସମ୍ଭବ ହୋଇନାହିଁ । ଏହି ଯୋଜନା ପ୍ରାୟ ତିନି ଦଶନ୍ଧି ଧରି ଚାଲିଥିଲେ ମଧ୍ୟ ଆଖିଦୃଶିଆ ଉନ୍ନତି ଆଣିବାରେ ବିଫଳ ହୋଇଛି। ତା’ ସତ୍ତ୍ୱେ ମଧ୍ୟାହ୍ନଭୋଜନ ଯୋଜନା ଦ୍ବାରା ପ୍ରାଥମିକ ଶିକ୍ଷା ସ୍ତରରେ ଉପସ୍ଥାନ ବୃଦ୍ଧି ଘଟିଛି। ଦେଶର ଗରିବ ପୁଷ୍ଟିହୀନ ପିଲାମାନଙ୍କୁ ବିଦ୍ୟାଳୟକୁ ଆସିବାକୁ ଉତ୍ସାହିତ କରାଯାଉଛି ।
ପ୍ରକୃତରେ ମଧ୍ୟାହ୍ନଭୋଜନ ଯୋଜନା ଦେଶର କୋଟି କୋଟି ପିଲାଙ୍କ ଆଶା ଭରସା। ସେମାନେ ଶିକ୍ଷା ଗ୍ରହଣ କରିବା ସହିତ ପେଟର କ୍ଷୁଧା ଆଂଶିକ ନିବାରଣ କରିଥାଆନ୍ତି। ସେମାନଙ୍କ ସ୍ବାସ୍ଥ୍ୟ ନିମନ୍ତେ ଆବଶ୍ୟକ ପୁଷ୍ଟିକର ଖାଦ୍ୟ ଯୋଗାଣରେ ଉନ୍ନତି ଘଟିଲେ ଶିକ୍ଷାର ସ୍ତର ନିଃସନ୍ଦେହରେ ବଢ଼ିବ!

ଡ. ଲକ୍ଷ୍ମଣ ସାହୁ
ଅଧ୍ୟକ୍ଷ, ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ
ମୋ: ୯୦୪୦୧୫୧୪୭୫


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri