ରିଆମାଳ,୧୭ା୭(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡ଼ା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ମହାସିନ୍ଧୁ ଗ୍ରାମ ଜଙ୍ଗଲରେ ଗୁରୁବାର ସନ୍ଧ୍ୟାରେ ଏକ ଅକାଳରେ ଜନ୍ମିତ ହାତୀ ଶାବକର ମୃତ୍ୟୁ ଘଟିଛି। ଗାଈ ଜଗୁଆଳି ତଥା ଗ୍ରାମବାସୀ ଏ ଘଟଣା ଜାଣିଲା ପରେ ବନ ବିଭାଗକୁ ଖବର ଦେଇଥିଲେ। ମୃତ ହାତୀ ଶାବକକୁ ଗତ ଗୁରୁବାର ବନବିଭାଗ କର୍ମଚାରୀମାନେ ଜଗି ରହିଥିଲେ। ଶୁକ୍ରବାର ସକାଳେ ଡିଏଫ୍ଓ ରଶ୍ମି ଜୀ, ଏସିଏଫ୍ ସାଧୀନତା ସାହାଣୀ, ଏସିଏଫ୍ ଅରୁଣ କୁମାର ବେହେରା, ରେଞ୍ଜର ନିରଞ୍ଜନ ଧାରୁଆ, ଫରେଷ୍ଟର ସୁବାସ ଚନ୍ଦ୍ର ଦେହୁରୀ ଓ ଗୋଷ୍ଠୀ ପ୍ରାଣୀ ଚିକିତ୍ସକ ରମାକାନ୍ତ ଶତପଥୀ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। କେମିତି ଅସମୟରେ ହାତୀ ଶାବକ ଜନ୍ମ ହୋଇ ମୃତ୍ୟୁ ଘଟିଲା ପୋଷ୍ଟମର୍ଟମ ରିପୋର୍ଟ ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

