ଗଞ୍ଜାମ/ଛତ୍ରପୁର,୨୧।୪(ଅନାଥ ତରାଇ/ଦିଲୀପ ସାମଲ): ଗଞ୍ଜାମ ଜିଲା କାଳିପଲ୍ଲୀ ପଞ୍ଚାୟତରେ କାୟା ବିସ୍ତାର କରିଥିବା କିଡ଼ନୀ ରୋଗର ବ୍ୟାପକତାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ବ୍ରହ୍ମପୁର ଏମ୍ପି ପ୍ରଦୀପ କୁମାର ପାଣିଗ୍ରାହୀ। ରୋଗର ପ୍ରକୃତ କାରଣ ଖୋଜି ବାହାର କରିବା ସହ ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ସ୍ବତନ୍ତ୍ର ତଦନ୍ତ କମିଟି ଗଠନ କରିବାକୁ ଅନୁରୋଧ କରିଛନ୍ତି। ଏମ୍ପି ଏକ ଫେସବୁକ ପୋଷ୍ଟ ମାଧ୍ୟମରେ କହିଛନ୍ତି, କାଳିପଲ୍ଲୀ ପଞ୍ଚାୟତରେ କିଡ଼ନୀ ରୋଗ ଏକ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ଯାହା ଅନେକ ପରିବାରକୁ ବିପର୍ଯ୍ୟସ୍ତ କରିସାରିଲାଣି। ଜନସାଧାରଣଙ୍କ ଜୀବନ ଓ ସ୍ବାସ୍ଥ୍ୟର ସୁରକ୍ଷାକୁ ପ୍ରାଥମିକତା ଦେଇ ସରକାର ଏହି ଦିଗରେ ତୁରନ୍ତ ଏବଂ ଠୋସ୍ ପଦକ୍ଷେପ ନେବା ଜରୁରୀ ବୋଲି ସେ ଦାବି କରିଛନ୍ତି। ବିଶେଷଜ୍ଞଙ୍କ ଦ୍ୱାରା ଅନୁସନ୍ଧାନ କରାଗଲେ ରୋଗର ମୂଳ କାରଣ ଜଣାପଡ଼ିବ ଏବଂ ପ୍ରଭାବିତ ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇପାରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

