ଗାଦି ହାସଲ ପଲିଟିକ୍ସ ଗଣତନ୍ତ୍ରକୁ ଭ୍ରଷ୍ଟ କରୁଛି

୨୫ ଅଗଷ୍ଟ ୨୦୨୪ ରବିବାରର ମାସିକ ମନ୍‌କୀ ବାତ୍‌ ରେଡିଓ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି କହିଲେ, ରାଜନୀତି ପୃଷ୍ଠଭୂମି ନ ଥିବା ଲକ୍ଷେ ଯୁବତୀ ଯୁବକ ରାଜନୀତିକୁ ଆସିଲେ ଗଣତନ୍ତ୍ର ସୁଦୃଢ ହେବ। ସ୍ବାଧୀନତା ସଂଗ୍ରାମରେ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିଥିବା ଅଗଣିତ ଲୋକଙ୍କ ସମାନ୍ତରାଳ ଉଦାହରଣ ସେ ଥୋଇଛନ୍ତି। ସେ ଭୁଲିଯାଇଛନ୍ତି ଯେ ଆଜିକାଲି ରାଜନୈତିକ ଦଳର ସମର୍ଥକ ବା ଅଂଶ ହୋଇ ନ ଥିବା ପରିବାର ପ୍ରାୟ ନାହିଁ, ଯାହାକୁ ପଚାରିବ ସେ କହୁଛି ସେ ଭାଜପା ବା ବିଜେଡି ବା କଂଗ୍ରେସ ସମର୍ଥକ – ଅବଶ୍ୟ ଆହୁରି କେତେ ଛୋଟ ଛୋଟ ଦଳର ସମର୍ଥକ ବି ଅଛନ୍ତି। ତେଣୁ ରାଜନୀତି ପୃଷ୍ଠଭୂମି ନ ଥିବା ପରିବାର ପ୍ରାୟ ନାହିଁ। କେତେକ ଦଳ ନିର୍ବାଚନ କମିଶନଙ୍କ ପାଖରେ ରେଜିଷ୍ଟର୍ଡ ହୋଇଥାନ୍ତି କେବଳ କମ୍ପାନୀ ଓ ଠିକାଦାରମାନଙ୍କଠାରୁ ଖୋଲାଖୋଲି ଚାନ୍ଦା ପାଇବା ପାଇଁ। ଆୟକର-ଛାଡ ଚାନ୍ଦା। ପକ୍କା ଅପରାଧୀମାନେ ସବୁବେଳେ ଶାସକ ଦଳରେ ଯୋଡି ହୁଅନ୍ତି, ରାଜନେତାଙ୍କ ଛତ୍ରଛାୟା ପାଇବାକୁ, ପୋଲିସର ଜୁଲୁମରୁ ରକ୍ଷା ପାଇବା ଆଶାରେ। ନଜିର ଅଛି ସେମାନଙ୍କୁ ଗିରଫ କରିବା ପୂର୍ବରୁ ପୋଲିସକୁ ସ୍ଥାନୀୟ ଏମ୍‌ଏଲ୍‌ଏଙ୍କୁ ଜଣାଇବାକୁ ପଡେ। ଆମେ ଶୁଣିଛୁ ମହାତ୍ମା ଗାନ୍ଧୀ ଚାହୁଁଥିଲେ ସ୍ବାଧୀନତା ପାଇଲା ପରେ ଜାତୀୟ କଂଗ୍ରେସ ଦଳକୁ ଭାଙ୍ଗି ଦିଆଯାଉ, କାରଣ ସେମାନେ ସ୍ବାଧୀନତା-ସଂଗ୍ରାମରେ ଭାଗନେବାଟାକୁ ପୁଞ୍ଜି କରି ତାହାର ଡିଭିଡେଣ୍ଡ(ଲାଭାଂଶ) ଭାବେ ଦେଶରେ ଭ୍ରଷ୍ଟାଚାର ବଢାଇପାରନ୍ତି। ପ୍ରତି ପ୍ରତିନିଧି ଯେତେ ଦରମା ପାଇବେ ତାହାଠାରୁ ବହୁତ ବେଶି ଖର୍ଚ୍ଚ ନିର୍ବାଚନ ଲଢିବାରେ ଖର୍ଚ୍ଚ କରିପାରିବେ ବୋଲି ସେମାନେ ନିୟମ କରାଇନେଇଛନ୍ତି: ଯଥା ଏମ୍‌ପିଙ୍କ ଦରମା ୫ ବର୍ଷରେ ୬୦ ଲକ୍ଷ ଟଙ୍କା ପାଖାପାଖି ଜାଣି ମଧ୍ୟ ପ୍ରତି ଏମ୍‌ପି ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ୯୫ ଲକ୍ଷ ଯାଏ ଖର୍ଚ୍ଚ କରିପାରିବେ, ଆଗତୁରା ୯୫ ଲକ୍ଷ ଟଙ୍କା ଓ ପରେ ପରେ ତା’ ଉପରେ ସୁଧ ତ କେଉଁଠୁ ଆଣିବ ଭ୍ରଷ୍ଟାଚାର ନ କଲେ! (ଗ୍ରାମର ୱାର୍ଡମେମ୍ବର ଭଳି ନିମ୍ନ ସ୍ତରର ନିର୍ବାଚନରେ ବି ପ୍ରାର୍ଥୀ ଖର୍ଚ୍ଚ କରିବାର ଯେଉଁ ସୀମା ରଖାଯାଇଛି ତାହା ସମ୍ଭାବ୍ୟ ଦରମାର ଦଶ ପଚାଶ ଗୁଣ, ତା’ ମାନେ ତିଆରି ହୋଇଥିବା ଆଇନରେ ଭ୍ରଷ୍ଟାଚାରର ବୀଜ ପୋତା ହୋଇଛି)। ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ଭିତରେ ଦଳ କରୁଥିବା ଖର୍ଚ୍ଚ ଗଣାଯିବ ନାହିଁ। ତା’ମାନେ ରାଜନୈତିକ ଦଳଗୁଡ଼ିକ ବି ଭ୍ରଷ୍ଟାଚାରରେ ଲିପ୍ତ ହେବେ, କଳାଟଙ୍କାବାଲାଙ୍କଠୁ ହେଉ ବା କମ୍ପାନୀମାନଙ୍କଠାରୁ ଚାନ୍ଦା ଆକାରରେ ହେଉ ଯୋଗାଡ କରିବେ। ଦାତାମାନେ ଏହାକୁ ସରକାରୀ ଅନୁଗ୍ରହ ପାଇବାର ଲାଞ୍ଚ ଭାବେ ଧରିନେବେ! ଏଇ ତ ପଲିଟିକ୍ସ! ରେଜିଷ୍ଟର୍ଡ ଦଳକୁ ଚାନ୍ଦା ଉପରେ ଉଭୟ ଦାତା ଓ ପ୍ରାପକଙ୍କୁ ଆୟକର ଛାଡ ଉପର ଦେଖାଣିଆ କଥା। ପ୍ରକୃତରେ ଶାସନକୁ ଆସିବାର ସମ୍ଭାବନା ଥିବା ଦଳକୁ ବେଶି ଦାନ ମିଳେ, ସେମାନେ ଦାତାଙ୍କ ବିପକ୍ଷରେ ଯିବା ଭଳି ଆଇନ ଆଣିବେ ନାହିଁ ଆଶାରେ; ବିରୋଧୀ ଦଳମାନେ ବି ଚାନ୍ଦା ପାଆନ୍ତି ବେଶି ଆପତ୍ତି କରିବେ ନାହିଁ ଆଶାରେ! ଶାସକ ଦଳ ଟିକସଦାତାମାନଙ୍କ ପଇସାରେ କମ୍ପାନୀମାନଙ୍କ ପାଇଁ ରାସ୍ତାଘାଟ, ବିମାନବନ୍ଦର ଆଦି କରେ, ସେମାନଙ୍କୁ ମାଗଣା ବା ଶସ୍ତାରେ ଦେଶର ପ୍ରାକୃତିକ ସମ୍ପଦ ଟେକିଦିଏ, ସେମାନଙ୍କ ପ୍ରସ୍ତୁତ ସାମଗ୍ରୀ ଉପରେ ଟିକସ ରିହାତି ଦିଏ। ଗରିବର ଗରିବୀ ବଢେ, ସେମାନଙ୍କ ଭୋଟ ପାଇବା ପାଇଁ ରାଜନୈତିକ ଦଳମାନେ ମାଗଣା ରସଦ ଓ ରକମ ରକମର ଫ୍ରିବି ସେମାନଙ୍କ ନିର୍ବାଚନୀ ଇସ୍ତାହାରରେ ଘୋଷଣା କରନ୍ତି! ତେଣୁ ଅଧିକ ଭୋଟ ପାଇବାର ଚେଷ୍ଟାରେ ଚାଲିଥିବା ପଲିଟିକ୍ସ ଗଣତନ୍ତ୍ରର କଳଙ୍କ। ପଲିଟିକ୍ସ ପୃଷ୍ଠଭୂମି ନ ଥିବା ଲୋକ ତ ନାହାନ୍ତି, ପଲିଟିକ୍ସବିହୀନ ଲକ୍ଷେ ସଜ ଲୋକ ଆସିବେ କେଉଁଠୁ!
ଆମ ଦେଶରେ ୫୪୫ ଲୋକ ସଭା, ୨୪୫ ରାଜ୍ୟ ସଭା ଏବଂ ୪୧୨୩ ବିଧାନସଭା ଆସନ – ମୋଟ ୪୯୧୩ ଆସନ। ପଞ୍ଚାୟତ ସ୍ତରରେ ଆସନ ସଂଖ୍ୟା ଦଶ ହଜାରରୁ ବେଶି। ସମସ୍ତେ ସମ୍ଭାବ୍ୟ ଦରମାଠାରୁ ବହୁତ ବେଶି ଖର୍ଚ୍ଚ କରନ୍ତି ଆସନଟିଏ ଜିତିବା ପାଇଁ, ସେତକ ଖର୍ଚ୍ଚ ତ ଉଠାଇବେ, ତା’ ଉପରେ ପୁଣି ପରିବାର ‘ଏବେ ସମ୍ଭାଳିବାର ଓ ଭବିଷ୍ୟତରେ ସମ୍ଭାଳି ହେବାର ଖର୍ଚ୍ଚ’ ତ ଉଠାଇବେ – ଏ ସବୁ ତ ଭ୍ରଷ୍ଟାଚାର ବଢାଏ। ଲେଜିସ୍ଲେଚରରେ ନିଜର ସଦସ୍ୟ ସଂଖ୍ୟା ଯେତେ ବଢିବ ରାଜନୈତିକ ଦଳ ସେତେ ପ୍ରଭାବଶାଳୀ। ତେଣୁ ସରକାର ଗଢିବା ପାଇଁ ଶାସକଦଳ ଅନ୍ୟ ଦଳରୁ ଅସନ୍ତୁଷ୍ଟଙ୍କୁ ଫୁସୁଲାଇ ପଦ-ଲୋଭ ଦେଖାଇ ଆକର୍ଷିତ କରନ୍ତି, ନ ହେଲେ ସନ୍ଧିଗ୍ଧ ଆର୍ଥିକ ଅପରାଧ ପାଇଁ ଇଡି ବା ସିବିଆଇ ଲଗାଇ ଭୀତତ୍ରସ୍ତ କରାନ୍ତି ଯେଉଁଥିରୁ ରକ୍ଷା ପାଇବା ଲାଗି ସମ୍ପୃକ୍ତ ରାଜନେତା ଶାସକ ଦଳରେ ମିଶେ। ଏଥିପାଇଁ ଆଇନକୁ ଲାଗୁ କରୁଥିବା ଅଧିକାରୀ(ରେଗୁଲେଟର)ମାନଙ୍କୁ ଶାସକ ଦଳ ବ୍ୟବହାର କରିଥାଏ, ଶାସକ ଦଳରେ ମିଶିଗଲେ ମାମଲା ବନ୍ଦ ହୋଇଯିବ ବା କୋହଳ ଦଣ୍ଡ ମିଳେ। ଏ ପ୍ରକାରର ପଲିଟିକ୍ସ ତ ଭ୍ରଷ୍ଟାଚାରର ଜନନୀ।
ପଲିଟିକ୍ସ କେବଳ ଲେଜିସ୍ଲେଚର ୱିଙ୍ଗ(ବିଧାୟିକା ଶାଖା)ରୁ ଜନ୍ମ ନିଏ, ଗଣତନ୍ତ୍ରର ଅନ୍ୟ ଦୁଇ ଶାଖାକୁ ବ୍ୟାପେ, ତା’ ସାଙ୍ଗରେ ଭ୍ରଷ୍ଟାଚାର ବି। ପଲିଟିକ୍ସ ହିଁ ଗଣତନ୍ତ୍ର ଶାସନରେ ଥିବା ତିନି ଶାଖା ଭିତରେ ଥିବା ପ୍ରତିଯୋଗିତା ଓ ଛକାପଞ୍ଝାର ପରିବେଶକୁ ହଟାଇବାକୁ ଚାହେଁ, ଅନ୍ୟ ଦୁଇ ଶାଖାକୁ ଲେଜିସ୍ଲେଚରର ବୋଲକରା କରିବାକୁ ଚାହେଁ। ଏଗ୍‌ଜିକ୍ୟୁଟିଭ ହିଁ ଲେଜିସ୍ଲେଚର କରିଥିବା ଆଇନ ଅନୁଯାୟୀ ଦେଶକୁ ଚଳାଏ। ଜୁଡିସିଆରି ଆଇନର ବୈଧତା ପରଖିବାରେ ଲେଜିସ୍ଲେଚର ଉପରେ ନଜର ରଖେ ଏବଂ ଏଗ୍‌ଜିକ୍ୟୁଟିଭ ପ୍ରଚଳିତ ଆଇନ ଅନୁଯାୟୀ ପ୍ରଶାସନ ଚଳାଉଛି କି ନାହିଁ ଓ ନାଗରିକମାନଙ୍କ ଅଧିକାରକୁ ସୁରକ୍ଷିତ ରଖୁଛି କି ନାହିଁ ତାହା ଦେଖେ: ସୁପ୍ରିମକୋର୍ଟ ରାୟ ଦେଶର ଆଇନ ଭଳି କାମ କରେ ଯେ ପର୍ଯ୍ୟନ୍ତ ଲେଜିସ୍ଲେଚର ନୂଆ ଆଇନ ଆଣି ସେ ରାୟକୁ ରଦ୍ଦ ନ କରିଛି। ଭୁଲ ବାଟରେ ଆଇନକୁ ନେଉଥିବା ଅଧିକାରୀଙ୍କୁ ନ୍ୟାୟପାଳିକା ଦଣ୍ଡିତ କରିପାରେ। ଲେଜିସ୍ଲେଚରମାନଙ୍କ (ବିଧାୟକମାନଙ୍କ) ପଲିଟିକ୍ସ ହିଁ ଗଣତନ୍ତ୍ରର ରୂପ ବଦଳାଉଛି, ଦଳର ପ୍ରତିନିଧି ହିଁ ଲୋକ ପ୍ରତିନିଧି ପ୍ରାର୍ଥୀ ହେବାର ଶ୍ରେୟତା ପାଉଛନ୍ତି, ନିର୍ବାଚନମଣ୍ଡଳୀର ଲୋକେ ତାଙ୍କ ଭିତରୁ ପ୍ରାର୍ଥୀ ବାଛିବାର ଅଧିକାର ରଦ୍ଦ ହୋଇଗଲାଣି, ଦଳର ମତକୁ ପ୍ରତିଫଳିତ କରୁଥିବା ବ୍ୟକ୍ତିି ବିଧାୟକ ପ୍ରାର୍ଥୀ ହେଲେ ରାଜ୍ୟର, ସାଂସଦ ପ୍ରାର୍ଥୀ ହେଲେ ଦେଶର ଯେକୌଣସି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ହୋଇପାରିବେ। ତେଣୁ ଦଳର କଣ୍ଟ୍ରୋଲରେ ଏମ୍‌ଏଲ୍‌ଏ ଓ ଏମ୍‌ପି ପଦ, ଦଳର ମୁଖିଆଙ୍କ ଅଧୀନରେ ଏକ ଚାକିରି ଭଳି; ଦଳୀୟ ବିଶୃଙ୍ଖଳା ପାଇଁ ତାଙ୍କୁ ଦଳରୁ ମୁଖିଆ ବହିଷ୍କାର କରିପାରିବେ, ଏମ୍‌ଏଲ୍‌ଏ ବା ଏମ୍‌ପି ଆସନରୁ ତଡା ହେବାର ଆଦେଶ ବାଚସ୍ପତିଙ୍କଠାରୁ ନେଇପାରିବେ। ସରକାରୀ ଦଳରୁ ବାଚସ୍ପତି ହୋଇଥିବାରୁ ଶାସକ ଦଳର ମୁଖିଆଙ୍କ ଅନୁରୋଧକୁ ଗ୍ରହଣ କରିବାକୁ ଏକପ୍ରକାର ବାଧ୍ୟ, ନ ହେଲେ ତାଙ୍କ ବାଚସ୍ପତି ପଦ ପ୍ରତି ଅନାସ୍ଥା ପ୍ରସ୍ତାବ ଅଣାଯାଇପାରେ(ଶାସକ ଦଳର ସଂଖ୍ୟାଧିକ ଭୋଟ ଅଛି ନା) ! ଗଣତନ୍ତ୍ରର ପୋଷାକରେ ଦଳତନ୍ତ୍ର (ଫାସିଜିମ୍‌) ଚାଲିଛି। ରାଷ୍ଟ୍ରର ତିନୋଟି ଶାଖା ଭିତରେ ଯେଉଁ ଦୂରତା ଥିଲା ତାକୁ ଦଳମାନଙ୍କର ପଲିଟିକ୍ସ ହଟାଇ ଦେଲାଣି। ଗୋଟିଏ ଶାଖାର ଅଧିକାରୀ (ସର୍ବଭାରତୀୟ ଚାକିରି ବା ବିଚାରପତି ପଦ ଛାଡି ରାଜନୈତିକ ଦଳରେ ଯୋଗଦେବାକୁ ଆଉ ଅପେକ୍ଷା କରିବାକୁ ପଡୁନାହିଁ (କୁଲିଂ ଅଫ୍‌ ପିରିଅଡ୍‌ ନାହିଁ)। ତେଣୁ ନିର୍ବାଚନ ଆସନ୍ନ ହେଲେ ଇଚ୍ଛିତ ରାଜନୈତିକ ଦଳ ସପକ୍ଷରେ କାମ କଲେ, ପ୍ରାର୍ଥତ୍ପତ୍ର ଦାଖଲ ପୂର୍ବରୁ ଇସ୍ତଫା ଦେଲେ, ସମ୍ପୃକ୍ତ ଦଳ କୋଳେଇ ନେଉଛି। ଏପରି ଅଧିକାରୀମାନେ ରାଜନୈତିକ ନେତାମାନଙ୍କ ତ୍ରୁଟି ତଥା ଭ୍ରଷ୍ଟାଚାରକୁ ରୋକିବାର ନିୟମସବୁକୁ ଲାଗୁ କରୁନାହାନ୍ତି। ହାଇକୋର୍ଟ ଜଜ୍‌ମାନେ ବି ଆନୁଗତ୍ୟ ଦେଖାଇ ଏମ୍‌ପି ହେବାର ଉଦାହରଣ ଅଛି ଯଥା ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗରେ। ଆନୁଗତ୍ୟ ଦେଖାଇ ଆଇପିଏସ୍‌ ଓ ଆଇଏଏସ୍‌ ଅଫିସରମାନେ ସାଙ୍ଗେ ସାଙ୍ଗେ ଚାକିରି ଛାଡି ଦଳ ତରଫରୁ ବିଧାୟକ ବା ସାଂସଦ ହେଉଛନ୍ତି। ୨୦୨୪ ନିର୍ବାଚନରେ ଦେଖାଗଲା କମ୍ପାନୀର ସାମାଜିକ ଦାୟିତ୍ୱ ନାମକ ପାଣ୍ଠିରୁ ସହାୟତା ଦେଇ ଓ ଶାସକ ଦଳକୁ ୪୦୦ କୋଟିର ଇଲେକ୍ଟୋରାଲ ବଣ୍ଡ୍‌ ଦେଇ ଜଣେ କମ୍ପାନୀ ମ୍ୟାନେଜର ଏମ୍‌ପି ପ୍ରାର୍ଥୀ ହୋଇଥିଲେ। ଶାସକ ଦଳ ଏକ ଲାଭଖୋର କମ୍ପାନୀ ଭଳି କାମ କଲେଣି – ଗାଦି-ହାସଲ ପଲିଟିକ୍ସ ଗଣତନ୍ତ୍ରକୁ ସ୍ବୈରତନ୍ତ୍ର କରୁଛି।
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri