ଦାମନଯୋଡି,୧୨ା୫(ନରସିଂହ ବ୍ରହ୍ମା): ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ସରକାର ଘୋଷଣା କରିଛନ୍ତି। କୋରାପୁଟ ଜିଲା ସେମିଳିଗୁଡ଼ା ଓ ଦାମନଯୋଡ଼ି ଅଞ୍ଚଳରେ ବିଦ୍ୟୁତ୍ ବିଭାଗ ଏହାକୁ ଖାତିର ନ କରି ବାରମ୍ବାର ବିଦ୍ୟୁତ୍ କାଟ କରୁଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି।
ବିଭାଗର ଇଚ୍ଛା ମୁତାବକ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ କରି ଲୋକମାନଙ୍କୁ ହଇରାଣ କରୁଥିବା ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି। ଉପରିସ୍ଥ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରି ଲୋକେ ବିଫଳ ହେଉଥିବା କହିଛନ୍ତି।
ଗ୍ରାହକ ସହାୟତା ନମ୍ବରକୁ ଫୋନ କଲେ ସେଠାରୁ ସନ୍ତୋଷଜନକ ଉତ୍ତର ମିଳୁ ନ ଥିବା ଅଭିଯୋଗ ହୋଇଛି। ଭେଜାପୁଟ, ମାଥାଲପୁଟ, ମରିଚମାଳ, ଚାରାଙ୍ଗୁଲ ଓ କୁଡ଼ୁମୂଲ ଆଦି ଗ୍ରାମଗୁଡ଼ିକର ଲୋକେ ଏଭଳି ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁ ହଇରାଣ ହେଉଥିବା କହିଛନ୍ତି। ଜିଲା ପ୍ରଶାସନ ଓ ଟାଟା ପାୱାର ଅଧିକାରୀ ଏହାକୁ ଦୃଷ୍ଟି ଦେଇ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ ବିହିତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

