ଦେବଗଡ଼/ରିଆମାଲ,୮।୧୧(ଡି.ଏନ୍.ଏ.): ଦେବଗଡ଼ ଜିଲା ରିଆମାଳ ଥାନା ତାରଙ୍ଗ ପଞ୍ଚାୟତ ଅଧୀନ ନିଶାବିରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗ୍ରାମର ପତ୍ରାଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ମୃତ ଜଣକ ହେଲେ ନିଶାବିରା ଗ୍ରାମର ଦେବ ସାହୁ (୫୦)।
ଅନ୍ୟପକ୍ଷେ ଘଟଣାକୁ ଲୁଚାଇବା ପାଇଁ କେତେକ ବ୍ୟକ୍ତି ଘଟଣାସ୍ଥଳରୁ ବିଦ୍ୟୁତ୍ ତାର ନେଇ ଯାଇଥିବା ବେଳେ କାଠ ଖୁଣ୍ଟି ଓ କିଛି ବୋତଲ ପଡ଼ି ରହିଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ମୁତାବକ, ଦେବ ସୋମବାର ରାତିରେ ଘରୁ ବାହାରି ଆଉ ଫେରି ନ ଥିଲେ। ପରିବାର ଲୋକ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ। ମଙ୍ଗଳବାର ସ୍ଥାନୀୟ ଲୋକେ ଶୌଚ ପାଇଁ ଯାଇଥିବା ବେଳେ ଦେବଙ୍କ ମୃତଦେହ ପଡିଥିବା ଦେଖି ପୋଲିସକୁ ଜଣାଇଥିଲେ। ପରିବାର ଲୋକଙ୍କ ଉପସ୍ଥିତିରେ ରିଆମାଳ ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।