ଦାରିଦ୍ର୍ୟ ହ୍ରାସ ପ୍ରହସନ

ଡ. ସନ୍ତୋଷ କୁମାର ମହାପାତ୍ର

 

ଗତ ଜୁଲାଇ ୧୭ରେ ନୀତି ଆୟୋଗଙ୍କ ତରଫରୁ ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ: ଏକ ପ୍ରଗତି ସମୀକ୍ଷା ୨୦୨୩ ରିପୋର୍ଟ ପ୍ରକାଶ ପାଇଛି। ପଞ୍ଚମ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ-୨୦୧୯-୨୧ଉପରେ ଏହା ପର୍ଯ୍ୟବସିତ। ୨୦୨୧ ନଭେମ୍ବର ୨୬ରେ ନୀତି ଆୟୋଗଙ୍କ ତରଫରୁ ସର୍ବପ୍ରଥମ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ପ୍ରକାଶ ପାଇଥିଲା, ଯାହା ଚତୁର୍ଥ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ ୨୦୧୫-୧୬ ଉପରେ ପର୍ଯ୍ୟବସିତ ଥିଲା।
ନୀତି ଆୟୋଗଏହି ସୂଚକାଙ୍କ ନିର୍ଦ୍ଧାରଣ ପୂର୍ବରୁ ୨୦୧୦ରୁ ଅକ୍ସଫୋର୍ଡ ଦାରିଦ୍ର୍ୟ ଏବଂ ମାନବ ବିକାଶ କାର୍ଯ୍ୟକ୍ରମ ଏବଂ ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ ଦ୍ୱାରା ପ୍ରକାଶିତ ଗ୍ଲୋବାଲ ମଲ୍ଟିଡାଇମେନସିଆଲ ବା ବିଶ୍ୱ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କକୁ ଅନୁସରଣ କରିଛନ୍ତି। ବସ୍ତୁତଃ ଏହି ସୂଚକାଙ୍କ ସ୍ବାସ୍ଥ୍ୟ, ଶିକ୍ଷା ଏବଂ ଜୀବନ ଧାରଣାର ମାନକୁ ବିଚାରକୁ ନେଇଥାଏ।
ରିପୋର୍ଟ ଅନୁସାରେ ୨୦୧୫-୧୬ଠାରୁ ୨୦୧୯-୨୧ ମଧ୍ୟରେ ଗତ ୫ ବର୍ଷରେ ବହୁମୁଖୀ ଦାରିଦ୍ର୍ୟର ଶିକାର ହୋଇଥିବା ଲୋକଙ୍କ ସଂଖ୍ୟା ୨୪.୮୫%ରୁ ହ୍ରାସ ପାଇ ୨୦୧୯-୨୧ରେ ୧୭.୯୬% ପହଞ୍ଚିଛି। ସେହି ସମୟରେ ଗ୍ରାମାଞ୍ଚଳରେ ଗରିବଙ୍କ ସଂଖ୍ୟା ୩୨.୫୯%ହ୍ରାସ ପାଇ ୧୯.୨୮% ହୋଇଛି। ଏହି ଅବଧି ଭିତରେ ସହରାଞ୍ଚଳରେ ଗରିବଙ୍କ ସଂଖ୍ୟା ୮.୬୫%ରୁ ହ୍ରାସ ପାଇ ୫.୨୭% ରହିଛି। ନୀତି ଆୟୋଗର ଏହି ତଥ୍ୟ ଅନୁଯାୟୀ, ପୁଷ୍ଟିକର ଖାଦ୍ୟରେ ଉନ୍ନତି, ଶିକ୍ଷାବର୍ଷରେ ବୃଦ୍ଧି, ପରିଷ୍କାର ପରିଚ୍ଛନ୍ନତା ଏବଂ ରନ୍ଧନ ଗ୍ୟାସ୍‌ର ଉପଲବ୍ଧତା ଦାରିଦ୍ର୍ୟ ହ୍ରାସ କରିବାରେ ସହାୟକ ହୋଇଛି। ପୋଷଣ ଅଭିଯାନ ଏବଂ ରକ୍ତହୀନତାମୁକ୍ତ (ଆନେମିଆ ଫ୍ରି) ପରି ଉଚ୍ଚମାନର ଯୋଜନା ହେତୁ ଆବଶ୍ୟକ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଏହା ବ୍ୟତୀତ ସୌଭାଗ୍ୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଏବଂ ମୋଦି ସରକାରଙ୍କ ଅନ୍ୟାନ୍ୟ ଯୋଜନା ମଧ୍ୟ ଦେଶରେ ଦାରିଦ୍ର୍ୟ ହ୍ରାସ କରିଛି ବୋଲି ନୀତି ଆୟୋଗ ତା’ ରିପୋର୍ଟରେ କହିଛି।
କିନ୍ତୁ ସରକାରଙ୍କୁ ବାହାବା ଦେବା ପାଇଁ ଖବରକାଗଜଗୁଡ଼ିକରେ ମୋଦିଙ୍କ ୫ ବର୍ଷ ଶାସନ କାଳ ମଧ୍ୟରେ ଭାରତର ୧୩.୫ କୋଟି ଲୋକ ଗରିବ ସୀମା ରେଖାରୁ ବାହାରି ପାରିଛନ୍ତି ବୋଲି ପ୍ରକାଶ ପାଇଛି। ସତେ ଯେପରି ଆଗରୁ ଦାରିଦ୍ର୍ୟ ହ୍ରାସ ପାଉ ନ ଥିଲା। ରିପୋର୍ଟରେ ପୂର୍ବ ଉପା ସରକାର ଅମଳରେ କେତେ ଦାରିଦ୍ର୍ୟ ହ୍ରାସ ପାଇଥିଲା ତାହା କୁହାଯାଇ ନାହିଁ। କାରଣ ସେ ସମୟରେ ଅଧିକ ଦାରିଦ୍ର୍ୟ ହ୍ରାସ ପାଇଥିଲା। ଏହି ମାସରେ ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ ଦ୍ୱାରା ପ୍ରକାଶିତ ବିଶ୍ୱ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ଅନୁସାରେ ୨୦୧୯-୨୧ରେ ଭାରତରେ ଦାରିଦ୍ର୍ୟ ହାର ୧୬.୪% ଏବଂ ଗତ ୧୫ ବର୍ଷରେ ୪୧.୫ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ବାହାରକୁ ଆସିଛନ୍ତି। ସୂଚନା ଅନୁଯାୟୀ, ୨୦୦୫-୦୬ ମସିହାରେ ଦେଶରେ ପ୍ରାୟ ୬୪.୫ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିଲେ। ଏହା ପରେ, ୨୦୧୫-୧୬ ବର୍ଷରେ ଏହି ସଂଖ୍ୟା ୩୭ କୋଟିକୁ ହ୍ରାସ ପାଇଥିଲା ଏବଂ ୨୦୧୯-୨୧ ରେ ଏହି ସଂଖ୍ୟା ୨୩ କୋଟିକୁ ହ୍ରାସ ପାଇଛି। ଅର୍ଥାତ୍‌ ଗତ ୫ ବର୍ଷରେ ୧୪ କୋଟି ହ୍ରାସ ପାଇଛି। ଅର୍ଥାତ୍‌ ପୂର୍ବ ୧୦ ବର୍ଷରେ ( ଯେଉଁଥିରେ ଉପା ସରକାରଙ୍କ ୯ ବର୍ଷ ରହିଛି) ୨୭ ରୁ ୨୮ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ବାହାରକୁ ଆସିଛନ୍ତି।
ବିଶ୍ୱବ୍ୟାଙ୍କ ଦ୍ୱାରା (ଅକ୍ଟୋବର ୧୩, ୨୦୨୨) ‘ଦାରିଦ୍ର୍ୟ ଏବଂ ସହଭାଗୀ ସମୃଦ୍ଧତା ୨୦୨୨’ ଶୀର୍ଷକ ରିପୋର୍ଟରେ ଦର୍ଶାଯାଇଛି, କରୋନା ମହାମାରୀ ଯୋଗୁ ୨୦୨୦ ଶେଷ ସୁଦ୍ଧା ୭.୧କୋଟି ଲୋକ ଅତ୍ୟଧିକ ଦାରିଦ୍ର୍ୟ ଗହ୍ବରକୁ ଯାଇଛନ୍ତି ଏବଂ ସେଥିରୁ ପ୍ରାୟ ୭୯% ଲୋକ ବା ୫.୬ କୋଟି ଭାରତୀୟ। ଏହାକୁ ବିଚାରକୁ ନିଆଯାଇ ନାହିଁ ।ନେଲେ ଗତ ୫ ବର୍ଷରେ ଦାରିଦ୍ର୍ୟ ବହୁତ୍ କମ୍‌ ହ୍ରାସ ପାଇଛି। ପୁନଶ୍ଚ ଏପଟେ ସରକାର କିଛି ଯୋଜନା କଲାବେଳେ ସେହି ଯୋଜନା ପାଇଁ ଆବଶ୍ୟକ ସମ୍ବଳ ଧନିକ ଶ୍ରେଣୀଠାରୁ ଟିକସ ମାଧ୍ୟମରେ ନ ଆଣି ଗରିବଙ୍କଠାରୁ ପରୋକ୍ଷ କର ବାବଦରେ ଆଣୁଛନ୍ତି। ପୁନଶ୍ଚ ପେଟ୍ରୋଲିୟମ ସାମଗ୍ରୀ ଉପରେ ଅହେତୁକ ଟିକସ ଧାର୍ଯ୍ୟ ଯୋଗୁ ଦରଦାମ ବୃଦ୍ଧି ଘଟୁଛି, ଯାହାର କୁପ୍ରଭାବ ଗରିବଙ୍କ ଉପରେ ପଡୁଛି ଓ ସେମାନଙ୍କ କ୍ରୟଶକ୍ତି ହ୍ରାସ ପାଉଛି । ଅକ୍ସଫାମ ରିପୋର୍ଟ ଅନୁସାରେ ଦେଶର ମୋଟ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି)ର ପ୍ରାୟ ୨ ତୃତୀୟାଂଶ ବା ୬୪% ନିମ୍ନରେ ଥିବା ୫୦% ଜନତାଙ୍କଠାରୁ ଆସିଥିବାବେଳେ ଏକ ତୃତୀୟାଂଶ ମଧ୍ୟବିତ୍ତ ୪୦%ଙ୍କ ଠାରୁ ଆସିଛି । କେବଳ ୩% ଶୀର୍ଷ ୧୦% ଧନୀଙ୍କଠାରୁ ଆସିଛି। ଦରଦାମ ବୃଦ୍ଧି ବାଧୁଛି ।
ପୁନଶ୍ଚ ସେବା ମୁଦ୍ରାସ୍ଫୀତି ଓ ଜୀବନଶୈଳୀ ମୁଦ୍ରାସ୍ଫୀତି ଆଜି କୋଟି କୋଟି ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଛି। ଏହା ଦାରିଦ୍ର୍ୟ ଆକଳନ ବେଳେ ବିଚାରକୁ ନିଆଯାଇନାହିଁ।
ଅସଲ କଥା ହେଉଛି ଭାରତ ସମେତ ବିଶ୍ୱରେ ଅଧିକାଂଶ ଶାସକ ଶ୍ରେଣୀ ସର୍ବଦା ଜନପ୍ରିୟତା ହରାଇବା ଭୟରେ ଦାରିଦ୍ର୍ୟ ହ୍ରାସ ପାଉଛି ବୋଲି ଦେଖାଇବାକୁ ଚାହାନ୍ତି। ଯେଉଁ ମାନଦଣ୍ଡରେ ଦାରିଦ୍ର୍ୟ ଆକଳନ କରାଯାଉଛି ତାହା ବାସ୍ତବରେ ଅନାହାର ରେଖା। ସେହି ରେଖାକୁ ଯଦି ଅର୍ଥରେ ପ୍ରକାଶ କରାଯାଏ ତେବେ ତାହା ୨ ଓଳି ଖାଇବାକୁ ଉଦ୍ଦିଷ୍ଟ। ଜଣେ କ’ଣ କେବଳ ୨ ଓଳି ଖାଇବାକୁ ଜନ୍ମ ହୋଇଛି। ଜୀବନରେ ଆଉ କିଛି ନାହିଁ। ଧନୀ ମାନେ ଚାହାନ୍ତି ସେମାନେ ଆନନ୍ଦମୟ ଜୀବନ ବିତାଇବେ, ଗରିବ ଗରିବ ହୋଇ ରହୁ । ଏପରି ଦାରିଦ୍ର୍ୟ ହ୍ରାସ ତଥ୍ୟ ଦିଆଯାଇ ଲୋକଙ୍କୁ ବୁଝାଇବାକୁ ଦିଆଯାଉଛି, ସେମାନେ ଗରିବ ଥାଇ ମଧ୍ୟ ଖୁସି ହୁଅନ୍ତୁ ,ଧନୀ ଓ କ୍ଷମତାଶାଳୀଙ୍କ ଶୋଷଣ ବିରୋଧରେ ଓ ଶାସକ ଶ୍ରେଣୀଙ୍କ ତ୍ରୁଟିପୂର୍ଣ୍ଣ ନୀତି ବିରୋଧରେ ସ୍ବର ଉତ୍ତୋଳନ ନ କରନ୍ତୁ। ନଚେତ୍‌ ୧% ଭାରତୀୟଙ୍କ ହାତରେ ଦେଶର ୪୦.୫% ସମ୍ପଦ ନ ଥାନ୍ତା। ଦାରିଦ୍ର୍ୟ ହ୍ରାସ କଥା ପ୍ରଚାର ପୂର୍ବରୁ ଶାସକ ଶ୍ରେଣୀ ଭାବିବା ଉଚିତ ଯେ ବିଶ୍ୱରେ କ୍ଷୁଧାର ଶିକାର ୧୨୧ ଦେଶକୁ ନେଇ ପ୍ରସ୍ତୁତ କ୍ଷୁଧା ସୂଚକାଙ୍କରେ ଭାରତ ୧୦୭ ସ୍ଥାନରେ ରହିଛି। ଏଥିରେ ପ୍ରତିବର୍ଷ କ୍ରମାଗତ ଅବନତି ଘଟୁଛି । ଅନେକ ଦେଶଠାରୁ ବି ଆମେ ଖରାପ ସ୍ଥିତିରେ ରହିଛେ। ଭାରତରେ ପୁଷ୍ଟିହୀନତାର ଶିକାର ହେଉଥିବା ଲୋକଙ୍କ ସଂଖ୍ୟା ୨୦୨୧ରେ ୨୨.୪୩ କୋଟି ହୋଇଥିଲାବେଳେ ୯୭.୩୩ କୋଟି ଭାରତୀୟ ସ୍ବାସ୍ଥ୍ୟକର ଖାଦ୍ୟ ପାଇବାରୁ ବଞ୍ଚିତ। ବିଭିନ୍ନ ଅନ୍ତର୍ଜାତୀୟ ସୂଚକାଙ୍କରେ ଭାରତ ଅତ୍ୟନ୍ତ ନିମ୍ନରେ ରହିଛି।
ମୋ:୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?