ଦାରିଦ୍ର୍ୟ ହ୍ରାସ ପ୍ରହସନ

ଡ. ସନ୍ତୋଷ କୁମାର ମହାପାତ୍ର

 

ଗତ ଜୁଲାଇ ୧୭ରେ ନୀତି ଆୟୋଗଙ୍କ ତରଫରୁ ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ: ଏକ ପ୍ରଗତି ସମୀକ୍ଷା ୨୦୨୩ ରିପୋର୍ଟ ପ୍ରକାଶ ପାଇଛି। ପଞ୍ଚମ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ-୨୦୧୯-୨୧ଉପରେ ଏହା ପର୍ଯ୍ୟବସିତ। ୨୦୨୧ ନଭେମ୍ବର ୨୬ରେ ନୀତି ଆୟୋଗଙ୍କ ତରଫରୁ ସର୍ବପ୍ରଥମ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ପ୍ରକାଶ ପାଇଥିଲା, ଯାହା ଚତୁର୍ଥ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ ୨୦୧୫-୧୬ ଉପରେ ପର୍ଯ୍ୟବସିତ ଥିଲା।
ନୀତି ଆୟୋଗଏହି ସୂଚକାଙ୍କ ନିର୍ଦ୍ଧାରଣ ପୂର୍ବରୁ ୨୦୧୦ରୁ ଅକ୍ସଫୋର୍ଡ ଦାରିଦ୍ର୍ୟ ଏବଂ ମାନବ ବିକାଶ କାର୍ଯ୍ୟକ୍ରମ ଏବଂ ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ ଦ୍ୱାରା ପ୍ରକାଶିତ ଗ୍ଲୋବାଲ ମଲ୍ଟିଡାଇମେନସିଆଲ ବା ବିଶ୍ୱ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କକୁ ଅନୁସରଣ କରିଛନ୍ତି। ବସ୍ତୁତଃ ଏହି ସୂଚକାଙ୍କ ସ୍ବାସ୍ଥ୍ୟ, ଶିକ୍ଷା ଏବଂ ଜୀବନ ଧାରଣାର ମାନକୁ ବିଚାରକୁ ନେଇଥାଏ।
ରିପୋର୍ଟ ଅନୁସାରେ ୨୦୧୫-୧୬ଠାରୁ ୨୦୧୯-୨୧ ମଧ୍ୟରେ ଗତ ୫ ବର୍ଷରେ ବହୁମୁଖୀ ଦାରିଦ୍ର୍ୟର ଶିକାର ହୋଇଥିବା ଲୋକଙ୍କ ସଂଖ୍ୟା ୨୪.୮୫%ରୁ ହ୍ରାସ ପାଇ ୨୦୧୯-୨୧ରେ ୧୭.୯୬% ପହଞ୍ଚିଛି। ସେହି ସମୟରେ ଗ୍ରାମାଞ୍ଚଳରେ ଗରିବଙ୍କ ସଂଖ୍ୟା ୩୨.୫୯%ହ୍ରାସ ପାଇ ୧୯.୨୮% ହୋଇଛି। ଏହି ଅବଧି ଭିତରେ ସହରାଞ୍ଚଳରେ ଗରିବଙ୍କ ସଂଖ୍ୟା ୮.୬୫%ରୁ ହ୍ରାସ ପାଇ ୫.୨୭% ରହିଛି। ନୀତି ଆୟୋଗର ଏହି ତଥ୍ୟ ଅନୁଯାୟୀ, ପୁଷ୍ଟିକର ଖାଦ୍ୟରେ ଉନ୍ନତି, ଶିକ୍ଷାବର୍ଷରେ ବୃଦ୍ଧି, ପରିଷ୍କାର ପରିଚ୍ଛନ୍ନତା ଏବଂ ରନ୍ଧନ ଗ୍ୟାସ୍‌ର ଉପଲବ୍ଧତା ଦାରିଦ୍ର୍ୟ ହ୍ରାସ କରିବାରେ ସହାୟକ ହୋଇଛି। ପୋଷଣ ଅଭିଯାନ ଏବଂ ରକ୍ତହୀନତାମୁକ୍ତ (ଆନେମିଆ ଫ୍ରି) ପରି ଉଚ୍ଚମାନର ଯୋଜନା ହେତୁ ଆବଶ୍ୟକ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଏହା ବ୍ୟତୀତ ସୌଭାଗ୍ୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଏବଂ ମୋଦି ସରକାରଙ୍କ ଅନ୍ୟାନ୍ୟ ଯୋଜନା ମଧ୍ୟ ଦେଶରେ ଦାରିଦ୍ର୍ୟ ହ୍ରାସ କରିଛି ବୋଲି ନୀତି ଆୟୋଗ ତା’ ରିପୋର୍ଟରେ କହିଛି।
କିନ୍ତୁ ସରକାରଙ୍କୁ ବାହାବା ଦେବା ପାଇଁ ଖବରକାଗଜଗୁଡ଼ିକରେ ମୋଦିଙ୍କ ୫ ବର୍ଷ ଶାସନ କାଳ ମଧ୍ୟରେ ଭାରତର ୧୩.୫ କୋଟି ଲୋକ ଗରିବ ସୀମା ରେଖାରୁ ବାହାରି ପାରିଛନ୍ତି ବୋଲି ପ୍ରକାଶ ପାଇଛି। ସତେ ଯେପରି ଆଗରୁ ଦାରିଦ୍ର୍ୟ ହ୍ରାସ ପାଉ ନ ଥିଲା। ରିପୋର୍ଟରେ ପୂର୍ବ ଉପା ସରକାର ଅମଳରେ କେତେ ଦାରିଦ୍ର୍ୟ ହ୍ରାସ ପାଇଥିଲା ତାହା କୁହାଯାଇ ନାହିଁ। କାରଣ ସେ ସମୟରେ ଅଧିକ ଦାରିଦ୍ର୍ୟ ହ୍ରାସ ପାଇଥିଲା। ଏହି ମାସରେ ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ ଦ୍ୱାରା ପ୍ରକାଶିତ ବିଶ୍ୱ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ଅନୁସାରେ ୨୦୧୯-୨୧ରେ ଭାରତରେ ଦାରିଦ୍ର୍ୟ ହାର ୧୬.୪% ଏବଂ ଗତ ୧୫ ବର୍ଷରେ ୪୧.୫ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ବାହାରକୁ ଆସିଛନ୍ତି। ସୂଚନା ଅନୁଯାୟୀ, ୨୦୦୫-୦୬ ମସିହାରେ ଦେଶରେ ପ୍ରାୟ ୬୪.୫ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିଲେ। ଏହା ପରେ, ୨୦୧୫-୧୬ ବର୍ଷରେ ଏହି ସଂଖ୍ୟା ୩୭ କୋଟିକୁ ହ୍ରାସ ପାଇଥିଲା ଏବଂ ୨୦୧୯-୨୧ ରେ ଏହି ସଂଖ୍ୟା ୨୩ କୋଟିକୁ ହ୍ରାସ ପାଇଛି। ଅର୍ଥାତ୍‌ ଗତ ୫ ବର୍ଷରେ ୧୪ କୋଟି ହ୍ରାସ ପାଇଛି। ଅର୍ଥାତ୍‌ ପୂର୍ବ ୧୦ ବର୍ଷରେ ( ଯେଉଁଥିରେ ଉପା ସରକାରଙ୍କ ୯ ବର୍ଷ ରହିଛି) ୨୭ ରୁ ୨୮ କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ବାହାରକୁ ଆସିଛନ୍ତି।
ବିଶ୍ୱବ୍ୟାଙ୍କ ଦ୍ୱାରା (ଅକ୍ଟୋବର ୧୩, ୨୦୨୨) ‘ଦାରିଦ୍ର୍ୟ ଏବଂ ସହଭାଗୀ ସମୃଦ୍ଧତା ୨୦୨୨’ ଶୀର୍ଷକ ରିପୋର୍ଟରେ ଦର୍ଶାଯାଇଛି, କରୋନା ମହାମାରୀ ଯୋଗୁ ୨୦୨୦ ଶେଷ ସୁଦ୍ଧା ୭.୧କୋଟି ଲୋକ ଅତ୍ୟଧିକ ଦାରିଦ୍ର୍ୟ ଗହ୍ବରକୁ ଯାଇଛନ୍ତି ଏବଂ ସେଥିରୁ ପ୍ରାୟ ୭୯% ଲୋକ ବା ୫.୬ କୋଟି ଭାରତୀୟ। ଏହାକୁ ବିଚାରକୁ ନିଆଯାଇ ନାହିଁ ।ନେଲେ ଗତ ୫ ବର୍ଷରେ ଦାରିଦ୍ର୍ୟ ବହୁତ୍ କମ୍‌ ହ୍ରାସ ପାଇଛି। ପୁନଶ୍ଚ ଏପଟେ ସରକାର କିଛି ଯୋଜନା କଲାବେଳେ ସେହି ଯୋଜନା ପାଇଁ ଆବଶ୍ୟକ ସମ୍ବଳ ଧନିକ ଶ୍ରେଣୀଠାରୁ ଟିକସ ମାଧ୍ୟମରେ ନ ଆଣି ଗରିବଙ୍କଠାରୁ ପରୋକ୍ଷ କର ବାବଦରେ ଆଣୁଛନ୍ତି। ପୁନଶ୍ଚ ପେଟ୍ରୋଲିୟମ ସାମଗ୍ରୀ ଉପରେ ଅହେତୁକ ଟିକସ ଧାର୍ଯ୍ୟ ଯୋଗୁ ଦରଦାମ ବୃଦ୍ଧି ଘଟୁଛି, ଯାହାର କୁପ୍ରଭାବ ଗରିବଙ୍କ ଉପରେ ପଡୁଛି ଓ ସେମାନଙ୍କ କ୍ରୟଶକ୍ତି ହ୍ରାସ ପାଉଛି । ଅକ୍ସଫାମ ରିପୋର୍ଟ ଅନୁସାରେ ଦେଶର ମୋଟ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି)ର ପ୍ରାୟ ୨ ତୃତୀୟାଂଶ ବା ୬୪% ନିମ୍ନରେ ଥିବା ୫୦% ଜନତାଙ୍କଠାରୁ ଆସିଥିବାବେଳେ ଏକ ତୃତୀୟାଂଶ ମଧ୍ୟବିତ୍ତ ୪୦%ଙ୍କ ଠାରୁ ଆସିଛି । କେବଳ ୩% ଶୀର୍ଷ ୧୦% ଧନୀଙ୍କଠାରୁ ଆସିଛି। ଦରଦାମ ବୃଦ୍ଧି ବାଧୁଛି ।
ପୁନଶ୍ଚ ସେବା ମୁଦ୍ରାସ୍ଫୀତି ଓ ଜୀବନଶୈଳୀ ମୁଦ୍ରାସ୍ଫୀତି ଆଜି କୋଟି କୋଟି ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଛି। ଏହା ଦାରିଦ୍ର୍ୟ ଆକଳନ ବେଳେ ବିଚାରକୁ ନିଆଯାଇନାହିଁ।
ଅସଲ କଥା ହେଉଛି ଭାରତ ସମେତ ବିଶ୍ୱରେ ଅଧିକାଂଶ ଶାସକ ଶ୍ରେଣୀ ସର୍ବଦା ଜନପ୍ରିୟତା ହରାଇବା ଭୟରେ ଦାରିଦ୍ର୍ୟ ହ୍ରାସ ପାଉଛି ବୋଲି ଦେଖାଇବାକୁ ଚାହାନ୍ତି। ଯେଉଁ ମାନଦଣ୍ଡରେ ଦାରିଦ୍ର୍ୟ ଆକଳନ କରାଯାଉଛି ତାହା ବାସ୍ତବରେ ଅନାହାର ରେଖା। ସେହି ରେଖାକୁ ଯଦି ଅର୍ଥରେ ପ୍ରକାଶ କରାଯାଏ ତେବେ ତାହା ୨ ଓଳି ଖାଇବାକୁ ଉଦ୍ଦିଷ୍ଟ। ଜଣେ କ’ଣ କେବଳ ୨ ଓଳି ଖାଇବାକୁ ଜନ୍ମ ହୋଇଛି। ଜୀବନରେ ଆଉ କିଛି ନାହିଁ। ଧନୀ ମାନେ ଚାହାନ୍ତି ସେମାନେ ଆନନ୍ଦମୟ ଜୀବନ ବିତାଇବେ, ଗରିବ ଗରିବ ହୋଇ ରହୁ । ଏପରି ଦାରିଦ୍ର୍ୟ ହ୍ରାସ ତଥ୍ୟ ଦିଆଯାଇ ଲୋକଙ୍କୁ ବୁଝାଇବାକୁ ଦିଆଯାଉଛି, ସେମାନେ ଗରିବ ଥାଇ ମଧ୍ୟ ଖୁସି ହୁଅନ୍ତୁ ,ଧନୀ ଓ କ୍ଷମତାଶାଳୀଙ୍କ ଶୋଷଣ ବିରୋଧରେ ଓ ଶାସକ ଶ୍ରେଣୀଙ୍କ ତ୍ରୁଟିପୂର୍ଣ୍ଣ ନୀତି ବିରୋଧରେ ସ୍ବର ଉତ୍ତୋଳନ ନ କରନ୍ତୁ। ନଚେତ୍‌ ୧% ଭାରତୀୟଙ୍କ ହାତରେ ଦେଶର ୪୦.୫% ସମ୍ପଦ ନ ଥାନ୍ତା। ଦାରିଦ୍ର୍ୟ ହ୍ରାସ କଥା ପ୍ରଚାର ପୂର୍ବରୁ ଶାସକ ଶ୍ରେଣୀ ଭାବିବା ଉଚିତ ଯେ ବିଶ୍ୱରେ କ୍ଷୁଧାର ଶିକାର ୧୨୧ ଦେଶକୁ ନେଇ ପ୍ରସ୍ତୁତ କ୍ଷୁଧା ସୂଚକାଙ୍କରେ ଭାରତ ୧୦୭ ସ୍ଥାନରେ ରହିଛି। ଏଥିରେ ପ୍ରତିବର୍ଷ କ୍ରମାଗତ ଅବନତି ଘଟୁଛି । ଅନେକ ଦେଶଠାରୁ ବି ଆମେ ଖରାପ ସ୍ଥିତିରେ ରହିଛେ। ଭାରତରେ ପୁଷ୍ଟିହୀନତାର ଶିକାର ହେଉଥିବା ଲୋକଙ୍କ ସଂଖ୍ୟା ୨୦୨୧ରେ ୨୨.୪୩ କୋଟି ହୋଇଥିଲାବେଳେ ୯୭.୩୩ କୋଟି ଭାରତୀୟ ସ୍ବାସ୍ଥ୍ୟକର ଖାଦ୍ୟ ପାଇବାରୁ ବଞ୍ଚିତ। ବିଭିନ୍ନ ଅନ୍ତର୍ଜାତୀୟ ସୂଚକାଙ୍କରେ ଭାରତ ଅତ୍ୟନ୍ତ ନିମ୍ନରେ ରହିଛି।
ମୋ:୯୪୩୭୨୦୮୭୬୨


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri