କରୋନାର ସମ୍ଭାବ୍ୟ ପୁନରାଗମନ

୨୦୨୩ ନଭେମ୍ବରରେ ଗୋଟିଏ ଉଦ୍‌ବେଗଜନକ ଖବର ଲୋକଲୋଚନକୁ ଆସିଲା। ବିଷୟଟି ଚାଇନାରେ ଦେଖାଦେଇଥିବା ଏକ ଅଜଣା ସଂକ୍ରାମକ ରୋଗ। ଏଥିରେ ମୁଖ୍ୟତଃ ଶିଶୁମାନେ ପୀଡ଼ିତ ହୋଇଥାନ୍ତି। ଏହାର ଲକ୍ଷଣରୁ ଜଣାଯାଏ ଯେ, ଏହା ଶ୍ୱାସକ୍ରିୟାଜନିତ ରୋଗ। ଏହାର ପ୍ରାଦୁର୍ଭାବର ପରିଣାମ ସ୍ବରୂପ ଚାଇନାର କେତେକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୈନିକ ପ୍ରାୟ ବାରଶହ ପିଲା ଭର୍ତ୍ତି ହେଉଛନ୍ତି। ଏ ସମ୍ପର୍କରେ ସାମାନ୍ୟ ତଥ୍ୟ ଜାଣିବା ପାଇଁ ମାଇକୋପ୍ଲାଜମା ସମ୍ପର୍କରେ କିଛି ତଥ୍ୟର ଆବଶ୍ୟକତା ରହିଛି। ମାଇକୋପ୍ଲାଜମା ହେଉଛି ବାକ୍ଟେରିଆର ଗୋଟିଏ ପ୍ରଜାତି (ସିଙ୍ଗୁଲାର ଫର୍ମ)। ତେବେ ବାକ୍ଟେରିଆର ମୁଖ୍ୟତଃ ସମାନ ଗୁଣ ବିଶିଷ୍ଟ। ସେମାନଙ୍କ କୋଷିକାରେ କଠିନ ଆବରଣ (ସେଲ ମେମ୍ବ୍ରନ) ନ ଥାଏ। ଅବଶ୍ୟ ପ୍ଲାଜମା ଆବରଣ ଥାଏ। ପେନ୍‌ସଲନ ଓ ଅନ୍ୟ କେତେକ ଆଣ୍ଟିବାଇଓଟିକ୍‌ ସେମାନଙ୍କୁ ନଷ୍ଟ ବା ପ୍ରତିରୋଧ କରିପାରି ନ ଥାଏ, କାରଣ ଏହି ଆଣ୍ଟିବାଇଓଟିକ୍‌ କାର୍ଯ୍ୟକ୍ଷମ ହେବା ସକାଶେ କୋଷିକାର ଆବରଣ ଆବଶ୍ୟକ।
ମାଇକୋପ୍ଲାଜମା ଆକାର ଅତି କ୍ଷୁଦ୍ର। ଏହା ପରଜୀବୀ ଓ ବିନା ଅମ୍ଳଜାନରେ ତିଷ୍ଠି ପାରେ, ବିଭିନ୍ନ ଆକାର ଧାରଣ କରିଥାନ୍ତି। ଉକ୍ତ ବାକ୍ଟେରିଆ ଯୋଗୁ ଗଳା, ଫୁସ୍‌ଫୁସ୍‌ ଓ ଶ୍ୱାସନଳୀର ଆସ୍ତରଣ କ୍ଷତିଗ୍ରସ୍ତ ହୁଏ। ଆକ୍ରାନ୍ତ ବ୍ୟକ୍ତିଙ୍କ ନାସା ଓ ଗଳାରେ ଏହି ବାକ୍ଟେରିଆ ରହିଥାନ୍ତି। ଏଥିରେ ପୀଡ଼ିତ ଜଣେ ବ୍ୟକ୍ତି ଛିଙ୍କିଲେ କିମ୍ବା କାଶିଲେ, ଉଦ୍ଭୂତ କଣିକା ନିକଟସ୍ଥ ସୁସ୍ଥ ବ୍ୟକ୍ତିର ଶରୀରରେ ପ୍ରବେଶ କରେ। ଏହି ପ୍ରକାରେ ମାଇକୋପ୍ଲାଜମାଜନିତ ନିମୋନିଆ (ଏମ୍‌. ନିମୋନିଆ) ବ୍ୟାପିଥାଏ। ଅବଶ୍ୟ ଅଳ୍ପ ସମୟ ପାଇଁ ପୀଡ଼ିତ ବ୍ୟକ୍ତି ସମୟ କଟାଇଲେ ଏହା ପ୍ରଭାବହୀନ ହେବା ସମ୍ଭାବନା ଅଧିକ। ସାଧାରଣତଃ ସ୍କୁଲ, କଲେଜ ଓ ଅନ୍ୟ ଯେଉଁ ସ୍ଥଳରେ ଭିଡ଼ ଜମିଥାଏ, ଏହା ସଂକ୍ରମଣ ପରିବ୍ୟାପ୍ତ ହୁଏ। ବିଶେଷତଃ ଥଣ୍ଡା, କାଶର ଶିକାର ହୋଇଥିବା ବିଦ୍ୟାଳୟ-ସ୍ତରର ପିଲା ଘରକୁ ଫେରି ଏକତ୍ର ରହିଲେ, ପରିବାର ସଦସ୍ୟମାନେ ବେମାରି ଏଡ଼ାଇ ପାରି ନ ଥାନ୍ତି। ସାଧାରଣତଃ ଏହି ପ୍ରକାର ରୋଗ ଗମ୍ଭୀର ନୁହେଁ। ଏଥିରୁ ଆରୋଗ୍ୟ ପାଇଁ ହସ୍ପିଟାଲରେ ଭର୍ତ୍ତି ହେବା ଅନାବଶ୍ୟକ। ଏପରି କି ଶେଯରେ ପଡ଼ିରହି ବିଶ୍ରାମ ନେବା ଦରକାର ହୋଇ ନ ଥାଏ। ତେଣୁ ଏହି ପ୍ରକାର ନିମୋନିଆ ଓ୍ବାକିଂ (କିମ୍ବା ଏଟିପିକାଲ) ନିମୋନିଆ ଭାବେ ପରିଚିତ। ଅବଶ୍ୟ ଏହା ଅସ୍ବସ୍ତିକର ଅବସ୍ଥାରେ ପକାଇ ଥାଏ, ଯଦିଚ ଏହା ସାମୟିକ। ବିଶେଷତଃ କର୍ମକ୍ଷେତ୍ରରେ ଏହା ଅସ୍ବଚ୍ଛନ୍ଦ ମନେହୁଏ। ଗଳା କର୍କଶ ହେବା, ବାରମ୍ବାର ନାସିକାରୁ ନିର୍ଗତ ଶ୍ଳେଷ୍ମା, କ୍ଲାନ୍ତି, ମୁଣ୍ଡବ୍ୟଥା, ନିଃଶ୍ୱାସ ପ୍ରଶ୍ୱାସବେଳେ ସୁସୁରିପରି ଶବ୍ଦ ଜାତ ହେବାରୁ କାର୍ଯ୍ୟଧାରା ବିଘ୍ନିତ ହୁଏ।
ତେବେ ଚାଇନା ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କଠାରୁ ପ୍ରକାଶ ଯେ, ସେଠାରେ ଉପରୋକ୍ତ ଏମ.ନିମୋନିଆ ହ୍ରାସ ପାଇଲାଣି। କିନ୍ତୁ ଅନ୍ୟପ୍ରକାରେ ଶ୍ୱାସକ୍ରିୟା ସହ ସମ୍ପୃକ୍ତ ରୋଗ ବ୍ୟାପୁଛି। ଏହାର କାରଣ ଭାବେ ଫ୍ଲୁ ଆଡେନୋଭାଇରସ୍‌ ଓ ରେସ୍ପିରେଟୋରି ସିଙ୍ଗିସିଆଲ ଭାଇରସ (ଆର୍‌ଏସ୍‌ଭି) ନାମକ ଏକ ଭୂତାଣୁ ଚିହ୍ନଟ ହୋଇପାରେ ବୋଲି ସନ୍ଦେହ କରାଯାଉଛି। ତେଣୁ ଏହି ବିଷୟରେ ଠିକ୍‌ ତଥ୍ୟ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ହୁ) ତରଫରୁ ମଗାଯାଇଛି। ଅବଶ୍ୟ ଚାଇନାର ଏହା ଏକ ନୂତନ ଅଜଣା ଭୂତାଣୁ ବୋଲି ସ୍ବୀକାର କରୁ ନାହିଁ। ଚାଇନା ସ୍ପଷ୍ଟୀକରଣ ଦେଉଛି ଦୀର୍ଘଦିନ ଧରି ଚାଇନାବାସୀ ଅତ୍ୟଧିକ କଠୋର କଟକଣା ମଧ୍ୟରେ ଥିଲେ। ଏହି ଆଚରଣବିଧି ଉଚ୍ଛେଦ ତ୍ୱରିତ ଭାବେ କରିବାରୁ ଲୋକଙ୍କ ପ୍ରତିରୋଧ ଶକ୍ତି ସମ୍ପ୍ରତି କମ୍‌ ରହିଛି। ଦିନେ ଏତାଦୃଶ ଘଟଣା ଯୁକ୍ତରାଷ୍ଟ୍ର ଓ ପାଶ୍ଚାତ୍ୟ ଦେଶରେ ମଧ୍ୟ ଦେଖାଦେଇଥିଲା। କିନ୍ତୁ ଏହା ସାମୟିକ, ଗମ୍ଭୀର ନୁହେଁ। (ହେଲ୍‌ଥ-ଲାଇନ, ୩୦ ନଭେମ୍ବର ୨୦୨୩।)
ଏହି ପ୍ରସଙ୍ଗରେ ଆର୍‌ଏସ୍‌ଭି, ଫ୍ଲୁ, ନିମୋନିଆ ମଧ୍ୟରେ ତୁଳନା ସମୀଚୀନ ହେବ। ଏହି ପ୍ରଭେଦ ଶିଶୁମାନଙ୍କ ବାପା-ମା’ ଓ ଅଭିଭାବକମାନଙ୍କ ସକାଶେ ଅଧିକ ଗୁରୁତ୍ୱ ବହନ କରେ। ଏହି ତିନୋଟି କ୍ଷେତ୍ରରେ ଲକ୍ଷଣ ନେଇ ଅନେକ ସାମଞ୍ଜସ୍ୟ ରହିଛି। ସର୍ଦ୍ଦି, କାଶ, ଏପରି କି କେତେକ କ୍ଷେତ୍ରରେ ଜ୍ୱର ଏକ ସାଧାରଣ ଲକ୍ଷଣ ହୋଇପାରେ।
ତେବେ ଫ୍ଲୁ ଇନ୍‌ଫ୍ଲୁଏଞ୍ଜା-ଭୂତାଣୁରୁ ହୋଇଥାଏ। ଏହାଦ୍ୱାରା ଜଣେ ଶ୍ୱାସକ୍ରିୟାଜନିତ ଅସୁସ୍ଥତାରେ ପୀଡ଼ିତ ହୁଏ। ସାଧାରଣତଃ ଏହା ଶୀତଋତୁରେ ଦେଖାଦିଏ। ଏଥିରୁ ଜଣକର ମୁଣ୍ଡ ଓ ଅନ୍ୟାନ୍ୟ ଅଙ୍ଗରେ ପୀଡ଼ାଜାତ ହୁଏ। ଜ୍ୱର ମଧ୍ୟ ହେବା ସମ୍ଭବ। ସାଧାରଣ ଥଣ୍ଡା ଓ ଫ୍ଲୁ ମଧ୍ୟରେ ପାର୍ଥକ୍ୟ ହେଉଛି ଯେ, ଲକ୍ଷଣକୁ ଭିତ୍ତିକରି ସେମାନଙ୍କ ମଧ୍ୟରେ ଏକା ଲକ୍ଷଣ ପ୍ରକଟ ହେଲେ ସୁଦ୍ଧା ଫ୍ଲୁ ଯୋଗୁ ଲକ୍ଷଣମାନ ଅଧିକ ମାତ୍ରାରେ ପରିଲକ୍ଷିତ ହୋଇଥାଏ। ବିଶେଷତଃ ଆଜ୍‌ମା, କ୍ରୋନିକ ଅବଷ୍ଟ୍ରକ୍‌ଟ୍ର୍ୟୁ ପୁଲମୋନରି ଡିଜିଜ୍‌ (ସିଓପିଡି), ବହୁମୂତ୍ର, ଏଡ୍‌ସ, କ୍ୟାନ୍‌ସର ପରି ରୋଗ ଦ୍ୱାରା ପ୍ରତିରୋଧକତା ହ୍ରାସ ହୋଇଥିଲେ, ସିକଲସେଲ୍‌ ଡିଜିଜ୍‌, ମେଦବୃଦ୍ଧି (ବଡି- ମାସ- ଇଣ୍ଟେକ୍ସ ଚାଳିଶରୁ ଅଧିକ ଥିଲେ), ପୀଡ଼ିତର ବୟସ ପାଞ୍ଚ ବର୍ଷରୁ କମ୍‌ କିମ୍ବା ପଞ୍ଚଷଠି ବର୍ଷରୁ ଅଧିକ ହେଲେ କିଡ୍‌ନୀ, ହୃଦ୍‌ରୋଗରେ ସମସ୍ୟା ଥିଲେ, ଏହି ବ୍ୟାଧି ପ୍ରତି ବିଶେଷ ସତର୍କ ରହିବା ବିଧେୟ। ଏହି ରୋଗ ପରୀକ୍ଷା ପାଇଁ ଫ୍ଲୁ କିମ୍ବା କୋଭିଡ୍‌୧୯ ଉପାଦେୟ ଉଲ୍ଲେଖନୀୟ ଯେ କିଛି ଶିଶୁଙ୍କ କ୍ଷେତ୍ରରେ ତରଳ ଝାଡ଼ା ଓ ବାନ୍ତି ମଧ୍ୟ ସମ୍ଭବପର।
ତିନିପ୍ରକାର ଇନ୍‌ଫ୍ଲୁଏଞ୍ଜା ଭୂତାଣୁ ଅଛି- ଏ, ବି, ସି। ଇନ୍‌ଫ୍ଲୁଏଞ୍ଜା ଏ ଏବଂ ବି ଋତୁକାଳୀନ (ଶୀତଋତୁ) ହୋଇଥିବା ବେଳେ ସି-ଶ୍ରେଣୀୟ ବେମାରି ଏତେ ଗୁରୁତର ନୁହେଁ ଓ ଏହା ବର୍ଷ ସାରା ଦେଖାଦିଏ। ସ୍ବାଇନ ଫ୍ଲୁ (ଏଚ୍‌-୧ ଏନ୍‌-୧) ଓ ବାର୍ଡ ଫ୍ଲୁ ଇନ୍‌ଫ୍ଲୁଏଞ୍ଜା ଉପ-ଭାଗରେ ଅନ୍ତର୍ଭୁକ୍ତ।
ଆର୍‌ଏସ୍‌ଭି ଏକ ସଂକ୍ରାମକ ରୋଗ। ଏହା ଶ୍ୱାସଯନ୍ତ୍ରକୁ କ୍ଷତି ପହଞ୍ଚାଏ। ନିମୋନିଆ ଓ ଶ୍ୱାସନିକା ପ୍ରବାହ (ବ୍ରୋଙ୍କାଇଟ୍‌ସ) ପରି ଅଧିକ ଗମ୍ଭୀର ବେମାରି ଆଡ଼କୁ ଏହା ବଢ଼ିପାରେ, ଯଦି ଉପଯୁକ୍ତ ପ୍ରତିକାରରେ ହେଳା କରାଯିବ। ପିଲାଙ୍କ ପାଇଁ ଏହା ଅଧିକ ସମ୍ବେଦନଶୀଳ। ପରିସ୍ରାର ପରିମାଣ ହ୍ରାସ ପାଏ। ନିର୍ଜଳୀକରଣ (ଡିହାଇଡ୍ରେଶନ) ପରିଦୃଷ୍ଟ ହୁଏ। ମାତ୍ରାଧିକ ଶ୍ଳେଷ୍ମର ଏହା ଏକ କାରକ। ନିମୋନିଆ ହେଲେ, ଶିଶୁଟିଏ ସାଧାରଣ ଥଣ୍ଡା ଅପେକ୍ଷା ଅଧିକ ରୁଗ୍‌ଣ ହୋଇଯାଏ। ଏହାର ନିଦାନ ପାଇଁ ବେଳେ ବେଳେ ଛାତିର ଏକ୍ସ-ରେ କରାଯାଏ।
ଉତ୍ତର ଚାଇନାରେ ସମ୍ପ୍ରତି ବ୍ୟାପୁଥିବା ଶ୍ୱାସ ପ୍ରଶ୍ୱାସ ସମ୍ବନ୍ଧୀୟ (ରେସ୍ପିରେଟରି ଇଲ୍‌ନେସ)। ଏହି ବେମାରି ପୃଷ୍ଠଭୂମିରେ ସାରା ବିଶ୍ୱ ନାନା ଭାବେ ଆଶଙ୍କା ବ୍ୟକ୍ତ କରୁଛି। ଆମେରିକାର ଲୁଇଜିନିଆ ଓ ସାଉଥ୍‌ କରୋଲିନାରେ ଏହି ରୋଗ କାରଣରୁ ଉଦ୍‌ବେଗ ପ୍ରକାଶ କରାଯାଇଛି। ଆଲବାମା, କାଲିଫର୍ନିଆ ଇତ୍ୟାଦି ରାଜ୍ୟରେ ସ୍ଥିତି ଗମ୍ଭୀର ହେବା ପରି ପ୍ରତୀତ ହେଉଛି। ୨୦୨୩ ନଭେମ୍ବରର ଶେଷ ସପ୍ତାହରେ ଶତକଡ଼ା ଛଅଭାଗ ଫ୍ଲୁ ପଜିଟିଭ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହା ହୁଏତ ଫ୍ଲୁ କୋଭିଡ୍‌, ଆର୍‌ଏସିଭି ପରି ଉତ୍କଟ ଶ୍ୱାସଜନିତ ବ୍ୟାଧି ଆଡ଼କୁ ମୁହଁାଇପାରେ। ତେଣୁ ଆମେରିକା ଚାଇନା ମଧ୍ୟରେ ଯାତାୟାତରେ କଟକଣା ଜାରି କରିବାକୁ ସିନେଟର ବହୁ ଜନପ୍ରତିନିଧି ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ଅନୁରୋଧ କରିଛନ୍ତି। ବିଶେଷତଃ ଚାଇନା ଯେପରି କୋଭିଡ୍‌-୧୯ ଭୂତାଣୁ ଲୁଚାଇଥିଲା ବର୍ତ୍ତମାନ ସେଇ ନୀତି ଅନୁସରଣ କରୁଥାଇ ପାରେ ବୋଲି ସେମାନେ ସୂଚାଇଛନ୍ତି।
ଆମ ଦେଶର କେନ୍ଦ୍ର ସରକାର ମଧ୍ୟ ଶ୍ୱାସକ୍ରିୟାଜନିତ ରୋଗର ସମ୍ଭାବ୍ୟ ପୁନରାବୃତ୍ତି ବିଷୟରେ ସତର୍କ ହେବା ସହ ଯଥେଷ୍ଟ ପ୍ରତିଷେଧକ ବ୍ୟବସ୍ଥା ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା କାଳରେ ଯେମିତି ପଦକ୍ଷେପ ନିଆଯାଇଥିଲା, ତାହାର ସମ୍ଭାବିତ ପୁନରାଗମନ ହୋଇଥାଇପାରେ ବୋଲି କେତେକ ମହଲ ଅନୁମାନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ସତର୍କ ରହିବା ଓ ସ୍ବଚ୍ଛତା ଅବଲମ୍ବନ କରିବା ଆମର ଧ୍ୟେୟ ହେଉ।
୨୦୧୯ରେ ଚାଇନା କୋଭିଡ୍‌ ଆବିର୍ଭାବ ବିଷୟ ଦୀର୍ଘକାଳ ଲୁଚାଇ ଥିବାରୁ ଭାରତ ସମେତ ଅନ୍ୟ ରାଷ୍ଟ୍ରମାନେ ତା’ର ସାମ୍ପ୍ରତିକ ସ୍ପଷ୍ଟୀକରଣକୁ ବିଶ୍ୱାସ କରୁନାହାନ୍ତି। ତେବେ କରୋନା- ଆଶଙ୍କା ଅମୂଳକ ହୋଇପାରେ ବୋଲି କେତେକ ବିଶେଷଜ୍ଞଙ୍କ ମତ।

  • ଡ. ନିଖିଳାନନ୍ଦ ପାଣିଗ୍ରାହୀ
    ମୋ: ୯୦୭୮୭୪୩୮୪୩

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri