ପିଲାଙ୍କ ପିକ୍‌ନିକ୍‌

ସମ୍ପ୍ରତି ଶୀତର ପ୍ରକୋପ ଟିକିଏ ବଢ଼ୁଥିବା ବେଳେ ଖ୍ରୀଷ୍ଟମାସ ଛୁଟି ପାଳନ ଅବସରରେ ମା’ବାପାଙ୍କ ସହ ପିଲାଙ୍କ ବୁଲାବୁଲି ଆରମ୍ଭ ହୋଇଯାଇଛି। ପିଲାଙ୍କ ବିଦ୍ୟାଳୟ ଛୁଟି ରହୁଥିବାରୁ ଇଂଲିଶ ନୂଆବର୍ଷକୁ ବିଦାୟ ସହ ଆଗାମୀ ବର୍ଷକୁ ସ୍ବାଗତ କରିବା ପାଇଁ ପ୍ରାୟତଃ ଅଧିକାଂଶ ପରିବାରରେ ବାର୍ଷିକ ଭ୍ରମଣ ଛୁଟିର ଯୋଜନା ରହିଥାଏ। ପିଲାମାନେ ଲଗାତର ଭାବରେ ଅଧ୍ୟୟନ କରିବା ପରେ ଟିକିଏ ଖୁସି ଓ ଆନନ୍ଦ ପାଇବା ପାଇଁ ମା’ବାପାଙ୍କ ସହ ବା ଘରର ଆତ୍ମୀୟ ସ୍ବଜନଙ୍କ ସହ ପିକ୍‌ନିକ୍‌କୁ ମନ ବଳାଇଥାନ୍ତି। ତେବେ ପିକ୍‌ନିକ୍‌ର ପୂର୍ବରୁ ଓ ପରବର୍ତ୍ତୀ ଯାତ୍ରାର ଯୋଜନା ସହ ସ୍ବାସ୍ଥ୍ୟଗତ ପରିବେଶରେ ବୁଲାବୁଲି ଓ ଖାଇବା ପିଇବା ଦିଗକୁ ଯଥେଷ୍ଟ ସଚେତନ ହେବା ଜରୁରୀ। ଶୀତଦିନେ ପିକ୍‌ନିକ୍‌ ପଡ଼ୁଥିବାରୁ ଭ୍ରମଣ ଯୋଜନା ଥିବା ସ୍ଥାନଟି ଯେପରି ଅତ୍ୟଧିକ ଥଣ୍ଡା ନ ହୋଇଥାଏ ସେ ଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ। କାରଣ ପ୍ରାୟତଃ ଶୀତଦିନେ ଅଧିକାଂଶ ପିଲାମାନଙ୍କର ଜ୍ୱରଠାରୁ ଝାଡ଼ା, ବଦ୍‌ହଜମୀ ସହ ଅନ୍ୟାନ୍ୟ ଶାରୀରିକ ସମସ୍ୟା ଦେଖାଯାଇଥାଏ। ତେବେ ପିଲାଙ୍କୁ ପିକ୍‌ନିକ୍‌ ନେବାବେଳେ ସମସ୍ତ ଦିଗକୁ ଭଲ ଭାବେ ଯୋଜନାବଦ୍ଧ ଭାବେ ପରିଚାଳନା କଲେ ଏହା ପିଲାମାନଙ୍କ ସ୍ବାସ୍ଥ୍ୟପ୍ରତି କୌଣସି ଅଘଟଣ ପାଇଁ ସମ୍ଭବ ହୋଇପାରିବ ନାହିଁ। ଆପଣମାନେ ପିକ୍‌ନିକ୍‌ ଯାଉଥିବା ସ୍ଥାନକୁ ସେ ସ୍ଥାନର ପାଣିପାଗ ଓ ଭୌଗୋଳିକ ଜ୍ଞାନ ସମ୍ପର୍କରେ ତଥ୍ୟ ରଖନ୍ତୁ। ଶୀତଦିନେ ଅକସ୍ମାତ୍‌ ବର୍ଷା ହୋଇଗଲେ ପିଲାଟି ଯଦି ତିନ୍ତିଥାଏ ତା’ହେଲେ ଅଦିନିଆ ତିନ୍ତା ପାଇଁ ଜ୍ୱର ବା କେତେକ କ୍ଷେତ୍ରରେ ଟନ୍‌ସିଲାଇଟିସ୍‌ ସମସ୍ୟା ବି ଦେଖାଦିଏ।
ପିଲାଙ୍କୁ ପିକ୍‌ନିକ୍‌ ନେଉଥିବା ପୂର୍ବରୁ ବି ପ୍ରସ୍ତୁତି ଅଛି। ଦୂର ଯାତ୍ରା କରୁଥିଲେ ପିଲାଙ୍କୁ ଟ୍ରେନ୍‌ରେ ନେବା ସମୟରେ ସତର୍କ ରହିଥାନ୍ତୁ। ମୋଟର ଗାଡ଼ିରେ ଅଳ୍ପଦୂର ସ୍ଥାନକୁ ଯାତ୍ରା କରୁଥିଲେ ଯଦି ଆପଣଙ୍କର ବଡ଼ି ସକାଳୁ ଯିବାର ଯୋଜନା ଥାଏ ତେବେ ପୂର୍ବରାତ୍ରିରୁ ପିଲାଙ୍କୁ କୌଣସି ଗରିଷ୍ଠ ଖାଦ୍ୟ ଦିଅନ୍ତୁ ନାହିଁ। ପିଲାଙ୍କୁ ବିଳମ୍ବରେ ନ ଶୁଆଇ ବରଂ ଯଥା ସମ୍ଭବ ଶୀଘ୍ର ଶୁଆଇ ଦେଲେ ସେମାନେ ଯାତ୍ରା ସମୟରେ ଅନିଦ୍ରା କାରଣରୁ ଢୋଳାଇବେ ନାହିଁ। ସେହିପରି ଗରିଷ୍ଠ ଖାଦ୍ୟ ଦେଇଥିଲେ ପିଲାଟି ପ୍ରସ୍ତୁତି ସମୟରେ କୋଷ୍ଠକାଠିନ୍ୟର ସମସ୍ୟାକୁ ସମ୍ମୁଖୀନ ହେବନାହିଁ। ସକାଳୁ ସକାଳୁ ଯାତ୍ରା କରୁଥିବାରୁ ପିଲାମାନଙ୍କୁ ଭଲ ଭାବେ ଶୁଖାଯାଇଥିବା ଶୀତବସ୍ତ୍ର ପିନ୍ଧାନ୍ତୁ। କାଲୁଆ ପବନଠାରୁ କାନକୁ ଦୂରେଇବା ପାଇଁ ପିଲାଙ୍କୁ ମଙ୍କି କ୍ୟାପ୍‌ ବା ମଫଲର ପିନ୍ଧାନ୍ତୁ। ସବୁଠାରୁ ବଡ଼କଥା ହେଉଛି ଖାଦ୍ୟପେୟ। ଘରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟ ନିହାତି ଭଲ ତେବେ ଏହାର ପ୍ରସ୍ତୁତି ଓ ଏହାକୁ ନେଉଥିବା ବାସନକୁସନ ଓ ଟିଫିନ୍‌ର ପରିଷ୍କାର ଦିଗକୁ ନଜର ଦିଅନ୍ତୁ। ନଚେତ୍‌ ଏହା ଖାଦ୍ୟକୁ ବିଷାକ୍ତ କରିଦେବାର ସମସ୍ୟା ଦେଖାଯାଏ। ବାହାରେ ରୋଷେଇକରି ଖାଇଲେ ବି ଭଲ। ତେବେ ପିକ୍‌ନିକ୍‌ ସ୍ଥାନର କୌଣସି ଆବଦ୍ଧ ଜଳ ବ୍ୟବହାର ନ କରି ଖାଦ୍ୟ ପ୍ରସ୍ତୁତିରେ ବିଶୁଦ୍ଧ ଜଳ ବ୍ୟବହାର କରନ୍ତୁ। ପିଲାମାନଙ୍କୁ ପିକ୍‌ନିକ୍‌ ସମୟରେ ଅଧିକ ପରିମାଣରେ ଖାଦ୍ୟ ନ ଦେଇ ବରଂ କମ୍‌ କମ୍‌ ଖାଦ୍ୟ ଦେଇ ଅଧିକ ଥର ଦେବା ଭଲ। ଫାଷ୍ଟଫୁଡ୍‌, ଚିପ୍‌ସ, ଚକୋଲେଟଠାରୁ ଦୂରେଇ ରହିବା ଭଲ। ପିଲାମାନଙ୍କୁ କୌଣସି ପରିସ୍ଥିତିରେ ଥଣ୍ଡା ପାନୀୟ ବା ଆଇସିକ୍ରିମ୍‌ ଦେବେନାହିଁ। ସେହିପରି ପିଲାଟି ଯେପରି ବିଶୁଦ୍ଧ ପାଣି ପିଇବାକୁ ପାଏ ସେ ଦିଗକୁ ବି ନଜର ଦେଇଥାନ୍ତୁ। ପିକ୍‌ନିକ୍‌ ଯାଉଥିଲେ ପିଲାଟିର କୌଣସି ଶାରୀରିକ ରୋଗ ଯଥା ଶ୍ୱାସ, ବଦ୍‌ହଜମୀ ସମସ୍ୟା, ଶାରୀରିକ ପୀଡ଼ା ଆଦି ସମସ୍ୟା ଥାଏ ତେବେ ପିଲାଟିକୁ ବୁଲାଇ ନେବା ପୂର୍ବରୁ ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବା ନିହାତି ଜରୁରୀ। ଆପଣଙ୍କ ପିକ୍‌ନିକ୍‌ ଗାଡ଼ିରେ ଫାଷ୍ଟଏଡ୍‌ ସହ ଆଗୁଆ ଭାବରେ ପିଲାଟି ପାଇଁ ହଜମ ସିରପ୍‌ ବା ଟାବଲେଟ୍‌, ଶ୍ୱାସ ଥିଲେ ଇନ୍‌ହେଲର ସ୍ପ୍ରେ, ଜ୍ୱର, ଝାଡ଼ା, ବାନ୍ତି ଆଦି ପାଇଁ ଔଷଧ ନେଲେ ଏହା ଅକସ୍ମାତ୍‌ କାମରେ ଲାଗିପାରେ। ପିଲାମାନଙ୍କୁ ପିକ୍‌ନିକ୍‌ ଭୋଜିରେ ଆମିଷ ଖାଦ୍ୟ ଦେଉଥିଲେ ଖୁବ୍‌ କମ୍‌ ତ ଦେବା ସବୁଠୁ ଭଲ ତେବେ ଏହା ଯେପରି ଭଲ ଭାବେ ସିଝିଥାଏ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ଏହି ଋତୁରେ ପିଲାମାନଙ୍କୁ ଅଧିକ କଦଳୀ ଦିଅନ୍ତୁ ନାହିଁ। ପିକ୍‌ନିକ୍‌ ସ୍ଥାନରେ କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଲେ ନିକଟସ୍ଥ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରର ସହାୟତା ନିଅନ୍ତୁ। ଟ୍ରେନ୍‌ରେ ଯାଉଥିଲେ ଷ୍ଟେଶନରେ ରହୁଥିବା ଡାକ୍ତରଙ୍କ ପରାମର୍ଶ ତତ୍କାଳ ଜରୁରୀ। ଶୀତଦିନେ ପିକ୍‌ନିକ୍‌ ଯାତ୍ରାବେଳେ ପିଲାମାନେ ଯେପରି କୁହୁଡିକୁ ସମ୍ମୁଖୀନ ନ ହୁଅନ୍ତି ସେ ଦିଗ ପ୍ରତି ନଜର ଦିଅନ୍ତୁ। ଧୂଳି ଓ ଧୂଆଁ ବି ପିଲାମାନଙ୍କ ପାଇଁ ଘାତକ ହୋଇପାରେ। ପିକ୍‌ନିକ୍‌ ସ୍ଥାନରେ ଉଚ୍ଚଶବ୍ଦର ମାଇକ୍‌ ବା ଡେକ୍‌ରେ ସଙ୍ଗୀତ ପରିବେଷଣରୁ ନିବୃତ୍ତ ରୁହନ୍ତୁ, କାରଣ ପିଲାମାନଙ୍କ ପାଇଁ ଏହା ଶ୍ରୁତିକଟୁ ହୋଇପାରେ। ତେବେ କମ୍‌ ଶବ୍ଦର ଗୀତ ଶୁଣିବା କିଛି ଖରାପ ନୁହେଁ। ହଁ, ପିଲାମାନଙ୍କ ପିକ୍‌ନିକ୍‌ ସ୍ପଟ୍‌ରେ ଜଳପ୍ରପାତ ଓ ଉଚ୍ଚସ୍ଥାନ ବା ପାହାଡ଼ୀ ପାହାଚରେ ନେଉଥିବା ସମୟରେ ପିଲାଟି ଉପରେ ନଜର ରଖନ୍ତୁ। ବେଳେ ବେଳେ କେତେଜଣ ପିଲାଙ୍କଠାରେ ମୁଣ୍ଡ ବୁଲାଇବା ଦେଖାଯାଇଥାଏ। ମୁଣ୍ଡ ଗୁଞ୍ଜିବାକୁ ଘର ନ ଥିବା ଓ ହାଡ଼ଭଙ୍ଗା ଶୀତ ସମୟରେ ଶୀତବସ୍ତ୍ର ଖଣ୍ଡେ ନ ପାଉଥିବା ପିଲାମାନଙ୍କ ବୟସର ଅର୍ଥାତ୍‌ ପିଲାମାନଙ୍କ କଥା ବି ଭାବନ୍ତୁ। କେତେଜଣ ପିଲା ସେହି ଦୁଃଖରେ ଶଢ଼ୁଥିବା ଭାଇ ଭଉଣୀଙ୍କ ପ୍ରତି ନିଜ ସଞ୍ଚତ୍ତ ଅର୍ଥରୁ କିଛି ବି କିଣି ଦେଇଥାନ୍ତି। ଦେଖିବେ ଆପଣଙ୍କ ପିଲାଟିର ଏହି କୁନି ଅଥଚ ମହତ୍‌ ସେବାର ଚିନ୍ତାଧାରା ପରବର୍ତ୍ତୀ ଜୀବନରେ ତାଙ୍କୁ ଭଲ ମଣିଷଟିଏ ଗଢ଼ି ତୋଳିବାରେ ସକ୍ଷମ ହେବ। ପିଲାଙ୍କୁ ପିକ୍‌ନିକ୍‌ ନିଅନ୍ତୁ ଆଉ ସବୁଦିଗରୁ ସଚେତନ ହୋଇ ଯାତ୍ରା କଲେ ଦେଖିବେ ପିଲାଟିର କିଛି ବି ହେବନାହିଁ ବରଂ ଆପଣମାନଙ୍କ ଯାତ୍ରା ଅତ୍ୟନ୍ତ ଖୁସି ଓ ଆନନ୍ଦର ହିଁ ହେବ।

– ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ
ପ୍ରଫେସର ଓ ବିଭାଗୀୟ ମୁଖ୍ୟ, ଶିଶୁରୋଗ ବିଭାଗ, ଫକୀରମୋହନ ମେଡିକାଲ କଲେଜ, ବାଲେଶ୍ୱର
ମୋ:୯୪୩୭୧୨୪୦୭୪


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri