ରାଜନୈତିକ ପ୍ରଭୁ ଭକ୍ତି

ଭାରତ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର। ତେବେ ଗତ କିଛି ଦିନ ଧରି ଦେଶରେ ଯେଉଁ ଘଟଣାକ୍ରମ ଦେଖିବାକୁ ମିଳୁଛି ତାହା ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଉପହାସ କରିବା ପରି ପ୍ରତୀୟମାନ ହେଉଛି। ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ୩ ପ୍ରମୁଖ ଅଙ୍ଗ ହେଉଛି ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା। ଚତୁର୍ଥ ଅଙ୍ଗଟି ଗଣମାଧ୍ୟମ। ମୁଖ୍ୟତଃ ରାଜନୈତିକ ନେତୃବୃନ୍ଦଙ୍କୁ ନେଇ ବ୍ୟବସ୍ଥାପିକା ଗଠିତ। ଆଇନ ପ୍ରଣୟନଠାରୁ ଆରମ୍ଭକରି ଦେଶର ବିକାଶ, କଲ୍ୟାଣ ପାଇଁ ନୀତି ନିର୍ଦ୍ଧାରଣ ଓ ରାଷ୍ଟ୍ରର ସୁପରିଚାଳନା ଦାୟିତ୍ୱ ବ୍ୟବସ୍ଥାପିକା ଉପରେ ନ୍ୟସ୍ତ। ଏହି କାରଣରୁ ଏହା ପ୍ରଥମ ସ୍ତମ୍ଭର ମାନ୍ୟତା ପାଇଛି। ବ୍ୟବସ୍ଥାପିକାର ନିଷ୍ପତ୍ତି କାର୍ଯ୍ୟକାରୀ କରିବାର ଦାୟିତ୍ୱ କାର୍ଯ୍ୟପାଳିକାର ଓ ଏ ସମସ୍ତ ବିଷୟର ତର୍ଜମା ଦାୟିତ୍ୱ ନ୍ୟାୟପାଳିକା ଉପରେ ନ୍ୟସ୍ତ। ତେବେ ଦେଶରେ ବ୍ୟବସ୍ଥାପିକା ଗତ କିଛି ବର୍ଷ ହେଲା ରାଜନୈତିକ ପ୍ରଭୁ ଭକ୍ତିରେ ପରିଣତ ହୋଇଯାଇଥିବା ପରିଲକ୍ଷିତ ହେଉଛି। ରାଜାଙ୍କ ଉଚ୍ଚାରଣକୁ ଯଦି ଆଇନ ବୋଲି ଧରାଯାଏ, ତେବେ ସେହି ବ୍ୟବସ୍ଥାରେ ଏବେ ଭାରତୀୟ ଗଣତନ୍ତ୍ର ପରିଚାଳିତ ହେଉଥିବା ପରିଲକ୍ଷିତ ହେଉଛି।
ନିର୍ବାଚନୀ ବଣ୍ଡ୍‌ ସମ୍ପର୍କରେ ଭାରତୀୟ ଷ୍ଟେଟ ବ୍ୟାଙ୍କର କାର୍ଯ୍ୟଧାରା ଏପ୍ରକାର ପ୍ରଭୁଭକ୍ତିର ଏକ ଉଦାହରଣ କହିଲେ ଅତ୍ୟୁକ୍ତି ହେବ ନାହିଁ। ସରକାର ୨୦୧୮ରେ ନିର୍ବାଚନ ବଣ୍ଡ୍‌ ପ୍ରଚଳନ କରିଥିଲେ। ନିକଟରେ ଏହି ବଣ୍ଡ୍‌ ବ୍ୟବସ୍ଥାକୁ ସୁପ୍ରିମକୋର୍ଟ ଅସାମ୍ବିଧାନିକ ଦର୍ଶାଇ ରଦ୍ଦ କରିବା ସହ ଏହାର ମୁଖ୍ୟ ପରିଚାଳକ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ସମସ୍ତ ତଥ୍ୟ ସର୍ବସାଧାରଣଙ୍କ ଗୋଚରାର୍ଥେ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଲେ। ପ୍ରଥମେ ଏହି ତଥ୍ୟ ଦେବାକୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ସମୟ ମାଗିଲେ। ଏଥିପାଇଁ ଯେଉଁ କାରଣଟି ଦର୍ଶାଇଲେ ତାହା ହେଲା ଏତେ କମ୍‌ ସମୟରେ ବିବରଣୀ ଦେବା ସମ୍ଭବ ନୁହେଁ। ପରେ ସୁପ୍ରିମକୋର୍ଟର କଡ଼ା ଆଭିମୁଖ୍ୟ ଯୋଗୁ ୨୪ ଘଣ୍ଟା ମଧ୍ୟରେ ବ୍ୟାଙ୍କ ଏହି ତଥ୍ୟ ଦାଖଲ କଲେ। କିନ୍ତୁ ଅଧାପନ୍ତରିଆ ତଥ୍ୟ ଦେଲେ। ମାମଲା ପୁଣି ସୁପ୍ରିମକୋର୍ଟ ଆସିଲା। ପୁନର୍ବାର ଅଦାଲତ ନିର୍ଦ୍ଦେଶ ଯୋଗୁ ବ୍ୟାଙ୍କ ଆଲଫା ନ୍ୟୁମରିକ କୋଡ୍‌ ସାର୍ବଜନୀନ କଲେ। ଯେଉଁ ବ୍ୟାଙ୍କ ଜୁନ୍‌ ପୂର୍ବରୁ ତଥ୍ୟ ଦେବାକୁ ଅସମର୍ଥ ଥିଲା ସେହି ବ୍ୟାଙ୍କ ତ୍ୱରିତ ଭାବେ କିପରି ତଥ୍ୟ ପ୍ରଦାନ କଲେ ? ତେଣୁ ଏ ବାବଦରେ ବ୍ୟାଙ୍କ ନିଶ୍ଚିତ ଭାବେ ମିଛ କହିଥିବା ଜଣାପଡ଼ୁଛି। ଏହି ମିଛ କାହା ଇଙ୍ଗିତରେ ଓ କାହାକୁ ସୁରକ୍ଷା ଦେବାକୁ କରାଯାଇଥିଲା ? ଶାସକ ଦଳକୁ ସୁରକ୍ଷା ଦେବାକୁ ଯାଇ ବ୍ୟାଙ୍କ ମିଛ ପନ୍ଥାର ଆଶ୍ରୟ ନେଇଥିବା କୁହାଯାଇପାରେ। କାରଣ ଶାସକ ଦଳ ନିର୍ବାଚନ ବଣ୍ଡ୍‌ରୁ ସର୍ବାଧିକ ଅର୍ଥ ଦଳ ପାଣ୍ଠିକୁ ଆଣିପାରିଛି। ଏଥିପାଇଁ ଏହାକୁ ମୂଳରୁ ଅସ୍ବଚ୍ଛ ରଖିବା ପାଇଁ ଉଦ୍ୟମ ହୋଇଛି।
ଏବେ ଦେଖିବା କଂଗ୍ରେସର ଦଳୀୟ ବ୍ୟାଙ୍କ ଆକାଉଣ୍ଟ ଅଚଳ କରାଯିବା ଘଟଣାକୁ। କଂଗ୍ରେସ ହେଉଛି ଦେଶର ପ୍ରମୁଖ ରାଜନୈତିକ ଦଳ। ସ୍ବାଧୀନତା ସଂଗ୍ରାମ ସମୟରୁ ଏହି ଦଳ ରହିଆସିଛି। ଅନେକ ଥର ଦେଶର ଶାସନ କ୍ଷମତାରେ ରହିଛି। ଆୟକର ରିଟର୍ନ ଦାଖଲ କରି ନ ଥିବା ଅଭିଯୋଗରେ ଆୟକର ବିଭାଗ ଦଳର କେତେକ ଆକାଉଣ୍ଟ ଅଚଳ କରିବା ପିଲାଳିଆମି କାର୍ଯ୍ୟାନୁଷ୍ଠାନ ପରି ମନେହୁଏ। ମୁଣ୍ଡ ଉପରେ ଲୋକ ସଭା ନିର୍ବାଚନ। ଦଳୀୟ କାର୍ଯ୍ୟକଳାପ ପାଇଁ ପାଣ୍ଠି ଆବଶ୍ୟକ। ଏପରି ଏକ ସମୟରେ ରାଜନୈତିକ ଦଳର ଆକାଉଣ୍ଟ ଅଚଳ କରାଯିବା ବିବେକାନୁମୋଦିତ କାର୍ଯ୍ୟ ହୋଇ ନ ପାରେ। ଭାରତୀୟ ନିର୍ବାଚନ କମିଶନରେ ନିକଟରେ ତରବରିଆ ଭାବେ ଦୁଇ ନୂଆ କମିଶନର ନିଯୁକ୍ତି ପାଇଲେ। ଏହାକୁ ବିରୋଧ କରି ଅଦାଲତରେ ମାମଲା ଦାୟର ହେଲା ଏବଂ ନିଯୁକ୍ତି ଉପରେ ସ୍ଥଗିତାଦେଶ ପାଇଁ ନିବେଦନ କରାଗଲା। ତେବେ ଅଦାଲତ ନିଯୁକ୍ତି ଉପରେ ନିଷେଧାଦେଶ ଜାରି କରିବା ପାଇଁ ମନା କରିଥିଲେ। କାରଣ ଦର୍ଶାଇଥିଲେ ଯେ ମୁଣ୍ଡ ଉପରେ ନିର୍ବାଚନ। ସ୍ଥଗିତାଦେଶ ଯୋଗୁ ନିର୍ବାଚନ ପ୍ରକ୍ରିୟା ବିଗିଡ଼ି ଯାଇପାରେ। ବୋଧହୁଏ ଦେଶର ବୃହତ୍ତର ସ୍ବାର୍ଥକୁ ଆଖି ଆଗରେ ରଖି ଅଦାଲତ ଏହି ନିଷ୍ପତ୍ତି ନେଇଥିଲେ। ଏହାକୁ ବିବେକାନୁମୋଦିତ ରାୟ ବୋଲି କୁହାଯାଇପାରେ। ତେବେ ଏହି ମାମଲାଟି ଚାଲୁ ରହିବ। କଂଗ୍ରେସର ଆକାଉଣ୍ଟ ଅଚଳ ପରିପ୍ରେକ୍ଷୀରେ ଆୟକର ବିଭାଗ ଅନ୍ତତଃ ସୁପ୍ରିମକୋର୍ଟଙ୍କ ଉପରୋକ୍ତ ବିବେକକୁ ଅନୁପାଳନ କରିବା ଆବଶ୍ୟକତା ଥିଲା। ନିର୍ବାଚନ ସମୟରେ ରାଜନୈତିକ ଦଳର ଆକାଉଣ୍ଟ ଅଚଳ ଗଣତାନ୍ତ୍ରିକ ପ୍ରକ୍ରିୟାର ପରିପନ୍ଥୀ। ନିର୍ବାଚନ ପୂର୍ବରୁ ବା ପରେ ଏପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିଥାନ୍ତା। ନିର୍ବାଚନ ମଝିରେ ଏପ୍ରକାର ପଦକ୍ଷେପ ଏକ ପ୍ରମୁଖ ରାଜନୈତିକ ଦଳରେ ଅଙ୍କୁଶ ଲଗାଇବା ସଦୃଶ। ଷ୍ଟେଟ୍‌ ବ୍ୟାଙ୍କ ଓ ଆୟକର ବିଭାଗ ଅର୍ଥ ମନ୍ତ୍ରଣାଳୟ ନିୟନ୍ତ୍ରଣାଧୀନ ହୋଇଥିବାରୁ ଏହା କାହା ଇଙ୍ଗିତରେ ପରିଚାଳିତ ତାହା ସୁସ୍ପଷ୍ଟ।
ଏବେ ଦେଖିବା ତାମିଲନାଡ଼ୁ ରାଜ୍ୟପାଳଙ୍କ ଆଚରଣ। ତାମିଲନାଡ଼ୁର ଜଣେ ମନ୍ତ୍ରୀ କେ. ପୋନମୁଡ଼ି ନିମ୍ନଅଦାଲତରେ ଦୋଷୀ ସାବ୍ୟସ୍ତ ହେଲେ। ଦୋଷ ଅନୁଯାୟୀ ଦଣ୍ଡାଦେଶ ପ୍ରଦାନ କରାଗଲା। କିନ୍ତୁ ସୁପ୍ରିମକୋର୍ଟ ଏହି ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କଲେ। ଅର୍ଥାତ ଯେ ପର୍ଯ୍ୟନ୍ତ ରହିତାଦେଶ ରହିବ ସେ ପର୍ଯ୍ୟନ୍ତ ସମ୍ପୃକ୍ତ ମନ୍ତ୍ରୀଙ୍କୁ ଦୋଷୀ କୁହାଯାଇପାରିବ ନାହିଁ। ରହିତାଦେଶ ପରେ ସମ୍ପୃକ୍ତ ମନ୍ତ୍ରୀଙ୍କୁ ପୁନର୍ବାର ମନ୍ତ୍ରୀ ଭାବେ ଶପଥ ଦେବା ପାଇଁ ରାଜ୍ୟପାଳଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ମଧ୍ୟ ରାଜ୍ୟପାଳ ଆର୍‌.ଏନ୍‌ ରବି ତାହା ଗ୍ରହଣ କରି ନ ଥିଲେ। ଯୁକ୍ତି ଦର୍ଶାଇଥିଲେ ଯେ, ଏହା ଏକ ନୀତିହୀନ କାର୍ଯ୍ୟ ହେବ। ମାମଲା ସୁପ୍ରିମକୋର୍ଟ ଆସିଲା। ଅଦାଲତ ଏଥିରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାରୁ ରାଜ୍ୟପାଳ ସମ୍ପୃକ୍ତ ବିଧାୟକଙ୍କୁ ମନ୍ତ୍ରୀ ଭାବେ ଶପଥ ପାଠ କରାଇଥିଲେ। ଏ କ୍ଷେତ୍ରରେ ଅଦାଲତ ନିର୍ଦ୍ଦେଶକୁ ଏଡ଼ାଇଯିବା ପାଇଁ ରାଜ୍ୟପାଳ ଦୁଃସାହସ କରିଥିଲେ। ଏ ସାହସ ରାଜ୍ୟପାଳ କେଉଁଠାରୁ ପାଇଲେ ? କୁହାଯାଇପାରେ କେନ୍ଦ୍ର ସାହସ ବଳରେ ସେ ଅଦାଲତଙ୍କ ହାତ ମୋଡ଼ିବାକୁ ଚେଷ୍ଟା କରିଥିଲେ। ଏ କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନ ମାନି, ଶପଥ ପାଠ ନ କରାଇ ରାଜ୍ୟପାଳ ଯଦି ନିଜ ପଦବୀରୁ ଇସ୍ତଫା ଦେଇଥାନ୍ତେ ତାହାଲେ ସେ ନିଜ ନୈତିକତାର ସଂଜ୍ଞାରେ ଅଟଳ ରହିଛନ୍ତି ବୋଲି କୁହାଯାଇ ପାରିଥାନ୍ତା।
ଭାରତୀୟ ଜନତା ପାର୍ଟି ଶାସନ କାଳରେ ପଶ୍ଚିମବଙ୍ଗ ରାଜ୍ୟପାଳ ପଦରୁ ଉନ୍ନୀତ ହୋଇ ଜଗଦୀପ ଧନକର ଉପରାଷ୍ଟ୍ରପତି ହେଲେ। ତାଙ୍କର ରାଜ୍ୟପାଳ ସମୟ ବେଶି ବିବାଦୀୟ ଥିଲା। ନିକଟରେ ଆପ୍‌ ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂହଙ୍କୁ ଶପଥ ପାଠ କରାଇବାକୁ ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ଅଧ୍ୟକ୍ଷ ଧନକର ମନା କରିଦେଲେ। ସଞ୍ଜୟ ପୂର୍ବ କାର୍ଯ୍ୟକାଳ ସମୟରେ ଗୃହରୁ ନିଲମ୍ବିତ ହୋଇଥିବା ଏବଂ ତାଙ୍କ ବିରୋଧରେ ଏକ ସ୍ବାଧିକାର ମାମଲା ଥିବାରୁ ଶପଥ ପାଠ କରାଇବାକୁ ଉପରାଷ୍ଟ୍ରପତି ଅଗ୍ରାହ୍ୟ କରିଥିଲେ। ପରେ ଅଦାଲତ ନିର୍ଦ୍ଦେଶରେ ଉପରାଷ୍ଟ୍ରପତି ତାଙ୍କୁ ଶପଥ ପାଠ କରାଇବାକୁ ବାଧ୍ୟ ହୋଇଥିଲେ। ପୂର୍ବ କାର୍ଯ୍ୟକାଳ ସମୟର କଥା ନୂଆ କାର୍ଯ୍ୟକାଳରେ ଅଧ୍ୟକ୍ଷ କହିବାର କୌଣସି ତାତ୍ପର୍ଯ୍ୟ ନାହିଁ। ରାଜ୍ୟପାଳ, ଉପରାଷ୍ଟ୍ରପତି ପ୍ରମୁଖ ନିଜ ନିଯୁକ୍ତିଦାତା ରାଜନୈତିକ ପ୍ରଭୁଙ୍କ ପ୍ରତି ସମ୍ପ୍ରତି ଏତେଟା ଅନୁରକ୍ତ ହୋଇ ପଡ଼ୁଛନ୍ତି ଯେ, ଗଣତାନ୍ତ୍ରିକ ବ୍ୟବସ୍ଥାର ମର୍ଯ୍ୟାଦା ଭୁଲି ଯାଉଛନ୍ତି। ଆଇନର ଶାସନ ବ୍ୟବସ୍ଥାକୁ ଉପେକ୍ଷା କରି ଚାଲିଛନ୍ତି। ଏପରିକି ସର୍ବୋଚ୍ଚ ଅଦାଲତଙ୍କ ହାତ ମୋଡ଼ିବା ପାଇଁ ଚେଷ୍ଟା କରୁଛନ୍ତି। ସମ୍ବିଧାନକୁ ଏପରି ଢଙ୍ଗରେ ବ୍ୟାଖ୍ୟା କରିବାକୁ ଚାହୁଁଛନ୍ତି, ଯାହା ନିଜର ରାଜନୈତିକ ପ୍ରଭୁଙ୍କୁ ସନ୍ତୁଷ୍ଟ କରିପାରିବ। ଅନେକ କେନ୍ଦ୍ରୀୟ ସଂସ୍ଥା ମଧ୍ୟ ଅନୁରୂପ ଆଚରଣ ଦେଖାଉଛନ୍ତି। ମାମଲା ଅଦାଲତକୁ ଯାଉଛି। ଏ ବାବଦକୁ ବିପୁଳ ଅର୍ଥ ବ୍ୟୟ ହେଉଛି। ଅନେକ ଘଟଣାରେ ଅନ୍ତର୍ଜାତୀୟ ପ୍ରତିକ୍ରିୟା ପ୍ରକାଶ ପାଉଛି। ଏହାକୁ ଦେଶର ଆଭ୍ୟନ୍ତରୀଣ ମାମଲା ବୋଲି ଲୁଚାଇବାକୁ ଚେଷ୍ଟା କରାଯାଉଛି। ତେବେ ଏହା ବେଶି ଦିନ ଲୁଚି ରହିପାରିବ ନାହିଁ। ଏହି କାରଣରୁ ଭାରତୀୟ ଗଣତନ୍ତ୍ରର ଭାବମୂର୍ତ୍ତି ଅନ୍ତର୍ଜାତୀୟ ସ୍ତରରେ ହ୍ରାସ ପାଉଥିବା ପରିଲକ୍ଷିତ ହେଲାଣି।

– ସୌଭାଗ୍ୟ ସୁନ୍ଦରରାୟ
ମୋ:୯୪୩୭୨୨୯୨୩୩


Enter your email to get our daily news in your inbox.

All Right Reserved By Dharitri.Com

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?