ଗଞ୍ଜାମ,୯ା୯(ବିଦ୍ୟାଧର ସାହୁ): ଚଳିତ ମାସ ୧୪ରେ ପାଳିତ ହେବ ଅଗ୍ର୍ୟ ପୂଜ୍ୟ ମହାବିନାୟକ ଗଣେଶ ପୂଜା l ଚଳିତ ବର୍ଷ ଗଣେଶ ପୂଜା ନିମନ୍ତେ କଡା ଆଭିମୁଖ୍ୟ ଗ୍ରହଣ କରିଛି ଗଞ୍ଜାମ ଥାନା ପୋଲିସ l ଏଥିପାଇଁ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ବିଭିନ୍ନ ସାହି ପୂଜା ପରିଚାଳନା କମିଟିକୁ ନେଇ ଏକ ପ୍ରସ୍ତୁତି ବୈଠକ ବୁଧବାର ଅନୁଷ୍ଠିତ ହୋଇଥିଲା। ଛତ୍ରପୁର ଏସ୍ଡିପିଓ ଚନ୍ଦନ ଘଡ଼ାଇ, ଆଇଆଇସି ସୁମିତ୍ରା ପାତ୍ର, ଅତିରିକ୍ତ ଥାନା ଆଇଆଇସି ଶୁଭଲକ୍ଷ୍ମୀ କହଁର, ଏସ୍ଆଇ ଅନିରୁଦ୍ଧ ସ୍ବାଇଁ, ଏଏସ୍ଆଇ ସୁଦୀପ୍ତ ସାହୁ, ମହିଳା ଏଏସ୍ଆଇ ସୁପ୍ରଭା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଥାନା ଅଧୀନରେ ପାଳିତ ହେଉଥିବା ସମସ୍ତ ଗାଁ ଓ ସାହିର ପୂଜା ପରିଚାଳନା କମିଟିକୁ ପ୍ରଶାସନ ପକ୍ଷରୁ ହୋଇଥିବା ବିଭିନ୍ନ ନିୟମାବଳୀ ଆଇଆଇସି ପାତ୍ର ବୁଝାଇଥିଲେ। ଡିଜେ ଶୋଭାଯାତ୍ରା ସମ୍ପୂର୍ଣ୍ଣ ନିଷେଧ କରାଯାଇଥିଲା। ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନିୟମାବଳୀ ଅନୁସାରେ ପୂଜା କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ପୂଜା ସମୟରେ ଉଚ୍ଚ ଶବ୍ଦରେ ସାଉଣ୍ଡ ନ ବଜାଇବା, ସର୍ବସାଧାରଣ ରାସ୍ତା ଅବରୋଧ ନ କରିବା,ବିଶୃଙ୍ଖଳା ନ କରିବା, ଆଦି କଟକଣା ଜାରି କରିଛି ପୋଲିସ। ଏଥିସହ ନିର୍ଦ୍ଧାରିତ ସମୟରେ ବିସର୍ଜନ କରିବା ଏବଂ ବିସର୍ଜନ ସମୟରେ ନିଶା ସେବନ ନ କରି ପାରମ୍ପରିକ ବାଦ୍ୟ ବାଜଣା ତଥା ଘଣ୍ଟ ମୃଦଙ୍ଗ ଓ ଗିନି ଦ୍ୱାରା ଶୋଭାଯାତ୍ରା କରିବାକୁ ପରାମର୍ଶ ଦିଆଯାଇଛି। କିନ୍ତୁ ଆଇନ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍ଡିପିଓ ଘଡ଼ାଇ ସୂଚନା ଦେଇଛନ୍ତି।

