ହାଟଡିହୀ/ଛେନାପଦୀ,୫ା୧୧(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନାରେ ଉତ୍ତରପ୍ରଦେଶ ପୋଲିସ୍ ପହଞ୍ଚି ଯାଜପୁର ଜିଲା ଯଖପୁରା ଥାନା ଦଶମାଣିଆ ଗ୍ରାମର ଦୁର୍ଦ୍ଦାନ୍ତ ଅପରାଧୀ ଅର୍ଜୁନ ପ୍ରଧାନ ସମ୍ପର୍କରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛି। ଗୁରୁବାର ଅପରାହ୍ନରେ ୟୁପିର ଅଲିଗଡ଼ ଜିଲା ଇଗଲାସ ଥାନାର ଏସଆଇ ରାଜେନ୍ଦ୍ର ସିଂ ଏବଂ କ୍ରିଷ୍ଣା ଟିଓଟିଆ ନନ୍ଦିପଦା ଥାନାରେ ପହଞ୍ଚି ଅର୍ଜୁନ ନାମରେ ରହିଥିବା ମାମଲାଗୁଡ଼ିକର ଛାନଭିନ୍ କରିଥିଲେ।
ଏସଆଇ ରାଜେନ୍ଦ୍ର ସିଂଙ୍କ କହିବା ଅନୁଯାୟୀ, ଇଗଲାସ ଥାନାରେ ଜିତେନ୍ଦ୍ର ବାଲିୟାଁ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ୨୦୨୪ ଏପ୍ରିଲ ୭ ରେ ଅର୍ଜୁନ ନାମରେ ହତ୍ୟା ଉଦ୍ୟମ ଏବଂ ଆର୍ମସ ଆକ୍ଟରେ ମାମଲା (ନଂ ୧୮୮) ରୁଜୁ ହୋଇଥିଲା। ପରବର୍ତ୍ତୀ ସମୟରେ, ୨୦୨୬ ସେପ୍ଟେମ୍ବର ୨୮ ରେ ଅଲିଗଡ଼ କୋର୍ଟଙ୍କ ତରଫରୁ ଅର୍ଜୁନଙ୍କ ସମ୍ପତ୍ତି ଜବତ କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ଏହି ନିର୍ଦ୍ଦେଶ ଅନୁସାରେ ୟୁପି ପୋଲିସ୍ ଅପରାଧୀ ଅର୍ଜୁନର ଗ୍ରାମକୁ ଯାଇଥିବା ବେଳେ, ସେଠାରୁ ଖବର ପାଇ ନନ୍ଦିପଦା ଥାନାକୁ ଆସି ତଥ୍ୟ ସଂଗ୍ରହ କରିଥିଲା।
ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୩ ତାରିଖରେ ନନ୍ଦିପଦା ପୋଲିସ୍ ଏନକାଉଣ୍ଟରରେ ଅର୍ଜୁନ ଆହତ ହୋଇଥିଲା, ଯାହାକୁ ନେଇ ନନ୍ଦିପଦା ଥାନାରେ ମାମଲା (ନଂ ୩୯୦/୨୦୨୬) ରୁଜୁ ହୋଇଥିଲା। ଏହା ବ୍ୟତୀତ ଗତ ସେପ୍ଟେମ୍ବର ୨୭ ତାରିଖରେ ସୋସୋ ଥାନା ଅଞ୍ଚଳରେ ଗୁଳି ଫୁଟାଇ ଜଣେ ସୁନା ବ୍ୟବସାୟୀଙ୍କଠାରୁ ଲୁଟ୍ କରିବା ନେଇ ମଧ୍ୟ ଅର୍ଜୁନ ନାମରେ ମାମଲା (ନଂ ୧୭୮/୨୦୨୬) ରହିଛି। ଅର୍ଜୁନ ନାମରେ ରାଜ୍ୟ ଏବଂ ରାଜ୍ୟ ବାହାରେ ପ୍ରାୟ ୩୦ଟି ଅପରାଧିକ ମାମଲା ରହିଥିବା ପୋଲିସ୍ ସୂଚନା ଦେଇଛି। ଇନସ୍ପେକ୍ଟର ବଳିଆ ବାରିକଙ୍କ କହିବା ଅନୁଯାୟୀ, ଥାନାଧିକାରୀ ଧର୍ମେନ୍ଦ୍ର କୁମାର ଶାନ୍ତିଙ୍କ ନିର୍ଦ୍ଦେଶ ଅନୁସାରେ ଅପରାଧୀ ଅର୍ଜୁନ ନାମରେ ରହିଥିବା ମାମଲାଗୁଡ଼ିକର ସମସ୍ତ ତଥ୍ୟ ୟୁପି ପୋଲିସକୁ ପ୍ରଦାନ କରାଯାଇଛି।

