ଜି.ଉଦୟଗିରି,୫ା୧୧ (ଚିନ୍ମୟ କୁମାର ସେଠି): କନ୍ଧମାଳ ଏବଂ ଗଞ୍ଜାମ ଜିଲା ସୀମାନ୍ତ ବାଇବାଲି ପଞ୍ଚାୟତର ଗିଡ଼ିପାବାଲି ଗ୍ରାମରେ ଘଟିଥିବା ଭୟଙ୍କର ଭୂସ୍ଖଳନ ସ୍ଥାନରେ ଗୁରୁବାର ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରଶାସନକୁ ମିଳିଛି ବଡ଼ ସଫଳତା। ମାଟି ତଳେ ନିଖୋଜ ଥିବା ୧୩ ଜଣ ଆଦିବାସୀଙ୍କ ମଧ୍ୟରୁ ପୂର୍ବରୁ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆହୁରି ୧୧ ଜଣ ମାଟି ତଳେ ପୋତି ହୋଇ ରହିଥିଲେ। ପୂର୍ବରୁ ପ୍ରଶାସନ ପକ୍ଷରୁ ୪ ଦିନ ଧରି ଉଦ୍ଧାର କାର୍ଯ୍ୟ କରାଯିବା ପରେ ତାହା ସ୍ଥଗିତ ରଖାଯାଇ ନିଖୋଜଙ୍କ ଉଦ୍ଦେଶ୍ୟରେ କୃତ୍ରିମ ମୃତଦେହ ସତ୍କାର କରିବାକୁ ସରକାର ଯୋଜନା କରିଥିଲେ। ମାତ୍ର ବୁଧବାର ସମ୍ପର୍କୀୟମାନେ ପ୍ରକୃତ ମୃତଦେହ ଉଦ୍ଧାର ପରେ ହିଁ ମୃତଦେହ ସତ୍କାର କରାଯିବ ବୋଲି ଅଡ଼ି ବସିବାରୁ ଶେଷରେ ପ୍ରଶାସନ ପୁନର୍ବାର ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ବାଧ୍ୟ ହୋଇଥିଲା।
ଗୁରୁବାର ସକାଳୁ ଜି. ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ର ଓ ବିଡିଓ ସତ୍ୟ ନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଓଡ୍ରାଫ, ଅଗ୍ନିଶମ ଓ ଏସଓଜିର ମିଳିତ ୮୦ ଜଣିଆ ଉଦ୍ଧାରକାରୀ ଦଳ ସହିତ ମୃତକଙ୍କ ସମ୍ପର୍କୀୟମାନେ ଭୂସ୍ଖଳନ ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତହସିଲଦାରଙ୍କ ପ୍ରତ୍ୟକ୍ଷ ତଦାରଖରେ ବହୁ ସମୟ ଧରି ମାଟି ଖୋଳାଖୋଳି ପରେ ସେଠାରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଗୋଟିଏ ପରିବାରର ସମସ୍ତ ୫ ଜଣ ସଦସ୍ୟ ଘର ଭିତରେ କମ୍ବଳ ଘୋଡ଼େଇ ଶୋଇଥିବା ଅବସ୍ଥାରେ ମାଟି-ପଥର ତଳେ ଚାପି ହୋଇ ରହିଥିବା ଦେଖାଯାଇଥିଲା।
ଉଦ୍ଧାର କରାଯାଇଥିବା ମୃତକମାନେ ହେଲେ ବିଜୟ ପ୍ରଧାନ, ତାଙ୍କ ସ୍ତ୍ରୀ ଭୂମିକା ପ୍ରଧାନ, ଦୁଇ ଝିଅ ବିଜୟଲକ୍ଷ୍ମୀ ପ୍ରଧାନ, ରାଜଲକ୍ଷ୍ମୀ ପ୍ରଧାନ ଏବଂ ପୁଅ ଅରୁଣ ପ୍ରଧାନ। ପ୍ରାପ୍ତ ସୂଚନା ଅନୁସାରେ, ଉଦ୍ଧାର କରାଯିବା ପରେ ସେହି ପରିବାରର ସମସ୍ତ ସଦସ୍ୟଙ୍କ ଶେଷକୃତ୍ୟ ଘଟଣାସ୍ଥଳରେ ହିଁ ସମ୍ପନ୍ନ କରାଯାଇଥିବା ନେଇ ମୃତ ବିଜୟଙ୍କ ସାନ ଭାଇ ଅଜୟ ପ୍ରଧାନ ସୂଚନା ଦେଇଛନ୍ତି। ଅନ୍ୟ ନିଖୋଜମାନଙ୍କୁ ଖୋଜିବା ପାଇଁ ଶୁକ୍ରବାର ସକାଳୁ ପୁଣି ଉଦ୍ଧାର କାର୍ଯ୍ୟ ଜାରି ରହିବ ବୋଲି ତହସିଲଦାର ସମୁଦ୍ର ମିଶ୍ର ସୂଚନା ଦେଇଛନ୍ତି।

