ବଲାଙ୍ଗୀର, ୨୩।୭(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପ ପ୍ରଭାବିତ କୁମିଆଁପାଲି ଗାଁରେ ଉତ୍ତେଜନା ବଢ଼ିବାରେ ଲାଗିଛି। ବୁଧବାର ବିଳମ୍ବିତ ରାତିରେ ଗାଁର ୭ ଜଣ ଆଦିବାସୀ ନେତାଙ୍କୁ ପୋଲିସ ଉଠାଇ ନେଇଥିବା ଜଣାପଡିଛି। ଆଦିବାସୀ ନେତା ପ୍ରେମରାଜ ବରିହା, ରାମଚନ୍ଦ୍ର ବରିହା, ଡମ୍ବରୁଧର ବରିହା, ଡୋଳାମଣି ବରିହା, ଗନ୍ଧର୍ବ ବରିହା, ଚନ୍ଦ୍ରମଣି ବରିହା, କନ୍ଦର୍ପ ବରିହାଙ୍କୁ ପୋଲିସ ଉଠାଇ ନେଇଥିବା କୁହାଯାଇଛି। ଜିଲା ପ୍ରଶାସନ ଏହି ଗାଁର ଲୋକଙ୍କୁ ବିସ୍ଥାପିତ କରିବାକୁ ଦୁଇଦିନ ହେଲା ଉଦ୍ୟମ କରୁଥିଲା। ତେବେ ଗାଁ ଲୋକେ ପ୍ରଶାସନକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଥିଲେ । ଗାଁର ୮୪ ଆଦିବାସୀ ପରିବାର ଆନ୍ଦୋଳନରେ ବସିଥିଲେ ।
ଡ୍ୟାମ ଠେଲା ପାଣି ମାଡି ଆସୁଥିବାରୁ ଗାଁ ଲୋକଙ୍କୁ ବିସ୍ଥାପିତ କରିବା ଜରୁରୀ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ୭ ଜଣ ଆଦିବାସୀ ନେତାଙ୍କୁ ଉଠାଇ ନେବା ପରେ ଗାଁ ମହିଳା ଓ ଅନ୍ୟମାନେ ଗାଁ ମଣ୍ଡପରେ ପ୍ରତିବାଦ କରି ଧାରଣା ଜାରି ରଖିଛନ୍ତି। ସେମାନେ କୌଣସି ପରିସ୍ଥିତିରେ ଗାଁ ଛାଡିବେ ନାହିଁ ବୋଲି କହିଛନ୍ତି। ଅନ୍ୟ ପକ୍ଷରେ ପ୍ରଶାସନ ପକ୍ଷରୁ ଆଜି ପୁଣି ବିସ୍ଥାପନ ଉଦ୍ୟମ କରାଯିବ ବୋଲି ସଜବାଜ ଆରମ୍ଭ ହୋଇଛି।

