ପୋଲିସର ବିଶ୍ୱସନୀୟତା

ଅନିଲ ବିଶ୍ୱାଳ

 

ସମାଜରେ ଶାନ୍ତି ବଜାୟ ରଖିବା, ଆପରାଧିକ ତତ୍ତ୍ୱମାନଙ୍କୁ ନିୟନ୍ତ୍ରଣ କରିବା, ସାଧାରଣ ଲୋକମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଏକ ଗଣତାନ୍ତ୍ରିକ ରାଷ୍ଟ୍ର ବା ରାଜ୍ୟର ଦାୟିତ୍ୱ। ଗୋଟିଏ ଅଞ୍ଚଳରେ ଯେତେ ଅର୍ଥନୈତିକ ବିକାଶ ହେଉନା କାହିଁକି ଯଦି ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ୍‌ ନାହିଁ କିମ୍ବା ପୋଲିସ ଲାଞ୍ଚୁଆ ବା ଦୁର୍ନୀତିଖୋର, ତା’ହେଲେ ସେଠାରେ ସାଧାରଣ ଲୋକ କେବେବି ଶାନ୍ତିରେ ରହିପାରିବେ ନାହିଁ। ଗୋଟିଏ ରାଜ୍ୟ ହେଉ ବା ଦେଶ, ସେଠାରେ ଆଭ୍ୟନ୍ତରୀଣ ଶାନ୍ତିଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ କରିବାରେ ପୋଲିସର ବଡ଼ ଭୂମିକା ଥାଏ। ସମ୍ବିଧାନର ଧାରା ସପ୍ତମ ଅନୁଚ୍ଛେଦ ଅନୁସାରେ ପୋଲିସ ବା ଆଇନଶୃଙ୍ଖଳା ହେଉଛି ସମ୍ପୂର୍ଣ୍ଣ ଭାବରେ ରାଜ୍ୟ ସରକାରଙ୍କର ଦାୟିତ୍ୱ। ଏଥିରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିପାରିବେ ନାହିଁ। କେନ୍ଦ୍ର ସରକାର କେବଳ ଆତଙ୍କବାଦୀ କାର୍ଯ୍ୟକଳାପ, ଦେଶର ଅଖଣ୍ଡତା ବା ସାର୍ବଭୌମତା ବିରୋଧ ମାମଲାରେ ହସ୍ତକ୍ଷେପ କରିପାରିବେ। ବାକି ସାଧାରଣ ଆଇନଶୃଙ୍ଖଳା ମାମଲା ଯଥା ହତ୍ୟା, ବଳାତ୍କାର, ଚୋରି, ମାରପିଟ ଏସବୁକୁ ନିୟନ୍ତ୍ରଣ କିମ୍ବା ତଦନ୍ତ କରିବା ହେଉଛି ରାଜ୍ୟ ପୋଲିସର ଦାୟିତ୍ୱ ପରିସରଭୁକ୍ତ। ହେଲେ ପୋଲିସ ବିଭାଗ ଠିକ୍‌ଠାକ୍‌ ତା’ ଦାୟିତ୍ୱ ନିଭାଉଛି କି ନାହିଁ, ସାଧାରଣ ଲୋକମାନଙ୍କର ପୋଲିସ ଉପରେ ବିଶ୍ୱାସ ଅଛି କି ନାହିଁ, ତାହା ଏବେ ଏକ ବିତର୍କର ବିଷୟ।
ସାଧାରଣତଃ କୁହାଯାଏ ଡାକ୍ତରଖାନା ଏବଂ ଥାନା କେବେ ବନ୍ଦ ହୁଏ ନାହିଁ। ଯେମିତି ଡାକ୍ତର ଚିକିତ୍ସା କଲା ବେଳେ ଦେଖେ ନାହିଁ ଯେ ରୋଗୀ ଜଣକ କେଉଁ ଧର୍ମର, କେଉଁ ଜାତିର, ସେମିତି ପୋଲିସ ନିଜର କର୍ତ୍ତବ୍ୟ କଲାବେଳେ ସେତିକି ନିରପକ୍ଷ ଭାବରେ କାମ କରିବା କଥା। ଏକଥା ସମ୍ବିଧାନ କହୁଛି, ଗଣତାନ୍ତ୍ରିକ ଭାବନାର ମୂଳରେ ମଧ୍ୟ ସେକଥା ରହିଛି। ହେଲେ ସେପରି ହେଉଛି କି? ପୋଲିସ ନିରପକ୍ଷ ନା ପ୍ରଭାବଶାଳୀ ଗୋଷ୍ଠୀମାନଙ୍କର ହୁକୁମଧାରୀ ବର୍ଗ ତାହା ଉପରେ ତର୍ଜମା କରିବା ଆବଶ୍ୟକ। ବିଭିନ୍ନ ରାଜନୈତିକ ଚାପ ପୋଲିସର ନିରପକ୍ଷତା ଉପରେ ବାଧକ ସାଜୁଛି କି ? କୌଣସି ଆପରାଧିକ ମାମଲାରେ ଅପରାଧୀ ଯେତେ ଶକ୍ତିଶାଳୀ ହେଉନା କାହିଁକି ପୋଲିସ ସେମାନଙ୍କ ଉପରେ ମୁକ୍ତ ଭାବରେ କାର୍ଯ୍ୟାନୁଷ୍ଠାନ ନେଇପାରୁଛି କି? ଏମିତି ଅନେକ ପ୍ରଶ୍ନ ଆମ ସାମ୍ନାରେ ଉଙ୍କି ମାରୁଛି, ଯାହା ଉପରେ ଆଲୋଚନା କରିବା ଦରକାର।
ରାଜ୍ୟରେ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ଜଣେ ପୋଲିସ କର୍ମଚାରୀ ନିଜ ସର୍ଭିସ ବନ୍ଧୁକରୁ ହତ୍ୟା କଲେ। ତାଙ୍କୁ ଘଟଣା ସ୍ଥଳରୁ ଗିରଫ କରାଗଲା। ସାରା ରାଜ୍ୟବାସୀ ଜାଣିଲେ ଯେ ହତ୍ୟାକାରୀ କିଏ। ହେଲେ କାହିଁକି ସେ ଜଣେ ଏତେ ବଡ଼ ମନ୍ତ୍ରୀଙ୍କୁ ହତ୍ୟା କଲା, ତାହା ହତ୍ୟାକାଣ୍ଡର ଅନେକ ଦିନ ପରେ ବି ଲୋକମାନେ ଜାଣିପାରୁ ନାହାନ୍ତି। ଅନେକ କିଛି କଥା ସାଧାରଣରେ ଚର୍ଚ୍ଚା ହେଉଛି। ହତ୍ୟା ପଛରେ ରାଜନୀତିରୁ ନେଇ ବ୍ୟବସାୟିକ କାରଣ ମଧ୍ୟ ଉଠୁଛି। ହେଲେ ପୋଲିସ ଏହି ଘଟଣାର ଷଡ଼ଯନ୍ତ୍ର ଉନ୍ମୋଚନ ପାଇଁ ଯେଭଳି ଉଦ୍ୟମ କରିବା କଥା, ସେପରି କଲା ଭଳି ହୃଦ୍‌ବୋଧ ହେଉନାହିଁ।
କୌଣସି ସ୍ଥାନରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ହେଲେ ଲୋକେ ସାଧାରଣରେ କୁହନ୍ତି ଯେ ଆକ୍ରମଣ ବ୍ରିଟିଶ ପୋଲିସଠାରୁ ବଳିଗଲା। ଅର୍ଥାତ୍‌ ଇଂରେଜ ସମୟରେ ପୋଲିସ ଭାରତୀୟମାନଙ୍କ ଉପରେ ଅତ୍ୟାଚାର କରୁଥିଲା। ପୋଲିସ ବ୍ୟବସ୍ଥା ଭାରତରେ ପ୍ରଥମେ ୧୮୬୦ରେ ଇଂରେଜ ଶାସନରେ ଆରମ୍ଭ ହେଲା। ଏବେ ବି ଓଡ଼ିଶା ପୋଲିସ ଓ୍ବେବ୍‌ସାଇଟରେ ଓଡ଼ିଶା ପୋଲିସ ଆକ୍ଟ ୧୮୮୮ ମୂଳ ନିୟମ ଭାବରେ ଉପଲବ୍ଧ ରହିଛି। ଦେଶ ସ୍ବାଧୀନ ହୋଇଛି ସତ, ଔପନିବେଶିକତାର ଛାପ ଆମ ବ୍ୟବସ୍ଥାରୁ ହଟିନାହିଁ। ପୋଲିସ ବ୍ୟବସ୍ଥା ଲାଗୁ କରିବା ପଛରେ ଇଂରେଜମାନଙ୍କର ଏକମାତ୍ର ଲକ୍ଷ୍ୟ ଥିଲା ଯେ ଭାରତୀୟମାନେ ପୋଲିସ ବେଶରେ ଆସିକି ଇଂରେଜମାନେ ଯାହା ଚାହୁଁଥିଲେ ତାହା ହିଁ କରିବେ। ସେତେବେଳେ ରାଇଟ ଟୁ ଅଫେନ୍ସ ନିୟମ ଥିଲା ଅର୍ଥ ପୋଲିସର ଲୋକମାନଙ୍କ ଉପରେ ଆକ୍ରମଣ କରିବାର ନିୟମ ରହିଥିଲା। ଯେତେବେଳେ ଲାଲା ଲଜ୍‌ପତ ରାୟ ସାଇମନ କମିଶନଙ୍କ ବିରୋଧରେ ଆନ୍ଦୋଳନ କରୁଥିଲେ, ସେତେବେଳେ ପୋଲିସ ତାଙ୍କୁ ଆକ୍ରମଣ କରି ମାରିଦେଇଥିଲା। ପୋଲିସର ଏହି ଅମାନୁଷିକତା ବିରୋଧରେ ଶହୀଦ ଭଗତ୍‌ ସିଂ ଏକ ମକଦ୍ଦମା କରିଥିଲେ। ହେଲେ ଲାଲା ଲଜ୍‌ପତ ରାୟଙ୍କ ଉପରେ ପୋଲିସ କରିଥିବା ଆକ୍ରମଣ ଯଥାର୍ଥ ବୋଲି ରାୟ ଆସିଥିଲା। ସେତେବେଳର ସେହି ଅବସ୍ଥା ଓ ଆଜିର ପରିସ୍ଥିତି ଭିତରେ କିଛି ବଦଳିଛି କି? ପୋଲିସ ଆଜି ଲୋକଙ୍କ ପାଇଁ କାମ କରୁଛି ନା ଯିଏ ଶାସନରେ ବସିଛି ତାଙ୍କ ସ୍ବାର୍ଥରେ କାମ କରୁଛି ତାହା ଏକ ବଡ଼ ପ୍ରଶ୍ନ। ମନ୍ତ୍ରୀଙ୍କ ହତ୍ୟାକାଣ୍ଡର ତଦନ୍ତ ଠିକ୍‌ଠାକ ହେଉନଥିବା ଅଭିଯୋଗରେ ଭାଜପା ଯୁବମୋର୍ଚ୍ଚା ବିକ୍ଷୋଭ କରିଥିଲା। ଘଟଣାସ୍ଥଳରେ ପୋଲିସ ସହିତ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହେଲା। ପରେ ସେଠାରେ ଏମିତି କିଛି ଚିତ୍ର ଦେଖିବାକୁ ମିଳିଲା, ଯାହା ପୋଲିସ ଉପରେ ଅନେକ ପ୍ରଶ୍ନ ଠିଆ କରିଛି। କିଛି ସାଦା ପୋଷାକଧାରୀ ଲୋକ ପୋଲିସଙ୍କର ସୁରକ୍ଷା ବଳୟ ଭିତରେ ରହି ବିକ୍ଷୋଭକାରୀମାନଙ୍କୁ ଆକ୍ରମଣ କରୁଥିଲେ। ସେହି ସାଦା ପୋଷାକଧାରୀ ଲୋକମାନେ କିଏ? ସେମାନେ ପୋଲିସ ନା ଆଉ କିଏ? ଯଦି ସେମାନେ ପୋଲିସ ବିଭାଗର କର୍ମଚାରୀ ନୁହନ୍ତି, ତା’ହେଲେ ସେମାନଙ୍କୁ ପୋଲିସ କାହିଁକି ସୁରକ୍ଷା ବଳୟରେ ରଖି ଆକ୍ରମଣର ସୁଯୋଗ ଦେଇଥିଲା। ଜଣେ ପୋଲିସ କର୍ମଚାରୀ ନିଜର ଜୋତା ଖୋଲି ଆକ୍ରମଣ କରୁଥିବାର ଚିତ୍ର ଗଣମାଧ୍ୟମରେ ପ୍ରସାରିତ ହେଲା। ପ୍ରଶ୍ନ ଉଠୁଛି, ପୋଲିସ କାହିଁକି ଶାସକ ଦଳର ବିରୋଧୀମାନଙ୍କୁ ନିଜର ବିରୋଧୀ ବୋଲି ଭାବୁଛି?
ଯେମିତି ନ୍ୟାୟପାଳିକା ବ୍ୟବସ୍ଥାକୁ ଏକ ସ୍ବତନ୍ତ୍ର ଭାବରେ ନିରପକ୍ଷ ରହିବା ପାଇଁ ଯଥେଷ୍ଟ ବ୍ୟବସ୍ଥା ସମ୍ବିଧାନରେ କରାଯାଇଛି, ପୋଲିସ ବ୍ୟବସ୍ଥାକୁ ମଧ୍ୟ ସେମିତି ନିରପେକ୍ଷତା ରଖିବା ପାଇଁ ନିୟମ କରିବାକୁ ପଡ଼ିବ। ଭାରତୀୟ ଦଣ୍ଡବିଧାନ ଧାରାର ଅନୁଚ୍ଛେଦ ୧୫୪(୧) ଅନୁସାରେ ପୋଲିସ ଏଫ୍‌ଆଇଆର ପଞ୍ଜୀକରଣ କରିବା ପାଇଁ ବାଧ୍ୟ। ପୋଲିସର କାମ ହେଉଛି ପ୍ରଥମେ ଏଫ୍‌ଆଇଆରକୁ ପଞ୍ଜୀକରଣ କରିବ, ପରେ ଘଟଣାର ତଦନ୍ତ କରି ଅଭିଯୋଗ ସତ୍ୟ-ଅସତ୍ୟ ତାହା ନିର୍ଣ୍ଣୟ କରିବ। ହେଲେ ଓଡ଼ିଶାରେ ତ ଏଫ୍‌ଆଇଆର ପଞ୍ଜୀକରଣ ପାଇଁ ମଧ୍ୟ ଅଦାଲତରେ ଗୁହାରି କରିବା ପାଇଁ ପଡୁଛି। ନିକଟରେ ଜଣେ ବିଧାୟକଙ୍କ ବିରୋଧରେ ଜଣେ ଯୁବତୀ ବଳାତ୍କାର, ଯୌନ କେଳେଙ୍କାରୀ ଅଭିଯୋଗ ନେଇ ପୋଲିସରେ ଏଫ୍‌ଆଇଆର ଦେଇଥିଲେ। ହେଲେ ପୋଲିସ ଅଭିଯୋଗ ରଖିଲା ନାହିଁ। ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ପୋଲିସ ଏଫ୍‌ଆଇଆର ପଞ୍ଜୀକରଣ କଲା। କଟକ ଜିଲାରେ ଦୁଇଟି ହତ୍ୟାକାଣ୍ଡରେ ଜଣେ ମନ୍ତ୍ରୀଙ୍କ ନାଁରେ ମଧ୍ୟ ପୋଲିସ ଏଫ୍‌ଆଇଆର ରଖିଲା ନାହିଁ। ପରେ ଅଦାଲତଙ୍କ ନିର୍ଦ୍ଦେଶରେ ପୁଣି ପୋଲିସ ମନ୍ତ୍ରୀଙ୍କ ନଁାକୁ ମୁଦାଲା ତାଲିକାରେ ଯୋଡ଼ିଲା। ପ୍ରଶ୍ନ ଉଠୁଛି ପୋଲିସ କାହିଁକି ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିପାରୁନାହିଁ? କାହିଁକି କ୍ଷମତା ଆଗରେ ନିଜକୁ ସମର୍ପଣ କରିଦେଉଛି? ସାଧାରଣ ଲୋକ ପାଇଁ ପୋଲିସର ହାବଭାବ ଅଲଗା, ପ୍ରଭାବଶାଳୀ ଲୋକଙ୍କ ପାଇଁ ହାବଭାବ ଅଲଗା କି? ପୋଲିସ ଅଫିସରମାନଙ୍କ ଭିତରେ ପଦୋନ୍ନତିର ଆଶା, ଆଉ କିଛି ସୁବିଧା ସୁଯୋଗର ଲାଳସା ସେମାନଙ୍କୁ ସେମାନଙ୍କର ସାମ୍ବିଧାନିକ ଦାୟନ୍‌ିତ୍ୱଠାରୁ ଦୂରେଇ ନେଇ ଯାଉନାହିଁ ତ? ଓଡ଼ିଶାରେ ଦଣ୍ଡବିଧାନ ହାର ହେଉଛି ମାତ୍ର ୫%। ଅର୍ଥାତ୍‌ ମାତ୍ର ୫% ଘଟଣାରେ ଅପରାଧୀ ଦଣ୍ଡ ପାଉଛି ବାକି ୯୫% ଘଟଣାରେ ଖସି ଯାଉଛି। ପଡ଼ୋଶୀ ରାଜ୍ୟ ଆନ୍ଧ୍ରରେ ହେଉଛି ୮୪%, ଦିଲ୍ଲୀରେ ୮୬%, ଜାମ୍ମୁ-କଶ୍ମୀର ଭଳି ରାଜ୍ୟରେ ୭୭%। ତା’ହେଲେ ଆମ ପୋଲିସ ବ୍ୟବସ୍ଥାରେ କେଉଁଠି ତ୍ରୁଟି ବିଚ୍ୟୁତି ରହିଯାଉଛି ଯେ ଅପରାଧୀମାନେ ଦଣ୍ଡ ପାଉନାହାନ୍ତି ତାହା ଉପରେ ଚିନ୍ତା କରାଯିବା ଆବଶ୍ୟକ। ନହେଲେ ପୋଲିସ ଉପରେ ଲୋକମାନଙ୍କର ବିଶ୍ୱାସ ରହିବନି।
ହରିରାଜପୁର, ପୁରୀ
ମୋ: ୯୪୩୮୫୭୯୨୯୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବ୍ରିହନମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ଦ୍ୱାରା ପ୍ରସାଦରୁ ପାଓ୍ବାର ଉତ୍ପାଦନ କରାଯାଇଛି । ଲାଲବାଗ୍‌ଚା ବାଗ୍‌ରେ ବିଭିନ୍ନ ଗଣେଶ ପୂଜା ମଣ୍ଡପରେ ବର୍ଜ୍ୟ ଭାବେ ୩୦ ଟନ…

ଓଡ଼ିଶା ନିନ୍ଦିତ ନ ହେଉ

ଅତୀତରେ କଳିଙ୍ଗ ନିଜର ସାହସ ଓ ସମୃଦ୍ଧି ପାଇଁ ସମଗ୍ର ବିଶ୍ୱରେ ପରିଚିତ ଥିଲା। ସେଥିପାଇଁ ମୌର୍ଯ୍ୟ ସମ୍ରାଟ୍‌ ସମେତ ଅନେକ ରାଜ୍ୟ କଳିଙ୍ଗ ଜୟ କରିବାର…

ରାଜନୈତିକ ଦୁର୍ବଳତାର ସଂଜ୍ଞା

୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌- ୨୦୨୬ ଗତ ଏପ୍ରିଲ ମାସରେ ଲୋକ ସଭାରେ କାଟ ଖାଇଛି। କାରଣ ଏହି ବିଲ୍‌ ପାଇଁ ଆବଶ୍ୟକ ଦୁଇ ତୃତୀୟାଂଶ ସମର୍ଥନ…

୨୦୨୪ର ବ୍ୟସ୍ତତା

ରାମ ମନ୍ଦିର ଯେଉଁଠି ତିଆରି ହେଲା-ଅଯୋଧ୍ୟା-ସେଠାରେ ଭାଜପାର ପରାଜୟ ୨୦୨୪ରେ ଦଳର ନେତାମାନଙ୍କୁ ଭୟଭୀତ କରାଇ ଦେଇଥିଲା ବୋଲି ଏବେ ବୁଝାପଡୁଛି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା…

ଏଇ ଭାରତରେ

ବିନୟ ଦାସ ଦିଲ୍ଲୀର ଓ୍ବାଜିରପୁରରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ପିଲାଙ୍କୁ ମାଗଣାରେ ପଢ଼ାଉଛନ୍ତି। ସେ ୨୦୧୩ରେ ପ୍ରଥମେ ତାଙ୍କ ପଡ଼ିଶା ଘର ପିଲାଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ।…

ସୈନିକଙ୍କୁ ଟେଷ୍ଟୋଷ୍ଟେରୋନ୍‌ ଚିକିତ୍ସା

ଦୀର୍ଘଦିନ ହେଲା ଚାଲିଆସିଛି ଆମେରିକା-ଇରାନ ଯୁଦ୍ଧ। ଏଥିପାଇଁ ବିଦେଶ ଭୂଇଁରେ ଥିବା ଆମେରିକୀୟ ସୈନ୍ୟମାନଙ୍କ ମଧ୍ୟରୁ ଅନେକଙ୍କଠାରେ ସୃଷ୍ଟି ହେଉଛି ମାନସିକ ଚାପ। ଏକଥା ଅନୁଭବ କରି…

ଛାତ୍ର ଆନ୍ଦୋଳନ ଓ ପୋଲିସ କାର୍ଯ୍ୟାନୁଷ୍ଠାନ

ସ୍ବାଧୀନତା ପରେ ବିଭିନ୍ନ ସ୍ଥାନୀୟ ଓ ଜାତୀୟ ସମସ୍ୟା ପାଇଁ ଛାତ୍ରମାନେ ଅଣ୍ଟା ଭିଡ଼ିଛନ୍ତି ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି। ୧୯୬୩ ମସିହାରେ ତତ୍କାଳୀନ କେନ୍ଦ୍ର…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?