Posted inଫୁରସତ

କବିତା ମୋ ପାଇଁ ପଥ ନୁହେଁ ପାଥେୟ: ବନଜ ଦେବୀ

ଦୀର୍ଘ ଛଅ ଦଶନ୍ଧି ଧରି ଓଡିଆ ସାହିତ୍ୟ ଜଗତରେ ଏକ ସୁପରିଚିତ ନାମ ହେଲେ ବନଜ ଦେବୀ। ପଚାଶ ଦଶକରେ କବିତା କ’ଣ ବୁଝିବା ପୂର୍ବରୁ ସେ କବିତା ଲେଖା ଆରମ୍ଭ କରିଥିଲେ। ତାହା ମିନାବଜାରରେ ପ୍ରକାଶିତ ହୋଇଥିଲା। ଲେଖା ପ୍ରକାଶିତ ହେବା ଉତ୍ସାହରେ ସେ ଅଧିକରୁ ଅଧିକ ଲେଖି ଚାଲିଲେ। ଧୀରେ ଧୀରେ କବିତା ଲେଖିବା ତାଙ୍କର ନିଶା ପାଲଟିଗଲା।
ବିଶ୍ୱନାଥ ପଟ୍ଟନାୟକ ଓ ମାତା ସୁନ୍ଦରମଣି ଦେବୀଙ୍କ କନ୍ୟା ବନଜଙ୍କର ଜନ୍ମ ୧୯୪୧ ମସିହା ପୁରୀ ଜିଲାର ଡେଲାଙ୍ଗ ନିକଟସ୍ଥ ପୋଶଲ ଗ୍ରାମରେ। ବଡ଼ବାପା ଲୋକନାଥ ପଟ୍ଟନାୟକଙ୍କ ଦ୍ୱାରା ସେ ଲାଳିତ ପାଳିତ ହୋଇଥିଲେ। ବନଜଙ୍କ ପରିବାର ଥିଲା ବେଶ୍‌ ସଂସ୍କୃତିସମ୍ପନ୍ନ, ଧାର୍ମିକ ଓ ଜଗନ୍ନାଥପ୍ରେମୀ। ପିତା ଥିଲେ ସଙ୍ଗୀତଜ୍ଞ। ଗାଇବା ସହ ତବଲା, ବଂଶୀ ଓ ହାରମୋନିୟମ ଆଦି ସମସ୍ତ ବାଦ୍ୟଯନ୍ତ୍ର ବଜାଇବାରେ ବେଶ୍‌ ଧୁରନ୍ଧର । ନିତି ସାରେ ଭାଗବତ ଘରେ ଭାଗବତର ନବାକ୍ଷରୀ ପଦକୁ ଗାଉଥିଲେ। ବଡବାପାଙ୍କ ସହ ଛୁଟିରେ ଘରକୁ ଆସିଲେ ପିତାଙ୍କ ପାଖରୁ ସଙ୍ଗୀତ ଶିକ୍ଷା କରନ୍ତି। ବନଜ ଦେବୀ କୁହନ୍ତି,‘ବଡବାପା ଖୋର୍ଦ୍ଧାରେ ଏସଡିଓ ଥିବାବେଳେ ମୋର ଖଡିଛୁଆଁ ହୋଇଥିଲା। ଏହାପରେ ବ୍ରହ୍ମପୁର ବଦଳି ଯୋଗୁ ସେଠାକାର ମିଶନ୍‌ ସ୍କୁଲରେ ପ୍ରଥମ ଓ ଗାଁ ସ୍କୁଲରେ ଷଷ୍ଠ, ସପ୍ତମ ପଢିଥିଲି। ସେବେଠୁ ହୋଇଥିଲା ମୋ କବିତା ଲେଖିବାର ଆଦିପର୍ବ। ବଡବାପା ଥିଲେ ମୋ କବିତାର ପ୍ରଥମ ପାଠକ। କୁନ୍ତଳା କୁମାରୀଙ୍କ ‘ପରଶମଣି ’ ଓ ଗୋପୀନାଥ ମହାନ୍ତିଙ୍କ ‘ହରିଜନ’ ମୁଁ ପ୍ରଥମ ଶ୍ରେଣୀରେ ହିଁ ପଢିଥିଲି। ଛୋଟ ବୟସରେ ଏସବୁ ବହି ଲୁଚାଇ ପଢୁଥିବା ସମୟରେ ଧରାପଡ଼ି ଅନେକ ଥର ମାଡ ଗାଳି ମଧ୍ୟ ଖାଇଛି। ଏହାବାଦ୍‌ ପିଲାଦିନରୁ ପ୍ରକୃତି ସହ ଥିଲା ମୋର ବେଶ୍‌ ଅନ୍ତରଙ୍ଗତା । ଗଡନାୟକଙ୍କର କବିତା ‘କନିଅର ଫୁଲ’ ମୋତେ ଖୁବ୍‌ ପିଲାବେଳୁ ମତେ ବେଶ୍‌ ମୁଗ୍ଧ କରିଥିଲା। ଗପ ବହି ପଢିବା ପରି ଲୁଚାଇ ଲୁଚାଇ କବିତା ଲେଖିବା ଆରମ୍ଭ କଲି। ଏହାପରେ ବଡବାପାଙ୍କର ଅନୁଗୋଳ ବଦଳି ହେଲା। ଅନୁଗୋଳ ସ୍କୁଲରେ ପଢିବା ସମୟରେ ହିଁ ମୋର ପାଠପଢା ବନ୍ଦ ହେଲା। ଝିଅଟିଏ ପାଠପଢି କରିବ କ’ଣ? ରନ୍ଧାବଢା ଶିଖୁ। ପାଠପଢା ବନ୍ଦ ହେବା ପରେ ମନେମନେ ବହୁତ ବିଦ୍ରୋହ କରିଥିଲି। ସେଇ ବିଦ୍ରୋହ ଝରି ଯାଇଥଲା କବିତା ରୂପରେ।’

ମାତ୍ର ୧୭ବର୍ଷ ବୟସରେ ବନଜଙ୍କର ବିବାହ ହୋଇଥିଲା ଖୋର୍ଦ୍ଧା ଟିକିଝରି ଗ୍ରାମ ନିବାସୀ ପୂର୍ଣ୍ଣଚନ୍ଦ୍ର ହରିଚନ୍ଦନଙ୍କ ସହିତ। ବହୁ କୁଟୁମ୍ବରେ ସେ ହେଲେ ବଡବୋହୂ। ଗୃହିଣୀ ଜୀବନର କ୍ଳାନ୍ତ, ଅବସାଦ, ବେଦନା ଭିତରେ ବି ନିଜ ଖୁସି ପାଇଁ ସେ କବିତା ଲେଖନ୍ତି। ବନଜ କୁହନ୍ତି, ‘କବିତା ମୋ ପାଇଁ ପଥ ନୁହେଁ ପାଥେୟ। ଯାହା ମତେ ବାଟ ଚାଲିବାର ଶକ୍ତି ଦେଇଛି। ୧୯୫୯ ମସିହାରେ ମୋର ପ୍ରଥମ ଗଳ୍ପ ‘ଛିନ୍ନ ମେଘ’ ଆସନ୍ତାକାଲିରେ ପ୍ରକାଶିତ ହେଇଥିଲା। ୧୯୭୬ ମସିହାରେ ଆକାଶବାଣୀର ସର୍ବଭାଷା କବି ସମ୍ମିଳନୀରେ ଯୋଗ ଦେଇଥିଲି। ଯେଉଁଥିରେ ମୋର ‘ଭୂମିକା’ କବିତାଟି ନିର୍ବାଚିତ ହୋଇଥିଲା। ଏହି କବିତାଟି ମୁଁ ସର୍ବଭାଷୀ କବି ସମ୍ମିଳନୀରେ ପାଠ କରିଥିଲି।’ ନିଜର ପରିବାର ସଦସ୍ୟ ବିଶେଷ କରି ଦାଶରଥି ପଟ୍ଟନାୟକ (ଦାଶିଆ ଅଜା)ଙ୍କ ଉତ୍ସାହ ଓ ପ୍ରେରଣାକୁ ସ୍ମରଣ କରନ୍ତି ବନଜ। ଗଳ୍ପ, କବିତା ସହ ଉପନ୍ୟାସ ମଧ୍ୟ ଲେଖିଛନ୍ତି ସେ। ଯାହା ବିଭିନ୍ନ ପତ୍ରପତ୍ରିକାରେ ନିୟମିତ ପ୍ରକାଶିତ ହୋଇ ପରେ ପୁସ୍ତକ ଆକାରରେ ପ୍ରକାଶ ପାଇଛି। ୧୧ଟି ଗଳ୍ପ ସଂକଳନ, ୬ଟି କବିତା ସଂକଳନ, ୧୭ଟି ଉପନ୍ୟାସ, ୨ଟି ଜୀବନୀ ଓ ୨ଟି ଅନୁବାଦ ପୁସ୍ତକ, ୧୦୦ଟି ବେଦ ମନ୍ତ୍ରର ଓଡିଆ ପଦ୍ୟ ରୂପ ପୁସ୍ତକର ରଚୟିତା ବନଜ ଦେବୀ, ଓଡ଼ିଶା ଲେଖିକା ସଂସଦର ଉପସଭାପତି ରୂପେ ଦୀର୍ଘଦିନ କାର୍ଯ୍ୟ ତୁଲେଇଛନ୍ତି। ଲେଖିକା ସଂସଦ ଦ୍ୱାରା ଭୂମା ଦ୍ୱିତୀୟ, ଭୂମା ତୃତୀୟ, ଭୂମିକା ଆଦି ପୁସ୍ତକ ତାଙ୍କ ସମ୍ପାଦନାରେ ପ୍ରକାଶିତ ହୋଇଛି।ନିଜର ଜୀବନ ବ୍ୟାପୀ ସାହିତ୍ୟ ସାଧନା ପାଇଁ ବନଜ ପାଇଛନ୍ତି ଅନେକ ପୁରସ୍କାର ଓ ସମ୍ମାନ। ଯାହାମଧ୍ୟରେ ମିନାବଜାର ବିଷୁବ ମିଳନ, ଆଗାମୀ ଶତାବ୍ଦୀ ପୁରସ୍କାର, ସାହିତ୍ୟ ଏକାଡେମୀ ପୁରସ୍କାର, ଫକୀର ମୋହନ ପୁରସ୍କାର, ପ୍ରତିଭା ଶତପଥୀ କବିତା ପୁରସ୍କାର, ଚଇତାଳି କବିତା ସମ୍ମାନ, ଆର୍ଯ୍ୟ ସମାଜ ସମ୍ମାନ, ଖୋର୍ଦ୍ଧା ସାହିତ୍ୟ ସଂସଦ ସମ୍ମାନ, ଯଦୁମଣି ସାହିତ୍ୟ ସଂସଦ ସମ୍ମାନ ଇତ୍ୟାଦି ଅନେକ ସ୍ବୀକୃତି, ପୁରସ୍କାର ଓ ସମ୍ମାନ।

କୁହନ୍ତି, ‘ଦିନେ ଯାହା ଆନନ୍ଦ ପାଇଁ ଲେଖୁଥିଲି, ଜଣା ନ ଥିଲା ତାହା ମୋତେ ଦିନେ ଲେଖିକାର ମାନ୍ୟତା ଦେବ। ଅନେକ କଷ୍ଟ ସହିଛି। ପାଇଛି କିନ୍ତୁ ନିରୋଳା ଆନନ୍ଦ। ମୁଁ ଦୁଃଖ ସାଉଁଟିଛି, ଦୃଶ୍ୟ ସାଉଁଟିଛି, ଯେତିକି ଲେଖିଛି, ଅଧିକ ବାକି ଅଛି । ଚାହୁଁଛି ବାରମ୍ବାର ଫେରିବା ପାଇଁ ଏଇ ମାଟି କୋଳକୁ, କବିଟିଏ ହୋଇ। ସେହି ଅସହ୍ୟ ବେଦନା ଭିତରେ ହିଁ ଲୁଚି ରହିଛି ମୋର ପରମ ଆନନ୍ଦ।’
-ପ୍ରିୟମ୍ବଦା ରଥ
ଆର୍‌ କେ ପୁରମ୍‌,
ସେକ୍ଟର-୪, ନୂଆ ଦିଲ୍ଲୀ
ମୋ:୮୬୮୮୯୫୭୮୦୦


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?