ପିତୃପକ୍ଷ; ବିଜ୍ଞାନ ଓ ସଂସ୍କୃତିର ସମାହାର

ଆରମ୍ଭ ହୋଇଛି ପିତୃପକ୍ଷ। ଅନେକ ବ୍ୟକ୍ତିଙ୍କ ମନରେ ପ୍ରଶ୍ନ ଏହି ପିତୃପକ୍ଷର ଗୁରୁତ୍ୱ କ’ଣ? ପିତୃପକ୍ଷ ଆରମ୍ଭ ହୋଇଗଲେ ପ୍ରାୟ ପ୍ରତ୍ୟେକ ଘରେ ଶ୍ରାଦ୍ଧ, ତର୍ପଣ ପ୍ରଭୃତି କ୍ରିୟା ଆରମ୍ଭ ହୋଇଯାଏ। ଅନେକ ଜାଣତରେ ତଥା ଅନେକ ଅଜାଣତରେ ଏହି କ୍ରିୟାକୁ ସମ୍ପାଦନ କରନ୍ତି। ଭାରତୀୟ ସଂସ୍କୃତି ଆମକୁ ଉପଦେଶ ଦେଇଛି ପିତା ଏବଂ ମାତା ବଞ୍ଚିଥିବା ସମୟରେ ଯେମିତି ପୂଜ୍ୟ ସେମାନଙ୍କର ମୃତ୍ୟୁ ପରେ ମଧ୍ୟ ସେମାନେ ଆମର ପୂଜ୍ୟ। ଆମେ କେହି ବି ଦେବତାଙ୍କୁ ଦର୍ଶନ କରିନାହେଁ, କେବଳ ଯାହା ଅନୁଭବ କରୁଛେ। କିନ୍ତୁ ସାକ୍ଷାତ୍‌ ଈଶ୍ୱର ସଦୃଶ ପିତାମାତାଙ୍କୁ ଆମେ ଦର୍ଶନ କରିବାର ସୁଯୋଗ ପାଉଛେ। ତେଣୁ ଉପନିଷଦ କୁହନ୍ତି; ମାତୃ ଦେବୋ ଭବ। ପିତୃ ଦେବୋ ଭବ। ଅର୍ଥାତ୍‌ ମା’ ଏବଂ ବାପା ଆମମାନଙ୍କ ପାଇଁ ଦେବତା ହୁଅନ୍ତୁ। ପରଲୋକ ଗମନ କରିଥିବା ପିତୃଲୋକଙ୍କର ସ୍ମୃତି, ଶାନ୍ତି ଏବଂ ସମ୍ମାନ ପାଇଁ ଏହି ପିତୃପକ୍ଷର ବ୍ୟବସ୍ଥା। ତିଥିଶ୍ରାଦ୍ଧ ବର୍ଷ ତମାମ କରାଯାଏ। କିନ୍ତୁ ମହାଳୟାଶ୍ରାଦ୍ଧ ବା ପିତୃପକ୍ଷଶ୍ରାଦ୍ଧ ବର୍ଷକେ ଥରେ କେବଳ ଅପରପକ୍ଷରେ ପାଳନ କରାଯାଏ। ଭାଦ୍ରବ ପୂର୍ଣ୍ଣିମା ପରଦିନ ଅର୍ଥାତ୍‌ ଆଶ୍ୱିନ ପ୍ରତିପଦା ତିଥିରୁ ଆରମ୍ଭ କରି ଆଶ୍ୱିନ ଅମାବାସ୍ୟା ପର୍ଯ୍ୟନ୍ତ ତିଥିକୁ ପିତୃପକ୍ଷ ବୋଲି କୁହାଯାଏ। ଏହା ଗୋଟିଏ ପକ୍ଷ ଅର୍ଥାତ୍‌ ପନ୍ଦର ଦିନର ଅବଧି। ତତ୍ପରେ ଆରମ୍ଭ ହୁଏ ଶାରଦୀୟ ନବଦିନାତ୍ମକ ପୂଜା। ଦୁର୍ଗାପୂଜା ପର ଅମାବାସ୍ୟା ହେଉଛି ଦୀପାବଳି ଉତ୍ସବ; ଯେଉଁଥିରେ ପୟାଶ୍ରାଦ୍ଧ କରାଯାଏ ଏବଂ ପିତୃକୁଳର ସପ୍ତ ପୁରୁଷଙ୍କ ସହିତ ମାତୃକୁଳର ତିନି ପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ। ପୌରାଣିକତାକୁ ଦୃଷ୍ଟି ଦେଲେ ପିତୃପୁରୁଷଙ୍କୁ ଶ୍ରଦ୍ଧାସୁମନ ସହିତ ପିତୃଲୋକଙ୍କ ଶାନ୍ତି ନିମନ୍ତେ ଏହା ଉଦ୍ଦିଷ୍ଟ। କିନ୍ତୁ ବାସ୍ତବରେ ଏହା ମଧ୍ୟରେ ଅନେକ ବୈଜ୍ଞାନିକତା ଲକ୍ଷ୍ୟ କରାଯାଏ। ଯେପରି କି ପରିବାରର ରକ୍ତଗତ ସମ୍ପର୍କକୁ ତର୍ଜମା କରି ମେଡିକାଲ ସାଇନ୍ସ ଅନେକ ସିଦ୍ଧାନ୍ତରେ ଉପନୀତ ହୋଇପାରିଛି; ଯାହାକୁ ବଂଶଗତ ରୋଗର ନିଦାନ ବୋଲି କୁହାଯାଉଛି। ସେହିପରି ମାନବୀୟ ପ୍ରକୃତିର ତର୍ଜମା କରିବା ପାଇଁ ପୂର୍ବପୁରୁଷଙ୍କ ବିଷୟରେ ଜ୍ଞାନର ଆବଶ୍ୟକତା ରହିଛି। ଯେପରି କି; ପୂର୍ବପୁରୁଷଙ୍କର ଗୁଣକୁ ଆଧାରକରି କେହି ନିର୍ଭୀକ ଯୋଦ୍ଧା ହେଉଛି ତ କେହି ଗାୟକ ହେଉଛି, କେହି ବିଦ୍ୱାନ ପଣ୍ଡିତ ହେଉଛି ତଥା କେହି ନୂତନ ଆବିଷ୍କାର କରୁଛି। ପିତୃପକ୍ଷର ଏକ ବିଶିଷ୍ଟ ସାଂସ୍କୃତିକ ମହତ୍ତ୍ୱ ମଧ୍ୟ ରହିଛି। ଶ୍ରାଦ୍ଧ ଦିବସରେ ସାହିପଡ଼ୋଶୀ ତଥା ବନ୍ଧୁବାନ୍ଧବ ନିଜର ସମସ୍ତ ଶତ୍ରୁତାକୁ ଭୁଲିଯାଇ ପିତୃଲୋକଙ୍କ ସମ୍ମାନ ଉଦ୍ଦେଶ୍ୟରେ ଏକତ୍ରିତ ହୁଅନ୍ତି।
ଭୋଜିଭାତ ତଥା ପିତାମାତାଙ୍କର ସ୍ମୃତିଚାରଣରେ ଘରର ସଂସ୍କୃତି ସୁରକ୍ଷିତ ରହେ। ଏହା ସହିତ ପିତୃପକ୍ଷର ଏକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ସିଦ୍ଧାନ୍ତ ମଧ୍ୟ ରହିଛି। ପ୍ରତ୍ୟେକଟି ପରିବାର ତା’ର ଇତିହାସକୁ ଜାଣି ରଖିବାର ଏହା ଏକ ଉତ୍ତମ ମାର୍ଗ। ଶ୍ରାଦ୍ଧ ଯେ କେବଳ ପୁରୋହିତଙ୍କ ମୁଖରେ ମନ୍ତ୍ର ପଢ଼ି ପିତୃପୁରୁଷଙ୍କ ନାଁ ନେବା ତା’ ନୁହେଁ ପରନ୍ତୁ ଏହି ଦିନ ଆମ୍ଭର ପୂର୍ବଜମାନଙ୍କର ସ୍ମୃତିଚାରଣ କରିବାର ଏକ ସ୍ବର୍ଣ୍ଣିମ ଅବସର। ଯେଉଁଭଳି ଭାବରେ ମହାପୁରୁଷ ତଥା ସମାଜର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କର ମୃତ୍ୟୁର ଶହଶହ ବର୍ଷ ଧରି ତାଙ୍କର ଶ୍ରାଦ୍ଧ ଦିବସରେ ସେହି ବ୍ୟକ୍ତିଙ୍କର ସ୍ମୃତିଚାରଣ ହେଉଛି, ସେହିଭଳି ଆମ ଘରର ମହାନ୍‌ ପିତୃଲୋକମାନଙ୍କୁ ଯଥୋଚିତ ସ୍ମରଣ କରିବା ଆମ୍ଭର କର୍ତ୍ତବ୍ୟ। କାରଣ ଆମ୍ଭମାନଙ୍କର ଜନ୍ମ, ଆମ୍ଭର ଘରଦ୍ୱାର, ଜମିବାଡ଼ି, ସାମାଜିକ ପ୍ରତିଷ୍ଠା ସବୁକିଛି ସେହି ପିତୃଲୋକଙ୍କର ପରିଶ୍ରମର ମୂଲ୍ୟ। ତେଣୁ ଆମ ପାଇଁ ଆମ ଘରର ପିତୃଲୋକମାନେ କୌଣସି ମହାପୁରୁଷଙ୍କଠାରୁ କମ୍‌ ନୁହନ୍ତି।
ମହାଳୟା ଶବ୍ଦଟି ସଂସ୍କୃତ ଶବ୍ଦ ମହାଳୟଃ ରୁ ଆସିଅଛି। ମହାଳୟଃ ହେଉଛି ଦୁଇଟି ଶବ୍ଦର ସମାହାର। ଗୋଟିଏ ହେଲା ‘ମହା’ ଅର୍ଥାତ୍‌ ମହାନ। ଦ୍ୱିତୀୟଟି ‘ଆଳୟ’ ଅର୍ଥାତ୍‌ ନିବାସସ୍ଥାନ। ବିଶେଷତଃ ପିତୃ ଲୋକଙ୍କର ନିବାସସ୍ଥାନ ଯାହା ତୀର୍ଥ ସଦୃଶ, ତାକୁ ମହାନ୍‌ ଆଳୟ ବା ମହାଳୟ ବୋଲି କୁହାଯାଏ।
ପିତୃପକ୍ଷର ପନ୍ଦର ଦିନ ପିତୃଲୋକମାନେ ପୃଥିବୀପୃଷ୍ଠକୁ ଆସନ୍ତି ବୋଲି ଶାସ୍ତ୍ରୀୟ ମତ। ତେଣୁ ଏହି ଦିନଗୁଡ଼ିକରେ ଶ୍ରଦ୍ଧା ଏବଂ ସମ୍ମାନର ସହିତ ତର୍ପଣ ତଥା ଗୋଟିଏ ଶୁଭ ଦିନରେ ପିତୃଲୋକଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେବାର ବିଧାନ ରହିଛି। ବିଶେଷକରି ଘରର ମୁରବିମାନେ ଏହି ପନ୍ଦର ଦିନ ନିଜର ପିଲାମାନଙ୍କୁ ପୂର୍ବପୁରୁଷଙ୍କ ବିଷୟରେ ସ୍ମୃତିଚାରଣ କରାଇବା ଆବଶ୍ୟକ। କାରଣ ଆମେ ସମସ୍ତ ଭାରତୀୟ ଋଷିଙ୍କର ସନ୍ତାନସନ୍ତତି।
ସମସ୍ତ ଭାରତୀୟଙ୍କର ଗୋତ୍ର ରହିଅଛି। ଯେଉଁ ବ୍ୟକ୍ତିର ଯେଉଁ ଗୋତ୍ର ସେ ସେହି ତପସ୍ବୀ ଋଷିଙ୍କର ବଂଶଜ। ତେଣୁ ନିଜ ଗୋତ୍ରର ଋଷିଙ୍କର ସାଧନା ଏବଂ ଗୁଣାବଳୀ ବିଷୟରେ ଆମ୍ଭେମାନେ ଜାଣିବାର ଏହା ଏକ ପ୍ରକୃଷ୍ଟ ସମୟ। ଭାରତର ପ୍ରତ୍ୟେକ ବ୍ୟକ୍ତି ଏହି କ୍ରିୟାରେ ଆଗ୍ରହ ପ୍ରକାଶ କଲେ ଆମ ଦେଶର ଲୁକ୍କାୟିତ ଇତିହାସ ଉଦ୍ଭାସିତ ହେବା ସହିତ ପିତୃଲୋକଙ୍କର ଶ୍ରମ ସାର୍ଥକ ହେବ। ଥରେ ଆଗ୍ରହର ସହିତ ଅନ୍ବେଷଣ ଆରମ୍ଭ କଲେ ଜାଣିହେବ ସେହି ନିରୀହ ପିତୃପୁରୁଷମାନଙ୍କ ତ୍ୟାଗ ହିଁ ଏକ ସ୍ବର୍ଣ୍ଣିମ, ସୁନ୍ଦର ଭାରତକୁ ସୃଷ୍ଟି କରିଛି। ଆଜିର ବିକଶିତ ଭାରତ ହେଉଛି ଆମ୍ଭ ପିତୃଲୋକଙ୍କର ଯୁଗଯୁଗର ତପସ୍ୟାର ଅମୃତ ଫଳ।
ପ୍ରତ୍ୟେକ ମାନବର ତିନିଗୋଟି ଋଣ ରହିଥାଏ।
ଯଥା ଦେବତା ଋଣ, ଋଷି ଋଣ ଏବଂ ପିତୃ ଋଣ।
ଶ୍ରାଦ୍ଧ ଦ୍ୱାରା ପିତୃପୁରୁଷଙ୍କଠାରେ ଥିବା ଋଣ କିଛି ମାତ୍ରାରେ ପରିଶୋଧ ହୁଏ। ତେଣୁ ଶ୍ରାଦ୍ଧର ବୈଶିଷ୍ଟ୍ୟକୁ ନେଇ ଶାସ୍ତ୍ର କୁହନ୍ତି : ଶ୍ରାଦ୍ଧୋଦକଂ ତିଳୋଦକଂ ପିତୃଣାଂ ତୃପ୍ତି ହେତବେ। ଅର୍ଥାତ୍‌ ଶ୍ରାଦ୍ଧ ଏବଂ ତିଳୋଦକ ପ୍ରଭୃତି କର୍ମ ପିତୃପୁରୁଷଙ୍କର ତୃପ୍ତି ପାଇଁ କରାଯାଏ। ତେବେ ଶ୍ରାଦ୍ଧକୁ ଶ୍ରଦ୍ଧାର ସହିତ କରାଯିବା ଆବଶ୍ୟକ। ତେଣୁ ଶ୍ରଦ୍ଧୟା ପିତୃନ ଉଦ୍ଦିଶ୍ୟ ଯତ୍‌ କ୍ରୀୟତେ ତତ୍‌ ଶ୍ରାଦ୍ଧଂ ବୋଲି କୁହାଯାଏ। ଆସନ୍ତୁ ଆମେ ସମସ୍ତେ ମହାଳୟାର ପିତୃପକ୍ଷରେ ପିତୃଲୋକଙ୍କର ଶ୍ରାଦ୍ଧକୁ ସମ୍ମାନର ସହିତ ପାଳନ କରିବା ଏବଂ ଏହାର ବୈଜ୍ଞାନିକ, ସାଂସ୍କୃତିକ ତଥା ଐତିହାସିକ ଦିଗକୁ ଅନ୍ବେଷଣ କରିବା।

  • ଡ. ଭାରତ ଭୂଷଣ ରଥ
    ଅଧ୍ୟାପକ ତଥା ଉପନିର୍ଦ୍ଦେଶକ
    ଦୂର ଶିକ୍ଷା ନିର୍ଦ୍ଦେଶାଳୟ, କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ତିରୁପତି (ଆ.ପ୍ର.)
    ମୋ-୮୮୯୭୪୨୬୨୪୩

Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri