ଦୃଷ୍ଟିକୋଣ ବଦଳିଗଲା

ଭାରତୀୟ ଜନତା ପାର୍ଟି (ଭାଜପା)କୁ ଏବେ କର୍ପୋରେଟ୍‌ପ୍ରେମୀ ରାଜନୈତିକ ପାର୍ଟି ଭାବେ ଦେଖାଯାଉଛି। ଭାଜପାର ସମର୍ଥକମାନେ କହନ୍ତି, ଭାରତର ଶିଳ୍ପକରଣ ପାଇଁ ଏହା ଆବଶ୍ୟକ ଏବଂ ସରକାରଙ୍କର ଏଥିରେ କୌଣସି ନେଣଦେଣ ନାହିଁ। ହେଲେ ବିରୋଧୀ ଅଭିଯୋଗ କରନ୍ତି, ଏହା ହେଉଛି ସମ୍ପର୍କ ପୁଞ୍ଜିବାଦ। କିନ୍ତୁ ଭାଜପା ଏହି ଧାରାରେ ଆରମ୍ଭ ହୋଇ ନ ଥିଲା। ବାସ୍ତବରେ ଭାଜପା ଅତୀତରେ ଯାହାକୁ ବିରୋଧ କରିଥିଲା ଏବେ ସେସବୁ କାହିଁକି କରୁଛି, ତାହାର ସିଦ୍ଧାନ୍ତରେ ପହଞ୍ଚତ୍ ହେଉନାହିଁ। ଅବଶ୍ୟ ଗୋଟିଏ ରାଜନୈତିକ ଦଳ ତାହାର ସ୍ଥିତିରେ ପରିବର୍ତ୍ତନ କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି। କିନ୍ତୁ କାହିଁକି ଏହା କରୁଛି, ତାହା ପଚାରିବା ବି ଅନୁଚିତ ହେବନି। ଦଳ ଭିତରେ ତୀବ୍ର ବିତର୍କ ପରେ କଂଗ୍ରେସ ଉଦାରୀକରଣ ଆଡ଼କୁ ମୁହାଁଇଥିଲା। ନରସିଂହ ରାଓ ସୁଧାରନୀତିଗୁଡ଼ିକୁ ପାସ୍‌ କରିବା ପାଇଁ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଏବଂ ତାଙ୍କ ଦଳର ଏମ୍‌ପି ତଥା ନାଗରିକଙ୍କୁ ସେସବୁ ଯୁକ୍ତିଯୁକ୍ତ ବୋଲି ବୁଝାଇବାକୁ ପଡ଼ିଥିଲା। ଜନସଂଘ ତାହାର ପ୍ରାରମ୍ଭିକ ଇସ୍ତାହାରରେ ମୁକ୍ତବଜାର ନୀତିକୁ ବିରୋଧ କରିଥିଲା, ହେଲେ ଏବେ (ଭାଜପା) ତାହାର ସମର୍ଥକ ପାଲଟିଛି। ଏହା ସେତେବେଳେ କହିଥିଲା, ଦେଶ ଅର୍ଥ ବ୍ୟବସ୍ଥାର ନିର୍ଦ୍ଦିଷ୍ଟ କ୍ଷେତ୍ରରେ ମାଲିକାନା ଉତ୍ତରଦାୟିତ୍ୱ ଓ ପରିଚାଳନାକୁ ଗ୍ରହଣ କରିବା ଉଚିତ। ୧୯୫୪ ଏବଂ ପୁନର୍ବାର ୧୯୭୧ରେ, ଭାରତୀୟ ନାଗରିକଙ୍କ ମାସିକ ଆୟକୁ ୨୦:୧ ଅନୁପାତରେ ଅତିବେଶିରେ ୨,୦୦୦ ଟଙ୍କା ଏବଂ ଅତିକମ୍‌ରେ ୧୦୦ ଟଙ୍କାରେ ସୀମିତ ରଖିବ ବୋଲି ସଙ୍କଳ୍ପ ନେଇଥିଲା। ଏହି ଅନୁପାତକୁ ହ୍ରାସ କରି ୧୦:୧ରେ ପହଞ୍ଚିବା ଯାଏ ଲଗାତର କାମ ଜାରି ରଖିବ ଏବଂ ସମସ୍ତ ଭାରତୀୟ ସେମାନଙ୍କ ସ୍ଥିତି ଆଧାରରେ ଏହି ସୀମା ମଧ୍ୟରେ ଆୟ ରଖିପାରିବେ। ଏହି ସୀମା ବାହାରେ ଜଣେ ବ୍ୟକ୍ତି ଅଧିକ ଆୟ କଲେ ତାହାକୁ ବିକାଶ କାର୍ଯ୍ୟ ପାଇଁ ସରକାର ଦାନ, ଟିକସ, ବାଧ୍ୟତାମୂଳକ ଋଣ ଓ ନିବେଶ ମାଧ୍ୟମରେ ନେବେ। ପାର୍ଟି ମଧ୍ୟ ସହରରେ ବାସୋପଯୋଗୀ ଘରର ଆକାର ଉପରେ କଟକଣା ଲଗାଇବ ଏବଂ ୧୦୦୦ ବର୍ଗ ଗଜ୍‌ରୁ ଅଧିକ ପ୍ଲଟକୁ ଅନୁମତି ଦେବ ନାହିଁ। କେବଳ ପ୍ରତିରକ୍ଷା ଓ ମହାକାଶ କ୍ଷେତ୍ରକୁ ଛାଡ଼ିଦେଲେ, ଆଉ ସବୁ ଶିଳ୍ପରେ ଦଳ ଯାନ୍ତ୍ରିକୀକରଣକୁ ବିରୋଧ କରିଥିଲା। କାରଣ ଏହା ଚାହୁଁଥିଲା ମେଶିନ ବଦଳରେ ଶ୍ରମିକମାନେ କାମ କରନ୍ତୁ । ଦଳ ପ୍ରଥମରୁ ଯାନ୍ତ୍ରିକୀକରଣକୁ ଉତ୍ସାହିତ କରିବା ପରେ କୃଷିରେ ଏହାକୁ ବିରୋଧ କରିଥିଲା। ୧୯୫୪ରେ ପାର୍ଟି କହିଥିଲା, ଦୀଘଦିନ ଧରି ଚାଷ ହେଉ ନ ଥିବା ଜମିକୁ ହଳ କରିବା ପାଇଁ କେବଳ ଟ୍ରାକ୍ଟର ବ୍ୟବହାର କରାଯିବ ଏବଂ ସାଧାରଣ ହଳ ପାଇଁ ଅନୁମତି ଦିଆଯିବ ନାହିଁ। କାରଣ ବଳଦ ଓ ଷଣ୍ଢ ହତ୍ୟା ରୋକି ସେମାନଙ୍କୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରୁଥିଲା। ପାର୍ଟି କହିଥିଲା, ଉପଭୋକ୍ତା ସାମଗ୍ରୀ ଓ ବିଳାସ ସାମଗ୍ରୀ ଆମଦାନୀକୁ ଉତ୍ସାହିତ କରାଯିବ ନାହିଁ। ସ୍ବଦେଶୀ ସାମଗ୍ରୀ ପାଇଁ ସ୍ଥାନୀୟ ଶିଳ୍ପକୁ ସବ୍‌ସିଡି ଏବଂ ଟାରିଫ୍‌ ସୁରକ୍ଷା ଦିଆଯିବ। ବନ୍ଦ ଓ ଆନ୍ଦୋଳନ ଭଳି ଶ୍ରମିକ ଅଧିକାରଗୁଡ଼ିକୁ ଅନୁମତି ଦିଆଯିବ ନାହିଁ।
୧୯୫୭ରେ ଦଳ ଘୋଷଣା କରିଥିଲା, ଆର୍ଥିକ ବ୍ୟବସ୍ଥାରେ ଏହା ବୈପ୍ଳବିକ ପରିବର୍ତ୍ତନ ଆଣିବ ଏବଂ ତାହା ଭାରତୀୟ ଜୀବନ ମୂଲ୍ୟବୋଧକୁ ଦୃଷ୍ଟିରେ ରଖି କରାଯିବ। ତେବେ ଏହି ମୂଲ୍ୟବୋଧ ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା ନ ଥିଲା କିମ୍ବା ଏହି ବୈପ୍ଳବିକ ପରିବର୍ତ୍ତନ ଭବିଷ୍ୟତରେ ଇସ୍ତାହାରରେ ନିଆଯିବ କି ନାହିଁ ତାହା ଦର୍ଶାଯାଇ ନ ଥିଲା। ୧୯୬୭ରେ ଇସ୍ତାହାରରେ କହିଥିଲା ଯେ, ଯୋଜନାବଦ୍ଧ ଅର୍ଥ ବ୍ୟବସ୍ଥାକୁ ସମର୍ଥନ କରିବ, କିନ୍ତୁ ଯୋଜନାକୁ ବଦଳାଇ ଆଞ୍ଚଳିକଭିତ୍ତିରେ ଓ ପ୍ରୋଜେକ୍ଟ ଆଧାରରେ ମାଇକ୍ରୋ ଇକୋନୋମିକ୍ସ ବ୍ୟବସ୍ଥାକୁ ଗ୍ରହଣ କରିବ। ଏହା ଚାହିଁଥିଲା ବ୍ୟବସ୍ଥାଗତ ହସ୍ତକ୍ଷେପ, କିନ୍ତୁ ସବୁଠି ନୁହେଁ। ଏହା ଘରୋଇ ନିବେଶକୁ ଉତ୍ସାହିତ କରିଥିଲା, କିନ୍ତୁ ପ୍ରତିରକ୍ଷା କ୍ଷେତ୍ରରେ ନୁହେଁ। ନାଗରିକ ସ୍ବାଧୀନତା କ୍ଷେତ୍ରରେ ପାର୍ଟିର ଦୃଷ୍ଟିକୋଣରେ ମଧ୍ୟ ସମାନ ପ୍ରକାର ପରିବର୍ତ୍ତନ ସାମ୍ନାକୁ ଆସିଛି। ୧୯୫୪ରେ ଜନସଂଘ କହିଥିଲା, ଯୁକ୍ତିଯୁକ୍ତ କଟକଣା ଲଗାଇ ବାକ୍‌ ସ୍ବାଧୀନତାର କଣ୍ଠରୋଧ କରିଥିବା ପ୍ରଥମ ସାମ୍ବିଧାନିକ ସଂଶୋଧନକୁ ହଟାଇବ। ଏହି ସଂଶୋଧନ ବିଶେଷକରି ଅଭିବ୍ୟକ୍ତିର ସ୍ବାଧୀନତାକୁ ଶେଷ କରିଥିଲା, କାରଣ କଟକଣାର ତାଲିକା ବ୍ୟାପକ ଥିଲା। କିନ୍ତୁ ୧୯୫୪ ପରେ ପ୍ରଥମ ସଂଶୋଧନକୁ ରଦ୍ଦ କରିବା ଏବଂ ନାଗରିକଙ୍କ ବାକ୍‌, ସଂଗଠନ ଓ ସମାବେଶ ସ୍ବାଧୀନତା ପୁନଃସ୍ଥାପିତ କରିବା ଦାବି ଜନସଂଘର ଇସ୍ତାହାରରୁ ଅଦୃଶ୍ୟ ହୋଇଗଲା। କୌତୂହଳର ବିଷୟ, ଜନସଂଘ କହିଥିଲା ଯେ, ଏହା ପ୍ରିଭେଣ୍ଟିଭ ଡିଟେନ୍‌ଶନ ଆଇନ(ବିନା ବିଚାରରେ କୌଣସି ବ୍ୟକ୍ତିକୁ ଅଟକ ରଖିବା)କୁ ହଟାଇବ, ଯାହା ବ୍ୟକ୍ତି ସ୍ବାଧୀନତାକୁ ସମ୍ପୂର୍ଣ୍ଣ ବିରୋଧ କରେ। ଏହି ପ୍ରତିଶ୍ରୁତି ପୁନର୍ବାର ୧୯୫୦ ଦଶନ୍ଧିରେ ଦୋହରାଇଥିଲା। ତେବେ ସମୟକ୍ରମେ ସଂଘ ଏବଂ ଭାଜପା ପ୍ରିଭେଣ୍ଟିଭ ଡିଟେନ୍‌ଶନର ସବୁଠୁ ବଡ଼ ସମର୍ଥକ ପାଲଟିଗଲେ । ଏବେ ସିଭିଲ୍‌ ସୋସାଇଟି ଏବଂ ବିରୋଧୀ ରାଜନେତାଙ୍କ ପାଇଁ ‘ଜେଲ ନଟ୍‌ ବେଲ୍‌’ ସେମାନଙ୍କର ନୀତି ହୋଇଯାଇଛି।
ପ୍ରଶ୍ନ ହେଉଛି, ପାର୍ଟି କାହିଁକି ଅନିୟନ୍ତ୍ରିତ ଭାବେ ଗତି କରୁଛି ଏବଂ କାହିଁକି ଏଭଳି ପରିବର୍ତ୍ତନ ହେଉଛି ସେ ବିଷୟରେ କହିନାହିଁ? ଉତ୍ତର ହେଉଛି, ମୂଳ ସ୍ଥିତିକୁ ଯିବା ଲାଗି ଏହାର କୌଣସି ବିଚାର ନ ଥିଲା। କଂଗ୍ରେସ ଶାସନ ସମୟରେ ଯାହା ଘଟୁଥିଲା କେବଳ ତାହାକୁ ଦୃଷ୍ଟିରେ ରଖି ଜନସଂଘ ନିଜ ଇସ୍ତାହାର ପ୍ରସ୍ତୁତ କରୁଥିଲା। ନେହେରୁ ଭୂମି ସଂସ୍କାର ଆରମ୍ଭ କରିଥିଲେ, ଜନସଂଘ ତାହାଠାରୁ ଭଲ ସଂସ୍କାର କିଭଳି ଆଣିିବ ସେ ସମ୍ପର୍କରେ ତା’ ଇସ୍ତାହାରରେ ପାରାଏ ଦି’ପାରା ଯୋଡ଼ିଥିଲା। ଇନ୍ଦିରା ଗାନ୍ଧୀ ଲ୍ୟାଣ୍ଡ ସିଲିଂ ବିଷୟରେ କହିଥିଲା ବେଳେ ଜନସଂଘ ତାହାର ଲ୍ୟାଣ୍ଡ ସିଲିଂ କେମିତି ହେବ ତାହା ଦର୍ଶାଇଥିଲା। ଏକ ଯୋଜନାବଦ୍ଧ ଅର୍ଥ ବ୍ୟବସ୍ଥା ସବୁଠୁ ଭଲ ଥିଲା, କିନ୍ତୁ ଜନସଂଘ ଏହାକୁ ମାଇକ୍ରୋସ୍ତରୀୟ ଓ ପ୍ରୋଜେକ୍ଟ କୈନ୍ଦ୍ରିକ କରିବାକୁ ଯୋଜନା କଲା। ଯାନ୍ତ୍ରିକୀକରଣ ମଧ୍ୟ ଭଲ, କିନ୍ତୁ ଅତ୍ୟଧିକ ଯାନ୍ତ୍ରିକୀକରଣ ନୁହେଁ, କାରଣ ଏହା ବେରୋଜଗାର ସୃଷ୍ଟି କରିବ। ଏଣୁ ଏହା ଭାରତୀୟ ଆଧୁନିକୀକରଣ ହେବା ଦରକାର। ଶେଷରେ ୧୯୯୧ରେ କଂଗ୍ରେସ ତାହାର ଆଥିର୍କ ଦୃଷ୍ଟିକୋଣ ପରିବର୍ତ୍ତନ କରିଥିଲା। ତାହାକୁ ଲକ୍ଷ୍ୟକରି ଭାଜପା ମଧ୍ୟ ପରିବର୍ତ୍ତନ କଲା, ସେଥିପାଇଁ ଆମେ ଆଜି ଏହି ସ୍ଥିତିରେ ହିଁ ପହଞ୍ଚିଛୁ।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri