ଗଣତନ୍ତ୍ର ଉପରେ ପେଗାସସ୍‌ ଆକ୍ରମଣ

ଭାଲଚନ୍ଦ୍ର ଷଡ଼ଙ୍ଗୀ

ଭାରତ ସମେତ ବିଶ୍ୱର ୫୦ଟି ଦେଶର ପଚାଶ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ମୋବାଇଲ୍‌ ଫୋନ୍‌କୁ ପେଗାସସ୍‌ ସଫ୍ଟୱେର ମାଧ୍ୟମରେ ହ୍ୟାକିଂ କରି ସରକାରଙ୍କ ଦ୍ୱାରା ସେମାନଙ୍କ ନଜରଦାରି କରୁଥିବାର ଖବର ଏବେ ସାରା ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଭାରତର ଜଣାଶୁଣା ନ୍ୟୁଜ୍‌ ପୋର୍ଟାଲ୍‌ ‘ଦି ୱାଇର୍‌’ ସମେତ ୱାଶିଂଟନ୍‌ ପୋଷ୍ଟ, ଗାର୍ଡ଼ିଆନ୍‌ ପରି ବିଶ୍ୱର ୧୭ଟି ପ୍ରମୁଖ ମିଡ଼ିଆ ସଂସ୍ଥାଙ୍କୁ ନେଇ ଗଠିତ ଏକ ସାମ୍ବାଦିକ ଗୋଷ୍ଠୀ ଦ୍ୱାରା ହୋଇଥିବା ସଘନ ଅନୁସନ୍ଧାନରୁ ଏହି ତଥ୍ୟ ଉଜାଗର ହୋଇଛି। ଇସ୍ରାଏଲର ଏନ୍‌ଏସ୍‌ଓ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏହି ସଫ୍ଟୱେର ମାଧ୍ୟମରେ ବିଭିନ୍ନ ଦେଶର ସରକାର ନିଜର ନାଗରିକମାନଙ୍କ ମୋବାଇଲ୍‌ ଫୋନ୍‌ରେ ଏକ ଗୋଇନ୍ଦା ଭାଇରସ୍‌ (ସ୍ପାଇୱେର) ଭର୍ତ୍ତିକରି ସେମାନଙ୍କ ମୋବାଇଲରେ ରହିଥିବା ସମସ୍ତ ତଥ୍ୟକୁ ଚୋରି କରିବା ସହିତ ସେମାନଙ୍କ ସମସ୍ତ କଥାଭାଷା ଏବଂ କାର୍ଯ୍ୟକଳାପର ଭିଡ଼ିଓ ରେକର୍ଡ଼ିଂ କରିଥିବା ଜଣାପଡ଼ିଛି।
ପେଗାସସ୍‌ ହ୍ୟାକିଂର ଶିକାର ହୋଇଥିବା ବ୍ୟକ୍ତିଙ୍କ ତାଲିକାରେ ବିଶ୍ୱର ତିନୋଟି ଦେଶର ରାଷ୍ଟ୍ରପତି, ୧୦ଟି ଦେଶର ପ୍ରଧାନମନ୍ତ୍ରୀ, ୭ ଜଣ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ଦେଶର ବିରୋଧୀ ଦଳଗୁଡ଼ିକର ପ୍ରମୁଖ ନେତା, ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି, ବରିଷ୍ଠ ପୋଲିସ ଓ ସେନା ଅଧିକାରୀ ଏବଂ ଅନେକ ସାମ୍ବାଦିକଙ୍କ ନାମ ରହିଛି। ପେଗାସସ୍‌ ନଜରଦାରି ଜରିଆରେ ନିକଟ ଅତୀତରେ ଦୁଇ ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ସରକାରଙ୍କୁ ସମାଲୋଚନା କରୁଥିବା ଯୋଗୁ ସାଉଦିଆରବ ସରକାର ଗତବର୍ଷ ‘ୱାଶିଂଟନ ପୋଷ୍ଟ’ର ସ୍ଥାନୀୟ ସାମ୍ବାଦିକ ଜମାଲ ଖାସୋଗୀଙ୍କୁ ହତ୍ୟା କରିଥିବା ବେଳେ ମେକ୍ସିକୋର ସରକାର ବିରୋଧୀ ସାମ୍ବାଦିକ ସିସୋଲିଓ ପେନୋଜଙ୍କୁ ମଧ୍ୟ ପେଗାସସ୍‌ ଜରିଆରେ ହିଁ ନଜରଦାରି କରି ହତ୍ୟା କରାଯାଇଥିବା ଜଣାପଡ଼ିଛି। ‘ଦି ୱାଇର୍‌’ର ତଥ୍ୟ ଅନୁଯାୟୀ ପେଗାସସ୍‌ ଗୁଇନ୍ଦାଗିରିର ଶିକାର ବ୍ୟକ୍ତିଙ୍କ ତାଲିକାରେ ଆମ ଦେଶର ଦୁଇ ଜଣ କେନ୍ଦ୍ରମନ୍ତ୍ରୀ, ସୁପ୍ରିମକୋର୍ଟର ବିଚାରପତି, ସେନା ଓ ପୋଲିସର ବରିଷ୍ଠ ଅଧିକାରୀ, ସିବିଆଇର ପୂର୍ବତନ ମୁଖ୍ୟ, ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର, କିଛି ବୈଜ୍ଞାନିକ ତଥା ବିଭିନ୍ନ ବିରୋଧୀଦଳର ପ୍ରମୁଖ ନେତାଙ୍କ ସମେତ ଦେଶର ୪୦ ଜଣ ସାମ୍ବାଦିକ ରହିଛନ୍ତି। ଏପରିକି ସରକାରଙ୍କ ଟାର୍ଗେଟ୍‌ରେ ରହିଥିବା ଉପରୋକ୍ତ ବ୍ୟକ୍ତିମାନଙ୍କ ପରିବାରର ସଦସ୍ୟ ଓ ସଦସ୍ୟାମାନେ ମଧ୍ୟ ରହିଛନ୍ତି।
ଆଇନ ଅନୁଯାୟୀ ସରକାର ଦେଶର ସୁରକ୍ଷା ଦୃଷ୍ଟିରୁ ସନ୍ଦିଗ୍ଧ ମନେ କରୁଥିବା କୌଣସି ନାଗରିକର ଫୋନ୍‌କୁ ରେକର୍ଡ଼ କରିପାରିବେ। କିନ୍ତୁ ଏଥିପାଇଁ ଭାରତୀୟ ଟେଲିଗ୍ରାଫ୍‌ ଆଇନ-୧୮୮୫ରେ ଏକ ପ୍ରକ୍ରିୟା ରହିଛି। ଏଥିପାଇଁ ସରକାରଙ୍କ ନିର୍ଦ୍ଦିଷ୍ଟ ଅଧିକୃତ ଅଧିକାରୀମାନଙ୍କ ପାଖରୁ ଏକ ଲିଖିତ ଅନୁମତି ଆଣିବାକୁ ହେବ। କିନ୍ତୁ ଗ୍ରୀକ୍‌ ପୁରାଣର ‘ଉଡ଼ନ୍ତା ଘୋଡ଼ା’ ରୂପେ ପରିଚିତ ପେଗାସସ୍‌ ଏକ ସାଧାରଣ ନଜରଦାରି କିମ୍ବା ଫୋନ୍‌ ଟ୍ୟାପିଂ ନୁହେଁ। ଏହା ଗୋଇନ୍ଦା ଭୂତାଣୁ ବା ସ୍ପାଇୱେର୍‌ ଜରିଆରେ କୌଣସି ବ୍ୟକ୍ତିର ମୋବାଇଲରେ ତା’ର ସମ୍ପୂର୍ଣ୍ଣ ଅଜଣାତରେ ପଶି ତା’ର ଫୋନ୍‌କୁ ହ୍ୟାକିଂ କରିଥାଏ। କେବଳ ସେତିକି ନୁହେଁ ସମ୍ପୃକ୍ତ ଫୋନ୍‌ର ମାଇକ୍‌ ଓ କ୍ୟାମେରାକୁ ନିଜର ଇଚ୍ଛା ମୁତାବକ ଖୋଲି ଫୋନ୍‌ ବନ୍ଦଥିବା ଅବସ୍ଥାରେ ମଧ୍ୟ ଫୋନ୍‌ର ଚାରିପାଖରେ ଘଟୁଥିବା ସମସ୍ତ ଘଟଣାର ଶବ୍ଦ ଓ ଚିତ୍ରକୁ ଉତ୍ତୋଳନ କରି ସଂଗ୍ରହ କରାଯାଇପାରେ। ଭାରତର ସୂଚନା ଓ ପ୍ରଯୁକ୍ତି ଆଇନ- ୨୦୦୦ର ଧାରା ୬୯ ଅନୁଯାୟୀ ଏହା ଏକ ଦଣ୍ଡନୀୟ ଅପରାଧ। ସରକାର ପେଗାସସ୍‌ ଜରିଆରେ ନାଗରିକମାନଙ୍କ ବ୍ୟକ୍ତିଗତ କଥାଭାଷା ଓ ଭିଡ଼ିଓକୁ ଯେଭଳି ସଂଗ୍ରହ କରୁଛନ୍ତି, ତାହା ସେମାନଙ୍କ ବ୍ୟକ୍ତିଗତ ନିଜତାର ଅଧିକାର, ଯାହାକି ଏକ ମୌଳିକ ଅଧିକାର ରୂପେ ସ୍ବୀକୃତ ହୋଇସାରିଛି, ତା’ର ଖୋଲା ଉଲ୍ଲଂଘନ।
କେବଳ ସେତିକି ନୁହେଁ, ସରକାର ନିଜର ରାଜନୈତିକ ବିରୋଧୀମାନଙ୍କୁ ଆତଙ୍କବାଦୀ ବୋଲି ଅଭିଯୁକ୍ତ କରିବା ପାଇଁ ସେମାନଙ୍କ ଫୋନ୍‌କୁ ହ୍ୟାକ୍‌ କରି, ତା’ର ମେଲ୍‌ରେ ଆପତ୍ତିଜନକ ଦସ୍ତାବିଜକୁ ସଂଲଗ୍ନ କରିବା ବି ଦେଖାଯାଇଛି। ବହୁଚର୍ଚ୍ଚିତ ଭୀମା କୋରେଗାଓଁ ମାମଲାରେ ଅଭିଯୁକ୍ତ ରହି ଜେଲରେ ବନ୍ଦୀ ରହିଥିବା ବୁଦ୍ଧିଜୀବୀମାନଙ୍କ କମ୍ପ୍ୟୁଟରକୁ ହ୍ୟାକିଂ କରି ଏଭଳି ଆପତ୍ତିଜନକ ଦସ୍ତାବିଜ ଭର୍ତ୍ତି କରି ସେମାନଙ୍କ ବିରୋଧରେ ମିଥ୍ୟା ଓ କପୋଳକଳ୍ପିତ ଅଭିଯୋଗ ଅଣାଯାଇଥିବା ଜଣାପଡ଼ିଛି। ଏଭଳି କାର୍ଯ୍ୟ କେବଳ ଜଣେ ବ୍ୟକ୍ତିର ମୌଳିକ ଅଧିକାରର ଉଲ୍ଲଂଘନ ନୁହେଁ, ବରଂ ଅତ୍ୟନ୍ତ ଆପରାଧିକ କୃତ୍ୟ, ଯାହାକି ଦେଶକୁ ଏକ ଆତଙ୍କବାଦୀ ଓ ଏକଚ୍ଛତ୍ରବାଦୀ ରାଷ୍ଟ୍ରରେ ପରିଣତ କରିଦେବାର ସମ୍ଭାବନା ରହିଛି। କାରଣ କ୍ଷମତାରେ ଥିବା ଦଳ ଏହା ଜରିଆରେ ନିଜର ରାଜନୈତିକ ବିରୋଧୀମାନଙ୍କ ନଜରଦାରି କରି ସେମାନଙ୍କୁ ବ୍ଲାକ୍‌ମେଲ କରିବାର ଏପରିକି ହତ୍ୟା କରିବାର ବି ସମ୍ଭାବନା ରହିଛି। ଦୁଇ ବର୍ଷ ତଳେ କର୍ନାଟକରେ ହୋଇଥିବା ସରକାର ପରିବର୍ତ୍ତନ ପାଇଁ ବି ପେଗାସସ୍‌ର ସହାୟତା ନିଆଯାଇଥିବାର ଅଭିଯୋଗ ଇତିମଧ୍ୟରେ ଆସିଛି।
ପେଗାସସ୍‌ର ନିର୍ମାତା ଇସ୍ରାଏଲର ଘରୋଇ କମ୍ପାନୀ ଏନ୍‌ଏସ୍‌ଓ, ଇତି ମଧ୍ୟରେ ସ୍ପଷ୍ଟୀକରଣ ଦେଇ କହିଛି ଯେ, ସେମାନେ ଏହି ସଫ୍ଟୱେରକୁ କୌଣସି ବ୍ୟକ୍ତି ବିଶେଷ ବା ସଂଗଠନ ନୁହେଁ, କେବଳ ସରକାରମାନଙ୍କୁ ହିଁ ବିକ୍ରି କରୁଛନ୍ତି। ଇସ୍ରାଏଲ ସରକାର ଆତଙ୍କବାଦ ଓ ସଙ୍ଗଠିତ ଅପରାଧର ମୁକାବିଲା ପାଇଁ ଏହାକୁ ଏକ ହତିଆର ଶ୍ରେଣୀରେ ରଖିଛନ୍ତି। ତେବେ ଉପରୋକ୍ତ ଉଦ୍ଦେଶ୍ୟ ବ୍ୟତୀତ ଅନ୍ୟ କୌଣସି ଉଦ୍ଦେଶ୍ୟରେ ଏହାର ବ୍ୟବହାର ହୋଇପାରିବ ନାହିଁ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କୁହାଯାଇଛି। ଏପରିକି କୌଣସି ବିଦେଶୀ ଟାର୍ଗେଟ୍‌ ପାଇଁ ପେଗାସସ୍‌ର ଉପଯୋଗ ହୋଇପାରିବ ନାହିଁ ବୁଝାମଣା ପତ୍ରରେ କୁଆଡ଼େ ସ୍ପଷ୍ଟ କରାଯାଇଛି। କୌଣସି ଦେଶ ସହିତ ଯୁଦ୍ଧାସ୍ତ୍ର ବିକ୍ରିର ବୁଝାମଣା ପରି ଇସ୍ରାଏଲ ସରକାରଙ୍କ ଅନୁମତି ପରେ ହିଁ କମ୍ପାନୀ ପେଗାସସ୍‌ ସଫ୍ଟୱେର ବିକ୍ରି କରୁଛି। ଏପରିକି ବିକ୍ରି ପାଇଁ ଅନୁମତି ଦେବା ପୂର୍ବରୁ ଇସ୍ରାଏଲ ସରକାର ସମ୍ପୃକ୍ତ ଦେଶର ମାନବାଧିକାର ରେକର୍ଡ଼କୁ ଦେଖିଥାନ୍ତି ବୋଲି ମଧ୍ୟ କୁହାଯାଇଛି।
ପେଗାସସ୍‌ ନଜରଦାରିରେ ଭାରତର ଏତେ ସଂଖ୍ୟକ ବିଶିଷ୍ଟ ରାଜନେତା, ସାମ୍ବାଦିକ, ସାମାଜିକ କର୍ମୀ ଆସିବା ପରେ ସାରା ଦେଶରେ ଏହାକୁ ନେଇ ପ୍ରତିକ୍ରିୟା ସୃଷ୍ଟି ହେବା ସ୍ବଭାବିକ। ସଂସଦର ଚଳିତ ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ଏହାର ପ୍ରତିବାଦରେ ତଥା ନିରପେକ୍ଷ ତଦନ୍ତ ଦାବିରେ ବିରୋଧୀ ଦଳମାନେ ଜୋରଦାର ପ୍ରତିକ୍ରିୟା ଜଣାଇଛନ୍ତି। ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ମଦନ ଲୋକୁରଙ୍କ ଅଧ୍ୟକ୍ଷତାରେ ଏକ ବିଚାର ବିଭାଗୀୟ କମିଶନ ଗଠନ କରି ତା’ର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ବିଶିଷ୍ଟ ସାମ୍ବାଦିକ ଏନ୍‌. ରାମ ଏନେଇ ସୁପ୍ରିମ୍‌କୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି।
ପେଗାସସ୍‌ ମାମଲାରେ କେନ୍ଦ୍ରର ମୋଦି ସରକାରଙ୍କ ଭୂମିକାଟି ”ଲୁଚିଛି ନା ଗୋଡ଼ ଦି’ଟା ଦୁଶୁଛି“ ପରି ମନେହେଉଛି। ବିରୋଧୀ ଦଳମାନଙ୍କ ବାରମ୍ବାର ଦାବି ସତ୍ତ୍ୱେ ସରକାର ଏଯାଏ ଏହି ସଫ୍ଟୱେରକୁ କିଣିଛନ୍ତି ନା ନାହିଁ ବୋଲି କହିବାକୁ ସାହସ ଜୁଟାଇ ପାରି ନାହାନ୍ତି। କାରଣ ଯଦି କିଣିଥିବା କଥା ସ୍ବୀକାର କରନ୍ତି ତା’ହେଲେ ତା’ର ଦୁରୁପଯୋଗ ହୋଇଥିବାର ଅଭିଯୋଗଟି ପ୍ରମାଣିତ ହୋଇଯିବ। ନିଜର ରାଜନୈତିକ ସ୍ବାର୍ଥରେ ଏହାର ଦୁରୁପଯୋଗ କରିଛନ୍ତି ବୋଲି ସ୍ପଷ୍ଟ ହୋଇଗଲେ ସରକାର ଦେଶବାସୀଙ୍କ ଆଗରେ ବଦନାମ୍‌ ହେବା ସହ ପେଗାସସ୍‌ ଯୋଗାଣକାରୀ କମ୍ପାନୀ ଓ ଇସ୍ରାଏଲୀ ସରକାରଙ୍କ ସହ କରିଥିବା ଚୁକ୍ତିନାମାର ଉଲଂଘନ କରିଥିବା ପ୍ରମାଣିତ ହୋଇଯିବ। ଇତିମଧ୍ୟରେ ଫ୍ରାନ୍ସର ପ୍ରମୁଖ ଖବରକାଗଜ ‘ଲା ମୁନ୍‌’ ୨୦୧୭ ଜୁଲାଇରେ ମୋଦିଙ୍କ ଇସ୍ରାଏଲ ଗସ୍ତ ସମୟରେ ଏନେଇ ବୁଝାମଣା ହୋଇଥିବା ଆଶଙ୍କା କରି ଖବର ପ୍ରକାଶ କରିଛି। ମୋଦିଙ୍କ ଇସ୍ରାଏଲ ଗସ୍ତ ପରେ ହିଁ ଦେଶର ନାଗରିକମାନଙ୍କ ଫୋନ୍‌କୁ ପେଗାସେସ୍‌ ଜରିଆରେ ହ୍ୟାକିଂ କରାଯାଇଥିବାର ଅଭିଯୋଗ ଆସିଥିବାରୁ ଉପରୋକ୍ତ ଖବରରେ ସତ୍ୟତା ରହିଥିବା ଅନୁମାନ କରାଯାଉଛି। ନିକଟରେ ଭାଜପା ସାଂସଦ ସୁବ୍ରମଣ୍ୟମ୍‌ ସ୍ବାମୀ ବି କେନ୍ଦ୍ର ବଜେଟରେ ଜାତୀୟ ସୁରକ୍ଷା ପରିଷଦ ପାଇଁ ହୋଇଥିବା ବ୍ୟୟବରାଦରେ ଅଚାନକ ବୃଦ୍ଧି ହେବା ପଛରେ ଏହି ସଫ୍ଟୱେର କିଣାଯାଇଥିବାର ଆଶଙ୍କା କରିଛନ୍ତି।
ପେଗାସସ୍‌ ଜରିଆରେ ନଜରଦାରିଟି କେବଳ ସରକାରଙ୍କ ସହ ଭିନ୍ନମତ ରଖିଥିବା ନାଗରିକମାନଙ୍କ ମଧ୍ୟରେ ହିଁ ସୀମିତ ନୁହେଁ। ଖୋଦ୍‌ ସରକାରଙ୍କ ବରିଷ୍ଠ ସେନା ଅଧିକାରୀ, ସିବିଆଇ, ବିଏସ୍‌ଏଫ୍‌ ଓ ଇଡିର ଶୀର୍ଷ ଅଧିକାରୀ ଏପରିକି ସୁପ୍ରିମକୋର୍ଟର ବିଚାରପତିମାନଙ୍କ ଫୋନ୍‌କୁ ବି ହ୍ୟାକ୍‌ କରାଯାଇ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ନିଆଯାଉଥିବାରୁ ଏଥିରେ ଜାତୀୟ ସୁରକ୍ଷାର ପ୍ରଶ୍ନ ବି ଜଡ଼ିତ ରହିଛି। କିନ୍ତୁ ପରିତାପର ବିଷୟ, ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗରେ ସରକାର ତତ୍‌କ୍ଷଣାତ୍‌ ଘଟଣାର ତଦନ୍ତ କରିବାକୁ ତପତ୍ରତା ଦେଖାଇବା ପରିବର୍ତ୍ତେ ତାକୁ ଘଣ୍ଟ ଘୋଡ଼େଇବାକୁ ଚେଷ୍ଟା କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଦେଶର ନିରାପତ୍ତା, ଗଣତନ୍ତ୍ର ଏବଂ ନାଗରିକମାନଙ୍କ ନିଜତାକୁ ହନନ କରୁଥିବା ଏଭଳି ଏକ ସ୍ପର୍ଶକାତର ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ ନିହାତି ଜରୁରୀ।
ମୋ : ୯୪୩୭୧୬୬୩୯୧


Enter your email to get our daily news in your inbox.

All Right Reserved By Dharitri.Com

ମାଗଣା ଯୋଜନା ଓ ମିଛ ହିତାଧିକାରୀ

ଷ୍ଟାଲିନ ମିଶ୍ର ବ୍ରିଟିଶ ଶାସନ ସମୟର କଥା। ରାଜ୍ୟରେ ଭୟଙ୍କର ନଅଙ୍କ ଦୁର୍ଭିକ୍ଷ ପଡ଼ିଥାଏ। ଭୋକ ଦାଉ ସହି ନ ପାରି ଲକ୍ଷ ଲକ୍ଷ ଓଡ଼ିଆ...

ଦେବଦେବ ମହାଦେବ

ଅଲେଖ ଚନ୍ଦ୍ର ମିଶ୍ର   ଦେବତାଙ୍କର ଦେବତା ସେ ମହାନ୍‌ ଦେବତା, ତେଣୁ ତାଙ୍କ ନାମ ଦେବଦେବ ମହାଦେବ। ସେ ସକଳ ଦେବଦେବୀଙ୍କର ପିତୃତୁଲ୍ୟ। କାରଣ...

ଭାରତର ଜୀବନରେଖା ଦକ୍ଷିଣ-ପଶ୍ଚିମ ମୌସୁମୀ

ଶାରଦା ପ୍ରସନ୍ନ ବେହେରା ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଳମ୍ବରେ ପହଞ୍ଚତ୍ବ ଓ କମ୍‌ ବର୍ଷିବ ବୋଲି ପାଣିପାଗ ବିଜ୍ଞାନୀମାନେ ଭବିଷ୍ୟବାଣୀ କରିବା ପରେ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଆଗରେ ସବୁ ବାଧା ଟଳିଯାଏ, ବ୍ୟକ୍ତି ନିଜ ଲକ୍ଷ୍ୟରେ ପହଞ୍ଚିଯାଏ; ଯାହା ଘଟିଛି ଅଙ୍କିତା ଶାହାଙ୍କ ଜୀବନରେ। ଅହମଦାବାଦର ଅଙ୍କିତା ଜଣେ ଭିନ୍ନକ୍ଷମ।...

ସାମ୍ପ୍ରତିକ ସମୟର ବଡ଼ ବିପଦ

ଅନିଲ ବିଶ୍ୱାଳ   ବିଶ୍ୱ ଏବେ ଅନେକ ସମସ୍ୟା ଦେଇ ଗତି କରୁଛି। କରୋନା ମହାମାରୀ, ଆର୍ଥିକ ସଙ୍କଟ, ଗଣତାନ୍ତ୍ରିକ ମୂଲ୍ୟବୋଧରେ ହ୍ରାସ, ଧନୀ-ଗରିବ ତାରତମ୍ୟରେ...

ଦୁଇଟି ଆଇନର ଆନ୍ଦୋଳନ

ଆକାର ପଟେଲ ସଂଖ୍ୟାଧିକ ଭାରତୀୟଙ୍କ ସମସ୍ୟାକୁ ଅଣଦେଖା କରି ତାକୁ ଏକ ଜାତୀୟ ସଙ୍କଟର ରୂପ ଦେବା କାର୍ଯ୍ୟ ସରକାର ପୂର୍ବରୁ କରିଛନ୍ତି। ଏବେ ଏହି...

ଦେଶ ବଞ୍ଚିଲେ ଆମେ ବଞ୍ଚିବା

ବୈକୁଣ୍ଠନାଥ ମିଶ୍ର ମନୁଷ୍ୟର ଅସ୍ବାଭାବିକ ଆଚରଣ ଘୋର ସଙ୍କଟମୟ ସ୍ଥିତିକୁ ଆମନ୍ତ୍ରଣ କରୁଛି। ତା’ର ଚଳଣି, ନିତ୍ୟନୈମିତ୍ତିକ କର୍ମ ସମ୍ପାଦନ ଓ ଗତିବିଧିର ଫଳାଫଳ କ୍ରମେ...

ଏଇ ଭାରତରେ

ଶିକ୍ଷା ସମ୍ପର୍କିତ ୟୁଟ୍ୟୁବ୍‌ ଚ୍ୟାନେଲ ‘କଥଡି’ ମାଧ୍ୟମରେ ଆଦିବାସୀ ପିଲାଙ୍କୁ ଶିକ୍ଷା ଦେବାରେ ଲାଗିଛନ୍ତି ଦୀପକ ଚନ୍ଦ୍ର ଓ ମାୟା ନାଥନ୍‌। ଏହି ଦମ୍ପତି ଆଇଆଇଟି...

Advertisement
Archives

Model This Week