ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରିବ କ

ଫାଓ୍ବାଜ ଏ.ଜର୍ଜେସ୍‌

ମଧ୍ୟପ୍ରାଚ୍ୟରେ ସମ୍ପର୍କ ଓ ମେଣ୍ଟରେ ପରିବର୍ତ୍ତନ ହେବାରେ ଲାଗିଛି। ସେଠାରେ ତୀବ୍ର ଶତ୍ରୁତା ମଧ୍ୟରେ କୂଟନୀତି ବେଶ୍‌ ଗତିଶୀଳ ହୋଇଛି। ସୌଦି ଆରବ, ଇରାନ, ଟର୍କି ଏବଂ ଇଜିପ୍ଟ ସେମାନଙ୍କ ବୈଦେଶିକ ନୀତିର ପୁନଃସମୀକ୍ଷା କରି ଦୂରେଇ ଦେଇଥିତ୍ବା ପଡ଼ୋଶୀଙ୍କ ସହ ସମ୍ପର୍କ ସ୍ଥାପନ କରୁଛନ୍ତି। ଆମେରିକା ଏବଂ ରୁଷିଆ ସେମାନଙ୍କ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱିତାକୁ ନବୀକରଣ କରିଛନ୍ତି। ଚାଇନା ମଧ୍ୟ ମଧ୍ୟପ୍ରାଚ୍ୟରେ ନୂଆ ପ୍ରତିଯୋଗୀ ଭାବେ ପ୍ରବେଶ କରିଛି। ମଧ୍ୟପ୍ରାଚ୍ୟ ରାଜନୀତିରେ ପରିବର୍ତ୍ତନ ଯୋଗୁ ସେଠାରେ ଏକ ତୀବ୍ର ଓ ବାସ୍ତବ ବୈଶ୍ୱିକ ପ୍ରତିଯୋଗିତା ଦେଖିବାକୁ ମିଳିବ। ଏହା ଯୋଗୁ ପରସ୍ପର ପ୍ରତି ବିମୁଖ ହୋଇ ରହିଥିବା ଦେଶଗୁଡ଼ିକୁ ଏକାଠି କରି ସେମାନେ ଆଞ୍ଚଳିକ ଝଗଡ଼ାକୁ ଶାନ୍ତ କରିପାରିବେ। ତେବେ ଆମେରିକାର ଆଞ୍ଚଳିକ ବ୍ୟୟ ହ୍ରାସ, ଚାଇନାର ଉତ୍‌ଥାନ ଏବଂ କୋଭିଡ୍‌-୧୯ ମହାମାରୀର ପ୍ରତିକୂଳ ପ୍ରଭାବରେ ଦୁର୍ବଳ ହୋଇପଡ଼ିଥିବା ଅର୍ଥ ବ୍ୟବସ୍ଥାଗୁଡ଼ିକର ପରିବର୍ତ୍ତିତ ପରିସ୍ଥିତି ଉପରେ ବହୁତ କିଛି ନିର୍ଭର କରିବ।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ପ୍ରଶାସନରେ ମଧ୍ୟପ୍ରାଚ୍ୟକୁ ବୈଦେଶିକ ନୀତିରେ ପ୍ରାଥମିକତା ଦିଆଯାଇନାହିଁ। ଅନ୍ୟପକ୍ଷରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୌଦି ଆରବ ଓ ଇସ୍ରାଏଲକୁ ନେଇ ଇରାନ ବିରୋଧରେ ଏକ ମେଣ୍ଟ ଗଢ଼ିଥିଲେ ବି ମୁଖ୍ୟତଃ ୟେମେନରେ ଚାଲିଥିବା ଯୁଦ୍ଧରେ ଆମେରିକା ସହଯୋଗରେ ପୂର୍ଣ୍ଣଚ୍ଛେଦ ପକାଇ ବାଇଡେନ୍‌ ସୌଦି ଆରବଠାରୁ ନିଜକୁ ଦୂରେଇ ରଖିବାକୁ ଚାହଁିଛନ୍ତି। ତାଙ୍କ ପ୍ରଶାସନ ୨୦୧୫ ଇରାନ ଆଣବିକ ଚୁକ୍ତିକୁ ପୁଣି ଫେରାଇ ଆଣିବାକୁ କୂଟନୀତି କାର୍ଯ୍ୟକଳାପ ଆରମ୍ଭ କରିଦେଇଛି। ୨୦୧୮ରେ ଟ୍ରମ୍ପ୍‌ ଆମେରିକାକୁ ଏହି ଚୁକ୍ତିରୁ ଓହରାଇ ଆଣିଥିଲେ। କେବଳ ଏତିକି ନୁହେଁ , ଟ୍ରମ୍ପ୍‌ଙ୍କ ପ୍ରିୟ ଦେଶ ଟର୍କି ଏବଂ ଇଜିପ୍ଟଠାରୁ ଦୂରତା ରକ୍ଷା କରିଛନ୍ତି ବାଇଡେନ୍‌। ଚଳିତ ମାସରେ ଆଫ୍‌ଗାନିସ୍ଥାନରୁ ଆମେରିକା ସମ୍ପୂର୍ଣ୍ଣ ଓହରି ଆସିବାକୁ ନେଇ ବାଇଡେନ୍‌ ସ୍ପଷ୍ଟ କରିଛନ୍ତି ଯେ, ଆମେରିକା ନିଜକୁ ଆଞ୍ଚଳିକ ଶୀତଳ ଯୁଦ୍ଧରୁ ଦୂରେଇ ରଖିବାକୁ ଚାହେଁ। ଏ ସବୁକୁ ଲକ୍ଷ୍ୟ କରି ସାରା ମଧ୍ୟପ୍ରାଚ୍ୟରେ ବିଶ୍ୱାସ ସୃଷ୍ଟି ହୋଇଛି ଯେ, ଆମେରିକା ଆଉ ପ୍ରକୃତ ଅଂଶୀଦାର ଭାବେ ବେଶି ଦିନ ରହିବ ନାହିଁ ।
ଆମେରିକା ଓହରି ଆସୁଥିବାବେଳେ ଚାଇନା ମଧ୍ୟପ୍ରାଚ୍ୟରେ ତା’ ଉପସ୍ଥିତି ଜାହିର କରିବା ସହ ପ୍ରଭାବ ବଢ଼ାଉଥିବା ଜଣାପଡ଼ିଛି। ମାର୍ଚ୍ଚରେ ଏହା ଇରାନ ସହ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସମ୍ପାଦନ କରିଥିଲା। ଆସନ୍ତା ୨୫ ବର୍ଷ ମଧ୍ୟରେ ଏହା ୪୦୦ ବିଲିୟନ ଡଲାର ନିବେଶ କରିବାକୁ କଥାଦେଇଛି। ଏହା ବଦଳରେ ଇରାନ ନିୟମିତ ତୈଳ ଏବଂ ଗ୍ୟାସ୍‌ ଯୋଗାଇବାର ଚୁକ୍ତି କରାଯାଇଛି। ମାର୍ଚ୍ଚରେ ମଧ୍ୟ ଚାଇନାର ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ୍‌ ୟି ସୌଦି ଆରବ, ଟର୍କି, ଇରାନ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ), ବାହାରିନ ଓ ଓମାନ୍‌ ଗସ୍ତରେ ଯାଇ ଆଞ୍ଚଳିକ ସୁରକ୍ଷା ଏବଂ ସ୍ଥିରତା ଉପରେ ତାଙ୍କ ଦେଶର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଆମେରିକାକୁ ଲକ୍ଷ୍ୟ କରି ସେ କହିଥିଲେ ଯେ, ଚାଇନା ସେଠାରେ ବୈଦେଶିକ ହସ୍ତକ୍ଷେପକୁ ବିରୋଧ କରିବ ଏବଂ ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଦୀର୍ଘ ସଂଘର୍ଷର ସମାଧାନ କରିବାକୁ ଏକ ସଚ୍ଚୋଟ ମଧ୍ୟସ୍ଥି ଭାବେ କାର୍ଯ୍ୟ କରିବ। ଓ୍ବାଙ୍ଗ୍‌ ମଧ୍ୟ ଚାଇନାର ମୁକ୍ତ ବାଣିଜ୍ୟ ଚୁକ୍ତିର ଭବିଷ୍ୟତ ସମ୍ପର୍କରେ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ଅବଗତ କରିବା ସହ ଲୋଭନୀୟ ପ୍ରସ୍ତାବ ରଖିଛନ୍ତି। ଉକ୍ତ ବାଣିଜି୍ୟକ ଚୁକ୍ତିରେ ଶହ ଶହ ବିଲିୟନ ଡଲାର ନିବେଶ ସୁଯୋଗ ସୃଷ୍ଟି କରାଯାଇପାରିବ ବୋଲି ସେମାନଙ୍କୁ ବୁଝାଇଛନ୍ତି। ଏହି ପ୍ରକାର ଆର୍ଥିକ ପ୍ରଲୋଭନକୁ ନେଇ ମଧ୍ୟପ୍ରାଚ୍ୟରେ ବ୍ୟାପକ ଆଲୋଚନା ହେଉଛି। ଏଠାରେ କୋଭିଡ୍‌-୧୯ ମହାମାରୀ ପୂର୍ବରୁ ଯୁବ ବେରୋଜଗାରୀ ହାର, ଦାରିଦ୍ର୍ୟ ସ୍ତର ଏବଂ ଅନ୍ୟ ଆର୍ଥିକ ସୂଚକାଙ୍କ ଅତ୍ୟନ୍ତ ନିରାଶାଜନକ ରହିଥିଲା। ପରେ ମହାମାରୀ ଯୋଗୁ ଅନେକ ଦେଶରେ ସାମାଜିକ ସଙ୍କଟ ଆହୁରି ଜଟିଳ ରୂପ ଧାରଣ କରିଛି। ଏହିସବୁ ପରିସ୍ଥିତିରେ ମଧ୍ୟପ୍ରାଚ୍ୟରେ ଆଞ୍ଚଳିକ ସ୍ତରୀୟ ଆଲୋଚନା ଏବଂ କୂଟନୀତି କାର୍ଯ୍ୟକଳାପ ଫେରିବା କଥା ଭାବିଲେ କିଛିଟା ଆଶ୍ଚର୍ଯ୍ୟ ଲାଗେ। ସନ୍ତ୍ରାସବାଦୀ ଦୃଷ୍ଟିଭଙ୍ଗୀ ଏବଂ ଅନ୍ୟକୁ ଘୃଣା କରିବା ବଦଳରେ ଲୋକମାନଙ୍କ ଆବଶ୍ୟକତା ପୂରଣ କରିବା ଉପରେ ଶାସକୀୟ ସୁରକ୍ଷା ନିର୍ଭର କରେ ବୋଲି ମଧ୍ୟପ୍ରାଚ୍ୟର ଅଧିକାଂଶ ଦେଶ ବୁଝିଲେଣି। ଏଣୁ କିଭଳି ୟେମେନ୍‌ରେ ସଂଘର୍ଷ ଶେଷ କରାଯିବ, ସେ ସମ୍ପର୍କରେ ଗତ ଏପ୍ରିଲରେ ସୌଦି ଆରବ ଏବଂ ଇରାନ ଗୁପ୍ତରେ ଆଲୋଚନା କରିଛନ୍ତି। ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୨୦୧୫ରୁ ୟେମେନ୍‌ରେ ସୌଦି ନେତୃତ୍ୱାଧୀନ ମେଣ୍ଟ ଇରାନ ପ୍ରୋତ୍ସାହିତ ହୌଥି ବିଦ୍ରୋହୀଙ୍କ ବିରୋଧରେ ଯୁଦ୍ଧ ଲଢ଼ୁଛି।
ଜୁନ୍‌ ୨୦୧୭ରେ ସୌଦି ଆରବ ତା’ପଡ଼ୋଶୀ କାତାର ସହ ସବୁ ସମ୍ପର୍କ ଛିନ୍ନ କରିବା ପରେ ମଧ୍ୟ ପୁଣି ବନ୍ଧୁତ୍ୱ ସୃଷ୍ଟି କରିବାକୁ ଚାହଁିଛି। ସୂଚନାଯୋଗ୍ୟ ଯେ, ଇରାନ ସହ କାତାରର ଭଲ ସମ୍ପର୍କ ରହିଛି। ଗତ ଏପ୍ରିଲ୍‌ରେ ବନ୍ଧୁତ୍ୱର ଏକ ମଜଭୁତ ସଙ୍କେତ ଦେବାକୁ ଯାଇ ସୌଦି ଆରବ ରାଜା ସଲ୍‌ମାନ ଓ୍ୟପଚାରିକ ଭାବେ କାତାର ରାଜକୁମାର ଶେଖ ଟାମିନ ବିନ୍‌ ହମାଦ ଅଲ୍‌-ଥାନିଙ୍କୁ ସୌଦି ପରିଦର୍ଶନରେ ଆସିବାକୁ ଆମନ୍ତ୍ରଣ କରିଥିଲେ। ପୁନଶ୍ଚ ରାଜନୈତିକ କ୍ଷେତ୍ରରେ ବ୍ୟାପକ ଅଦଳବଦଳ କରିବାର ସୂଚନା ଦେବାକୁ ଯାଇ ସୌଦି ମଧ୍ୟ ଇରାକ ସହ ସମ୍ପର୍କକୁ ସୁଧାରିବାକୁୁ ଚେଷ୍ଟା କରୁଛିି। ପ୍ରକାଶ ଯୋଗ୍ୟ ଯେ, ଇରାକ ମଧ୍ୟ ଇରାନର ସହଯୋଗୀ। ଏହିପରି ୩ ଦଶନ୍ଧି ଧରି ଲାଗି ରହିଥିବା ମନୋମାଳିନ୍ୟ ଏବଂ ଶତ୍ରୁତାକୁ ଶେଷ କରି ସୌଦି ଏଭଳି ପଦକ୍ଷେପ ନେଇଛି। ସିରିଆ(ଏହା ମଧ୍ୟ ଇରାନର ସହଯୋଗୀ)ର ରାଷ୍ଟ୍ରପତି ବସର ଅଲ୍‌-ଅସାଦଙ୍କ ସହ ଲାଗିରହିଥିବା ବହୁ ବର୍ଷର ମନୋମାଳିନ୍ୟ ପରେ ବି ସୌଦି ଅଧିକାରୀମାନେ ସେମାନଙ୍କ ସିରିଆ ପ୍ରତିପକ୍ଷଙ୍କ ସହ ଡାମାସକସ୍‌ରେ ଗୁପ୍ତରେ ଆଲୋଚନା କରିଛନ୍ତି। ଆଗକୁ କୂଟନୈତିକ ତଥା ରାଜନୈତିକ ସ୍ତରରେ ସାଧାରଣ ସ୍ଥିତି ଫେରାଇ ଆଣିବାକୁ ଏମାନେ ଏକ ବୁଝାମଣା କରିବାକୁ ଯାଉଛନ୍ତି ବୋଲି ଏଥିରୁ ଜଣାପଡୁଛି। ଇରାନ ମଧ୍ୟ ତା’ପଡ଼ୋଶୀ ବିଶେଷକରି ୟୁଏଇ ସହ ସମ୍ପର୍କ ବୃଦ୍ଧି କରିବା ରାସ୍ତାରେ ଅଗ୍ରସର ହେଉଛି। ଇରାନର ବୈଦେଶିକମନ୍ତ୍ରୀ ମହମ୍ମଦ ଜାଭେଦ ଜାରିଫ୍‌ଏପ୍ରିଲରେ କାତାର, ଇରାକ, କୁଏତ ଏବଂ ଓମାନ୍‌କୁ ରାଜନୈତିକ ଗସ୍ତରେ ଯାଇ ଫେରିବା ପରେ ଏବେ ଖୁବ୍‌ ଶୀଘ୍ର ୟୁଏଇ ଗସ୍ତରେ ଯିବା ଲାଗି ଯୋଜନା କରିଥିବା ଜଣାପଡ଼ିଛି। ଇରାନ ଓ ସୌଦି ବନ୍ଧୁତ୍ୱର ସମ୍ଭାବନା ଦେଖାଦେବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ସମ୍ପର୍କର ପୁନଃସ୍ଥାପନ ଯୋଗୁ ବିଶ୍ୱର ସବୁଠୁ ବଡ ମାନବୀୟ ସଙ୍କଟ ପ୍ରକାଶ ପାଇଥିବା ସିରିଆ ଓ ୟେମେନରେ ନାଗରିକ ସଂଘର୍ଷ ଏବଂ ଛାୟାଯୁଦ୍ଧ ହ୍ରାସ ପାଇବ। ଏଭଳି ବନ୍ଧୁତ୍ୱ ରାଜନୈତିକ ଓ ସାମ୍ପ୍ରଦାୟିକ କ୍ଷେତ୍ରରେ ବିଭାଜିତ ଇରାକ ଓ ଲେବାନନ୍‌ରେ ମଧ୍ୟ ସ୍ଥିରତା ଆଣିବ। କହିବାକୁ ଗଲେ ପୂରା ମଧ୍ୟପ୍ରାଚ୍ୟରେ ଏକତା, ସମନ୍ବୟ ଓ ଶାନ୍ତିର ସୂର୍ଯ୍ୟୋଦୟ ଘଟିବ ବୋଲି ଆଶା କରାଯାଉଛି।
ଶେଷରେ ସୌଦି ଆରବ ଓ ଇରାନ ଭଳି ଟର୍କିର ରାଷ୍ଟ୍ରପତି ରିସେପ ଟୟିପ ଏର୍ଡୋଗାନ ମଧ୍ୟପ୍ରାଚ୍ୟରେ ବିଶେଷକରି ଇଜିପ୍ଟ ଓ ସୌଦି ଆରବ ସହ ଥିତ୍ବା ତାଙ୍କାର ଉତ୍ତେଜନାପୂର୍ଣ୍ଣ ସମ୍ପର୍କକୁୁ ଠିକ୍‌ କରିବା ଲାଗି ରାଜନୈତିକ ପଦକ୍ଷେପ ନେଇଛନ୍ତି। ଟର୍କି ଏବେ ଇଜିପ୍ଟ ଏବଂ ମଧ୍ୟପ୍ରାଚ୍ୟର ଅନ୍ୟ ଦେଶଗୁଡ଼ିକ ସମେତ ବିଶ୍ୱର ଶକ୍ତିଶାଳୀ ଦେଶଗୁଡ଼ିକ ସହ ରାଜନୈତିକ ସମ୍ପର୍କ ବୃଦ୍ଧି କରିବାକୁ ଚାହଁୁଛି। ଆଞ୍ଚଳିକ କ୍ଷେତ୍ରରେ ପୁନଃସଂଗଠିତ ହେବା ଓ ସମ୍ପର୍କ ପୁନଃସ୍ଥାପନ କରିବାକୁ ସେମାନେ ସାମୂହିକ ଭାବେ ଆଗ୍ରହ ପ୍ରକାଶ କରିଛନ୍ତି। ଆମେରିକାର ଆର୍ଥିକ କାର୍ଯ୍ୟକଳାପ ହ୍ରାସ କରିବା ଦ୍ୱାରା ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକୁ ସେମାନଙ୍କ ନିଜସ୍ବ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ବାଧ୍ୟ କରିଛି। ଟ୍ରମ୍ପ୍‌ଙ୍କ ଭଳି ନିଆଁରେ ଘିଅ ଢାଳିବା କାର୍ଯ୍ୟରେ କିଛି ଲାଭ ମିଳିବ ନାହିଁ ବୋଲି ସେଠାକାର ନେତାମାନେ ଭଲ ଭାବେ ବୁଝିଗଲେଣି। ଆମେରିକା, ଚାଇନା, ୟୁରୋପ, ରୁଷିଆ ଏବଂ ଜାପାନ ନେତୃତ୍ୱରେ ଆଗେଇ ଚାଲିଥିତ୍ବା ଅନ୍ତର୍ଜାତୀୟ କୂଟନୀତି ମାଧ୍ୟମରେ ମଧ୍ୟପ୍ରାଚ୍ୟ ଏବେ ଯୁଦ୍ଧର ତୀବ୍ରତା ହ୍ରାସ କରିବା ପଥରେ ଆଗକୁ ବଢ଼ିପାରିବ। ତେବେ ନୂଆ ସମ୍ମିଳିତ ସୁରକ୍ଷା ଓ ଶାନ୍ତି ପ୍ରତିଷ୍ଠା କରିବା ସହ ଆଣବିକ ଅସ୍ତ୍ରମୁକ୍ତ ମଧ୍ୟପ୍ରାଚ୍ୟ ପାଇଁ ଏକ ବୁଝାମଣା କରିବାରେ ଅନ୍ତର୍ଜାତୀୟ ସମୁଦାୟ ମଧ୍ୟସ୍ଥତା କରିପାରିବେ ତ! ଅତି କମ୍‌ରେ ଆଞ୍ଚଳିକ ଆଲୋଚନା ଓ ସେଠାରେ ସଂଘର୍ଷ କମ୍‌ କରିବାର ପଦକ୍ଷେପକୁ ସମର୍ଥନ ଓ ଉତ୍ସାହିତ କରିବେ କି। ଏଭଳି ଭାବିବା କେବେ ବି ବୁଦ୍ଧିମାନ୍‌ର ବିଚାର ହେବ ନାହିଁ। ସୀମାହୀନ ସଂଘର୍ଷ ହୁଏତ ମଧ୍ୟପ୍ରାଚ୍ୟର ଅତୀତର ପରିଚୟ ହୋଇପାରେ, କିନ୍ତୁ ଏହା ସେହି ଅଞ୍ଚଳର ନିର୍ଦ୍ଧାରିତ ଭାଗ୍ୟ ନୁହେଁ।
ପ୍ରଫେସର, ଇଣ୍ଟର୍‌ନ୍ୟାଶନାଲ ରିଲେଶନ୍ସ ଆଣ୍ଡ୍‌ ମିଡିଲ୍‌ ଇଷ୍ଟର୍ନ ପଲିଟିକ୍ସ, ଲଣ୍ଡନ ସ୍କୁଲ୍‌ ଅଫ୍‌ ଇକୋନୋମିକ୍ସ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶିଖିବା ଓ ସଫଳତା ପାଇବାରେ ବୟସର କୌଣସି ସୀମା ନ ଥାଏ। ଏମିତି ଜଣେ ସଫଳ ମହିଳା ହେଉଛନ୍ତି ମଣିପୁରର ଶୁଭ ଭଟନାଗର। ୬୩ ବର୍ଷୀୟା...

ପୂଜ୍ୟ ପ୍ରଣାମ

ଯେଉଁ କେତେଜଣ ଯଶସ୍ବୀ, ପୁଣ୍ୟାତ୍ମା, ସଂଗ୍ରାମୀ, କବି, ସାହିତ୍ୟିକ ଏ ଉତ୍କଳରେ ଜନ୍ମଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ, କାନ୍ତକବି ଲକ୍ଷ୍ମୀକାନ୍ତ...

ଫ୍ରିବି ମାନେ ରାଜକୋଷରେ କଳାକନା

ରାଜନୈତିକ ଦଳଗୁଡ଼ିକ ନିର୍ବାଚନ-ପ୍ରଚାର ସମୟରେ କହୁଛନ୍ତି ଆମକୁ ଭୋଟ ଦିଅ, ଆମେ ଅମୁକ ସମୁକ ସାମଗ୍ରୀ ମାଗଣା ବା ନାମମାତ୍ର ଦରରେ ଯୋଗାଇବୁ। ଯୁକ୍ତିଯୁକ୍ତ କାରଣ...

ନ୍ୟାୟିକ ବିଜୟ

ଏକ ଦଶନ୍ଧିରୁ ଅଧିକ ପୁରୁଣା ମାମଲାରେ ସୁପ୍ରିମକୋର୍ଟ ତାଙ୍କ ପୂର୍ବ ନିର୍ଦ୍ଦେଶକୁ ରଦ୍ଦକରି ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏଏମ୍‌ଆର୍‌ସି)କୁ ଏକ ବଡ଼ ବିଜୟ ପ୍ରଦାନ...

ଧରିତ୍ରୀ କାର୍ଟୁନ – Dharitri Cartoon

ଧରିତ୍ରୀ କାର୍ଟୁନ

ପୂଜା

ନିର୍ମଳ ତା’ର ମାଆବାପାଙ୍କ ସହିତ ମନ୍ଦିରକୁ ଯାଏ। ନିୟମିତ ସ୍କୁଲ ପାଠ୍ୟକ୍ରମ କରିବା, ମାଆବାପାଙ୍କୁ ସମ୍ମାନ ଦେବା, ସହପାଠୀମାନଙ୍କୁ ଭଲ ପାଇବା, ଗୁରୁଙ୍କ ନିକଟରେ ପ୍ରଣିପାତ...

ଶୂନ୍ୟରେ ସୁଖ ଖୋଜା

ଶ୍ରୀମଦ୍‌ ଭାଗବତ ମହାପୁରାଣର କୃଷ୍ଣଲୀଳା ଉପାଖ୍ୟାନ ବଡ଼ ଚମତ୍କାର। ଏଥିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅଲୌକିକ ଲୀଳା ସବୁର ବର୍ଣ୍ଣନା ରହିଛି। ତେବେ ଭାଗବତ ଅନୁସାରେ ଭଗବାନ...

ଏଇ ଭାରତରେ

ଏମିତି ଜାଗାକୁ ଯିବେ ଯେଉଁଠି ମାଟିଘରେ ରହି ଜୈବିକ ଚାଷ ଦେଖିବେ ଓ ଶିଖିବେ ମଧ୍ୟ। ଏଭଳି ଏକ ପରିବେଶ ପାଇବେ ରାଜସ୍ଥାନର ଖୋରା ଶ୍ୟାମଦସାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri