ଚାରଣଭୂମି ଓ ଚାରା ସଙ୍କଟ

ଇପ୍ସିତା ମହାନ୍ତି

 

ନିକଟରେ ପଶୁଖାଦ୍ୟ (ଚାରା) ଅଭାବ ଏବଂ ଲାମ୍ପି ନାମକ ଚର୍ମରୋଗ ଦ୍ୱାରା ଦେଶର ପ୍ରାୟ ୧୫ଟି ରାଜ୍ୟର ୨୦ଲକ୍ଷରୁ ଊର୍ଦ୍ଧ୍ୱ ପ୍ରାଣୀ ପ୍ରଭାବିତ ହୋଇଥିଲେ। ଏହି ରୋଗରେ ଲକ୍ଷାଧିକ ଗୋରୁଙ୍କ ଜୀବନ ଯାଇଛି। ଏହି ଦୁଇ କାରଣରୁ ବିଭିନ୍ନ ରାଜ୍ୟର ପଶୁପାଳକ ତଥା ଗୋପାଳକମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ବିଭିନ୍ନ କାରଣରୁ ଦେଶରେ ଆଜି ଜ୍ବାର, ସୋୟାବିନ ଏବଂ ବାଜରା ପରି ସବୁଜ ପଶୁଖାଦ୍ୟର ଅଭାବ ଦେଖାଦେଇଛି।
ଚଳିତ ବର୍ଷ ପଶୁଖାଦ୍ୟ ଜନିତ ଶସ୍ୟ ଉତ୍ପାଦନ ହ୍ରାସ ପାଇଛି। ରାଜସ୍ଥାନରେ ବାଜରା ଫସଲ କ୍ଷତିଗ୍ରସ୍ତ ହୋଇଛି। ସମ୍ପ୍ରତି ଦେଶରେ ଯନ୍ତ୍ର ଦ୍ବାରା ଧାନ, ଗହମ ଆଦି ଫସଲ ଅମଳ ହେଉଥିବାରୁ ପୂର୍ବଭଳି ଆବଶ୍ୟକ ପରିମାଣର ନଡ଼ା କିମ୍ବା ଛଣ ମିଳୁନାହିଁ। କୃଷିକ୍ଷେତ୍ରରେ ଫସଲର ଯେଉଁ ଅବଶିଷ୍ଟାଂଶ ରହୁଛି କୃଷକମାନେ ତାହାକୁ ଜାଳି ଦେଉଛନ୍ତି। ସେଥିପାଇଁ ବାୟୁ ପ୍ରଦୂଷଣ ବଢୁଛି। ପୂର୍ବରୁ ଦୁଇଶହ ଟଙ୍କାରେ ଯେତିକି ନଡ଼ା ମିଳୁଥିଲା ବର୍ତ୍ତମାନ ସେତିକି ନଡ଼ା ପାଇଁ ୭ଶହ ରୁ ୮ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ପଶୁଖାଦ୍ୟର ମୂଲ୍ୟ ବୃଦ୍ଧି ହେତୁ ଦୁଗ୍ଧ ତଥା ଦୁଗ୍ଧଜାତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପାଉଛି। ରାଜସ୍ଥାନ, ଗୁଜରାଟ, ହରିୟାଣା ଏବଂ ପଞ୍ଜାବରେ ଅଧିକ ଗୋଜାତୀୟ ପଶୁ ରହିଥିଲେ ବି ସେଠାରେ ପଶୁଖାଦ୍ୟର ଉପଲବ୍ଧତା ଆଶାଜନକ ନୁହେଁ।
ଭାରତୀୟ ଚାରଣଭୂମି ଓ ଚାରା ଅନୁସନ୍ଧାନ ସଂସ୍ଥାନ (ଇଣ୍ଡିଆନ ଗ୍ରାସ୍‌ଲ୍ୟାଣ୍ଡ ଏବଂ ଫୋଡର ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌), ଝାନ୍‌ସୀର ନିର୍ଦ୍ଦେଶକ ଅମରେଶ ଚନ୍ଦ୍ରଙ୍କ ମତରେ ଦେଶରେ ସବୁଜ ଚାରା ୧୨ରୁ ୧୫ ପ୍ରତିଶତ ଏବଂ ଶୁଖିଲା ଚାରାର ଉପଲବ୍ଧତା ୨୫ରୁ ୨୬ ପ୍ରତିଶତ ହ୍ରାସ ଘଟିଛି। ଚାଷଜମି ସଙ୍କୁଚିତ ହୋଇ ଚାଲିଥିବାରୁ ପର୍ଯ୍ୟାପ୍ତ ଚାରା ଲଗାଇବା ପାଇଁ ଚାଷୀଙ୍କ ପାଖରେ ଜମିର ଅଭାବ ରହିଛି। ପ୍ରକୃତରେ ଏଥିପାଇଁ ୧୫ ପ୍ରତିଶତ ଚାଷଜମିର ଆବଶ୍ୟକତା ଥିବାବେଳେ ବର୍ତ୍ତମାନ କେବଳ ୪ ପ୍ରତିଶତ ଜମିରେ ଚାରା ଚାଷ ହେଉଛି। ପୂର୍ବରୁ ଗୋଜାତୀୟ ପଶୁ ଗୋଚର ବା ପତିତ ଜମି, ପୋଖରୀ, ନଦୀ ଆଦି ଜଳାଶୟ କୂଳସ୍ଥ ଚାରଣଭୂମିରେ ଚରୁଥିଲେ। ବର୍ତ୍ତମାନ ଅନେକ ଜଳାଶୟ ନିଶ୍ଚିହ୍ନ ହୋଇସାରିଲାଣି। ଯାହା ରହିଛି ତାହା ନିକଟସ୍ଥ ଚାରଣଭୂମି ଆଜି ଅଦୃଶ୍ୟ ପ୍ରାୟ। ନଦୀକୂଳରେ ବିସ୍ତୀର୍ଣ୍ଣ ଚାରଣଭୂମି ଆଉ ଦେଖିବାକୁ ମିଳୁନାହିଁ। ଅନେକ ରାଜ୍ୟରେ ଗୋରୁ ଚରାଇବା କାର୍ଯ୍ୟ ପ୍ରାୟ ଲୁପ୍ତ ହୋଇଗଲାଣି। ଚକବନ୍ଦୀ ବା ଭୂବନ୍ଦୋବସ୍ତ (ସେଟେଲମେଣ୍ଟ) ସମୟରେ ଗ୍ରାମଗୁଡ଼ିକରେ ଚାରଣଭୂମି ନିର୍ମାଣ କରାଯାଇ ପାରିଥାନ୍ତା, କିନ୍ତୁ ତାହା ହୋଇପାରି ନାହିଁ।
୨ ବର୍ଷ ପୂର୍ବେ ପଶୁଖାଦ୍ୟର ସମ୍ଭାବ୍ୟ ସଙ୍କଟକୁ ଅନୁମାନକରି ଜାତୀୟ ଦୁଗ୍ଧ ବିକାଶ ବୋର୍ଡ ପ୍ରାୟ ୧ଶହ କୃଷକ ଉତ୍ପାଦକ ସଂଗଠନ ଗଠନ ସହ ପଞ୍ଜୀକରଣ ପାଇଁ ପ୍ରସ୍ତୁତି ଚଳାଇଥିଲା। ୨୦୧୯-୨୦ ବଜେଟରେ ୧୦ ହଜାର କୃଷକ ଉତ୍ପାଦକ ସଙ୍ଗଠନ ଗଠନ ପାଇଁ ପ୍ରସ୍ତାବ ଦିଆଗଲା। ସଂସଦର ଉଭୟ ସଦନରେ ବହୁବାର ଆଲୋଚନା ସତ୍ତ୍ୱେ ଏ ଦିଗରେ କୌଣସି କାର୍ଯ୍ୟ ହୋଇନାହିଁ। ଆଶଙ୍କା ରହିଛି ୨୦୨୫ ସୁଦ୍ଧା ୩୮ ପ୍ରତିଶତ ସବୁଜ ଏବଂ ୪୦ ପ୍ରତିଶତ ଶୁଖିଲା ପଶୁଖାଦ୍ୟ ହ୍ରାସ ପାଇବ। ଦାନା ମିଶ୍ରିତ ଚାରାର ମାତ୍ରା ମଧ୍ୟ ୩୮ ପ୍ରତିଶତ ହ୍ରାସ ଘଟିବ। ଏହି ସ୍ଥିତି ପଶୁପାଳକଙ୍କ ସହ ପଶୁଧନ ପାଇଁ ସମସ୍ୟା ସୃଷ୍ଟି କରିବ। କେତେକ ରାଜ୍ୟର ଭୁଲ୍‌ ନୀତି ଯୋଗୁ ପଶୁପାଳନ ବାଧାପ୍ରାପ୍ତ। ଲୋକେ ଦୁଗ୍ଧ ପାଇଁ ମାଈ ବାଛୁରୀର ଯତ୍ନ ଯଦିଓ ନେଉଛନ୍ତି କିନ୍ତୁ ଅଣ୍ଡିରା ବାଛୁରୀକୁ ବଳଦ କରିବା ପାଇଁ ଖୁଆଇ ପିଆଇ ପାଳିବାକୁ ଅଯଥା ସମ୍ବଳ ଓ ସମୟର ଅପଚୟ ବୋଲି ଭାବିନେଲେଣି। ଏଥିଯୋଗୁ ଗୋଟିଏ ପଟେ ଶହଶହ ଅଣ୍ଡିରା ବାଛୁରୀ ଷଣ୍ଢ ହୋଇ ବୁଲୁଛନ୍ତି, ଅନ୍ୟପଟେ ଗୋଖାଦ୍ୟ ବା ଚାରା ଉତ୍ପାଦନ ପାଇଁ କୃଷକମାନଙ୍କର ଆଗ୍ରହ କମିଛି। ବୁଲା ପଶୁଙ୍କ ଉପରେ କୌଣସି ଠୋସ୍‌ ନୀତିନିୟମ ବା କଟକଣା ନ ଥିବାରୁ ଚାଷୀଙ୍କ ଯନ୍ତ୍ରଣା ଆଜି ଦ୍ବିଗୁଣିତ ହୋଇଛି।
ଜାନୁୟାରୀ ୨୦୨୦ରେ ପ୍ରକାଶିତ ବିଂଶତମ ପ୍ରାଣୀଗଣନା ଅନୁଯାୟୀ ଭାରତରେ ୫୦ଲକ୍ଷରୁ ଊଦ୍ଧ୍ୱର୍ର୍ ବୁଲାଗୋରୁ ରହିଛନ୍ତି। ଗୋଜାତୀୟ ପଶୁ ବିକ୍ରି ଏବଂ ସେମାନଙ୍କ ପରିବହନ ଉପରେ ନିଷେଧାଦେଶ ହେତୁ ଅନୁପଯୋଗୀ ପଶୁମାନଙ୍କୁ କୃଷକମାନେ ବାହାରେ ଖୋଲାମେଲାରେ ଛାଡ଼ି ଦେଉଛନ୍ତି। ଏମାନେ କୃଷିକ୍ଷେତ୍ରରେ ପଶି ଚରିବୁଲି ଫସଲ ନଷ୍ଟ କରୁଛନ୍ତି। ଏମାନଙ୍କୁ କୃଷକମାନେ ବସତି ଅଞ୍ଚଳରୁ ଘଉଡ଼ାଇବା ଆରମ୍ଭ କରିଛନ୍ତି। ଏଥିପାଇଁ ଏମାନେ ଏବେ ରାଜପଥ ମୁହାଁ ହୋଇଛନ୍ତି। ଯାହା ଉଭୟ ପଶୁ ଏବଂ ମଣିଷଙ୍କ ପାଇଁ ବିପଦ ସୃଷ୍ଟି କରିଛି। ସଡ଼କ ଦୁର୍ଘଟଣା ବୃଦ୍ଧି ଘଟିବାର ଏହା ଏକ ପ୍ରମୁଖ କାରଣ। ସ୍ବତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ଏହାର ସମାଧାନ କରିପାରିବେ। ଗୋଟିଏ କିମ୍ବା ଏକାଧିକ ଗ୍ରାମପଞ୍ଚାୟତ ପାଇଁ କାଞ୍ଜିଆହୁଦା ବଦଳରେ ଗୋଶାଳା ପ୍ରତିଷ୍ଠା କରି ସେଠାରେ ବୁଲା ଗୋରୁଙ୍କ ଉପଯୁକ୍ତ ରକ୍ଷଣାବେକ୍ଷଣ କରିହେବ। ବୁଲାଗୋରୁଙ୍କ ମାଲିକମାନଙ୍କୁ ଅର୍ଥଦଣ୍ଡ (ଜରିମାନା) କରାଗଲେ ରାଜକୋଷକୁ ଅର୍ଥ ଆସିବ ଏବଂ ସେମାନେ ସଜାଗ ରହିବେ। ଦାବିଦାର ନ ଥିବା ଗାଈକୁ ଭୂମିହୀନ ଗରିବ କୃଷକଙ୍କ ମଧ୍ୟରେ ବଣ୍ଟନ ସହ ପ୍ରୋତ୍ସାହନ ରାଶି ପ୍ରଦାନ କଲେ ସେମାନେ ଆତ୍ମନିର୍ଭର ହୋଇପାରିବେ।
ପଶୁଧନ ହ୍ରାସ ହେତୁ ଆଜି ଚମଡ଼ା ଶିଳ୍ପ ବିପଦ ମୁଖରେ। ହାଡ଼ରୁ ପ୍ରସ୍ତୁତ ସାରର ଅଭାବ ବୃଦ୍ଧି ପାଇଛି। ଗୋବରର ଅଭାବ ହେତୁ ପର୍ଯ୍ୟାପ୍ତ ସ୍ବଦେଶୀ ଜୈବିକ ଖତ ଉପଲବ୍ଧ ହୋଇପାରୁନାହିଁ। ଏହା ଚାଷୀଙ୍କ ସାମ୍ନାରେ ଅନ୍ୟ ଏକ ସମସ୍ୟା ସୃଷ୍ଟି କରିଛି। ଗୋବରଖତ ବିନା କ୍ଷେତଗୁଡିକ ବା ହେବାରେ ଲାଗିଛି। ଗୋବର ବିନା କମ୍ପୋଷ୍ଟ ତିଆରି ଅସମ୍ଭବ। ଆଗକୁ କେବଳ ରାସାୟନିକ ସାରର ଶକ୍ତି ଉପରେ ନିର୍ଭରକରି ଚାଷ କରିବା ଉଭୟ ପରିବେଶ ଓ ଚାଷୀମାନଙ୍କ ପାଇଁ ଲାଭଦାୟକ ହେବନାହିଁ।
ପ୍ରାଣୀଧନକୁ ବଞ୍ଚାଇ ରଖିବା ପାଇଁ ପ୍ରଥମେ ସେମାନଙ୍କର କିଣାବିକାକୁ ନିୟନ୍ତ୍ରଣ ମୁକ୍ତ କରିବାକୁ ପଡ଼ିବ। ସେମାନଙ୍କ ପାଇଁ ଚାରଣଭୂମିର ବ୍ୟବସ୍ଥା କରିବାକୁ ହେବ। ଏହାଦ୍ବାରା କେବଳ ପଶୁଖାଦ୍ୟ ନୁହେଁ ମନୁଷ୍ୟଙ୍କ ଖାଦ୍ୟ ସମସ୍ୟାରେ ମଧ୍ୟ ଅନେକାଂଶରେ ସୁଧାର ଆସିବ। ଦୁନିଆ ଅନାହାରର ଯେଉଁ ଜଟିଳ ସମସ୍ୟାରେ ଛନ୍ଦିହେବାକୁ ଯାଉଛି ସେଥିରୁ ମଧ୍ୟ ମୁକ୍ତି ମିଳିବ।
ବୈପାରିଗୁଡ଼ା, କୋରାପୁଟ
ମୋ: ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ହରିଶ୍ଚନ୍ଦ୍ର ସୁଦେ ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ହରିଶ୍ଚନ୍ଦ୍ର ପିଲାଦିନେ ଗୋଟିଏ ଆଖି ହରାଇବା ପରେ ବହୁ ପ୍ରତିକୂଳ ପରିସ୍ଥିତିକୁ...

ସ୍ତମ୍ଭର ମହତ୍ତ୍ୱ

ଉପେନ୍ଦ୍ର ବିଶ୍ୱାଳ   ଶ୍ରୀଅରବିନ୍ଦଙ୍କ ଭାଷାରେ-‘ସାହିତ୍ୟ ହେଉଛି ଜୀବନ୍ତ ମନେହେଉଥିବା ଶବ୍ଦଚିତ୍ର।’ ପ୍ରଖ୍ୟାତ ବ୍ରିଟିଶ୍‌ ଲେଖିକା ଶେଲି କୁହନ୍ତି, ‘ସାହିତ୍ୟ ହେଉଛି ସତ୍ୟର ପ୍ରତିଫଳନ ।’...

ବୁଝ ନ ବୁଝ…

ରାକେଶ ପଣ୍ଡା   ସାଧାରଣତଃ ଯଦି ଜଣେ ବ୍ୟକ୍ତି ନୀତି ଓ ନିୟମ ବାହାରେ କାର୍ଯ୍ୟ କରନ୍ତି, ତେବେ ସମାଜରେ ବିଶୃଙ୍ଖଳା ଏବଂ ଅରାଜକତା ସୃଷ୍ଟି...

ଆଧୁନିକ ଯୁଗର ଧାର୍ମିକ ନେତା

ପାଶ୍ଚାତ୍ୟ ନେତୃତ୍ୱର ଢାଞ୍ଚାଗୁଡ଼ିକ ହେଉଛି ସାମରିକ ଶକ୍ତି କୈନ୍ଦ୍ରିକ। ଏଗୁଡ଼ିକ ମୁଖ୍ୟତଃ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣଭିତ୍ତିକ। ପାଶ୍ଚାତ୍ୟ ନେତୃତ୍ୱ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଏ ଓ...

ଏଇ ଭାରତରେ

ସମୟ କ୍ରମେ ମଣିଷର ଖାଦ୍ୟ ରୁଚି ବଦଳୁଛି। ସେଫ୍‌ମାନେ ନୂଆ ପ୍ରକାରର ତଥା ସ୍ବାଦର ଖାଦ୍ୟ ସାମ୍ନାକୁ ଆଣୁଛନ୍ତି। ସେଥି ମଧ୍ୟରୁ ଏବେ ମୋମୋ ବେଶ୍‌...

ଦିବ୍ୟାଙ୍ଗ ଓ ନିଯୁକ୍ତି

ମିନତି ପ୍ରଧାନ ଗତ କେଇ ଦଶନ୍ଧି ତଳେ ଦିବ୍ୟାଙ୍ଗଙ୍କୁ କେବଳ ଛୋଟମୋଟ ବ୍ୟବସାୟ କରିବାକୁ ସୁଯୋଗ ମିଳୁଥିଲା। ମାତ୍ର ଅନ୍ତଃରାଷ୍ଟ୍ରୀୟ ଓ ରାଷ୍ଟ୍ରୀୟ ସଂସ୍ଥା, ଏନ୍‌ଜିଓ...

ଉତ୍ତର ପିଢ଼ିର ବ୍ୟାଘ୍ରାରୋହଣ

ଛାୟାକାନ୍ତ ଷଡ଼ଙ୍ଗୀ ଗୋଦାବରୀଶ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ‘ଏବେ ବି ବଞ୍ଚତ୍ଛି’ର ଦୁର୍ଭିକ୍ଷ ପ୍ରପୀଡ଼ିତ ନାୟକ ବେଣୁଧର ସରକାରୀ ସାହାଯ୍ୟ କେନ୍ଦ୍ରକୁ ଚାଉଳ ଆଣିବା ପାଇଁ ଯାଇଛି...

ସଙ୍କଟରେ ନ୍ୟାୟାଳୟ

ନ୍ୟାୟପାଳିକା ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ନାଗରିକଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ କରେ। ଭାରତର ନ୍ୟାୟିକ ବ୍ୟବସ୍ଥା ସୁବ୍ୟସ୍ଥିତ ଓ ଏହାର ଶୀର୍ଷରେ ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri