
ମୁମ୍ବାଇ,୩୦ା୬: ମହାରାଷ୍ଟ୍ରର ନଭି ମୁମ୍ବାଇରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ୩ ଦିନର ଏକ ଶିଶୁକନ୍ୟାକୁ ଟୋକେଇରେ ପୂରାଇ ରାସ୍ତାକଡ଼ରେ କେହି ନିଷ୍ଠୁର ମାଆ-ବାପା ଛାଡ଼ି ଚାଲିଯାଇଛନ୍ତି। ଏହା ସହିତ ଏକ କାଗଜରେ ‘Sorry’ ଲେଖିବା ସହ ଛାଡ଼ିବାର କାରଣ ମଧ୍ୟ ଲେଖିଦେଇଯାଇଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁକନ୍ୟାଟିକୁ ନିଜ ଦାୟିତ୍ୱରେ ରଖିଛି। ଏହା ସହିତ ପୋଲିସ ଶିଶୁକନ୍ୟାର ମାଆବାପାଙ୍କୁ ଖୋଜିବା ଆରମ୍ଭ କରିଛି। ସ୍ଥାନୀୟ ଲୋକଙ୍କ ସୂଚନା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଇଂରାଜୀରେ ଲେଖାଯାଇଥିବା ଏହି ନୋଟ୍ଟିକୁ ଦେଖିଥିଲା।
ଏଥିରେ ଶିଶୁକନ୍ୟାର ମାଆବାପା ଲେଖିଛନ୍ତି ଯେ, ସେମାନେ ବହୁତ ଗରିବ। ତେଣୁ ସେମାନେ ଝିଅଟିକୁ ପାଳନ କରିବାକୁ ସକ୍ଷମ ନୁହନ୍ତି। ଏହି କାରଣରୁ ସେମାନଙ୍କୁ ଏପରି ପଦକ୍ଷେପ ନେବାକୁ ପଡ଼ିଛି। ଏହା ସହିତ ସେମାନେ ଚିଠିର ଶେଷରେ ‘Sorry’ ଲେଖି କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି। ପୋଲିସ ଝିଅଟିକୁ ନିଜ ସୁରକ୍ଷାରେ ନେଇ ତୁରନ୍ତ ଶିଶୁରୋଗ ବିଶେଷଜ୍ଞଙ୍କୁ ଦେଖାଇଛି। ଝିଅଟିର ଅବସ୍ଥା ସ୍ଥିର ଅଛି। ପୋଲିସ ଏହି ମାମଲାରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି
ମାମଲାର ତଦନ୍ତ ପାଇଁ ପାଖରେ ଥିବା ସିସିଟିଭି ଫୁଟେଜକୁ ପୋଲିସ ମଧ୍ୟ ଯାଞ୍ଚ କରୁଛି। ସ୍ଥାନୀୟ ଲୋକମାନେ ଅଭିଯୁକ୍ତ ମାଆବାପାଙ୍କ ବିରୋଧରେ ପୋଲିସଠାରୁ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି।