ମାତୃଭାଷାର ବ୍ୟଥା

ମାତୃଭାଷା ପ୍ରତି କମୁଛି ଓଡ଼ିଆଙ୍କ ଶ୍ରଦ୍ଧା ଓ ଆନ୍ତରିକତା- ୨୪ା୫ା୨୨ରେ ଧରିତ୍ରୀରେ ପ୍ରକାଶିତ ଉପରୋକ୍ତ ତଥ୍ୟଭିତ୍ତିକ ସୂଚନାକୁ ଭିତ୍ତିକରି ଆଲୋଚ୍ୟ ଆଲେଖ୍ୟର ପରିକଳ୍ପନା। ଭାଷା ହିଁ ଜାତିର ପରିଚୟ। ସେହି ପରିଚୟକୁ ନେଇ ଫୁଲିଉଠେ ଜାତୀୟ ସ୍ବାଭିମାନ। ଭାଷା ଜାତିକୁ ସଂଗଠିତ କରାଏ ଏବଂ ଭାଷାକୁ ନେଇ ବୃଦ୍ଧିପାଏ ଜାତିର ଶକ୍ତି ଓ ସାମର୍ଥ୍ୟ। ଅର୍ଥାତ ମାତୃଭାଷାର ଉତ୍କର୍ଷରେ ମହିମାମଣ୍ଡିତ ହୁଏ ଜାତି। ସେଥିପାଇଁ ସ୍ବଭାବ କବି ଗଙ୍ଗାଧର ମେହେର କହିଥିଲେ-”ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା।“ମାତ୍ର ଜାତୀୟ ସ୍ବାଭିମାନ ଯେଉଁଠି ଖର୍ବୀକୃତ, ସେଠାରେ କୌଣସି ମୂଲ୍ୟ ବହନ କରେନି ମେହେର କବିଙ୍କର ଏହି ମହାର୍ଘବାଣୀ। ସେହି କାରଣରୁ ଓଡ଼ିଆ ଭାଷା ଆଜି ନାନା ବିରୋଧାଭାସ ଓ ବେଦନାବୋଧରେ ଜର୍ଜରିତ। ତା’ର ବ୍ୟବହାରିକ ଉପଯୋଗିତା ଓ ସାର୍ବଭୌମ ମର୍ଯ୍ୟାଦାକୁ ଉଜାଡି ଦେବାକୁ ବସିଲାଣି ଆମ ଇଂଲିଶ ମନସ୍କତା। ପରିତାପର ବିଷୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରିହେବା ସତ୍ତ୍ବେ ବି ସ୍କୁଲ, କଲେଜ, କଚେରି,ରାସ୍ତାଘାଟ ଓ ବ୍ୟବସାୟ ପ୍ରତିଷ୍ଠାନର ଫଳକ ତଥା ନିମନ୍ତ୍ରଣ ପତ୍ର ଆଦି ସବୁଥିରେ ବଢ଼ିଚାଲିଛି ଇଂଲିଶ ଭାଷାର ପ୍ରାଧାନ୍ୟ।
ଭାରତବର୍ଷର ପ୍ରାୟ ପ୍ରତ୍ୟେକ ରାଜ୍ୟରେ ସରକାରୀ କାର୍ଯ୍ୟ ଚାଲେ ନିଜ ନିଜ ମାତୃଭାଷାରେ। ମାତ୍ର ଓଡ଼ିଶାରେ ଏଯାବତ ଓଡ଼ିଆ ଭାଷାକୁ ସେଥିରୁ ବଞ୍ଚିତ କରି ରଖାଯାଇଛି। ୧୯୫୪ ଭାଷା ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ନିଷ୍ପତ୍ତି ନେଇ ସାରିଥିଲେ ବି ସେ ଦିଗରେ ପ୍ରଶାସନିକ ତତ୍ପରତା ପ୍ରକାଶ ପାଉନି। ଏହା ପଛରେ ରହିଛି କିଛି ସରକାରୀ ବାବୁମାନଙ୍କ ବୌଦ୍ଧିକ ବିଶୃଙ୍ଖଳା ବା ମାତୃଭାଷା ପ୍ରତି ହୀନମନ୍ୟତା। ମାତୃଭୂମି ଓ ମାତୃଭାଷା ପ୍ରତି ଏମିତି ମୁହଁ ମୋଡୁଥିବା ବ୍ୟକ୍ତିଙ୍କୁ କବିଗୁରୁ ଅଧମ ଆଖ୍ୟା ଦେଇଥିବା ବେଳେ ସେମାନଙ୍କ ଉଦ୍ଦେଶ୍ୟରେ ଚେତାବନୀ ଦେଇ ସ୍ବଭାବ କବି ଗଙ୍ଗାଧର ମେହେର ଲେଖିଥିଲେ,”ମାତୃଭୂମି ମାତୃଭାଷାର ମମତା ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ?“ ମାତ୍ର ଆମର ଏହି ବାବୁମାନେ ଓଡ଼ିଆ ଭାଷା ସାହିତ୍ୟକୁ ଦେଖନ୍ତି ଖୁବ୍‌ ନୂ୍ୟନ ଦୃଷ୍ଟିରେ। ଶାସ୍ତ୍ରୀୟ ମାନ୍ୟତା ପାଇଥିବା ନିଜ ମାତୃଭାଷାକୁ ଯିଏ ହୀନ ଦୃଷ୍ଟିରେ ଦେଖନ୍ତି, ସେମାନେ ବୋଧହୁଏ ଜାଣନ୍ତିନି- କାହାରି ଦୟାରେ ନୁହେଁ,ଏକ ପ୍ରାଚୀନ ଓ ସମୃଦ୍ଧ ଭାଷା ଭାବରେ ଓଡ଼ିଆ ଭାଷାକୁ ମିଳିଛି ଶାସ୍ତ୍ରୀୟ ମାନ୍ୟତା। ଏହି ଭାଷାରେ ସାହିତ୍ୟ ସର୍ଜନା କରିଛନ୍ତି ସାରଳା ଦାସଙ୍କଠାରୁ ଆରମ୍ଭକରି କେତେକେତେ କାଳଜୟୀ କବି ଓ ଲେଖକ। ଅଥଚ ଆମର ଦୁର୍ଭାଗ୍ୟ ଯେ ଗୋଟିଏ ସମୃଦ୍ଧ ଶାସ୍ତ୍ରୀୟ ଭାଷାର ବ୍ୟବହାରିକ ଦିଗଟି କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଭାଷାର ପ୍ରସାର ପାଇଁ ଭାଷା ପ୍ରତିଷ୍ଠାନ ଗଠନ ହୋଇଛି ସତ, କିନ୍ତୁ ତା’ର ସ୍ଥାଣୁତା ଯୋଗୁ ପୋଥି ବାଇଗଣରେ ପରିଣତ ହେଉଛି ପ୍ରତ୍ୟେକଟି ପଦକ୍ଷେପ।
ମାତୃଭାଷା ଶିକ୍ଷା ନିମନ୍ତେ ପରିବାର ହେଉଛି ସବୁଠାରୁ ଶକ୍ତିଶାଳୀ ଅନୁଷ୍ଠାନ। ମାତ୍ର ଏବେ ପରିବାର ପାଲଟିଛି ଶିଶୁକୁ ତା’ର ମାତୃଭାଷାଠାରୁ ଦୂରେଇ ରଖିବାର ପ୍ରୟୋଗଶାଳା। ଶିଶୁ କଥା କହି ଶିଖିବା ମାତ୍ରେ ତାକୁ ମାତୃଭାଷା ପରିବର୍ତ୍ତେ ଇଂଲିଶ ଭାଷା ପ୍ରତି ଆକୃଷ୍ଟ କରାଇବା ପାଇଁ ଖୋଜାଯାଉଛି ପ୍ଲେ ସ୍କୁଲ। ପ୍ରଥମରୁ ଶିଶୁ ଯଦି ତା’ର ମାତୃଭାଷାଠାରୁ ଦୂରେଇ ଯାଏ, ତେବେ କେବଳ ଯେ ଭାଷା ଦୁର୍ବଳ ହେବ ତା’ ନୁହେଁ, ଅସ୍ତିତ୍ୱ ହରେଇବସିବ ଗୋଟେ ଜାତିର ସଂସ୍କୃତି। ଉତ୍‌ଖାତ ହୋଇଯିବ ଆମ ଜାତୀୟ ଅସ୍ମିତା। ମାତୃଭାଷା ହେଉଛି ପ୍ରାଥମିକ ଶିକ୍ଷାର ସର୍ବଶ୍ରେଷ୍ଠ ମାଧ୍ୟମ। ମନୋବିଜ୍ଞାନ କହେ ମାତୃଭାଷା ମାଧ୍ୟମରେ ପିଲାଟି ଦୁନିଆକୁ ଚିହ୍ନେ ଏବଂ ଛଅ ବର୍ଷ ବୟସରେ ସେ ସେହି ଭାଷାରେ ଶବ୍ଦ ଗ୍ରହଣ, ଚିନ୍ତନ ଓ ମନନ ଶକ୍ତି ଆହରଣ କରେ। ଏତିକି ବେଳେ ତା’ ଉପରେ ଅନ୍ୟ କେଉଁ ଭାଷା ଲଦିଦେଲେ ଗଭୀର ଭାବେ ଆଘାତପ୍ରାପ୍ତ ହୁଏ ତା’ର ଧୀଶକ୍ତି ଓ ମେଧା।
ସାହିତ୍ୟ ହେଉଛି ଭାଷାର ମୁଖପତ୍ର ବା ପ୍ରଧାନ ସୃଜନଶୀଳ ଅଙ୍ଗ। ତେଣୁ ସାହିତ୍ୟର ବିକାଶ ଉପରେ ନର୍ଭର କରେ ଭାଷାର ସମୃଦ୍ଧି। ମାତ୍ର ଏଥିପାଇଁ ଆବଶ୍ୟକ ସାହିତ୍ୟାନୁରାଗ ବା ପାଠକୀୟ ସହୃଦୟତା। ଶିଶୁ ମନରେ ସାହିତ୍ୟାନୁରାଗ ଭରିଦେବା ପାଇଁ ବିଦ୍ୟାଳୟ ହିଁ ଉପଯୁକ୍ତ କ୍ଷେତ୍ର। ନିମ୍ନ ଶ୍ରେଣୀରେ ପଢ଼ା ଯାଉଥିବା ଶିଶୁ ଓ କିଶୋର ସାହିତ୍ୟ ପ୍ରତି ପିଲାର ଯେଉଁ ଅନୁରାଗ ସୃଷ୍ଟି ହୋଇଥାଏ, ମାଧ୍ୟମିକ ଶ୍ରେଣୀ ବେଳକୁ ତାହା ଉଚ୍ଚତର ସାହିତ୍ୟ ପ୍ରୀତିରେ ପରିଣତ ହୁଏ ଏବଂ ବିଦ୍ୟାର୍ଥୀ ସ୍ବତଃ ଟାଣି ହୋଇଯାଏ ପାଠାଗାର ଆଡକୁ। ତା’ର ଏ ଆଗ୍ରହକୁ ଉଜ୍ଜୀବିତ କରି ରଖିବା ପାଇଁ ବିଦ୍ୟାଳୟରେ ସମୃଦ୍ଧ ପାଠାଗାର ରହିବା ସାଙ୍ଗକୁ ନିୟମିତ ବ୍ୟବଧାନରେ ସାହିତ୍ୟ ସଭା ଆୟୋଜନ ହେବା ଦରକାର। ଭାଷା ଓ ସାହିତ୍ୟ ଓତପ୍ରୋତ ଭାବରେ ଜଡିତ ହୋଇଥିବାରୁ ଉଭୟର ସମନ୍ବୟରେ ପ୍ରସ୍ତୁତ କରାଯାଏ ପାଠ୍ୟଖସଡା। ବେଳେ ବେଳେ ପାଠ୍ୟକ୍ରମରେ ଏମିତି ବିଷୟ ସବୁ ସ୍ଥାନ ପାଉଛି, ଯାହା ସାହିତ୍ୟ ପାଠ୍ୟ ପାଇଁ ସମ୍ପୂର୍ଣ୍ଣ ଅନୁପଯୋଗୀ। ଏଭଳି ବିଷୟକୁ ନେଇ ଶ୍ରେଣୀଗୃହ ଶିକ୍ଷାଦାନ ସରସ ସୁନ୍ଦର ହୋଇ ପାରେନି କି ସେଥିରୁ ରସ ଆସ୍ବାଦନ କରି ପାରେନି ବିଦ୍ୟାର୍ଥୀ। ତେଣୁ ସାହିତ୍ୟ ପାଠ୍ୟକ୍ରମରେ ଏମିତି ବିଷୟ ଚୟନ ହେବା ଆବଶ୍ୟକ, ଯାହା ବିଦ୍ୟାର୍ଥୀଙ୍କୁ ଆନନ୍ଦ ଦେବା ସହିତ ବିକଶିତ ହେବ ତା’ର ଭାଷା ଜ୍ଞାନ ଓ ସୃଜନଶୀଳ ସାମର୍ଥ୍ୟ।
ଖବରକାଗଜ ଭାଷା ପ୍ରସାରଣର ଏକ ମାଧ୍ୟମ। ଖବରକାଗଜ ପାଠକରି ଲୋକେ ନିଜର ଭାଷା ଜ୍ଞାନ ବୃଦ୍ଧି କରୁଥିବାରୁ ଏହାକୁ କୁହାଯାଏ ନିଃଶୁଳ୍କ ଭାଷା ଅନୁଷ୍ଠାନ। ସହଜରେ ଲୋକମୁଖରେ ସଞ୍ଚରିଯାଏ ଖବରକାଗଜର ଭାଷା। ସେଥିପାଇଁ ଏଥିରେ ଆମର ପୂର୍ବ ପ୍ରଚଳିତ ସରଳ, ଭାବପୂର୍ଣ୍ଣ ଓ ଶ୍ରୁତିମଧୁର ଶବ୍ଦ ଏବଂ ବାକ୍ୟ ବ୍ୟବହାର କରାଯିବା ଉଚିତ। ଏବେ କିନ୍ତୁ ଓଡ଼ିଆ ଭାଷା ପାଇଁ ଏକ ଆହ୍ବାନ ହୋଇ ଉଭାହୋଇଛି ଖବରକାଗଜରେ ଇଂଲିଶ ଓ ହିନ୍ଦୀ ଶବ୍ଦର ବହୁଳ ବ୍ୟବହାର। ସାଧାରଣତଃ ଯେଉଁ ଭାଷାର ଶବ୍ଦ ଭଣ୍ଡାର ସମୃଦ୍ଧ ନୁହେଁ,ତାହା ଅନ୍ୟ ଭାଷାରୁ ଶବ୍ଦ ଆହରଣ କରିବା ସ୍ବାଭାବିକ। ମାତ୍ର ଆମ ସାରଳା ମହାଭାରତ, ଦାଣ୍ଡୀ ରାମାୟଣ ଓ ଭାଗବତ ପରା ସରଳ ଶବ୍ଦର ଗନ୍ତାଘର। ସାଧାରଣତଃ ଲୁଚିଯାଉଥିବା ଶକ୍ତିଶାଳୀ ଶବ୍ଦଗୁଡ଼ିକୁ ବ୍ୟବହାରିକ ଭାଷା ଭିତରକୁ ଆଣିବା ଖବରକାଗଜର ଦାୟିତ୍ୱ। ଅଥଚ ଏବେ ଖବର ପରିବେଷଣ ଶୈଳୀରେ ଚମତ୍କାରିତା ଆଣିବା ଲକ୍ଷ୍ୟରେ ସାମ୍ବାଦିକମାନେ ବହୁଳମାତ୍ରାରେ ବ୍ୟବହାର କରୁଛନ୍ତି ବୈଦେଶିକ ଶବ୍ଦ। ଏତଦ ଭିନ୍ନ ଆମ ଶବ୍ଦ ଭଣ୍ଡାରରୁ ଲୋପ ପାଇଯାଉଛି ଅନେକ ପ୍ରାଚୀନ ଓ ଶକ୍ତିଶାଳୀ ଶବ୍ଦ।
ଏହି ପରିପ୍ରେକ୍ଷୀରେ ଆମେ ଜାଣିରଖିବା ଦରକାର ଓଡ଼ିଆ କହିବା, ଓଡ଼ିଆ ପଢ଼ିବା ଓ ଓଡ଼ିଆ ଲେଖିବା ଯେ ଆମ ପାଇଁ ଅତ୍ୟନ୍ତ ଗୌରବର ବିଷୟ-ଏହି ଭାବଧାରା ଉଦ୍ରେକ ନ ହେଲା ପର୍ଯ୍ୟନ୍ତ ବ୍ୟବହାରିକ ଦୃଷ୍ଟିରୁ କେବେ ବି ଆଗକୁ ବଢ଼ିପାରିବନି ଓଡ଼ିଆ ଭାଷା। ଯେତେ ଆଇନ ତିଆରି କଲେ ବି ଓଡ଼ିଆ ଭାଷାରେ ଲେଖା ଯିବନି ସରକାରୀ ନଥି।

  • ଡ.ପ୍ରଫୁଲ୍ଲ କୁମାର ସାହୁ
    ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ, ବିଜୁ ପଟ୍ଟନାୟକ ନଗର, ଭଦ୍ରକ
    ମୋ- ୬୩୭୧୬୪୨୪୬୪

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri