ସାମଗ୍ରିକ ବନାମ ସାମୟିକ

ଡ. ମୌସୁମୀ ପରିଡ଼ା

ମଣିଷର ସାମଗ୍ରିକ କୃତି, ପ୍ରତିଭା, ସମାଜସେବା ପାଇଁ ତାକୁ ସମ୍ମାନିତ କିମ୍ବା ପୁରସ୍କୃତ କରିବା ଦ୍ୱାରା ଉତ୍ସାହ ବୃଦ୍ଧି ହେବା ସହିତ ଅନ୍ୟମାନେ ପ୍ରଭାବିତ ହୁଅନ୍ତି। ପ୍ରତିଭା ପୂଜା ସହିତ ସଚେତନତା ସୃଷ୍ଟି କରିବା ଅନୁଷ୍ଠାନଗୁଡ଼ିକର ପରୋକ୍ଷ ଲକ୍ଷ୍ୟ। ଏସବୁ ଭିତରେ କେତେ ସଚ୍ଚୋଟତା ନିହିତ, ଚୟନ କମିଟିର ଆଭିମୁଖ୍ୟ ଓ ପୁରସ୍କୃତ ବ୍ୟକ୍ତି କେତେ ପ୍ରତିଭାବାନ୍‌ ସେସବୁ ଆଜିଯାଏଁ ବିବାଦ ଭିତରେ ରହିଆସିଛି। ଅବଶ୍ୟ ଏହା ସେପରି ଆଲୋଚନା ସମ୍ପର୍କରେ ନୁହେଁ। ଯେକୌଣସି ପ୍ରତିଭାକୁ ସ୍ବୀକୃତି ମିଳିଲାବେଳେ କିଛି ପ୍ରତିଭାଙ୍କୁ ଯେ ଉପେକ୍ଷିତ କରାଯାଏ, ଏ କଥାକୁ କେହି ଅସ୍ବୀକାର କରିପାରିବେ ନାହିଁ। ଏସବୁ ଚୟନ କମିଟି ଉପରେ ନିର୍ଭର କରେ, ସେ ସରକାରୀ ହେଉ ବା ବେସରକାରୀ ଅନୁଷ୍ଠାନ। ନିକଟରେ ପଦ୍ମ ପୁରସ୍କାର ଲାଭ କରିଥିବା କିଛି ପ୍ରତିଭାଙ୍କୁ ଦୃଷ୍ଟାନ୍ତ ଭାବରେ ନିଆଯାଇପାରେ। କହିବା ଅନାବଶ୍ୟକ, ପଦ୍ମ ପୁରସ୍କାର ଦେଶର ଏକ ମର୍ଯ୍ୟାଦାଜନକ ପୁରସ୍କାର। ଦେଶର ବୃହତ୍ତମ ବେସାମରିକ ସମ୍ମାନ ମଧ୍ୟରୁ ଅନ୍ୟତମ। ତେଣୁ ଏହା ସର୍ବଜନସମ୍ମତ ହେବା ଆବଶ୍ୟକ।
ପ୍ରକାଶଯୋଗ୍ୟ, ୧୯୫୪ରେ ଭାରତ ସରକାର ଦୁଇଟି ବେସାମରିକ ପୁରସ୍କାର ସଂସ୍ଥାପିତ କରିଥିଲେ। ପ୍ରଥମଟି ଭାରତ ରନତ୍ ଓ ଦ୍ୱିତୀୟଟି ପଦ୍ମ ବିଭୂଷଣ। ଭାରତ ରନତ୍ ଦେଶର ସର୍ବବୃହତ୍‌ ବେସାମରିକ ପୁରସ୍କାର। ପରେ ପଦ୍ମ ବିଭୂଷଣ ପୁରସ୍କାରକୁ ତିନି ଭାଗରେ ବର୍ଗୀକରଣ କରାଗଲା। ଯଥା ପ୍ରଥମ ବର୍ଗ, ଦ୍ୱିତୀୟ ବର୍ଗ ଓ ତୃତୀୟ ବର୍ଗ। ୮ ଜାନୁୟାରୀ, ୧୯୫୫ରେ ଏହି ପ୍ରଥମ ବର୍ଗ, ଦ୍ୱିତୀୟ ବର୍ଗ ଓ ତୃତୀୟ ବର୍ଗ ଯଥାକ୍ରମେ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ନାମରେ ରୂପାନ୍ତର ହେଲା। ଦେଶର ବିଭିନ୍ନ କ୍ଷେତ୍ରରୁ ଭିନ୍ନଭିନ୍ନ ବିଭାଗରେ ସର୍ବୋତ୍ତମ ବ୍ୟକ୍ତିଙ୍କୁ ଭାରତ ସରକାରଙ୍କ ଦ୍ୱାରା ପୁରସ୍କୃତ କରିବାର ଯୋଜନା ନିଶ୍ଚିତ ଭାବେ ଏକ ପ୍ରଶଂସାଯୋଗ୍ୟ ପଦକ୍ଷେପ। ଏହି ସମ୍ମାନଜନକ ପୁରସ୍କାରର ନାମ ତାଲିକା ଆଜିକାଲି ଖୁବ୍‌ ଚର୍ଚ୍ଚାରେ। ପୁରସ୍କୃତ ହେଉଥିବା ବ୍ୟକ୍ତିବିଶେଷ ବା ସେମାନଙ୍କ ମନ୍ତବ୍ୟ ଏଥର ସାମାଜିକ ଗଣମାଧ୍ୟମରେ ବେଶ୍‌ ଚର୍ଚ୍ଚିତ ହେଉଛି। ଚୟନ କମିଟିକୁ ନେଇ ଜନସାଧାରଣଙ୍କ ମନରେ ପ୍ରଶ୍ନ ଉଠିଛି। ଭବିଷ୍ୟତରେ ଚୟନକ୍ରିୟାକୁ ନେଇ ଏଭଳି ବାଦବିବାଦ ସୃଷ୍ଟି ହେଲେ ପୁରସ୍କାରର ମର୍ଯ୍ୟାଦା କ୍ଷତିଗ୍ରସ୍ତ ହୋଇପାରେ।
ତେବେ ଏହି ପୁରସ୍କାରପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଜନସାଧାରଣଙ୍କ ନିକଟରେ ନାହିଁ। କିଏ କେଉଁଥିପାଇଁ ପୁରସ୍କୃତ ହେଲେ ଓ ହେବା ଉଚିତ କି ନାହିଁ, ସେ କଥା ସାଧାରଣ ଲୋକଟେ ବୁଝିପାରୁନାହିଁ। କିନ୍ତୁ ସେମାନଙ୍କ ହାତରେ ପୁରସ୍କାର ପାଇଁ ମନୋନୟନର ପ୍ରଥମ ସୋପାନଟି ସମର୍ପି ଦିଆଯାଇଛି! ଜନସାଧାରଣ ନିଜ ଅଞ୍ଚଳର ଖବର ହିସାବରେ ହତ୍ୟା, ଧର୍ଷଣ, ଚୋରି, ଲୁଣ୍ଠନକୁ ଗୁରୁତ୍ୱ ଦେଉଥିବାବେଳେ ଜନହିତକର କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ କିମ୍ବା ପ୍ରତିଭାବାନ୍‌ଙ୍କ ହିସାବ ଯେ ରଖୁଛନ୍ତି ତାହା ଏକ ପ୍ରଶ୍ନ। ଆଜିକାଲି ଜଣେ ପୁରସ୍କୃତ ହେବା ପରେ ହିଁ ତାକୁ ସେ ଅଞ୍ଚଳ, ପଡ଼ୋଶୀ ଗାଁ, ସହର ବା ରାଜ୍ୟର ଲୋକେ ଚିହ୍ନୁଛନ୍ତି! ସୋସିଆଲ୍‌ ମିଡିଆରେ ତାଙ୍କ ମତ ନେବାକୁ ଓ ଶୁଣିବାକୁ ଭିଡ଼ କାହିଁରେ କ’ଣ! କିନ୍ତୁ ପୁରସ୍କୃତ ହେବା ପୂର୍ବରୁ ସେ ଗାଁ କନିଆ ସିଂଘାଣିନାକୀ! ପଡ଼ୋଶୀ ଘରର ଲୋକେ ବି ଆଡ଼ଆଖିରେ ଦେଖୁନଥିବେ।
କହିବାର ଅର୍ଥ ପୁରସ୍କାର ପାଇଲା ପରେ ହିଁ ପ୍ରତିଭାକୁ ଚିହ୍ନାଯାଏ। ଏ ଆମ ରୁଗ୍‌ଣ ମାନସିକତାର ପରିଚାୟକ ନା ଅଜ୍ଞତାର, ତାହା ବିଚାର୍ଯ୍ୟ। ନିଜ ଦେଶର କୌଣସି ପୁରସ୍କାର ହେଉ ବା ରାଜ୍ୟର କିମ୍ବା ବିଦେଶର, ଆଜିକାଲି ସାଧାରଣ ଲୋକମାନଙ୍କର ଜାଣିବାର ଆଗ୍ରହ ନାହିଁ। କାରଣ ଏଥିରେ ସେମାନଙ୍କର କୌଣସି ନେଣଦେଣର ସମ୍ପର୍କ ନଥାଏ। ଖୁବ୍‌ କମ୍‌ ଲୋକ ଏଥିପ୍ରତି ଆଗ୍ରହ ରଖନ୍ତି। ଆମ ଲୋକମାନେ ଯଦି ସଚେତନ ହୁଅନ୍ତେ, ତେବେ ସମାଜର ରୂପରେଖ ଓ ଭିତ୍ତିଭୂମି ବଦଳିଯାଆନ୍ତା। ଯଦି ପଦ୍ମ ପୁରସ୍କାର ଚୟନରେ ସେମାନେ ସାମିଲ ହେଉଛନ୍ତି, ତେବେ ନିଜ ଅଞ୍ଚଳ ସହିତ ରାଜ୍ୟ ଓ ଦେଶକୁ ଚିହ୍ନିବା ଜରୁରୀ। ସୁଯୋଗ୍ୟ ବ୍ୟକ୍ତି ସେମାନଙ୍କ ପ୍ରତିଭା ଓ ପରୋକ୍ଷ ବା ପ୍ରତ୍ୟକ୍ଷ ଦେଶସେବା ମାଧ୍ୟମରେ ହିଁ ପୁରସ୍କୃତ ହୁଅନ୍ତୁ। ଏହା କୌଣସି ରାଜନୀତିକ ଭୋଟ୍‌ ବ୍ୟବସ୍ଥା ନୁହେଁ। ବରଂ ବ୍ୟକ୍ତିସତ୍ତାର ଉଚିତ ମୂଲ୍ୟାୟନ ହିସାବରେ ଗୁରୁତ୍ୱପୂର୍ଣ୍ଣ ହେବା ଉଚିତ।
ଆଗକୁ ଚୟନ ବ୍ୟବସ୍ଥା ସାମାନ୍ୟ ଭିନ୍ନ ହୋଇପାରେ। ସାମଗ୍ରିକତା ବନାମ ସାମୟିକତା ଆଧାରରେ ପ୍ରତିଭା ମନୋନୟନ ଏଥରର ବ୍ୟବସ୍ଥାରେ କିଞ୍ଚତ୍ତ୍‌ ଭିନ୍ନତା ଆଣିପାରେ। ଜଣେ ଜୀବନକାଳ ମଧ୍ୟରେ କରିଥିବା ସାମଗ୍ରିକ କାର୍ଯ୍ୟ ଅନ୍ୟର ସାମୟିକ କାର୍ଯ୍ୟଠାରୁ ଯେକୌଣସି ଭାବରେ ନୂ୍ୟନ ନୁହେଁ, ଏହା ହିଁ ଏଥରର ପ୍ରସଙ୍ଗ। କମ୍‌ କଥା ନୁହେଁ, ସ୍ବଳ୍ପ ସମୟ ଭିତରେ ନିଜ ପାରଦର୍ଶିତା ପ୍ରମାଣିତ କରିବା; ତାହା ବି ନିଜର ଓ ଆତ୍ମୀୟସ୍ବଜନଙ୍କ ଜୀବନ ବିିନିମୟରେ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ୍‌ ୨୦୨୧ ଜୁଲାଇ ୨୮ରେ ଡିଜିଟାଲ୍‌ ପ୍ରେସ୍‌କୁ ଦେଇଥିବା ବିବୃତି ଅନୁସାରେ ଜନସାଧାରଣ ହିଁ ଏଥର ପଦ୍ମ ପୁରସ୍କାର ପାଇଁ ମନୋନୀତ ପ୍ରାର୍ଥୀଙ୍କୁ ଚୟନ କରିବେ। ସେମାନଙ୍କ ଦ୍ୱାରା ଦିଆଯାଇଥିବା ନାମଗୁଡ଼ିକୁ ରାଜ୍ୟ ତରଫରୁ କେନ୍ଦ୍ରକୁ ସୁପାରିସ କରାଯିବ। ଦିଲ୍ଲୀ ସରକାରଙ୍କ ଦ୍ୱାରା ଏବର୍ଷ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ, ପଦ୍ମଶ୍ରୀ ପାଇଁ କୋଭିଡ୍‌-୧୯ର ଯୋଦ୍ଧା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ମନୋନୀତ କରାଯିବ। ମନୋନୟନ ପ୍ରକ୍ରିୟାରେ ଜନସାଧାରଣଙ୍କ ଭୂମିକା ରହିଛି। ସେମାନଙ୍କ ସହିତ ଆଲୋଚନା କରିବା ପରେ ଚୂଡ଼ାନ୍ତ ତାଲିକା କେନ୍ଦ୍ରକୁ ପଠାଯିବ। ତାଙ୍କ ମତ ଅନୁସାରେ, ”ଏଥର କୋଭିଡ୍‌-୧୯ ପାଇଁ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କ ଭୂମିକା ବୃହତ୍‌। କରୋନା ରୋଗୀମାନଙ୍କ ସେବା କରି ସେମାନଙ୍କ ମଧ୍ୟରୁ ଅନେକ ବହୁମୂଲ୍ୟ ଜୀବନ ହରାଇଛନ୍ତି। ଦେଶ ପାଇଁ ଏଭଳି ସେବା ଯୋଗାଇ ଦେଇଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ସେଥିପାଇଁ ସମ୍ମାନିତ କରାଯିବା ଉଚିତ୍‌।“ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପ ଭାବୋଦ୍ଦୀପକ ଓ ଏଭଳି ବ୍ୟବସ୍ଥା ଆଗାମୀ ଦିନ ପାଇଁ ନବଚେତନା ଓ ଜାଗରଣ ସୃଷ୍ଟି କରିବ। ପ୍ରଥମ ବର୍ଗରେ ଜଣେ ନିଜ ଜୀବଦ୍ଦଶାରେ ସମାଜ ପାଇଁ କରିଥିବା ସତ୍‌କାର୍ଯ୍ୟ, ସେବା ବା ତା’ର ପ୍ରତିଭା, ଦ୍ୱିତୀୟ ବର୍ଗରେ ଅନ୍ୟ ଜଣେ ଅଳ୍ପ ସମୟ ଭିତରେ ତ୍ୟାଗ, ମହନୀୟତା ପ୍ରତିପାଦିତ କରି, ପାରଦର୍ଶିତା ଦେଖାଇ ନିଜ ଜୀବନକୁ ବାଜି ଲଗାଇ ଯୋଗାଇଥିବା ଜନସେବା, ମୃତ୍ୟୁର ତାଣ୍ଡବକୁ ଭୟ ନ କରି ନିଆଁକୁ ଡେଇଁ ପଡ଼ିଥିବା କରୋନା-ଯୋଦ୍ଧା, ଏ ଦୁଇ ବର୍ଗ ଭିତରେ ତୁଳନାମତ୍କ ଓ ନିରପେକ୍ଷ ବିଚାର କଲେ ଦ୍ୱିତୀୟ ବର୍ଗଟିର ସେବାକୁ କୌଣସି ମାପଦଣ୍ଡ ମାପିନପାରେ। ପାଖାପାଖି ଦୁଇ ବର୍ଷ ଭିତରେ ସେମାନେ ଯୋଗାଇ ଦେଇଥିବା ସେବା ଅନ୍ୟ କୌଣସି କାର୍ଯ୍ୟ ସହିତ ସମକକ୍ଷ ନୁହେଁ।
ଟିକାକରଣରେ ସ୍ବାସ୍ଥ୍ୟକର୍ମୀମାନଙ୍କର ଭୂମିକା ମଧ୍ୟ ଅନସ୍ବୀକାର୍ଯ୍ୟ। ସୈନିକମାନେ ନିଜ ଜୀବନକୁ ବାଜି ଲଗାଇ ଦେଶ ପାଇଁ ଯୁଦ୍ଧ କରି ଶହୀଦ ହୁଅନ୍ତି। କରୋନା ରୋଗ, ରୋଗୀ ଓ ସମଗ୍ର ପୃଥିବୀର ଗୋଟେ ଅଭାବିତ ଯୁଦ୍ଧ ବିପକ୍ଷରେ ଯେଉଁମାନେ ରାତିଦିନ ଧରି ଲଢ଼ୁଥିଲେ, ଅନେକ ଶହୀଦ ମଧ୍ୟ ହୋଇଥିଲେ, ଅନେକଙ୍କ ପରିବାର କରୋନାରେ ମୂଳପୋଛ ହୋଇଗଲା, ସେ ଅଭାବକୁ କୌଣସି କ୍ଷତିପୂରଣ ଭରଣା କରିପାରିବ ନାହିଁ। ଏସବୁ ଅସହାୟତା ଜନସାଧାରଣ ହୃଦୟଙ୍ଗମ କରିଥିବେ କି ନା ଜଣାନାହିଁ। କିନ୍ତୁ ସେମାନଙ୍କ ପରିବାର ଓ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଯେ ହୃଦୟଙ୍ଗମ କରିଛନ୍ତି, ଏହା ଆଶ୍ୱାସନାର ବିଷୟ।
କରୋନା ସମୟରେ ସେମାନଙ୍କ ବଳିଦାନ ଅଯଥା ଯାଇନାହିଁ। ଅଳ୍ପ ସମୟ ଭିତରେ କରୋନାକୁ ଆୟତ୍ତ କରିବାରେ ସେମାନଙ୍କ ଭୂମିକା ପ୍ରଶଂସନୀୟ। ସମାଜ ପାଇଁ ଯେଉଁ ବଳିଦାନ ଦେଇଗଲେ ସେ ଅପୂରଣୀୟ କ୍ଷତିର ଆକଳନ ଅସମ୍ଭବ। ପଦ୍ମ ପୁରସ୍କାର ମାଧ୍ୟମରେ ଏମାନଙ୍କ ନିଷ୍ଠା ଓ ସେବାକୁ ସମ୍ମାନିତ କରିଯିବା ବେଶ୍‌ ପ୍ରଶଂସନୀୟ। ସଂକ୍ଷିପ୍ତ ସମୟ ମଧ୍ୟରେ ସେମାନେ ନିଜ ତ୍ୟାଗ, ନିଷ୍ଠା ଓ ସେବା ଦ୍ୱାରା ମହାମାରୀ ସହିତ ଲଢ଼ିଛନ୍ତି, ଏବେ ମଧ୍ୟ ଲଢ଼ୁଛନ୍ତି। ସେଥିପାଇଁ ସେମାନଙ୍କୁ କୃତଜ୍ଞତା ଜଣାଇବାରେ କାର୍ପଣ୍ୟ କରିବା ଅମାନବୀୟ ହେବ।
ମୋ: ୯୪୩୭୩୧୭୦୨୬


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri