ରାଜନେତାଙ୍କ ଅନୁଭବ ବାହାରେ

ହରେକୃଷ୍ଣ ପଣ୍ଡା

 

ଅନ୍ୟାନ୍ୟ ଦେଶ ଭଳି ଭାରତ ଏକ ଭୂଖଣ୍ଡ ନୁହେଁ। ଏ ଦେଶର ମାଟି, ଗୋଡି, ପାହାଡ, ପର୍ବତ ଜୀବନ୍ତ ବୋଲି ମହାନ୍‌ ସତ୍ୟଦ୍ରଷ୍ଟା ଯୋଗୀ ଶ୍ରୀଅରବିନ୍ଦ କହିଛନ୍ତି। ଏହାକୁ ଏକ ଭାବାବେଗ ବା କଳ୍ପନା ବୋଲି କହିହେବ ନାହିଁ। ଏ କଥାଟି ସୂଚାଇ ଦେବାର ତାତ୍ପର୍ଯ୍ୟ ହେଉଛି, ଏହି ଭୂଖଣ୍ଡରେ ବହୁ ମହାମନୀଷୀ,ସାଧୁସନ୍ଥ ଜନ୍ମଗ୍ରହଣ କରି ସମଗ୍ର ଜଗତର କଲ୍ୟାଣ ପାଇଁ ମାର୍ଗ ଦର୍ଶାଇ ଯାଇଛନ୍ତି। ବେଦ,ବେଦାନ୍ତ,ଉପନିଷଦ ଆଦି ଗ୍ରନ୍ଥ ଓ ଦର୍ଶନ ଏହି ଦେଶରୁ ପ୍ରକାଶ ପାଇଛି। ଯେଉଁଥିପାଇଁ ସାରା ପ୍ରାଚ୍ୟ ଓ ପାଶ୍ଚାତ୍ୟ ଜଗତ ଆଜି ଆକର୍ଷିତ। ଭାରତବାସୀ ଏହାକୁ ଆଚରଣ ବା କାର୍ଯ୍ୟରେ ପରିଣତ କରିପାରିଲେ ଜଗଦ୍‌ଗୁରୁ ହୋଇପାରିବ। ଏହି ଅର୍ଥରେ ଭାରତ ବିଶ୍ୱର ଗୁରୁ ହୋଇପାରିବ, ଯେହେତୁ ଭାରତର ପ୍ରାଚୀନ ସମ୍ପଦର ମାର୍ମିକବୋଧକୁ ହଜାରେ ବର୍ଷ ତଳୁ ସନାତନ ସଂସ୍କୃତି ବା ସନାତନ ଧର୍ମ ବା ଭାରତୀୟତା ବୋଲି କୁହାଯାଇ ଆସୁଛି। ଯାହାକୁ ସାରା ବିଶ୍ୱ ଆଜି ପର୍ଯ୍ୟନ୍ତ ଗ୍ରହଣ କରି ଆସିଛି। କିନ୍ତୁ ଭାରତର ରାଜନୈତିକ ପୃଷ୍ଠପୋଷକମାନେ ଭିନ୍ନ ଭିନ୍ନ ଅର୍ଥ କରି ଏହାର ସ୍ବରୂପକୁ କଦର୍ଥ କରି ଚାଲିଛନ୍ତି। ଖାଲି ସେତିକି ନୁହେଁ ଯେଉଁ ପାଶ୍ଚାତ୍ୟ ଜଗତ ଭାରତ ପ୍ରତି ଏକ ସ୍ବତନ୍ତ୍ର ଦୃଷ୍ଟିଭଙ୍ଗୀ ଆଣିଥିଲେ, ସେମାନଙ୍କ ମାନସିକତାକୁ ଦୋହଲାଇ ଦେବାକୁ ବସିଛି ଆଜିର ଭାରତୀୟ ରାଜନୀତି। ସମଗ୍ର ବିଶ୍ୱ ଭୂଖଣ୍ଡରେ ଭାରତ ଏକ ମହାନ୍‌ ଦେଶ ବୋଲି ସୁପ୍ରତିଷ୍ଠିତ। କାରଣ ସମଗ୍ର ବିଶ୍ୱ ମାନବସମାଜ ପାଇଁ ଭାରତୀୟ ଦର୍ଶନରେ ରହିଛି କଲ୍ୟାଣ ଓ ଊର୍ଦ୍ଧ୍ୱ ଚେତନାର ବାର୍ତ୍ତା। ଏହି ଦୃଷ୍ଟିକୋଣରୁ ଭାବିଲେ ପ୍ରାଚୀନ ଜ୍ଞାନସମ୍ପଦକୁ ନେଇ ଭାରତୀୟତା ଭାବଧାରା ସୃଷ୍ଟି ହୋଇଛି। ଏହି ଭାରତୀୟତା ବାସ୍ତବରେ ରାଷ୍ଟ୍ରୀୟ ଚେତନା ବା ଧର୍ମକୁ ବୁଝାଏ।
କୌଣସି ରାଷ୍ଟ୍ର ତା’ର ଧର୍ମକୁ ଛାଡିପାରେ ନାହିଁ। ପ୍ରତ୍ୟେକ ରାଷ୍ଟ୍ରର ଭିନ୍ନ ଭିନ୍ନ ଧର୍ମ ରହିଛି। ତେବେ ଭାରତ ତା’ର ନିଜସ୍ବ ଧର୍ମକୁ ନେଇ ଗତି କରିବାରେ ଅସୁବିଧା ରହିଲା କେଉଁଠି? ଆମେ ଭାରତୀୟ ବୋଲି କହିବାରେ ଦ୍ୱିଧାବୋଧ କାହିଁକି ? ଭାରତୀୟତା କହିଲେ, ଆମ ପ୍ରାଚୀନ ସଂସ୍କୃତି, ଦର୍ଶନ, ମାନବିକତା ଓ ଆଧ୍ୟାମତ୍ିକତାବୋଧକୁ ବୁଝାଏ। ଗାନ୍ଧିଜୀ ରାମରାଜ୍ୟର ସ୍ବପ୍ନ ଦେଖିଥିଲେ। ରାମରାଜ୍ୟ ଅର୍ଥ ମଣିଷର ସୁଖ, ସମୃଦ୍ଧି, ଶାନ୍ତି ଓ ସାମାଜିକ ସୁରକ୍ଷା ବା ସମ୍ପର୍କକୁ ବୁଝାଏ। ଏହା ସବୁ ସମ୍ପ୍ରଦାୟ ଲୋକଙ୍କ କାମ୍ୟ। ଏହା ହିଁ ଭାରତୀୟତା, ଏହାକୁ ସବୁ ସମ୍ପ୍ରଦାୟ ଗ୍ରହଣ କରିନେଲେ ଅସୁବିଧା କେଉଁଠି? ମଣିଷ ଭଳି ଗୋଟିଏ ରାଷ୍ଟ୍ରର ଆମତ୍ା, ମନ, ପ୍ରାଣ, ଶରୀର ଅଛି। ଏହାକୁ କେହି ସ୍ବୀକାର କରି ନ ପାରନ୍ତି, ଏହାକୁ ନେଇ ଯୁକ୍ତି କରିପାରନ୍ତି। କିନ୍ତୁ ଏହାକୁ ଭାବି ନେବାରେ ଏଥିପାଇଁ ନିଜର ମାନସିକତାକୁ ପ୍ରସ୍ତୁତ କରିବାରେ କିଛି ଅସୁବିଧା ତ ନାହିଁ। ଯେଉଁମାନେ ଭାରତକୁ ହିନ୍ଦୁ ରାଷ୍ଟ୍ର ବୋଲି କହିବାକୁ ଚାହାନ୍ତି ନାହିଁ, ଅସହିଷ୍ଣୁତା ପ୍ରକାଶ କରନ୍ତି ସେମାନଙ୍କ ପାଇଁ ବିକଳ୍ପ ନୀତି ହେଉଛି ଭାରତୀୟତାବୋଧ। ଭାରତୀୟତା ହେଉଛି ସମଗ୍ର ବିଶ୍ୱ ପାଇଁ ଏକ ବୃହତର ଦର୍ଶନ। ଏହି ଚିନ୍ତାଧାରା ବ୍ୟତିରେକେ ଏବେ ଦେଶରେ ଯେଉଁ ଯୁକ୍ତି, ଦ୍ୱନ୍ଦ୍ୱ, ଉତ୍ତେଜନା, ବିବାଦ, ହିଂସା, ରାଜନୈତିକ ଯୁଦ୍ଧ ଲାଗିଛି ତା’ର ସମାଧାନର ଅନ୍ୟ ପନ୍ଥା ନାହିଁ। ଏହି ବିବାଦ ବାସ୍ତବରେ ଅନାହୂତ। ନିଜର ରାଷ୍ଟ୍ର ଧର୍ମ କ’ଣ ତାହା ବୁଝି ନ ପାରି ବିଭିନ୍ନ ସମ୍ପ୍ରଦାୟର ଲୋକମାନଙ୍କୁ ନିଜ ସମର୍ଥନକୁ ଆଣିବା ପାଇଁ କିଛି ରାଜନୀତିଜ୍ଞଙ୍କର ଏହା ଏକ ଚକ୍ରାନ୍ତ ବା ମସୁଧା ବୋଲି କୁହାଯାଇପାରେ। ଗାନ୍ଧିଜୀ ସର୍ବଧର୍ମ ସମନ୍ବୟର ସ୍ବପ୍ନ ଦେଖିଥିଲେ। ସେ କିନ୍ତୁ ଭାରତର ରାଷ୍ଟ୍ରଧର୍ମ ଭାରତୀୟତା ଭଳି ଏକ ଜାତୀୟତାବୋଧକୁ ଅସ୍ବୀକାର କରି ନ ଥିଲେ। ଏହି ଜାତୀୟତାବୋଧ ଭାବକୁ ନେଇ ସ୍ବାଧୀନତା ଆନ୍ଦୋଳନ କରାଯାଇଥିଲା। ସେହି ଭାବଧାରାକୁ ନେଇ ହଜାର ହଜାର ଜନସାଧାରଣ ନିଜର ପ୍ରାଣବଳୀ ଦେଇଥିଲେ। ଏବେ ସ୍ବାଧୀନତା ପରେ ସେହି ଭାବଧାରାରୁ ଦୂରେଇ ରହୁଥିବା ରାଜନୀତିଜ୍ଞ, ରାଜନେତା, ରାଜନୈତିକ କର୍ମୀ, ଶାସକ, ପ୍ରଶାସକ, କିଛି ଧର୍ମୀୟ ପ୍ରବକ୍ତା ବା ଦେଶର ବୁଦ୍ଧିଜୀବୀ ବୋଲାଉଥିବା ବ୍ୟକ୍ତି ନିଜ ଦେଶପ୍ରତି ଅନ୍ୟାୟ ଆଚରଣ କରୁନାହାନ୍ତି କି? ବ୍ୟକ୍ତିର ଗର୍ବ ଗୈାରବର ଅନୁଭୂତି ଆଣିବାରେ ଯେଉଁମାନେ ବାଧା ସୃଷ୍ଟି କରି ଚାଲିଛନ୍ତି ସେମାନେ ଯେଉଁ ସ୍ତରର ହୁଅନ୍ତୁ ନା କାହିଁକି ସେମାନଙ୍କଠାରେ ରାଷ୍ଟ୍ରୀୟ ଚେତନା ନ ଥିବା କୁହାଯାଇପାରେ।
ଏହା ସ୍ବୀକାର କରାଯାଇପାରେ ଯେ ଭାରତରେ ବିଭିନ୍ନ ଧର୍ମୀୟ ବ୍ୟକ୍ତି, ବିଭିନ୍ନ ଭାଷାଭାଷୀ, ବିଭିନ୍ନ ସଂସ୍କୃତିର ଲୋକ ବାସ କରୁଛନ୍ତି। ତା’ ବୋଲି ନୁହେଁ ଯେ ଭାଷା ଓ ଧର୍ମୀୟ ଆଚରଣକୁ ନେଇ ଦେଶରେ ଭିନ୍ନ ଭିନ୍ନ ଶାସନ ବା ଆଇନ ରହିବା ଉଚିତ ହେବ। ସ୍ବାଧୀନତା ପରେ ଭାରତର ଯେଉଁ ସମ୍ବିଧାନ ପ୍ରଣୟନ କରାଗଲା ସେଥିରେ ସମସ୍ତ ନାଗରିକଙ୍କ ପାଇଁ ସମାନ ଅଧିକାର ଦିଆଯାଇଛି। କିନ୍ତୁ ସେତେବେଳେ ଶାସନ କ୍ଷେତ୍ରରେ ଯେଉଁ ଭିନ୍ନ ଅଧିକାରକୁ ସାବ୍ୟସ୍ତ କରାଯାଇଥିଲା ତାହା ଦୀର୍ଘ ୭୫ ବର୍ଷ ପରେ ସମୀକ୍ଷା ସ୍ତରକୁ ଆସିଗଲା। କାରଣ ଏବେ ଯେତେବେଳେ ସମଗ୍ର ବିଶ୍ୱ ଗୋଟିଏ ପରିବାର ତୁଲ୍ୟ ମନେହେଲା ସେତେବେଳେ ଭାରତ ତା’ର ରାଷ୍ଟ୍ର ଧର୍ମର ସମୀକ୍ଷା କରିବା ଏକାନ୍ତ ଆବଶ୍ୟକ। ସମଗ୍ର ବିଶ୍ୱରେ ମାନବତାବାଦ ପ୍ରତିଷ୍ଠା ପାଇଁ ଯେତେବେଳେ ସ୍ବର ଉଠିଲାଣି, ସେ କ୍ଷେତ୍ରରେ ଭାରତରେ ବିବିଧତାବାଦର ଅର୍ଥ ବଦଳିବା ସ୍ବାଭାବିକ। ବିଶ୍ୱର ଶିକ୍ଷିତ ଯୁବତୀଯୁବକ ଚିରନ୍ତନ ମୂଲ୍ୟବୋଧକୁ ଆଦରି ନେବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହେଲେଣି। ତେଣୁ ଭାରତରେ ଭାଷା, ଧର୍ମ, ସଂସ୍କୃତିକୁ ନେଇ ଭବିଷ୍ୟତକୁ ଧରିବା ପାଇଁ ଧାଉଁଥିବା ନାଗରିକମାନେ କେବେହେଲେ ବିଭାଜନ ପ୍ରକ୍ରିୟାକୁ ଗ୍ରହଣ କରିବେ ନାହିଁ। ଅତୀତର ଶାସକମାନେ ଯେଉଁ ଭୁଲ ପ୍ରଥାକୁ ଗ୍ରହଣ କରିଥିଲେ ଏବେକାର ଶାସକମାନେ ଯଦି ସେହି ଭୁଲ ପ୍ରଥାର ସଂଶୋଧନ ନ କରି ଆଗକୁ ବଢନ୍ତି ତେବେ ଦେଶରେ ପ୍ରଗତି ସମ୍ଭବ ହୋଇପାରିବ ନାହିଁ। ଦେଶର ଶିକ୍ଷିତ ନାଗରିକମାନେ ଏମାନଙ୍କୁ କେବେହେଲେ କ୍ଷମା କରିବେ ନାହିଁ। ଦେଶରେ ଏକକ ଆଇନର ଆବଶ୍ୟକତା ଦେଖାଦେଇଥିବା ବେଳେ ସବୁପ୍ରକାର ଆଇନକାନୁନ ବ୍ୟବସ୍ଥା ମଧ୍ୟରେ ନ୍ୟାୟ ପ୍ରତିଷ୍ଠାର ଆବଶ୍ୟକତା ଦେଖାଦେଇଛି। ପ୍ରଗତି ସ୍ରୋତରେ ଦେଶର କିଛି ପୁରୁଣା ହଜିଯିବ, ଆଉ କିଛି ନୂଆ ଜନ୍ମ ନେବ, କିନ୍ତୁ ରାଷ୍ଟ୍ର ଧର୍ମ ଅର୍ଥାତ୍‌ ରାଷ୍ଟ୍ରକୁ ଯିଏ ଧରିରଖିବ ତା’ର ବିଲୋପ ହେବ ନାହିଁ। ତାହା ହେଉଛି ରାଷ୍ଟ୍ରୀୟ ଚେତନା।
ରାଷ୍ଟ୍ରବାଦ କହିଲେ, କେବଳ ରାଜନୈତିକ କାର୍ଯ୍ୟକ୍ରମକୁ ବୁଝାଏ ନାହିଁ। ଏହା ହେଉଛି ଏକ ଜୀବନାଦର୍ଶ, ଯାହାକୁ ଜୀବନର ମାର୍ଗ ବୋଲି କୁହାଯାଏ। ଏହା ହେଉଛି ଜାତୀୟ ସ୍ବକୀୟ ପ୍ରତିଭା ଏବଂ ଜନଗଣଙ୍କ ପ୍ରାଣଗତ ଯଥାର୍ଥ ଭାବଧାରା ଓ ଜାତୀୟ ଅଭୀପ୍‌ସାର ପ୍ରାଣଗତ କେନ୍ଦ୍ର। ଦେଶର ଯାହା କିଛି ସୁନ୍ଦର, ଉଦାର, ବୃହତ୍‌ ସେଗୁଡିକର ଅସଲ ଉତ୍ସ ହେଉଛି ଜାତୀୟତାବାଦ। କୁଳବୃଦ୍ଧ ମଧୁସୂଦନ ଦାସ ଯଥାର୍ଥରେ କହିଛନ୍ତି- ଜାତି ଇତିହାସ, ଜାତିର ନିର୍ଝର, ସଦା ବହେ ତହିଁ ଜାତି ପ୍ରାଣ ଧାର। ସେ ଧାରରୁ ନୀର ପିଇଛି ଯିଏ ନର, ନିଶ୍ଚୟ ହେବ ସେ ଜାତିର କର୍ମବୀର। ବେଦରେ ସ୍ବୟଂ ଦେବୀ କହୁଛନ୍ତି ଅହଂ ରାଷ୍ଟ୍ରୀ । ବାସ୍ତବରେ ଦେଖିବାକୁ ଗଲେ ପ୍ରତି ନିର୍ବାଚନରେ ଲୋକେ ନିଜର ଗଣତାନ୍ତ୍ରିକ ଶକ୍ତି ପ୍ରୟୋଗ କରିଥାଆନ୍ତି ନୂତନ ସମ୍ଭାବନାକୁ ଆଖି ଆଗରେ ରଖି। ସ୍ବାଧୀନତା ପରେ ଦେଶରେ ଏବେ ଯେଉଁ ଏକ ନୂତନ ଜାତୀୟତାର ବାତାବରଣ ଦେଖାଦେଇଛି, ତାହା ଏକ ନୂତନ ସରକାର ଗଠନ କାରଣରୁ ନୁହେଁ। ବରଂ ଜନମାନସରେ ଏକ ନୂତନ ବିଚାର ଓ ଆଶାର ସଞ୍ଚାର ହେତୁ। କ୍ରମଶଃ ରାଷ୍ଟ୍ରୀୟ ଚେତନା ଜାଗ୍ରତ ହେବା କାରଣରୁ ଦେଶରେ ନୂତନ ସମ୍ଭାବନା ସୃଷ୍ଟି ହୋଇଛି। କିନ୍ତୁ ଏଯାବତ ଦେଶରେ ରାଜନୈତିକ ନେତୃବୃନ୍ଦଙ୍କ ମନରେ ଏହି ଜାତୀୟତାବୋଧ ଭାବନା ଆସି ନାହିଁ। ସେମାନେ ଚିନ୍ତା କରିବା ଆବଶ୍ୟକ ଯେ କୌଣସି ରାଜନୈତିକ ଦଳ ଏହି ରାଷ୍ଟ୍ର ଶକ୍ତିକୁ ନିର୍ମାଣ କରି ନାହିଁ। କୌଣସି ଧର୍ମ ବା ମତବାଦ ମଧ୍ୟ ଏହାର ନିର୍ମାତା ନୁହନ୍ତି। ଦେଶର କୋଟି କୋଟି ସନ୍ତାନକୁ ଯିଏ ନିଜ ବକ୍ଷରେ ବହନ କରିଛି ସେ ହେଉଛି ସ୍ବୟଂ ଭାରତମାତା। ଏ ଯୁଗର ନେତାମାନେ ଏହା ଅନୁଭବ କରିବା ଏକାନ୍ତ ଆବଶ୍ୟକ।
ସୟଦପୁର, ଯାଜପୁର
ମୋ: ୯୪୩୭୩୧୫୬୨୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri