କୃଷିଭୂମି ରୂପାନ୍ତରଣର ବିପଦ

ଈପ୍ସିତା ମହାନ୍ତି

 

ପ୍ରାଚୀନ ଭାରତୀୟ ସଂସ୍କୃତ ପୁସ୍ତକରେ କୃଷିଜମି ୧୨ ଶ୍ରେଣୀରେ ବିଭକ୍ତ ଥିଲା। ‘ଭୂମିବର୍ଗା’ ନାମକ ଏହି ପୁସ୍ତକ ୨ ହଜାର ବର୍ଷ ତଳେ ରଚିତ ହୋଇଥିବା ବିବେଚନା କରାଯାଏ। ମାଟିର ପ୍ରକୃତି ଏବଂ ସେହି ଅଞ୍ଚଳରେ ଜଳର ଉପଲବ୍ଧତା ଆଧାରରେ ଏହି ଶ୍ରେଣୀ ବିଭାଗ ହୋଇଥିଲା। ସମ୍ରାଟ ବିକ୍ରମାଦିତ୍ୟଙ୍କ ରାଜ ଦରବାରର ଶ୍ରୀବୃଦ୍ଧି କରିଥିବା ନବରତ୍ନଙ୍କ ମଧ୍ୟରୁ ଜଣେ ଥିଲେ ଅମରସିଂ। ତାଙ୍କ ରଚିତ ଅମରକୋଷ ଗ୍ରନ୍ଥରେ ମଧ୍ୟ ଭୂମିର ବର୍ଗୀକରଣ ହୋଇଛି। ବିଦ୍ୱାନଙ୍କ ମତରେ ପ୍ରାୟ ୧୦ ହଜାର ବର୍ଷ ପୂର୍ବେ ଉତ୍ତରସ୍ଥ ଉର୍ବରଯୁକ୍ତ ସମତଳ ଅଞ୍ଚଳ ବାହାରେ ଭାରତୀୟ ଉପମହାଦେଶରେ ବ୍ୟବସ୍ଥିତ ଢଙ୍ଗରେ ଚାଷ କାର୍ଯ୍ୟ ହେଉଥିଲା। ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ କର୍ନାଟକରେ ଏହିପରି ୧୨ଟି ପ୍ରାଚୀନ ସ୍ଥାନ ଆବିଷ୍କୃତ ହୋଇଛି, ଯେଉଁଠାରୁ ବହୁ ବର୍ଷ ତଳେ ଡାଲି, ବାଜରା ଏବଂ ଗହମ ଚାଷ ହେଉଥିବା ସ୍ପଷ୍ଟ ପ୍ରମାଣ ମିଳିଛି। ଅନ୍ୟ କେତେଜଣ ବିଦ୍ୱାନଙ୍କ ମତରେ ଭାରତୀୟ କୃଷିର ପ୍ରାଚୀନ ଇତିହାସ ପ୍ରାୟ ଖ୍ରୀଷ୍ଟପୂର୍ବ ୯ ହଜାର ବର୍ଷ ପୂର୍ବରୁ ଅର୍ଥାତ୍‌ ଆଜକୁ ପ୍ରାୟ ୧୧ ହଜାର ବର୍ଷ ତଳେ ଆରମ୍ଭ ହୋଇଥିଲା।
ଏକଥା ସତ୍ୟ ଯେ କୃଷିର ବିକାଶ ପରେ ହିଁ ମନୁଷ୍ୟ ସୁଚିନ୍ତିତ ଏବଂ ନିରାପଦ ସ୍ଥାୟୀ ବସତି ଉପରେ ଧ୍ୟାନଦେଲା। ସହରୀକରଣ ଦିଗରେ ଏହା ଥିଲା ମାନବ ଜାତିର ପ୍ରଥମ ପଦକ୍ଷେପ। ବସତି ନିର୍ମାଣ ପରେ ମନୁଷ୍ୟ ସେଠାରେ ନିଜର ଅନ୍ୟାନ୍ୟ ଆବଶ୍ୟକତା ପୂରଣ ପାଇଁ ପ୍ରୟାସ ଆରମ୍ଭ କରିଥିଲା। ବିକାଶର ସୁବିଧା ଅନ୍ୟମାନଙ୍କୁ ବସତି ପ୍ରତି ଆକର୍ଷିତ କଲା। ବସତିଗୁଡ଼ିକ ଧୀରେ ଧୀରେ ସାଂସ୍କୃତିକ, ରାଜନୈତିକ, ଅର୍ଥନୈତିକ ଏବଂ ସାମାଜିକ ଶକ୍ତିର କେନ୍ଦ୍ରସ୍ଥଳ ପାଲଟିଲେ। ପରବର୍ତ୍ତୀ ସମୟରେ ନିରନ୍ତର ଏହା ନିଜର କାୟାବିସ୍ତାର କରି ଚାଲିଲା। କିଛି ଦଶନ୍ଧି ପୂର୍ବରୁ ମାନବ ଶ୍ରମ ଉପରେ ମେଶିନ(ଯନ୍ତ୍ର)ର ଦକ୍ଷତା ବିସ୍ତାର କରି ନ ଥିଲା। ଗ୍ରାମଗୁଡ଼ିକ ଆଧୁନିକ ବିକାଶଠାରୁ ବହୁ ଦୂରରେ ଥିଲେ। ତଥାପି ସମାଜର ପ୍ରଗତିରେ ଗ୍ରାମଗୁଡ଼ିକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। କିନ୍ତୁ ଗତ କିଛି ଦଶନ୍ଧି ମଧ୍ୟରେ ସହରୀକରଣ ଗ୍ରାମରୁ ତାହାର ବହୁମୂଲ୍ୟ ସମ୍ପଦ ଲୁଣ୍ଠନ କରିବା ଆରମ୍ଭ କରିଦେଲା। ଏହି ସମ୍ପଦ ହେଉଛି ଗ୍ରାମର କୃଷି ଜମି।
ଯେହେତୁ ସହରର ଜନସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି। ସହରୀ ଲୋକଙ୍କୁ ବାସଗୃହ ସହ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବା ପାଇଁ ନିରନ୍ତର ନୂତନ ନିର୍ମାଣ ଆବଶ୍ୟକ ହେଉଛି। ସହରୀ ଜୀବନ ଅତି ସାଧାରଣ ହେବାରେ ଲାଗିଛି। ଏଥିପାଇଁ ସାରା ଦୁନିଆରେ ସହରଗୁଡ଼ିକ ଗ୍ରାମର ସୀମା ଆଡ଼କୁ ମାଡ଼ି ଚାଲିଛି। ଗତ କିଛି ଦଶନ୍ଧି ହେଲା ଭାରତରେ ମଧ୍ୟ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। କୃଷିଜମି ଆବାସିକ(ଘରବାରି) ଜମିରେ ପରିବର୍ତ୍ତିତ ହୋଇ ଅଣକୃଷି କାର୍ଯ୍ୟରେ ବ୍ୟବହୃତ ହେଉଛି। ଚାଷଜମିକୁ ଘରବାରି କିସମରେ ପରିବର୍ତ୍ତନକରି ତାହା ଉପରେ ନୂତନ ନିର୍ମାଣ ପ୍ରତିଷ୍ଠାର ଝୁଙ୍କ ଆଜି ଭାରତୀୟଙ୍କଠାରେ ଦ୍ରୁତଗତିରେ ବୃଦ୍ଧି ପାଇଛି। ସରକାରୀ ଆକଳନ ଅନୁଯାୟୀ ୧୯୯୩ରୁ ୨୦୦୦ ମଧ୍ୟରେ ୩୮୫୬.୨ ହେକ୍ଟର କୃଷିଜମିକୁ ଘରବାରି କିସମରେ ରୂପାନ୍ତରିତ କରାଯାଇ ତା’ ଉପରେ ନିର୍ମାଣ କାର୍ଯ୍ୟ ହୋଇଥିଲା। ସେବେଠାରୁ ଏହି ଧାରା କ୍ରମାଗତ ଭାବେ ବୃଦ୍ଧି ପାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସରକାରଙ୍କ ପାଖରେ କେବଳ ସେହି ଜମିର ତଥ୍ୟ ରହିଛି, ଯାହା କୃଷିକାର୍ଯ୍ୟ ବ୍ୟତୀତ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର ପାଇଁ ରୂପାନ୍ତରିତ ହୋଇଥିଲା। କିନ୍ତୁ ଅବୈଧ ନିର୍ମାଣ କିମ୍ବା ଅଧିଗ୍ରହଣ ହୋଇଥିବା କୃଷିଜମିର ପରିମାଣ ଏହାଠାରୁ ଅନେକ ଗୁଣରେ ଅଧିକ। ଏହି ଧାରା ଦୁନିଆର ଅନ୍ୟ ଦେଶରେ ମଧ୍ୟ ଦେଖାଦେଇଛି। ଉଦାହରଣ ସ୍ବରୂପ, ଚାଇନାର ହ୍ୟାଙ୍ଗ୍‌-ଜିଆ-ହୁ ଅଞ୍ଚଳରେ ସହରୀକରଣ ପାଇଁ ସଡ଼କ ନିର୍ମାଣ ସକାଶେ ସମୁଦାୟ ୨୮.୫% ଚାଷଜମି ହ୍ରାସ ପାଇଛି। ଏଭଳି ସ୍ଥିତି ୟୁରୋପ ଏବଂ ଆମେରିକାର ନୀତି ନିର୍ମାତାମାନଙ୍କୁ ଚିନ୍ତିତ କରିଛି। କାନାଡାରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ୧୯୮୮ରୁ ୨୦୧୦ ମଧ୍ୟରେ ଯେଉଁ ନଗରୀ ଏବଂ ଉପନଗରୀମାନ ଗଢ଼ି ଉଠିଛି ସେଥିମଧ୍ୟରୁ ୬୦% ନିର୍ମାଣ ଚାଷଜମି ଉପରେ ଠିଆ ହୋଇଛି। ଫ୍ରାନ୍ସ, ପର୍ତ୍ତୁଗାଲ, ରୋମାନିଆ, ଇଥିଓପିଆ, ନାଇଜେରିଆ ଏବଂ ମାଲି ଆଦି ଦେଶର ବିଭିନ୍ନ ସହରରେ କୃଷିଜମିର ଅଣ କୃଷି ବ୍ୟବହାରକୁ ନେଇ ନୀତି ନିର୍ମାତାମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ବିଶ୍ବ ଜନସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି। ବୃଦ୍ଧି ପାଉଥିବା ଏହି ଜନସଂଖ୍ୟାର ଭରଣପୋଷଣ ପାଇଁ ଅଧିକ ଖାଦ୍ୟଶସ୍ୟ ଆବଶ୍ୟକ। କିଛି ବର୍ଷ ପୂର୍ବେ ଏକ ରିପୋର୍ଟରେ ଏହା କୁହାଯାଇଥିଲା ଯେ ନିଜ ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ୨୦୨୫ ସୁଦ୍ଧା ଭାରତକୁ ୩୦ କୋଟି ଟନ୍‌ ଖାଦ୍ୟଶସ୍ୟ ଆବଶ୍ୟକ। କିନ୍ତୁ ଗତ କିଛି ଦଶନ୍ଧି ହେଲା ଦେଶର କୃଷି ଅଭିବୃଦ୍ଧି ହାର ଅସ୍ଥିର ରହିଛି। କେତେକ ପ୍ରସଙ୍ଗରେ ଏଥିରେ ନିରନ୍ତର ହ୍ରାସ ଘଟିଛି । ୨୦୦୫-୦୬ରେ ଭାରତରେ କୃଷିର ଅଭିବୃଦ୍ଧି ହାର ୫.୮% ଥିବାବେଳେ ୨୦୦୯-୧୦ରେ ଏହା ୦.୪%କୁ ଖସି ଆସିଥିଲା। ୨୦୧୪-୧୫ରେ ଏଥିରେ ଅଧିକ ନକାରାତ୍ମକତା ଦେଖାଗଲା। ସେହିବର୍ଷ ଏହି ହାର ବିଯୁକ୍ତ (-) ୦.୨% ଥିଲା। ଗୋଟିଏ ପଟେ ଯଦି ଲୋକଙ୍କ ଚାହିଦା ଅନୁପାତରେ କୃଷି ଅଭିବୃଦ୍ଧି ହାର ବୃଦ୍ଧି ନ ହୁଏ ଏବଂ ଅନ୍ୟ ଦିଗରେ ଅନ୍ୟାନ୍ୟ ଉଦ୍ଦେଶ୍ୟରେ ଚାଷଜମିର ରୂପାନ୍ତରଣ ଜାରି ରହେ, ତେବେ ଦେଶକୁ ୧୯୭୦ ଦଶକ ପରି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସେତେବେଳେ ଖାଦ୍ୟଶସ୍ୟ ପାଇଁ ଆମେ ବାହାର ଦେଶ ଉପରେ ନିର୍ଭର କରିଥିଲୁ। ଆଜି ଏଭଳି ଆଶଙ୍କା ମଧ୍ୟ ସୃଷ୍ଟି ହେଲାଣି।
କିଛି ନୀତି ନିୟମ ସହ କୃଷି ଶୈଳୀରେ ପରିବର୍ତ୍ତନ ଆଣି ଆମେ ଖାଦ୍ୟଶସ୍ୟ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ବଜାୟ ରଖିପାରିବା। ଭାରତର ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ପାଉଛି। ଗହମ, ଚାଉଳ, ଡାଲି, ଆଖୁ ଏବଂ କପା ପରି ଫସଲ ଉତ୍ପାଦନରେ ଆମେ ବିଶ୍ୱରେ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛୁ। କିନ୍ତୁ ସଫଳ ଘରୋଇ ଉତ୍ପାଦ(ଜିଡିପି)ରେ କୃଷି କ୍ଷେତ୍ରର ଅବଦାନ କ୍ରମାଗତ ହ୍ରାସ ପାଉଛି। ଆମକୁ ଏହି ବିଷୟରେ ଧ୍ୟାନଦେବାକୁ ପଡ଼ିବ। ୧୯୫୦ ଦଶକରେ ଏହା ୫୦% ଥିଲା, କିନ୍ତୁ ୨୦୧୫-୧୬ରେ ଏହା ୧୫.୪%କୁ ଖସି ଆସିଲା। ଏଥିପାଇଁ ଉନ୍ନତ ଜ୍ଞାନକୌଶଳ, ଶିଳ୍ପୋଦ୍ୟୋଗ ଏବଂ ନିର୍ମାଣ ପରି କ୍ଷେତ୍ରର କ୍ରମାଗତ ବୃଦ୍ଧି ପାଉଥିବା ଯୋଗଦାନ ଯଦିଓ ଏକ ପ୍ରମୁଖ କାରଣ, ତଥାପି ମନେରଖିବାକୁ ହେବ ଯେ ଭାରତ ଏକ କୃଷି ପ୍ରଧାନ ଦେଶ। ଦେଶର ଆଶା କୃଷି ଉପରେ ନିର୍ଭରଶୀଳ। ଏହି ଆଶାକୁ ବଞ୍ଚାଇରଖିବା ପାଇଁ ଅନ୍ନଦାତା ଅର୍ଥାତ୍‌ କୃଷକମାନଙ୍କର ଜମି, ଆନୁଷଙ୍ଗିକ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ସ୍ବାର୍ଥର ସୁରକ୍ଷା ପାଇଁ ଉଭୟେ ସରକାରୀ ଓ ବେସରକାରୀ ସଂସ୍ଥାଗୁଡ଼ିକୁ ନିରନ୍ତର ପ୍ରୟାସ କରିବାକୁ ପଡ଼ିବ।
ମୋ: ୬୩୭୦୬୭୯୪୦୫

 


Enter your email to get our daily news in your inbox.

All Right Reserved By Dharitri.Com

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

ଯୁକ୍ତିଯୁକ୍ତ ଦୃଷ୍ଟିକୋଣ

ଭାରତର ସଦ୍ୟତମ ବାବୁ ଅଦଳବଦଳ ପ୍ରକୃତରେ ବଦଳି କିମ୍ବା ନିଯୁକ୍ତି ବିଷୟକୁ ନୁହେଁ, ବରଂ ନୂଆଦିଲ୍ଲୀର ଶାସକୀୟ ଦୃଷ୍ଟିକୋଣର ଏକ ଗଭୀର ପରିବର୍ତ୍ତନକୁ ସୂଚିତ କରୁଛି। ସୂତ୍ରରୁ…

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଏକ ମରୁଡ଼ିପ୍ରବଣ ଅଞ୍ଚଳ। ବର୍ଷାଦିନ ପରେ ଏଠାରୁ ଭାରଓ୍ବାଡ ଯାଯାବର ସମ୍ପ୍ରଦାୟର ଲୋକେ ଗୃହପାଳିତ ପଶୁଙ୍କୁ ନେଇ ଅନ୍ୟ ଚାରଣଭୂମି ଅଞ୍ଚଳକୁ ଚାଲିଯାଆନ୍ତି। ସେମାନେ…

ପ୍ରକୃତିର ସ୍ବରୂପ

ପତଞ୍ଜଳି ଯୋଗ ଦର୍ଶନର ଦ୍ୱିତୀୟ ପାଦ ସୂତ୍ର ସଂଖ୍ୟା-୧୮ରେ କୁହାଯାଇଛି, ”ପ୍ରକାଶ କ୍ରିୟା ସ୍ଥିତି ଶୀଳଂ ଭୂତେନ୍ଦ୍ରିୟାତ୍ମକଂ ଭେଗାପବର୍ଗାଥଂ ଦୃଶ୍ୟମ“। ଏହାର ଅର୍ଥ ହେଲା ପ୍ରକାଶ, କ୍ରିୟା…

ସବୁଜ ସାଧକ କାଳିନ୍ଦୀ ଚରଣ

ଜନ୍ମ ଆମର ମଣିଷ କୁଳରେ ନାହିଁ ଇଜ୍ଜତ୍‌ ମାନ, ଆମ ଝିଅବୋହୂ ସବୁରି ଶାଳୀ ହେ ଆମେ ଶଳା ସଇତାନ“। କବିତାରେ ସର୍ବହରା ମଣିଷର ଏହି ଇସ୍ତାହାର…

ଜଳବାୟୁ ଆଇନ ପାଇଁ ଆହ୍ବାନ

ଗତବର୍ଷ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ) ଜଳବାୟୁ ପରିବର୍ତ୍ତନ ଉପରେ ଏକ ଆଇନଗତ ମତ ବା ରାୟ ପ୍ରକାଶ କରିଥିଲେ, ଯାହା ୨୦୧୫ ପ୍ୟାରିସ ଚୁକ୍ତି…

ସେବାରୁ ଆରମ୍ଭ, ସ୍ୱାର୍ଥରେ ଶେଷ

ଏବକାର ଭାରତରେ ରାଜନୀତିଜ୍ଞମାନେ ଇଂଲିଶ ଅକ୍ଷର ଏସ୍‌(S)କୁ ଜପାମାଳି କରି ଦେଇଛନ୍ତି। ଏହା ମାଧ୍ୟମରେ ସେମାନେ ଦେଶସେବା କରିବାର ଛଳନା କରୁଛନ୍ତି। ପ୍ରତ୍ୟେକ ସ୍ଲୋଗାନ, ପ୍ରତ୍ୟେକ ଯୋଜନା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri