ଭୟଙ୍କର ସ୍ଥିତିରେ ଆମ ବିଦ୍ୟାଳୟ

ରାଜୀବ କର୍ମି

ଆମ ରାଜ୍ୟରେ ପ୍ରାଥମିକ ଶିକ୍ଷାର ସ୍ତର ସମ୍ପ୍ରତି ଅତି ଉଦ୍‌ବେଗଜନକ ଅବସ୍ଥାରେ ପହଞ୍ଚିଛି। ଯଦିଓ କରୋନା ଏହାର ଏକ କାରଣ କିନ୍ତୁ ମୁଖ୍ୟ କାରଣ ନୁହେଁ। ବିଗତ ପାଞ୍ଚ ଛଅ ବର୍ଷ ହେଲା ଏ ସ୍ଥିତି ଦେଖାଦେଲାଣି। ଫଳରେ ଅଭିଭାବକମାନେ ସରକାରୀ ବିଦ୍ୟାଳୟ ପ୍ରତି ଆସ୍ଥା ହରାଇ ଏବେ ସମସ୍ତେ ବେସରକାରୀ ବିଦ୍ୟାଳୟମୁହଁା। ଫଳତଃ ସରକାରୀ ବିଦ୍ୟାଳୟଗୁଡ଼ିକ ଖାଁ ଖାଁ ଲାଗୁଛି। ସରକାର ନିଜ ଶିକ୍ଷାର ଉନ୍ନତି ବିଷୟରେ ବାହାରେ ଯେତିକି ଡିଣ୍ଡିମ ପିଟୁଛନ୍ତି, ବାସ୍ତବିକ ସ୍ଥିତି ସେତିକି ଭୟଙ୍କର। ଅନେଶତ ଶତକଡ଼ା ବିଦ୍ୟାଳୟ ଏବେ ବିପର୍ଯ୍ୟସ୍ତ। ସେ ରାଜଧାନୀର ଛାତି ଉପରେ ଛିଡ଼ା ହୋଇଥିବା ବିଦ୍ୟାଳୟଟିଏ ହେଉ କିମ୍ବା ମାଲକାନଗିରି କି ମୟୂରଭଞ୍ଜ ଜିଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ସ୍ଥାପିତ ବିଦ୍ୟାଳୟଟିଏ ହେଉ, ପିଲାମାନଙ୍କର ଶିକ୍ଷଣ ସ୍ତର ବୃଦ୍ଧି ନ ହେବା ହେତୁ ଅଭିଭାବକମାନେ ସରକାରୀ ବିଦ୍ୟାଳୟ ପ୍ରତି ମୁହଁ ମୋଡ଼ୁଛନ୍ତି। ଅଭିଭାବକମାନେ ଶିକ୍ଷକମାନଙ୍କୁ, ଶିକ୍ଷକମାନେ ସରକାରଙ୍କୁ ଏବଂ ସରକାର ଅଭିଭାବକମାନଙ୍କୁ ଦୋଷ ଦେଇ ନିଜ ଦାୟିତ୍ୱରୁ ଖସିଯିବାକୁ ଚେଷ୍ଟା କରୁଛନ୍ତି। ଗୋଟିଏ ଭାତକୁ ଚିପି ହାଣ୍ଡି ଯାକ ଭାତ ଆକଳନ କରିବା ନ୍ୟାୟରେ କୌଣସି ଗୋଟିଏ ବିଦ୍ୟାଳୟର ବିକାଶକୁ ନମୁନା ଭାବରେ ସାର୍ବଜନୀନ କରି ସରକାର ବାହାବା ନେଉଛନ୍ତି।
୨୦୦୯ରେ ଶିକ୍ଷା ଅଧିକାର ଆଇନ ଆସିବା ପୂର୍ବରୁ ଆମ ଦେଶରେ ସର୍ବଶିକ୍ଷା ଅଭିଯାନ ଚାଲିଥିଲା। ସେ ସମୟରେ ଶିକ୍ଷାର ସ୍ଥିତି ଅନେକ ସୁଧିୁରି ଥିବାର ଆମେ ଦେଖିଛେ। ଶିକ୍ଷାର ମାନକୁ ଆହୁରି ବିକଶିତ କରିବା ପାଇଁ ଆମେ ଶିକ୍ଷାକୁ ଏକ ଅଧିକାର ଭାବରେ୨୦୦୯ରେ ସ୍ବୀକୃତି ଦେଲେ। ଆଶା ଥିଲା ଏହାଦ୍ୱାରା ଶିକ୍ଷାରେ ଅନେକ ଉନ୍ନତି ଘଟିବ। କିନ୍ତୁ ବିଗତ ୧୨ ବର୍ଷ ଭିତରେ ଶିକ୍ଷାର ଅବସ୍ଥା ସୁଧୁରିବା ପରିବର୍ତ୍ତେ ନିମ୍ନଗାମୀ ହେବାରେ ଲାଗିଛି। ଶିକ୍ଷକ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ନିୟମିତ ବ୍ୟବଧାନରେ ତାଲିମ, ଉପରିସ୍ଥ ଅଫିସରମାନଙ୍କୁ ନେଇ ବାହାର ରାଜ୍ୟର ସଫଳ କାହାଣୀର ପରିଦର୍ଶନ, ଉନ୍ନତଧରଣର ତଦାରଖ ବ୍ୟବସ୍ଥା ସାଙ୍ଗକୁ ଉଚ୍ଚସ୍ତରୀୟ ସମୀକ୍ଷା ଏବଂ ଅନୁସନ୍ଧାନ କୌଣସିରେ କାମରେ ଲାଗିପାରୁ ନାହିଁ। କେତୋଟି ଦିଗ ଯଥା ବିଦ୍ୟାଳୟର ଭିତ୍ତିଭୂମି, ଶିକ୍ଷକ ନିଯୁକ୍ତି ଏବଂ ସମସ୍ତଙ୍କୁ ତାଲିମ ବ୍ୟବସ୍ଥାକୁ ବାଦ୍‌ଦେଲେ ଶିକ୍ଷାର ମାନ ବୃଦ୍ଧି ଏବଂ ପିଲାଙ୍କ ଶିକ୍ଷଣ ସ୍ତରରେ ଅଭିବୃଦ୍ଧି ନିରାଶାଜନକ। ଏଥିରୁ ବୁଝାପଡ଼େ ସରକାର ଶିକ୍ଷାର ଭିତ୍ତିଭୂମି ସଜାଡ଼ିବାରେ ଯେତିକି ବ୍ୟସ୍ତ ପିଲାଙ୍କ ଶିକ୍ଷଣ ସ୍ତରକୁ ବୃଦ୍ଧି କରିବାରେ ସେତିକି ବିଫଳ।
ଶିକ୍ଷକ ହେଉଛି ଶିକ୍ଷାର ମେରୁଦଣ୍ଡ। ଶିକ୍ଷଣ ସ୍ତରରେ ବୃଦ୍ଧି ପାଇଁ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଜଣେ ଶିକ୍ଷକ ଚାହିଁଲେ ବିଦ୍ୟାଳୟର ଭିତ୍ତିଭୂମିରେ ଅନେକ ଉନ୍ନତି କରି ପାରିବେ, ଶିକ୍ଷାର ମାନ ବୃଦ୍ଧି କରିପାରିବେ। ଅଭିନବ ପଦ୍ଧତିରେ ଶିକ୍ଷାଦାନ କରି ପାରିବେ ବିନା ଶିକ୍ଷଣ ସାମଗ୍ରୀ ସହିତ। ଶିକ୍ଷକ ଚାହିଁଲେ ଗୋଷ୍ଠୀ ଭାଗୀଦାରିତା ବିଦ୍ୟାଳୟ ପ୍ରତି ବୃଦ୍ଧି ପାଇବ। ଅଭିବାବକ ଏବଂ ଗାଁ ଲୋକମାନେ ବିଦ୍ୟାଳୟ ପ୍ରତି ଯତ୍ନଶୀଳ ହେବେ। ଶିକ୍ଷକ ଚାହିଁଲେ ବିଦ୍ୟାଳୟ ପିଲାଙ୍କୁ ଆକୃଷ୍ଟ କରିବା ସହିତ ପିଲାଙ୍କ ଶିକ୍ଷଣ ସ୍ତର ଅହେତୁକ ବୃଦ୍ଧି ପାଇବ। ଏପରିକି ସ୍ବଳ୍ପ ସରକାରୀ ଅନୁଦାନରେ ମଧ୍ୟ। ଏହାର ମଧ୍ୟ ଅନେକ ଉଦାହରଣ ଅଛି ହେଲେ ଶିକ୍ଷକମାନଙ୍କ ମନୋବୃତ୍ତି ନ ଥିଲେ ସରକାର ଯେତେ ଚେଷ୍ଟା କଲେ ବି ବିଦ୍ୟାଳୟ ଉଧେଇ ପାରିବ ନାହିଁ। ବିଗତ ୨୦ବର୍ଷଧରି ଶିକ୍ଷକମାନଙ୍କୁ ଶିକ୍ଷାର ମାନ ବୃଦ୍ଧି ପାଇଁ ସବୁ ପ୍ରକାର ତାଲିମ ଦିଆଯାଇଛି। ତା’ ହେଲେ ଭୁଲ ରହୁଛି କେଉଁଠି। ପାଠଘର ଶୂନ କାହିଁକି? ମୋର ଜଣେ ଶିକ୍ଷକ ବନ୍ଧୁ କହିଲେ ଆମେମାନେ କିଛି କରୁଛୁ ବୋଲି ତ କିଛି ପିଲା ବିଦ୍ୟାଳୟରେ ଅଛନ୍ତି। ନଚେତ୍‌ ସରକାରୀ ବିଦ୍ୟାଳୟ ପୂରାପୂରି ଖାଲି ହୋଇଯାଆନ୍ତା।
ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବା ସରକାରଙ୍କ ଦାୟିତ୍ୱ। ଦେଖାଯାଉଛି ସରକାର ଏଥିରୁ ଧୀରେଧୀରେ ଓହରି ଯିବାରେ ଲାଗିଛନ୍ତି। ସରକାରଙ୍କର ବୈମାତୃକ ମନୋଭାବ ପାଇଁ ଅଭିଭାବକମାନେ ମଧ୍ୟ ସରକାରୀ ବିଦ୍ୟାଳୟକୁ ନିଜ ପିଲାଙ୍କୁ ଛାଡ଼ିବା ପାଇଁ ମଙ୍ଗୁ ନାହାନ୍ତି। ଯାହାର ଆର୍ଥିକ ସମ୍ବଳ ସ୍ବଚ୍ଛଳ ସେମାନେ ବେସରକାରୀ ବିଦ୍ୟାଳୟ ମୁହଁା ହେଉଛନ୍ତି। ଫଳରେ ସରକାରୀ ବିଦ୍ୟାଳୟରେ ପିଲା ସଂଖ୍ୟା ଦ୍ରୁତଗତିରେ କମିବାକୁ ଲାଗିଛି। ଗତ ପାଞ୍ଚ ବର୍ଷ ଭିତରେ ଆମ ରାଜ୍ୟରେ ୧୭୭୨ ବିଦ୍ୟାଳୟରେ ପିଲା ନ ହେବାରୁ ସରକାର ବନ୍ଦ କରିଛନ୍ତି, ଯେଉଁଥିରୁ ୪୮୮ବିଦ୍ୟାଳୟ କେବଳ ୨୦୧୯-୨୦ ବର୍ଷରେ ବନ୍ଦ ହୋଇଛି। ଏହାର ଅର୍ଥ ଏଇଆ ନୁହେଁ ଯେ ସେହି ଗାଁରେ ପିଲା ନାହାନ୍ତି। ଯେଉଁଠି ଭଲ ଶିକ୍ଷା ମିଳିବ ସେଠିକି ତ ପିଲା ଯିବେ ନିଶ୍ଚିତ। ଶିକ୍ଷା ଅଧିକାର ଆଇନର ପ୍ରାବଧାନ ଅନୁସାରେ ଅଧିକ ବିଦ୍ୟାଳୟର ଆବଶ୍ୟକତା ଥିବାବେଳେ ସରକାର ବନ୍ଦ କରୁଛନ୍ତି କେମିତି? କିନ୍ତୁ ସରକାର କହୁଛନ୍ତି ପିଲା ନ ହେବାରୁ ଆମେ ବାଧ୍ୟହେଇ ବିଦ୍ୟାଳୟ ବନ୍ଦ କରୁଛୁ। ଯଦି ସେହି ଗାଁରେ ପିଲା ନାହାନ୍ତି ତେବେ ଗଲେ କୁଆଡ଼େ? ଏଠାରେ ପ୍ରଶ୍ନ ଉଠେ ସରକାର ପିଲାମାନଙ୍କୁ ନିଜ ବିଦ୍ୟାଳୟରେ ରଖିବାକୁ କ’ଣ ପଦକ୍ଷେପ ନେଇଛନ୍ତି?
ଏହାର ଅନ୍ୟ ଦିଗଟି ହେଉଛି ଅଭିଭାବକମାନଙ୍କର ଶିକ୍ଷାପ୍ରତି ଭାଗୀଦାରିତା। ଅନେକ ଶିକ୍ଷକଙ୍କ ଅଭିଯୋଗ ହେଲା ବାପା ମା’ମାନେ ଘରେ ପିଲାଙ୍କୁ ପଢ଼ାଉ ନାହାନ୍ତି। ଆମେ କ’ଣ ପିଲାଙ୍କୁ ପାଠ ବାଟିକରି ପିଆଇ ଦେବୁ। ତେବେ ବେସରକାରୀ ବିଦ୍ୟାଳୟର ଅଭିଭାବକ କ’ଣ ନିଜ ପିଲା ବିଷୟରେ ବେଶି ଚିନ୍ତାଶୀଳ? ଏହା ମଧ୍ୟ ଅନେକାଂଶରେ ସତ୍ୟ। ସରକାରୀ ବିଦ୍ୟାଳୟରେ ଅଭିଭାବକମାନେ ପିଲାଙ୍କ ଶିକ୍ଷାରେ ଉନ୍ନତି-ଅବନତି ବିଷୟରେ ବେଶି ଅଭିଯୋଗ କରନ୍ତି ନାହିଁ। ମାତ୍ର ବେସରକାରୀ ବିଦ୍ୟାଳୟରେ ଏହାର ଠିକ୍‌ ଓଲଟା। ପିଲାଙ୍କ ପାଇଁ ଅନେକ ଅଭିଭାବକ ଶିକ୍ଷକମାନଙ୍କଠାରୁ ମଧ୍ୟ ବେଶି ପରିଶ୍ରମ କରିଥାନ୍ତି। ବିଦ୍ୟାଳୟ ବ୍ୟତୀତ ଘରେ ପିଲାଙ୍କ ପାଇଁ ଶିଖିବାର ପରିବେଶ ତିଆରି କରିଥାନ୍ତି। ଅନେକ କ୍ଷେତ୍ରରେ ପିଲା ପାଠ ନ ପଢ଼ିଲେ ଅଭିଭାବକମାନଙ୍କୁ ଦୋଷ ଦେବା ଏକ ପରମ୍ପରା ହୋଇଗଲାଣି। ତେଣୁ ଅନେକ ସମୟରେ ଶିକ୍ଷକମାନେ ନିଜ ମୁଣ୍ଡରୁ ଅଠା ଛଡେଇବା ପାଇଁ ବାଟ ପାଇଯାଆନ୍ତି।
ଶିକ୍ଷକ-ଶିକ୍ଷକ ଭିତରେ ବିଭେଦତା ଏହି ସ୍ଥିତିକୁ ଆହୁରି ସୁହାଉଛି। ଶିକ୍ଷକ ଶିକ୍ଷାଦାନରେ ଅବହେଳା କରୁଛନ୍ତି। ଅନେକ ଶିକ୍ଷକ କମ୍‌ ବେତନ ଯୋଗୁ ଅତିରିକ୍ତ ଆୟପନ୍ଥା ଅବଲମ୍ବନ ନିମିତ୍ତ ବିଦ୍ୟାଳୟ ପ୍ରତି ନ୍ୟାୟ କରି ପାରୁନାହାନ୍ତି। ଏତେସବୁ ତଦାରଖ ବ୍ୟବସ୍ଥା ଥିବା ସତ୍ତ୍ୱେ କେହି ନିଜର ଦାୟିତ୍ୱ ପାଳନ କରୁନାହାନ୍ତି ଏବଂ କାହାର ଉତ୍ତରଦାୟିତ୍ୱ ମଧ୍ୟ ନାହିଁ। ସରକାରଙ୍କ ଏହି ଅପାରଗତା ବେସରକାରୀ ଶିକ୍ଷା ବ୍ୟବସ୍ଥାକୁ ସୁହାଉଛି। ପିଲା ଅଭାବରୁ ବିଦ୍ୟାଳୟ ବନ୍ଦ ହେଲେ ସରକାର ଦୋଷ ମୁଣ୍ଡଉ ନାହାନ୍ତି। ପରୋକ୍ଷରେ ସରକାରଙ୍କ ନୀରବତା ବେସରକାରୀ କ୍ଷେତ୍ରକୁ ଉତ୍ସାହିତ କରୁଛି।
ଶିକ୍ଷାର ମାନ ବୃଦ୍ଧି ପାଇଁ କେତୋଟି ଦିଗକୁ ବିଚାର କରାଯାଇପାରେ। ଯେପରିକି ଶିକ୍ଷା କ୍ଷେତ୍ରରେ କାମ କରୁଥିବା କର୍ମଚାରୀମାନଙ୍କ ଭିତରେ ଥିବା ବିଷମତାକୁ ଦୂର କରି ସମ୍ମାନ ଜନକ ପାରିଶ୍ରମିକ ବ୍ୟବସ୍ଥା ଲାଗୁ କରାଯିବା। ଶିକ୍ଷକ ଏବଂ ଶିକ୍ଷା ବ୍ୟବସ୍ଥାରେ ସଂଶ୍ଳିଷ୍ଟ ଥିବା ବ୍ୟକ୍ତିଙ୍କୁ ଦିଆଯାଉଥିବା ଦାୟିତ୍ୱକୁ କଡାକଡି ଭାବରେ ତାଦରଖ ଏବଂ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ। ଶିକ୍ଷଣ ସ୍ତର ବୃଦ୍ଧି ପାଇଁ ନିୟମିତ ଏବଂ ବ୍ୟାପକ ସମୀକ୍ଷା ବ୍ୟବସ୍ଥାକୁ କଡାକଡି ଭାବରେ ପାଳନ। ନୂତନ ଜ୍ଞାନକୌଶଳକୁ ଶିକ୍ଷା କ୍ଷେତ୍ରରେ ବ୍ୟବହାର କରି ଶିକ୍ଷାଦାନ ବ୍ୟବସ୍ଥା। ଶିକ୍ଷାକୁ ସେବା ଭାବରେ ନ ନେଇ ବିନିଯୋଗ କରିବା ଜରୁରୀ। ପିଲାମାନଙ୍କର ଶିକ୍ଷା ବିଦ୍ୟାଳୟ ଭିତରେ ସୀମିତ ନ ହୋଇ ପରିବାର ଏବଂ ଗୋଷ୍ଠୀର ମଧ୍ୟ ଦାୟିତ୍ୱ ହେବା ଉଚିତ। ତା’ ହେଲେ ଯାଇ ଶିକ୍ଷଣ ସ୍ତରରେ ଉନ୍ନତି ଆଶା କରାଯାଇ ପାରିବ।
ଶଗଡ଼ା, ବୌଦ୍ଧ, ମୋ-୮୩୨୮୮୪୮୧୪୫


Enter your email to get our daily news in your inbox.

All Right Reserved By Dharitri.Com

ଗାନ୍ଧୀ ଲିଗାସି ଲିଭାଇବା ପ୍ରୟାସ

ତୁଷାର ଗାନ୍ଧୀ ଭାରତ ସରକାର ଗୁଜରାଟ ସରକାରଙ୍କ ମାଧ୍ୟମରେ ସାବରମତି ଆଶ୍ରମର ପୁନଃବିକାଶ କରି ତାହାକୁ ବିଶ୍ୱସ୍ତରୀୟ ସ୍ମାରକୀ ପ୍ରତିଷ୍ଠା କରିବା ସମ୍ପର୍କିତ ଖବର ଗଣମାଧ୍ୟମରେ...

ଏଇ ଭାରତରେ

ଜୈବ ଇନ୍ଧନ ବ୍ୟବହାର କମ୍‌ କରିବା ସହ ପରିବେଶ ପ୍ରଦୂଷଣ ରୋକିବା ଲାଗି ଏବେ ବୈଦ୍ୟୁତିକ ଦୁଇଚକିଆ ଯାନ(ଇଭି ଟୁହ୍ବିଲର) ନିର୍ମାଣରେ ଲାଗିଛନ୍ତି ବହୁ ନାମୀଦାମୀ...

ଗଣତନ୍ତ୍ରର ରକ୍ଷାକବଚ

ରବିନାରାୟଣ ସାମଲ   ଗଣତନ୍ତ୍ରର ଚାରିଟି ସ୍ତମ୍ଭ ନ୍ୟାୟପାଳିକା, କାର୍ଯ୍ୟପାଳିକା, ବ୍ୟବସ୍ଥାପକ ଓ ଗଣମାଧ୍ୟମ ଯେତେବେଳେ ଅଳ୍ପ ବହୁତେ ଆକ୍ରାନ୍ତ ହୁଅନ୍ତି ସେତେବେଳେ ଗଣତାନ୍ତ୍ରିକ ମୂଲ୍ୟବୋଧର...

ୟୁପିଏସ୍‌ସି ପରୀକ୍ଷାରେ ଓଡ଼ିଆଙ୍କ ଦୁର୍ବଳତା

ସହଦେବ ସାହୁ   ନ୍ୟାଶନାଲ କାଉନ୍‌ସିଲ ଅଫ୍‌ ଏଜୁକେଶନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ୩ୟ, ୫ମ, ୮ମ ଓ ୧୦ମ ଶ୍ରେଣୀ ପିଲାଙ୍କ ଉପରେ କରିଥିବା...

ଜମ୍ମୁ-କଶ୍ମୀରର ବିକାଶ ଚିତ୍ର

ଡ. ସନ୍ତୋଷ କୁମାର ମହାପାତ୍ର କେନ୍ଦ୍ର ସରକାରଙ୍କ ଜମ୍ମୁ-କଶ୍ମୀର ନିଷ୍ପତ୍ତି ସପକ୍ଷରେ ଅନେକ ଯୁକ୍ତି ମଧ୍ୟରୁ ଏକ ପ୍ରମୁଖ ଯୁକ୍ତି ହେଉଛି ଧାରା ୩୭୦ ଓ...

କଡ଼ା ପଦକ୍ଷେପ

କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରୁ ନ ଥିବା ବାବୁମାନଙ୍କ ପାଇଁ ଖୁବ୍‌ ଶୀଘ୍ର ସିକିମରେ ଏକ ଅଲଗା ବିଭାଗ ରହିିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରେମ ସିଂ...

ଏଇ ଭାରତରେ

ଛତିଶଗଡ଼ ଭିଲାଇର ବୋରିଥାନାର ପୋଲିସ କର୍ମଚାରୀମାନେ ଗୋଟିଏ ଗୁଳିରେ ଦୁଇଟି ଶିକାର କଲାଭଳି କାର୍ଯ୍ୟକରି ଚର୍ଚ୍ଚାରେ ରହିଛନ୍ତି। ପଡିଆ ଜମିରେ ଫଳଗଛ ଲଗାଇ ଜବରଦଖଲକୁ ରୋକିବା...

ସମାଧାନ କ୍ଷୀଣ

ମେ ୨୩ରେ ମ୍ୟାନ୍‌ମାରରୁ ରୋହିଙ୍ଗ୍ୟା ମୁସଲମାନମାନେ ଡଙ୍ଗାରେ ମାଲେସିଆ ଯାଉଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହେବାରୁ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ମ୍ୟାନ୍‌ମାରରେ ରୋହିଙ୍ଗ୍ୟାମାନଙ୍କୁ ନାଗରିକ ଭାବେ...

Advertisement
Archives

Model This Week