ଆମ ଜୀବନ, ଆମ ନିଷ୍ପତ୍ତି

ଡ. ଶରତ ଚନ୍ଦ୍ର ପରିଡ଼ା

 

ସମାଜରେ ପ୍ରତିଷ୍ଠିତ ବ୍ୟକ୍ତିମାନେ କିଛି ଭିନ୍ନ କାର୍ଯ୍ୟ କରି ନ ଥା’ନ୍ତି; ସେମାନଙ୍କ କାର୍ଯ୍ୟ ଅନ୍ତରାଳରେ ସେମାନେ ନେଇଥିବା ସଚେତନ ନିଷ୍ପତ୍ତି ହିଁ ଏପରି କରାଇଥାଏ। ଜୀବନର ପ୍ରତିମୋଡ଼ରେ ନିଷ୍ପତ୍ତି ନେବାର ଅବସର ଆସି ପହଞ୍ଚିଥାଏ। ଆମେ ତାହା ନେଇ ନ ଥାଉ କି ଭାଗ୍ୟରେ ଆସୁଥିବା ପରିବର୍ତ୍ତନକୁ ସ୍ବାଗତ କରି ନ ଥାଉ। ଅନ୍ୟପକ୍ଷରେ ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନେଇ ଠିକ୍‌ ଭାବରେ ତାକୁ କାର୍ଯ୍ୟରେ ପରିଣତ କରିପାରିଲେ; ସଫଳତା ସୁନିଶ୍ଚିତ। ପ୍ରତିକ୍ଷଣରେ ଆମ ଅବଚେତନ ମନରେ ନିଷ୍ପତ୍ତି ନେବା ପ୍ରକ୍ରିୟା ସ୍ବାଭାବିକ ଭାବରେ ସମ୍ପାଦିତ ହେଉଛି। ଶୟନ, ଭୋଜନ, ଗମନ, କଥୋପକଥନ ଆଦି କ୍ଷେତ୍ରରେ ଏସବୁ ଦୈନନ୍ଦିନ ଘଟଣା। ଆମେ ଯେତେବେଳେ ସଚେତନ ହୋଇ କିଛି ସିଦ୍ଧାନ୍ତ ନେଉ, ଗୁରୁତ୍ୱ ଜମାଟ ବାନ୍ଧେ। ଛାତ୍ରଟି ଯେତେବେଳେ ନିଷ୍ପତ୍ତି ନିଏ ତାକୁ ପରୀକ୍ଷାରେ ସର୍ବୋଚ୍ଚ ଅଙ୍କ ହାସଲ କରିବାକୁ ହେବ, ସେ ଦିନରାତି ଏକାକାର କରିଦିଏ। ନିଷ୍ପତ୍ତିକୁ କାର୍ଯ୍ୟରେ ପରିଣତ କରିବା ପାଇଁ ମନମୁନଚୈତନ୍ୟ ଲଗାଇ ଦିଏ। ଓଡ଼ିଶାକୁ ଶ୍ରେଷ୍ଠ କରିବାକୁ ପଡ଼ିବ, ଏହା ହେଲା ନିଷ୍ପତ୍ତି। ଏହାକୁ ରୂପାୟନ କଲାବେଳେ ଅନେକ ଛୋଟ ଛୋଟ ନିଷ୍ପତ୍ତିମାନ ନିଆଯିବା ଓ ନିଆଯାଉଥିବା ନିଷ୍ପତ୍ତିକୁ ଆବଶ୍ୟକ ଅନୁସାରେ ନମନୀୟ କରିବା ପ୍ରାସଙ୍ଗିକ ମନେହୁଏ।
ବର୍ତ୍ତମାନ ନିଷ୍ପତ୍ତି ନେବାର ସର୍ବଶ୍ରେଷ୍ଠ ସମୟ। ଅତୀତର ଅଭିଜ୍ଞତା ଓ ବର୍ତ୍ତମାନ ମିଳୁଥିବା ସୂଚନାକୁ ଆଧାର କରି ବର୍ତ୍ତମାନ ନିଷ୍ପତ୍ତି ନିଆଯାଇଥାଏ। ଜୀବନ ଆମର ଓ ତାକୁ କିଭଳି ବିତାଇବାକୁ ପଡ଼ିବ ଓ ବଞ୍ଚିବାକୁ ହେବ; ସେ ନିଷ୍ପତ୍ତି ଆମର। ବାଲ୍ୟ, କୈଶୋର, ଯୌବନ ଅବା ବାର୍ଦ୍ଧକ୍ୟ ଅବସ୍ଥାରେ ହେଉ ଅବା ଜଣେ ଗୃହିଣୀ, ନେତା ବା କୃଷକ ହୁଅନ୍ତୁ ବର୍ତ୍ତମାନ ସମୟ ନିଷ୍ପତ୍ତି ନେବାର ସର୍ବୋତ୍କୃଷ୍ଟ। ଜଣେ ଯାହା ଚାହିଁବ; ତାହା କରିପାରିବ। ଉପଲବ୍ଧ ଅନେକ ବିକଳ୍ପ ମଧ୍ୟରୁ ଗୋଟିଏକୁ ବାଛି ନିଷ୍ପତ୍ତି ନେବାକୁ ହୁଏ। ଜଣେ କବିତା ଲେଖିବ କି ଗଦ୍ୟ ଲେଖିବ; ତାହା ତାର ନିଷ୍ପତ୍ତି ଉପରେ ନିର୍ଭର କରେ। ଜଣକ ସାଙ୍ଗରେ ଆମେ ସମ୍ପର୍କ ରଖିବାକୁ ଚାହୁଁନାହୁଁ; ତାହା ବଦଳାଇବା ପାଇଁ ଏହି ମୁହୂର୍ତ୍ତରେ କାର୍ଯ୍ୟ ଆରମ୍ଭ କରିପାରୁ। ବର୍ତ୍ତମାନର ଚାକିରି ଆମକୁ ଭଲ ଲାଗୁ ନାହିଁ; ଆମେ ନୂଆ ଚାକିରି ସନ୍ଧାନ କରିପାରୁ। ନିଜର ଚାଲିଚଳନ ଆମକୁ ଯଦି ଭଲ ଲାଗୁ ନାହିଁ, ତାକୁ ବଦଳାଇବା ପାଇଁ ଲାଗିପଡ଼ୁ। ନିଜ ଶାରୀରିକ ସ୍ବାସ୍ଥ୍ୟ ନିମନ୍ତେ ଆମେ ଯଦି ଚିନ୍ତା କରୁଥାଉ; ତେବେ ଏବେଠାରୁ ବିହିତ ପଦକ୍ଷେପ ନେଇ ପାରୁ। ଆମେ ଯେଉଁ ଅଭ୍ୟାସ ବଦଳାଇବା ପାଇଁ ଚାହୁଁଛୁ ବା କୌଶଳ ଆପେଣଇବା ପାଇଁ ଇଚ୍ଛା କରୁଛୁ; ତାହା ଦୀର୍ଘସୂତ୍ରୀ ନ ହୋଇ ଏହି ମୁହୂର୍ତ୍ତରୁ ଆରମ୍ଭ କରିପାରିବା। ଅନ୍ୟ କାହା ସହିତ ଯୋଗାଯୋଗ କରିବାକୁ ଚାହୁଁଥିଲେ କରିପାରିବା; ବା ନିଜଠାରେ କିଛି ସକାରାତ୍ମକ ଭାବ ଜାଗରଣ କରିବାକୁ ଚାହିଁଲେ, ତାହାର ଶୁଭାରମ୍ଭ କରିପାରିବା।
ଉପଯୁକ୍ତ ନିଷ୍ପତ୍ତି ଆମ ଭିତରେ ଥିବା ଅମାପ ସମ୍ଭାବନା ଓ ଅସୀମ ଶକ୍ତିକୁ ଆବିଷ୍କାର କରି ଆମର କାର୍ଯ୍ୟ କରିବାର ଶକ୍ତିକୁ ଉଦୀପ୍ତ ଓ ପ୍ରଦୀପ୍ତ କରେ। ଆମ ଭିତରେ ଥିବା ଆନନ୍ଦ ଓ ଆବେଗର ଉତ୍ସକୁ ଉନ୍ମୁକ୍ତ କରିଦିଏ। ଆମେ ନୂଆ ନିଷ୍ପତ୍ତି ନେବୁ ବୋଲି ସମୟ ଆମକୁ ଅପେକ୍ଷା କରି ରହିଛି। ସମୃଦ୍ଧି ଓ ସୁଖ ପାଇଁ କାର୍ଯ୍ୟ କରିବା ଲାଗି ଏକ ନୂଆ, ସକାରାତ୍ମକ ନିଷ୍ପତ୍ତି ନେଲେ ଆମକୁ କେହି ଅଟକାଇ ପାରିବେ ନାହିଁ। ଗାନ୍ଧୀ ମହାତ୍ମା ଦୃଢ଼ ନିଷ୍ପତ୍ତି ନେଇଥିଲେ ଭାରତରୁ ବ୍ରିଟିଶ ଶାସନକୁ ବିତାଡ଼ିତ କରିବେ। ଏହି ନିଷ୍ପତ୍ତି ତାଙ୍କୁ ଘଟଣାପ୍ରବାହରେ ଗତିଶୀଳ କରିଥିଲା। ଲୋକମାନେ ଜାଣିପାରୁ ନ ଥିଲେ ସେ କେମିତି ଏହି ଲକ୍ଷ୍ୟରେ ପହଞ୍ଚିବେ; କିନ୍ତୁ ସେ ନିଜ ନିଷ୍ପତ୍ତିରେ ଅଟଳ ଥିଲେ। ସେ ଆଉ ଅନ୍ୟ କିଛି ଭାବୁ ନ ଥିଲେ। ବିବେକ ଅନୁସାରେ କାର୍ଯ୍ୟ କରିଚାଲିଥିଲେ। ନିଷ୍ପତ୍ତି ଉଭୟ ସମସ୍ୟା ଓ ସୁଯୋଗର ଉତ୍ସ। ନିଷ୍ପତ୍ତି ହେଉଛି ଏଭଳି ଶକ୍ତି ଯାହା ଅଦୃଶ୍ୟକୁ ଦୃଶ୍ୟରେ ପରିଣତ କରିବାର ମୋଡ଼ ପ୍ରସ୍ତୁତ କରିପାରେ। ସ୍ବପ୍ନକୁ ବାସ୍ତବତାର ରୂପ ଦେବାକୁ ନିଷ୍ପତ୍ତି ଉତ୍‌ପ୍ରେରକ ଭଳି କାର୍ଯ୍ୟ କରେ।
ଆଶ୍ଚର୍ଯ୍ୟର କଥା ହେଉଛି ଏଭଳି ଅଦ୍ଭୁତ ନିଷ୍ପତ୍ତି ନେବାର ଶକ୍ତି ଆମ ଭିତରେ ରହିଛି। ନିଷ୍ପତ୍ତି ଏକ ନିରପେକ୍ଷ ଓ ସ୍ବାଧୀନ ପ୍ରକ୍ରିୟା। ସମ୍ପୂର୍ଣ୍ଣ ନିଜସ୍ବ। କାହାର ଶିକ୍ଷା, ଅର୍ଥ ବା ପରିବାର ଉପରେ ଏହା ନିର୍ଭର କରେ ନାହିଁ। କେତେକ ନିର୍ଦ୍ଦିଷ୍ଟ ଲୋକଙ୍କ ପାଇଁ ସଂରକ୍ଷିତ ନୁହେଁ। ଏହା ହେଉଛି ଜଣକର ଆତ୍ମସଂଚାଳନ ଶକ୍ତି। ଏହାର ରାଜାଙ୍କ ପାଖରେ ଯେମିତି ରହିଛି ଦୈନିକ ଶ୍ରମିକ ପାଖରେ ମଧ୍ୟ ସେହିପରି ରହିଛି। କାହାର ଏକଚାଟିଆ ନୁହେଁ। ଆମେ ଯଦି ଏବେ ନିଷ୍ପତ୍ତି ନେଉ, ମୁଁ ଆତ୍ମାର ଡାକରାରେ କାମ କରିବି। ନିଜ ଭିତରେ ଆତ୍ମିକ ପରିବର୍ତ୍ତନ ଆଣିବି। ନିଜକୁ ଚିହ୍ନିବି। ଜୀବନକୁ ଜାଣିବି। ଆତ୍ମାକୁ ଉପଲବ୍ଧି କରିବି। ଆମକୁ ଏଭଳି ନିଷ୍ପତ୍ତିରୁ କେହି ଅଟକାଇ ପାରିବେ ନାହିଁ। ‘ସଚେତନ ଭାବରେ ଜୀବନକୁ ଉଠାଇବା ପାଇଁ ଯେଉଁ ନିଶ୍ଚିତ ଚେଷ୍ଟା କରାଯାଇଥାଏ, ତାହାଠାରୁ ଅଧିକ ଉତ୍ସାହପ୍ରଦ କିଛି ନାହିଁ।’- ହେନେରି ଡାଭିଡ ଥୋରିଓ।
ଯେଉଁ ସମୟରେ ଆମେ ଗୁଣାତ୍ମକ ନିଷ୍ପତ୍ତି ନେଇ ତାକୁ କ୍ରିୟାନ୍ବୟନ କରିବା ପାଇଁ କଟିବଦ୍ଧ ହେଉ; ଆମ ଭାଗ୍ୟ ସେହି ସମୟରୁ ତିଆରି ହେବା ଆରମ୍ଭ କରେ। ଭାଗ୍ୟ ନିର୍ଦ୍ଧାରଣରେ ନିଷ୍ପତ୍ତିର ଭୂମିକା ଅନସ୍ବୀକାର୍ଯ୍ୟ। ନିଜ ସାମର୍ଥ୍ୟକୁ ପ୍ରାଣବନ୍ତ କରେ ନିଷ୍ପତ୍ତି। ସ୍ବାଧୀନତା ସଂଗ୍ରାମୀ, ବିପ୍ଳବୀ, ଭିନ୍ନକ୍ଷମ ବା ସ୍ବରୋଜଗାର ପାଇଁ ଶ୍ରମିକଟିଏ ହୁଅନ୍ତୁ ସଚେତନ ଓ ସକ୍ରିୟ ନିଷ୍ପତ୍ତି ଦ୍ୱାରା ଦେଶ, ସମାଜ, ପରିବାର ବା ବ୍ୟକ୍ତିଗତ ଭାଗ୍ୟ ନିର୍ଦ୍ଧାରିତ ହୋଇଥାଏ। ଏଡ୍‌ ରୋବର୍ଟ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଚକ ଚେୟାରରେ ସୀମିତ ହୋଇ ପ୍ରାଣାନ୍ତକ କଷ୍ଟ ଭୋଗୁଥିଲେ। ଦିନେ ସମଦଶାପନ୍ନ ଅନ୍ୟମାନଙ୍କ ପାଇଁ କିଛି କରିବାକୁ କଠୋର ନିଷ୍ପତ୍ତି ନେଲେ। ସଂଘର୍ଷ କରି ସଂଗଠନ ଗଢ଼ି ନେତୃତ୍ୱ ନେଲେ। ତାଙ୍କ ଅଦ୍ଭୁତ ନିଷ୍ପତ୍ତି ଯୋଗୁ ପୃଥିବୀରେ ଜଣେ ଅସାଧାରଣ ବ୍ୟକ୍ତିିତ୍ୱରେ ପରିଣତ ହୋଇଥିଲେ। ନିଷ୍ପତ୍ତି ନେବା ଓ ସଫଳତା ଲାଭ କରିବା ମଧ୍ୟରେ କାର୍ଯ୍ୟ ପାଇଁ ପଦକ୍ଷେପ ଓ ପ୍ରାରବ୍ଧ କାର୍ଯ୍ୟଟିକୁ ସମାପ୍ତ କରିବା ଗୁରୁତ୍ୱପୂର୍ଣ୍ଣ। ନୀତି କହେ, ”ପାରବ୍ଧେ ହ୍ୟସମାପ୍ତେ କାର୍ଯ୍ୟେ ଶିଥିଳୀଭବନ୍ତି କିଂ ସୁଧିୟଃ?“ ସୁଜ୍ଞାନୀମାନେ ଆରମ୍ଭ କରିଥିବା କାର୍ଯ୍ୟଟିକୁ ସମାପ୍ତ ନ କରିବା ପର୍ଯ୍ୟନ୍ତ କେବେ ଶିଥିଳ ହୁଅନ୍ତି ନାହିଁ। ନିଷ୍ପତ୍ତି ଅନୁସାରେ ଆମେ ଯାହା ଚାହୁଁଛୁ; ତଦନୁରୂପ କାର୍ଯ୍ୟ ଘଟିଚାଲିଛି କି ନାହିଁ; ତାହା ନିରୀକ୍ଷଣ କରି ତା’ଉପରେ ନିୟନ୍ତ୍ରଣ ରଖି ସଫଳତା ମିଳିବା ପର୍ଯ୍ୟନ୍ତ ଆବଶ୍ୟକ ହେଉଥିବା କାର୍ଯ୍ୟଧାରାକୁ ବଦଳାଇ ଚାଲିବା ଆମର କର୍ତ୍ତବ୍ୟ। ଥରେ ଅଧେ କିଛି କରିଦେଲେ ଭାଗ୍ୟ ତିଆରି ହୁଏ ନାହିଁ, କାର୍ଯ୍ୟ ଜାରି ରଖିଲେ ଆମର ନିଷ୍ପତ୍ତି ସମ୍ପୂର୍ଣ୍ଣ ରୂପେ ରୂପାନ୍ତରିତ ହୁଏ। ଫଳ ପାଇବା ପାଇଁ ନିଷ୍ପତ୍ତି ସମସ୍ତ ଘଟଣାକୁ କ୍ରିୟାଶୀଳ କରିଥାଏ। ଥରେ ଆମେ ନିଷ୍ପତ୍ତି ପାଖରେ ପ୍ରତିଶ୍ରୁତିବଦ୍ଧ ହୋଇଗଲେ, କେମିତି କାର୍ଯ୍ୟ ହାସଲ ହୋଇପାରିବ ତାହାର ମାର୍ଗ ଆସ୍ତେ ଆସ୍ତେ ଉନ୍ମୋଚିତ ହୋଇ ଚାଲେ। ଗୋଟିଏ ବଡ଼ ନିଷ୍ପତ୍ତି ଭିତରେ ଅନେକ ଛୋଟ ଛୋଟ ନିଷ୍ପତ୍ତି ନିଆଯାଇଥାଏ। ନିଷ୍ପତ୍ତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ମନସ୍ତତ୍ତ୍ୱବିତ୍‌ ଜୋହନ ଉଲ୍‌ଫଗ୍ୟାଙ୍ଗ ଭନ ଗୋଏଥ୍‌ କହନ୍ତି ”ସବୁ କାର୍ଯ୍ୟାରମ୍ଭ ଓ ସୃଷ୍ଟିଶୀଳତାର ବାସ୍ତବତା ହେଉଛି ଥରେ ନିଷ୍ପତ୍ତି ଅଚଳ ଅଟଳ ହୋଇଗଲେ ସମୟୋଚିତ ଆୟୋଜନ ଆପେ ଆପେ ଗତିଯୁକ୍ତ ହୋଇଥାଏ। ବିଧାତା ମଧ୍ୟ ଅନୁକୂଳ ହୋଇଯା’ନ୍ତି।“
ପ୍ଲଟ୍‌ ନଂ. ୫୫୬/୩୭୫୧,
କାନନ ବିହାର-୨, ପଟିଆ, ଭୁବନେଶ୍ୱର
ମୋ: ୯୪୩୭୭୭୬୯୦୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri