ଓଡ଼ିଆ ସ୍ବାଭିମାନର ପ୍ରତୀକ

ଡ. ପ୍ରଫୁଲ୍ଲ କୁମାର ସାହୁ

ବେଳେ ବେଳେ ମହାକାଳକୁ ଚକିତ କରି ଏମିତି ଜଣେ ଜଣେ ଯୋଗଜନ୍ମା ପୁରୁଷ ଜନ୍ମ ନିଅନ୍ତି, ଯିଏ ନିଜର ଅସାଧାରଣ ବ୍ୟକ୍ତିତ୍ୱ ବଳରେ ଇତିହାସ ସୃଷ୍ଟି କରନ୍ତି, ଇତିହାସକୁ ବଦଳାଇ ଦିଅନ୍ତି ଏବଂ ଇତିହାସ ନିର୍ମାଣ ପାଇଁ ଉତ୍ତର ପୁରୁଷଙ୍କ ଆଖିରେ ଭରି ଦିଅନ୍ତି ଅସୁମାରି ସ୍ବପ୍ନ। ସେମାନଙ୍କ କୀର୍ତ୍ତିକୁ ଧାରଣା କରି ଧନ୍ୟ ହୁଏ ଇତିହାସ। ସେହିଭଳି ଜଣେ ବଳିଷ୍ଠ ଓ ଗରିଷ୍ଠ ଜାତିପ୍ରାଣ ବ୍ୟକ୍ତିତ୍ୱ ଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ; ଯିଏ ନିଜର ବୀରତ୍ୱ, ବିବେକ, ବିଚାର, ସଂକଳ୍ପ ଓ ସ୍ବାଭିମାନ ବଳରେ ବିଶ୍ବ ଦରବାରରେ ପହଞ୍ଚାଇ ପାରିଥିଲେ ଓଡ଼ିଆ ଜାତିର ପରିଚୟ ଓ ପ୍ରତିଷ୍ଠା। ସେଥିପାଇଁ ତାଙ୍କ ନାମ ଉଚ୍ଚାରଣ ମାତ୍ରକେ ପ୍ରତ୍ୟେକ ଓଡ଼ିଆଙ୍କ ଆଖି ଆଗରେ ନାଚିଯାଏ ଶିଖରକୁ ଛୁଇଁଥିବା ଜଣେ ଉତ୍ତୁଙ୍ଗ ମଣିଷର ଛବି। ପଡ଼ିଆରେ ଫୁଟବଲ ଖେଳିବାଠାରୁ ଆକାଶରେ ବିମାନ ଉଡ଼ାଇବା ପର୍ଯ୍ୟନ୍ତ ସବୁଥିରେ ସେ ଥିଲେ ସାହସୀ, ଧୁରନ୍ଧର ଓ ଦୁର୍ଦ୍ଧର୍ଷ। ନିଜର ଘଟଣା ବହୁଳ ଜୀବନରେ ସେ ପିଲାଟି ବେଳୁ ଏମିତି ଅନେକ କାମ କରିଯାଇଛନ୍ତି, ଯାହା କେବଳ ତାଙ୍କରି ଦ୍ବାରା ସମ୍ଭବ ଏବଂ ସେହି କାରଣରୁ ତାଙ୍କ ଦୁଃସାହସ, ନିର୍ଭୀକତା ଓ ଦେଶପ୍ରେମକୁ କେନ୍ଦ୍ରକରି ଗଢ଼ିଉଠିଛି ଅନେକ କାହାଣୀ ଓ କିମ୍ବଦନ୍ତୀ। ୧୯୨୩ମସିହାର କଥା। ସାତ ବର୍ଷର ବାଳକ। କିଛିଦିନ ଧରି ସେ ପେଟରେ ଅନୁଭବ କରୁଥିବା ଯନ୍ତ୍ରଣା ଅସହ୍ୟ ହେବାରୁ ବ୍ୟସ୍ତ ବିବ୍ରତ ହୋଇପଡ଼ିଲେ ପିତା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଓ ମାତା ଆଶାଲତା ଦେବୀ। ଡାକ୍ତରଖାନା ନେବାରୁ ଜଣାପଡ଼ିଲା ଆପେଣ୍ଡିସାଇଡ୍‌ ଫାଟିଯାଇଛି ଏବଂ ତୁରନ୍ତ ଅପରେଶନ ନ ହେଲେ ସଙ୍କଟାପନ୍ନ ହୋଇପଡ଼ିବ ପିଲାର ଜୀବନ। ମାତ୍ର ସେଠାରେ ତତ୍କାଳ ନିଶ୍ଚେତକ ବ୍ୟବସ୍ଥା ଉପଲବ୍ଧ ହୋଇ ନ ପାରିବା କାରଣରୁ ବିନା ନିଶ୍ଚେତକରେ ଅପରେଶନ କଲେ ପିଲା କଷ୍ଟ ସହିପାରିବ କି ନାହିଁ ଭାବି ଡାକ୍ତର ଯେତେବେଳେ କିଂ କର୍ତ୍ତବ୍ୟବିମୂଢ ହୋଇ ପଡିଲେ, ସେତେବେଳେ ତାଙ୍କ ଚିନ୍ତାର କାରଣ ବୁଝିପାରି ନିର୍ଭୀକ ବାଳକ ବିଜୁ କହିଥିଲେ, ଆପଣ ଅପରେଶନ କରନ୍ତୁ, ମୁଁ ପ୍ରସ୍ତୁତ। ଜଣେ ଛୋଟ ପିଲାର ସାହସିକତା ଦେଖି ଇଂରେଜ ଡାକ୍ତର ଜଣକ ଏତେ ପ୍ରଭାବିତ ହୋଇଥିଲେ ଯେ ସଫଳତାର ସହ ଅପରେଶନ ପରେ ବିଜୁଙ୍କୁ ସମ୍ବୋଧନ କରି କହିଥିଲେ-‘ବ୍ରେଭ ଏଣ୍ଡ ଡେୟାରିଙ୍ଗ ବୟ’।
୧୯୨୬ ମସିହା କଥା। କଟକ ସ୍ବରାଜ ଆଶ୍ରମରେ ମହାତ୍ମା ଗାନ୍ଧୀଙ୍କୁ ଦେଖିବା ଭିଡ଼ ଠେଲି ସେ ଆଗକୁ ଯିବାବେଳେ ତାଙ୍କ ପିଠିରେ ବାଜିଲା ଫିରିଙ୍ଗି ପୋଲିସ୍‌ର ଲାଠି ପ୍ରହାର। ପୋଲିସର ଏଭଳି ନିର୍ମମ ଆଚରଣ ତାଙ୍କ ପ୍ରାଣକୁ ଏମିତି ଆଘାତ ଦେଲା ଯେ ସେ ବଡ଼ ହେଲେ ପୋଲିସ୍‌ ଠାରୁ ଆହୁରି ଦୁଦ୍ଧର୍ର୍ର୍ଷ ହେବା ପାଇଁ ମନେ ମନେ ପ୍ରତିଜ୍ଞା କଲେ ସେଇ ମୁହୂର୍ତ୍ତରେ। ସତକୁ ସତ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଜାପାନୀ ସୈନ୍ୟଙ୍କ କବଳରୁ ଗୋରା ପରିବାରକୁ ଉଦ୍ଧାର କରିବାକୁ ଯାଇ ସେ ଯେଉଁ ସାହସିକତା ପ୍ରଦର୍ଶନ କଲେ, ସେଥିରେ ଅଭିଭୂତ ହୋଇ ଅତି ଉତ୍ସୁକତାର ସହିତ ତାଙ୍କୁ ମେଡାଲ ପିନ୍ଧେଇ ସମ୍ବର୍ଦ୍ଧିତ କରିଥିଲେ ଭାଇସରାୟଙ୍କ ପତ୍ନୀ। ଏକଦା ଡଙ୍ଗାରେ ରିଲିଫ ସାମଗ୍ରୀ ନେଇ କନିକା ବନ୍ୟାଞ୍ଚଳକୁ ଯାଉଥିଲେ ଉତ୍କଳମଣି ଗୋପବନ୍ଧୁ ଦାଶ। ସାଥିରେ ଥିଲେ ୧୨ ବର୍ଷର ବାଳକ ବିଜୁ ପଟ୍ଟନାୟକ ଓ ଅନ୍ୟ କେତେ ଜଣ ସ୍ବେଚ୍ଛାସେବୀ। ଗୋପବନ୍ଧୁ ଧରିଥିବା ଛତାଟି ଅସାବଧାନତା ବଶତଃ ଡଙ୍ଗାରୁ ପାଣିକୁ ଖସି ପଡ଼ିଲା ଠିକ୍‌ ନଈ ମଝିରେ। ସହସା ଭଉଁରି କାଟୁଥିବା ନଈ ଭିତରକୁ ଲମ୍ଫ ଦେଇ ଛତାଟିକୁ ଉଠେଇ ଆଣିଲେ ବାଳକ ବିଜୁ। ଭୟ ପାଇ ଯାଇଥିବା ପଣ୍ଡିତ ଗୋପବନ୍ଧୁ ଓ ଅନ୍ୟମାନଙ୍କ ଉଦ୍‌ବେଗକୁ ଲକ୍ଷ୍ୟ କରି କହିଲେ- ମୋ ଜୀବନଠାରୁ ଏ ଛତାର ମୂଲ୍ୟ ବହୁତ ବେଶି। କାରଣ ଏ ଯାହି ତାହି ଛତା ନୁହେଁ, ଦାସେ ଆପଣେଙ୍କ ଛତା। ଏ ଛତା ସହିତ ଯୋଡ଼ି ହୋଇ ରହିଛି ଓଡ଼ିଆଙ୍କ ସେବା ଓ ତ୍ୟାଗର ସଂସ୍କୃତି।
କଟକ କିଲା ପଡ଼ିଆରେ ଅବତରଣ କରୁଥିବା ବିମାନକୁ ଛୁଇଁବାକୁ ଯାଇ ବାଳକ ବିଜୁ ଯେଉଁଦିନ ଗୋରା ସାହେବଠାରୁ ମାଡ଼ ଖାଇଥିଲେ, ସେଦିନ ତାଙ୍କ ମନକୁ ଘାରିଥିଲା ନିଜେ ଉଡାଜାହାଜ ଉଡ଼େଇବାର ନିଶା। ସେଦିନର ଦୃଢ଼ ପ୍ରତିଜ୍ଞା ଭବିଷ୍ୟତରେ ତାଙ୍କୁ ଜଣେ ଦୁର୍ଦ୍ଧର୍ଷ ବୈମାନିକରେ ରୂପାନ୍ତରିତ କରିଦେଲା ଓ ସେ ବିମାନ ଚାଳନା କରି ସୃଷ୍ଟିକଲେ ଗୋଟିଏ ପରେ ଗୋଟିଏ ବିରଳ ଇତିହାସ। ୧୯୪୨ ମସିହା ଜୁଲାଇ ୨୩ ତାରିଖ ବର୍ଷାଭିଜା ସକାଳ। କଲିକତା ଏୟାର୍‌ ପୋର୍ଟରୁ ଉଡ଼ିବାକୁ ପ୍ରସ୍ତୁତ ହେଉଥାଏ ଏକ ଡାକୋଟା ବିମାନ। ଆକାଶରେ ଚାଲିଥାଏ ମାଳମାଳ ଭସା ବାଦଲର ଲୁଚକାଳି ଖେଳ। ଧୀରେ ଧୀରେ ବଢ଼ୁଥାଏ ପବନର ବେଗ। ପାଇଲଟକୁ ସତର୍କ କରାଇଦେବା ଉଦ୍ଦେଶ୍ୟରେ କେହି ଜଣେ କହିଲେ-ଝଡ଼ ଆସୁଛି। ଛୋଟ ବେଳୁ ବିପଦ ସହିତ ଖେଳିବାକୁ ଭଲ ପାଉଥିବା ପାଇଲଟ ଜଣକ ସେ କଥାକୁ ଭ୍ରୂକ୍ଷେପ ନ କରି ବେପରୁଆ ଭାବରେ କହିଲେ-‘ବିଜୁର ବିମାନ ଉଡ଼େ ଝଡ଼ର ଉପରେ’। ତା’ପରେ ବିମାନ ନେଇ ଆକାଶର ମଥାନ ଉପରକୁ ସେ ଉଡ଼ିଗଲେ ଠିକ୍‌ ଗୋଟେ ଇଗଲ୍‌ ପରି। ସାଧାରଣତଃ ପକ୍ଷୀମାନେ ଝଡ଼ର ସୂଚନା ପାଇଲେ ଉଡ଼ିଯାଆନ୍ତି ନିରାପଦ ସ୍ଥାନକୁ। ମାତ୍ର ଝଡ଼ ଆସୁଛି ବୋଲି ଜାଣି ସୁଦ୍ଧା ଇଗଲ ନିର୍ଭୀକ ଭାବରେ ଉଡ଼ିବାକୁ ଭଲପାଏ ଉଚ୍ଚ ଆକାଶରେ। ଝଡ଼ର ବେଗ ଯେତିକି ଯେତିକି ବଢ଼େ, ଇଗଲ୍‌ ଉଠି ଉଠି ଯାଏ ସେତେ ଉଚ୍ଚ ଆକାଶକୁ। ସେଦିନ ଠିିକ୍‌ ସେମିତି ଝଡ଼ ବତାସକୁ ଫୁତ୍‌କାରରେ ଉଡ଼ାଇ ଦେଇ କଲିକତାରୁ ଯାଇ ଜାଭାରେ ପହଞ୍ଚି ଯାଇଥିଲା ବିଜୁବାବୁୁଙ୍କ ଡାକୋଟା ବିମାନ। ସେଠାରେ ସେ ଡଚ୍‌ ସେନା ଆଖିରେ ଆଙ୍ଗୁଠି କେଞ୍ଚି ଇଣ୍ଡୋନେସିଆର ଦୁଇ ତୁଙ୍ଗ ନେତା ସନତ ସହରିନ୍‌ ଓ ମହମ୍ମଦ ହାଟ୍ଟାଙ୍କୁ ଉଡ଼ାଇ ଆଣିଥିଲେ ନୂଆଦିଲ୍ଲୀ। ଏଭଳି ଦୁଃସାହସିକ କାର୍ଯ୍ୟ ପାଇଁ ତାଙ୍କୁ ମିଳିଥିଲା ଇଣ୍ଡୋନେସିଆର ସର୍ବୋଚ୍ଚ ପୁରସ୍କାର ଭୂମିପୁତ୍ର ଉପାଧି। ବିଜୁବାବୁ ଥିଲେ ପ୍ରଥମ ଭାରତୀୟ, ଯିଏ ସବୁ ପ୍ରତିକୂଳ ପରିସ୍ଥିତିକୁ ବେଖାତିର କରି ଅଶାନ୍ତ କଶ୍ମୀର ଉପତ୍ୟକାରେ ବିମାନ ଅବତରଣ କରାଇ ଭାରତୀୟ ସେନା ପାଖରେ ପହଞ୍ଚାଇ ଥିଲେ ଖାଦ୍ୟ ଓ ଯୁଦ୍ଧ ଉପକରଣ।
ବିଜୁବାବୁ ଥିଲେ ଓଡ଼ିଆ ଅସ୍ମିତା ଓ ସ୍ବାଭିମାନର ପ୍ରତୀକ। ତାଙ୍କ ଅଭିଳଷିତ ସ୍ବପ୍ନ ଥିଲା ଓଡ଼ିଶାର ପ୍ରତ୍ୟେକ ନାଗରିକ ମୁଣ୍ଡ ଉପରେ ଖଣ୍ଡିଏ ଭଲ ଛାତ, ସବୁ ପରିବାରକୁ ପିଇବା ପାଣି, ସବୁ ପିଲାଙ୍କ ପାଇଁ ଭଲ ସ୍କୁଲ ଓ ସମସ୍ତଙ୍କ ଲାଗି ମାଗଣାରେ ଭଲ ସ୍ବାସ୍ଥ୍ୟସେବା ଇତ୍ୟାଦି। ଏତଦ୍‌ ଭିନ୍ନ ବିଶ୍ବ ଦରବାରରେ ଓଡ଼ିଆର ସ୍ବତନ୍ତ୍ର ପରିଚୟ ପାଇଁ ସେ ସ୍ବପ୍ନ ଦେଖୁଥିଲେ ଏବଂ ତାଙ୍କ ପାଖରେ ଭରପୂର ହୋଇ ରହିଥିଲା ବଡ଼ ବଡ଼ ସ୍ବପ୍ନ ଦେଖିବାର ସାମର୍ଥ୍ୟ। ଓଡ଼ିଶାର ପ୍ରାୟ ଏମିତି କୌଣସି ଅଞ୍ଚଳ ନାହିଁ, ଯେଉଁଠି ବିଜୁବାବୁଙ୍କ ପାଦ ପଡ଼ିନି କି ଓଡ଼ିଶାରେ ଏମିତି କେହି ଲୋକ ନାହିଁ, ଯା’ କାନରେ ପଡ଼ିନି ବିଜୁବାବୁଙ୍କ ନାମ। ଓଡ଼ିଶାର ସେ ହିଁ ପ୍ରଥମ ମୁଖ୍ୟମନ୍ତ୍ରୀ, ଯିଏ ମହିଳା ନିଗମ ଗଠନ କରି ମହିଳାମାନଙ୍କୁ ଦେଇଥିଲେ ଆର୍ଥିକ ସହାୟତା। ସମଗ୍ର ଦେଶରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା କାର୍ଯ୍ୟକାରୀ ହେବାର ପ୍ରାୟ ଅଢ଼େଇ ବର୍ଷ ପୂର୍ବରୁ ଓଡ଼ିଶାରେ ସେ ଏହାକୁ କାର୍ଯ୍ୟକାରୀ କରିଥିଲେ ଏକ ନୂଆ ରୂପରେ। ପଞ୍ଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ଭାଗ ଆସନ ସଂରକ୍ଷଣ ଲାଗି ସେ ହିଁ ଆଣିଥିଲେ ଆଇନ୍‌ରେ ବ୍ୟାପକ ପରିବର୍ତ୍ତନ। ବସ୍ତୁତଃ କ୍ଷମତା ବିକେନ୍ଦ୍ରୀକରଣ ଓ ମହିଳାଙ୍କୁ ସୁରକ୍ଷା ଓ ସମ୍ମାନ ପ୍ରଦାନ କ୍ଷେତ୍ରରେ ସେ ଥିଲେ ଭାରତବର୍ଷରେ ଅଗ୍ରଗଣ୍ୟ ଓ ଦୃଷ୍ଟାନ୍ତ ସୃଷ୍ଟିକାରୀ ନେତା।
ରାଜନୀତିରେ ସେ ଥିଲେ ଜଣେ ଭିନ୍ନ ବ୍ୟକ୍ତିତ୍ୱ। ଭାରି ରୋକ୍‌ ଠୋକ୍‌ ଓ ବେପରୁଆ। ରାଜନୈତିକ ସ୍ବଚ୍ଛତା ଦୃଷ୍ଟିରୁ ବିଚାର କଲେ ତାଙ୍କ ଉଚ୍ଚତା ଆଗରେ ଏବେ ଖୁବ୍‌ ଖର୍ବକାୟ ମନେ ହୁଅନ୍ତି ଜାତୀୟ ସ୍ତରର ଯେ କୌଣସି ନେତା। ବିଜୁବାବୁଙ୍କ ଉଚ୍ଚତାକୁ ଆକଳନ କରି ନ ପାରିବା କାରଣରୁ ତାଙ୍କୁ ହୁଏତ ଭାରତ ରତ୍ନ ଘୋଷଣା କରାଯାଇ ନ ପାରେ, ମାତ୍ର ଭାରତ ରତ୍ନ ଭାବରେ ଲୋକଙ୍କ ହୃଦୟରେ ସେ ଅଛନ୍ତି ଓ ରହିବେ କାଳ କାଳ ପାଇଁ।
ଅଧ୍ୟକ୍ଷ, ଫୁଲମତୀ ହେମ୍ବ୍ରମ ମହାବିଦ୍ୟାଳୟ ପଡିଆବେଡା, ମୟୂରଭଞ୍ଜ
ମୋ-୯୪୩୮୮୫୫୦୮୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri