ଭିଏନା,୬।୧୦ : କରୋନା ମହାମାରୀର ଅଢ଼େଇ ବର୍ଷ ଓପେକ ସଦସ୍ୟ ଦେଶର ପ୍ରତିନିଧୀମାନେ ଭିଏନାରେ ଏକାଠି ହୋଇ ତୈଳ ଉତ୍ପାଦନ ପରିମାଣକୁ ପ୍ରତିଦିନ ଦୁଇ ନିୟୁତ ବ୍ୟାରେଲ ହ୍ରାସ କରିବାକୁ ସହମତି ହୋଇଛନ୍ତି। ଉତ୍ପାଦନ ହ୍ରାସ କରିବାର ଏହି ନିଷ୍ପତ୍ତି ନଭେମ୍ବର ଠାରୁ ପ୍ରଯୁଜ୍ୟ ହେବ।
ଏହି ପଦକ୍ଷେପ ବିଶ୍ୱର ଅର୍ଥନୀତିକୁ ପୁଣି ସଙ୍କଟ ମଧ୍ୟକୁ ଠେଲି ଦେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ପେଟ୍ରୋଲିୟମ ରପ୍ତାନିକାରୀ ଦେଶ ସଂଗଠନ (ଓପେକ) ଏବଂ ଏହାର ସହଯୋଗୀ ସଦସ୍ୟଙ୍କ ତୈଳ ଉତ୍ପାଦନ କୋଟା ହ୍ରାସକୁ ନେଇ ହ୍ବାଇଟ ହାଉସ ନିରାଶ ହୋଇଛି।
ଓପେକ ଏବଂ ସହଯୋଗୀମାନଙ୍କ ଦ୍ୱାରା ହୋଇଥିବା କଟକଣାକୁ ସମାଲୋଚନା କରି ହ୍ବାଇଟ ହାଉସ ଏହା ଏକ ଅଦୂରଦୃଷ୍ଟିପୂର୍ଣ୍ଣ ନିଷ୍ପତ୍ତି ବୋଲି କହିଛି। ହ୍ବାଇଟ ହାଉସର ମୁଖପାତ୍ର କରାଇନ ଜିନ-ପିୟରେ ଏୟାରଫୋର୍ଓ ୱାନରେ ଗଣମାଧ୍ୟମକୁ କହିଛନ୍ତି ଏହା ସ୍ପଷ୍ଟ ଯେ ଓପେକ ଏବଂ ସହଯୋଗୀମାନେ ରୁଷିଆ ସହ ମିଶିଛନ୍ତି।
ହ୍ବାଇଟ ହାଉସର ଜାତୀୟ ସୁରକ୍ଷା ପରାମର୍ଶଦାତା ଜେକେ ସୁଲିଭାନ ଏବଂ ଜାତୀୟ ଅର୍ଥନୈତିକ ପରିଷଦର ନିର୍ଦ୍ଦେଶକ ବ୍ରାଏନ ଡିଜ ଏକ ବିବୃତ୍ତିରେ କହିଛନ୍ତି ଯେ ଭ୍ଲାଡିମିର ପୁଟିନଙ୍କ ଆକ୍ରମଣ ଯୋଗୁ ବିଶ୍ୱ ଅର୍ଥନୀତିରେ ନକାରାତ୍ମକ ପ୍ରଭାବ ପଡିଥିବା ବେଳେ ଓପେକ ଦେଶଗୁଡିକର ଏଭଳି କାର୍ଯ୍ୟ ନେଇ ରାଷ୍ଟ୍ରପତି ଜୋ ବାଇଡେନ ନିରାଶ ହୋଇଛନ୍ତି।
ଏହା ଦ୍ୱାରା ମଧ୍ୟମ ଆୟକାରୀ ଦେଶ ଉପରେ ଅଧିକ ନକାରାତ୍ମକ ପ୍ରଭାବ ପକାଇବ। ସେମାନେ ପୂର୍ବରୁ ଉଚ୍ଚ ଶକ୍ତି ମୂଲ୍ୟ ସହ ସଂଗ୍ରାମ କରୁଛନ୍ତି। ଏହା ସେମାନଙ୍କର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି।