ବଜେଟରେ କେବଳ ଗୋଲାପୀ ଚିତ୍ର

ଭାଲଚନ୍ଦ୍ର ଷଡ଼ଙ୍ଗୀ

 

ଆଗାମୀ ଲୋକ ସଭା ନିର୍ବାଚନର ଠିକ୍‌ ପୂର୍ବରୁ କେନ୍ଦ୍ରର ମୋଦି ସରକାର ଇତିମଧ୍ୟରେ ନିଜର କାର୍ଯ୍ୟକାଳର ଶେଷ ବଜେଟ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଦ୍ୱାରା ସଂସଦରେ ଉପସ୍ଥାପିତ ଏହି ମଧ୍ୟବର୍ତ୍ତୀ ବଜେଟରେ ସରକାରଙ୍କ ଗତ ଦଶବର୍ଷର ଶାସନକାଳର ଏକ ଗୋଲାପୀ ଚିତ୍ର ପ୍ରଦର୍ଶନ କରିବାକୁ ଉଦ୍ୟମ କରାଯାଇଥିବା ବେଳେ ସାଧାରଣ ଜନତାଙ୍କ ପାଇଁ କୌଣସି ଠୋସ ଘୋଷଣା କିିମ୍ବା ବ୍ୟୟବରାଦ କରାଯାଇନି। ଚଳିତ ବଜେଟରେ ସରକାର ଦେଶର କୃଷି ଓ ସାମାଜିକ କ୍ଷେତ୍ରକୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କରିଛନ୍ତି। ସାଧାରଣ ଜନତାଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଲୋକ କଲ୍ୟାଣକାରୀ ଯୋଜନାରେ ଅନୁଦାନକୁ ହୁଏତ ହ୍ରାସ କରାଯାଇଛି ଅଥବା ସେଥିରେ ନାମକୁମାତ୍ର ହିଁ ବୃଦ୍ଧି କରିବା ଦେଖିବାକୁ ମିଳିଛି। ଗ୍ରାମାଞ୍ଚଳରେ ଲୋକଙ୍କୁ କାମ ଯୋଗାଇବାକୁ ରହିଥିବା ଏକମାତ୍ର ସରକାରୀ ଯୋଜନା ‘ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା’(ଏମ୍‌ଜିଏନ୍‌ଆରଇଜିଏସ୍‌) ପୂର୍ବ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ସରକାରଙ୍କ ଅବହେଳାର ଶିକାର ହୋଇଛି। ‘ମନରେଗା’ ବାବଦରେ ସରକାର ଚଳିତ ବର୍ଷ ବଜେଟରେ ୮୬,୦୦୦ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସରକାର ଏମ୍‌ଜିଏନ୍‌ଆରଇଜିଏସ୍‌ ପାଇଁ ୨୦୨୩-୨୪ ବଜେଟରେ ଯେଉଁ ବ୍ୟୟବରାଦ କରିଥିଲେ ତାହା ଗତ ଛଅବର୍ଷର ସର୍ବନିମ୍ନ ବ୍ୟୟବରାଦ ଥିଲା। ସରକାର ଏ ବାବଦରେ ବ୍ୟୟବରାଦକୁ ଯଦିଓ ୬୦,୦୦୦ କୋଟି ଟଙ୍କାକୁ ହ୍ରାସ କରିଥିଲେ କିନ୍ତୁ ଶ୍ରମିକମାନଙ୍କ ମଜୁରି ସହିତ ସଂଶୋଧିତ ହିସାବ ଅନୁଯାୟୀ ତାହା ୯୯,୫୧୪ କୋଟିରେ ପହଞ୍ଚିଥିଲା। ବର୍ତ୍ତମାନ ବି ଏହି ଯୋଜନାରେ ଶ୍ରମିକମାନଙ୍କ ୧୧,୦୦୦ କୋଟି ଟଙ୍କାର ବକେୟା ମଜୁରିକୁ ମିଶାଇ ମୋଟ ୧୬,୬୫୬ କୋଟି ଟଙ୍କାର ବକେୟା ରହିଛି। ଏଭଳି ପରିସ୍ଥିତିରେ ସରକାର ଲୋକଙ୍କୁ କାମ ଯୋଗାଇବା ପାଇଁ ଜରୁରୀ ପାଲଟିଥିବା ଏହି ଯୋଜନାରେ ଚଳିତ ବର୍ଷ ବ୍ୟୟବରାଦକୁ ବୃଦ୍ଧି କରିବା ବଦଳରେ ତାକୁ କମାଇବା ପରିତାପର ବିଷୟ।
ଦେଶର କୃଷକମାନଙ୍କ ଆୟକୁ ଦୁଇଗୁଣା କରିବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ମୋଦି ସରକାରଙ୍କ ଚଳିତ ବଜେଟ ସେମାନଙ୍କୁ ନିରାଶ କରିଛି। ଗତ ଦଶ ବର୍ଷର ଶାସନ କାଳରେ କୃଷକଙ୍କ ଆୟ ତ ଦୁଇଗୁଣ ହେଲାନି କିନ୍ତୁ ବଜେଟରେ ସେମାନଙ୍କ କୃଷି ସଙ୍କଟକୁ ଦୂର କରିବାକୁ ନା କୌଣସି ରୋ ଦିଆଗଲା ନା ଆବଶ୍ୟକ ବ୍ୟୟବରାଦର ବ୍ୟବସ୍ଥା କରାଗଲା। ବରଂ ସଂସଦ ଭବନରୁ ଅର୍ଥମନ୍ତ୍ରୀ ଭୁଲ ତଥ୍ୟ ଦେଇ ଦେଶବାସୀଙ୍କୁ ବିଭ୍ରାନ୍ତ କରିବା ଦେଖାଗଲା। ଅର୍ଥମନ୍ତ୍ରୀ ନିଜର ବଜେଟ ଭାଷଣରେ ବହୁଚର୍ଚ୍ଚିତ ‘ପ୍ରଧାନମନ୍ତ୍ରୀ ସମ୍ମାନ ନିଧି ଯୋଜନା’ରେ ବାର୍ଷିକ ୧୧.୮ କୋଟି କୃଷକ ପରିବାରକୁ ସହାୟତା ରାଶି ଦେବା ସମ୍ପର୍କରେ ଯାହା ଉଲ୍ଲେଖ କରିଛନ୍ତି, ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଜଣାପଡେ। କାରଣ ୨୦୧୯ ସାଧାରଣ ନିର୍ବାଚନର ଠିକ୍‌ ପୂର୍ବରୁ ଆରମ୍ଭ ହୋଇଥିବା ଏହି ଯୋଜନାର ପ୍ରଥମ କିସ୍ତିରେ ଯଦିଓ ୧୧.୮ କୋଟି ପରିବାର ସହାୟତା ପାଇଥିଲେ, ପରେ କିନ୍ତୁ ତା’ର ହିତାଧିକାରୀଙ୍କ ସଂଖ୍ୟା ହ୍ରାସ ପାଇଥିଲା। ୨୦୨୨ ମେ’ ମାସରେ କେନ୍ଦ୍ର ସରକାରଙ୍କ କୃଷି ବିଭାଗ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଏହି ଯୋଜନାରେ ଦେଶର ମାତ୍ର ୩.୮୭ କୋଟି ପରିବାର ହିଁ ସହାୟତା ରାଶି ପାଉଥିବା କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ କୃଷି ଉତ୍ପାଦନ ପାଇଁ ଆବଶ୍ୟକ ସାର, କୀଟନାଶକ, ବିହନ, ଡିଜେଲ, ପେଟ୍ରୋଲ ଓ ବିଦ୍ୟୁତ୍‌ର ଦାମ ଗତ ୫ ବର୍ଷ ମଧ୍ୟରେ ବୃଦ୍ଧି ପାଇଥିବାରୁ ତଥା ଲୋକ ସଭା ନିର୍ବାଚନ ପାଖେଇ ଆସୁଥିବାରୁ ସରକାର ଚଳିତ ବଜେଟରେ ଏହି ସହାୟତା ରାଶିକୁ ଦୁଇ ଗୁଣ ନ ହେଲେ ବି କିଛି ବି ବୃଦ୍ଧି କରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ସରକାର ଏହି ଯୋଜନାର ସହାୟତା ରାଶିକୁ ଚଳିତ ବଜେଟରେ ସାମାନ୍ୟତମ ବୃଦ୍ଧି କରିନାହାନ୍ତି।
ଦେଶରେ କୃଷକମାନଙ୍କ ଆଉ ଏକ ବଡ଼ ପ୍ରସଙ୍ଗ ହେଉଛି ସେମାନଙ୍କ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ପ୍ରଦାନ କରିବା। ନିକଟ ଅତୀତରେ ହୋଇଥିବା ଐତିହାସିକ କୃଷକ ଆନ୍ଦୋଳନ ଏମ୍‌ଏସ୍‌ପିକୁ ଆଇନଗତ ମାନ୍ୟତା ଦେବାକୁ ଦାବି କରିଆସିଛି। ଏପରି କି ଅତୀତରେ ଭାଜପା ତା’ର ନିର୍ବାଚନୀ ଇସ୍ତାହାରରେ ଏମ୍‌. ଏସ୍‌. ସ୍ବାମୀନାଥନ କମିଶନଙ୍କ ସୁପାରସ ପ୍ରକାରେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରି ଦେବାକୁ ଘୋଷଣା କରିଛି। କିନ୍ତୁ ଅର୍ଥମନ୍ତ୍ରୀ ନିଜର ବଜେଟ ଭାଷଣରେ ଯଦିଓ ଏମ୍‌ଏସ୍‌ପିର କଥା ଉଲ୍ଲେଖ କରିଛନ୍ତି କିନ୍ତୁ ସେଥିପାଇଁ କୌଣସି ଆଇନ ଆଣିବାକୁ କିମ୍ବା ସ୍ବାମୀନାଥନଙ୍କ ସୂତ୍ର ମୁତାବକ ଫସଲର ସହାୟକ ମୂଲ୍ୟ ଧାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇନାହାନ୍ତି। ପରିତାପର କଥା, କୃଷକଙ୍କ ବର୍ଦ୍ଧିତ ଉତ୍ପାଦନ ଖର୍ଚ୍ଚକୁ କମାଇବାକୁ ବି ସରକାର କୌଣସି ଘୋଷଣା କରିନାହାନ୍ତି। ସରକାରଙ୍କ ବହୁ ପ୍ରଚାରିତ ‘ପିଏମ୍‌ କୃଷି ସିଞ୍ଚନ ଯୋଜନା’ରେ ମଧ୍ୟ ପୂର୍ବବର୍ଷର ବଜେଟ ତୁଳନାରେ ସାମାନ୍ୟତମ ବୃଦ୍ଧି କରାଯାଇଛି। ୨୦୨୩-୨୪ ବଜେଟରେ ଏ ବାବଦରେ ୧୦,୯୩୦ କୋଟି ବ୍ୟୟବରାଦ କରାଯାଇଥିବା ବେଳେ ଚଳିତ ବଜେଟରେ ତାହା ୧୧,୩୯୧ କୋଟି ଟଙ୍କା ରହିଛି।
ସେହିପରି ଜଳଜୀବନ ମିଶନ ବାବଦରେ ୨୦୨୩-୨୪ରେ ୭୦,୦୦୦ କୋଟି ବ୍ୟୟବରାଦ ହୋଇଥିବା ବେଳେ ୨୦୨୪-୨୫ରେ ସେଥିରେ ସାମାନ୍ୟ ବୃଦ୍ଧି କରି ମାତ୍ର ୭୦,୧୬୩ କୋଟି ଟଙ୍କା ରଖାଯାଇଛି। ୟୁରିଆ ସାରର ସବ୍‌ସିଡି ବାବଦରେ ବ୍ୟୟବରାଦ ମଧ୍ୟ ୨୦୨୩-୨୪ରେ ୧.୭୫ ଲକ୍ଷ କୋଟି ଟଙ୍କା ଏବଂ ୨୦୨୨-୨୩ ବଜେଟରେ ୨.୫୫ ଲକ୍ଷ କୋଟି ଟଙ୍କା ରଖାଯାଇଥିବା ବେଳେ ୨୦୨୪-୨୫ ବଜେଟରେ ୧.୬୪ ଲକ୍ଷ କୋଟି ଟଙ୍କାକୁ ହ୍ରାସ କରାଯାଇଛି।
ଦେଶର ସହରାଞ୍ଚଳରେ ଭଡ଼ା ଅଥବା ବସ୍ତିରେ ରହୁଥିବା ଗରିବ ଓ ମଧ୍ୟବିତ୍ତ ଲୋକଙ୍କୁ ନିଜସ୍ବ ଘର ନିର୍ମାଣ କରିବାକୁ ଅଥବା କିଣିବାକୁ ସହାୟତା କରିବାକୁ ସରକାର ଏକ ଯୋଜନା ପ୍ରଣୟନ କରିବେ ବୋଲି ଅର୍ଥମନ୍ତ୍ରୀ ନିଜ ଭାଷଣରେ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଏହି ଯୋଜନା କେବେ କାର୍ଯ୍ୟକାରୀ କରାଯିବ ତା’ର କୌଣସି ଉଲ୍ଲେଖ ନାହିଁ କି ସେ ବାବଦରେ ବ୍ୟୟବରାଦ କରିନାହାନ୍ତି। କେବଳ ପିଏମ୍‌ ଆବାସ ଯୋଜନାରେ ଆସନ୍ତା ପାଞ୍ଚବର୍ଷ ମଧ୍ୟରେ ଦେଶର ଆଉ ଦୁଇ କୋଟି ପରିବାରକୁ ଘର ଯୋଗାଇ ଦିଆଯିବ ବୋଲି କହି ସରକାର ଚଳିତ ବଜେଟରେ ୮୦,୬୭୧ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି, ଯାହାକି ଗତ ବଜେଟରେ ଏ ବାବଦରେ ମୋଟ ବ୍ୟୟବରାଦ ୭୯,୦୦୦ କୋଟିଠାରୁ ସାମାନ୍ୟ ଅଧିକ ବୋଲି ଜଣାପଡ଼େ।
ଶିକ୍ଷା ଓ ସ୍ବାସ୍ଥ୍ୟସେବା ପରି ସାମାଜିକ କ୍ଷେତ୍ରକୁ ମଧ୍ୟ ଚଳିତ ବଜେଟରେ ଅଣଦେଖା କରାଯାଇଛି। କେନ୍ଦ୍ର ସରକାରଙ୍କ ବହୁ ପ୍ରଚାରିତ ତଥା ସବୁଠାରୁ ବଡ ବୀମାଭିତ୍ତିକ ସ୍ବାସ୍ଥ୍ୟସେବା ଯୋଜନା, ‘ଆୟୁଷ୍ମାନ ଭାରତ’ ବାବଦରେ ଚଳିତ ବଜେଟରେ ପୂର୍ବବର୍ଷ ତୁଳନାରେ ୩୦୦ କୋଟି ଟଙ୍କା ବୃଦ୍ଧି କରାଯାଇଛି। ଗତବର୍ଷ ଏହି ପରିମାଣ ୭,୨୦୦ କୋଟି ରହିଥିବା ବେଳେ ଚଳିତ ବର୍ଷ ତାକୁ ୭,୫୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ‘ପିଏମ୍‌ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା’ରେ ଗତବର୍ଷ ତୁଳନାରେ ବ୍ୟୟବରାଦ ହ୍ରାସ କରାଯାଇଛି। ୨୦୨୩-୨୪ ବଜେଟରେ ଏ ବାବଦରେ ମୋଟ ୩,୩୬୫ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ପରେ ନୂଆ କରି ନିର୍ମିତ ଏମ୍ସଗୁଡ଼ିକର ଆବଶ୍ୟକତା ପୂରଣ ପାଇଁ ଏଥିରେ ଅତିରିକ୍ତ ୬,୮୩୫ କୋଟି ଟଙ୍କା ବରାଦ କରାଯିବା ଫଳରେ ଏ ବାବଦରେ ମୋଟ ସଂଶୋଧିତ ହିସାବ ୧୦,୨୦୦ କୋଟିକୁ ବୃଦ୍ଧି ପାଇଥିଲା। ଚଳିତ ବଜେଟରେ ଏ ବାବଦରେ ବ୍ୟୟବରାଦକୁ ବଢ଼ାଇବା ପରିବର୍ତ୍ତେ ୨୪୦୦ କୋଟି ଟଙ୍କାକୁ ହ୍ରାସ କରାଯାଇଛି।
ସରକାରଙ୍କ ସମ୍ବେଦନହୀନତାର ଆଉ ଏକ ପ୍ରମାଣ ହେଲା, ଦେଶର ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ଲୋକଙ୍କୁ ମିଳୁଥିବା ମାସିକ ସାମାଜିକ ସୁରକ୍ଷା ପେନସନ ଆଦୌ ବୃଦ୍ଧି ନ ହେବା। ଜାତୀୟ ବୃଦ୍ଧାବସ୍ଥା ପେନ୍‌ସନ ଯୋଜନାରେ ୨୦୦୬-୦୭ ବଜେଟରେ କେନ୍ଦ୍ର ସରକାର ନିଜର ଅନୁଦାନ ରାଶିକୁ ମାସିକ ୧୫୦ ଟଙ୍କାରୁ ୨୦୦ ଟଙ୍କାକୁ ବୃଦ୍ଧି କରିଥିଲେ। ପରନ୍ତୁ ଗତ ୧୮ ବର୍ଷ ମଧ୍ୟରେ ଦେଶରେ ସାଂସଦ, ବିଧାୟକ ଓ ସରକାରୀ କର୍ମଚାରୀଙ୍କ ଦରମାରେ ବହୁଗୁଣ ବୃଦ୍ଧି ହୋଇଥିବା ବେଳେ ତଥା ବଜାରରେ ସମସ୍ତ ପ୍ରକାରର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ ଅନେକ ଗୁଣ ବଢିଥିବା ସତ୍ତ୍ୱେ ସରକାର ଉପରୋକ୍ତ ପେନ୍‌ସନ ରାଶିରେ ଟଙ୍କାଟିଏ ବି ବୃଦ୍ଧି କରିନାହାନ୍ତି।
ମୋ:୯୪୩୭୧୬୬୩୯୧

 


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ୍ୟତମ ଗୁରୁ

ଦର୍ଶର ପ୍ରତୀକ ସାଜି ସମାଜକୁ ଅନବରତ ଦିଗ୍‌ଦର୍ଶନ ଦେଇ ଚାଲୁଥିବା ଜଣେ ମହାନ୍‌ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି – ଗୁରୁ। ସେ ହିଁ ବାସ୍ତବରେ ଜଣେ ଯୋଗ୍ୟତମ…

ମୋତେ କୃଷକ କୁହନା

ଖରା, ବର୍ଷା, ଶୀତ, କାକରକୁ ତିଳେମାତ୍ର ଖାତିର ନ କରି ଯିଏ ନିଜ ମୁଣ୍ଡଝାଳ ତୁଣ୍ଡରେ ମାରି, ହାଡ଼ଭଙ୍ଗା ପରିଶ୍ରମ କରି ମାଟିରେ ସୁନା ଫଳାଏ ସେ…

ଅଭିବୃଦ୍ଧି ଅଙ୍କ

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୨୧ ଏପ୍ରିଲରେ ୩୨ ପଇସା କମି ୯୩.୪୮ ଟଙ୍କାକୁ ଛୁଇଁଛି। ପଶ୍ଚିମ ଏସିଆ ସଙ୍କଟଜନିତ ଆର୍ଥିକ ଅନିଶ୍ଚିତତା ଲାଗି ରହୁଥିବାରୁ…

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

ବାଣ ଫୁଟୁଛି

ବାଣ କଥା ଉଠିଲେ ତାମିଲନାଡୁର ବିରୁଧନଗର ଜିଲାର ଶିବକାଶୀ ସହରାଞ୍ଚଳ ମନେପଡ଼େ। ସାଧାରଣରେ ଭାରତର ୯୦ ପ୍ରତିଶତ ବାଣ ଶିବକାଶୀରେ ତିଆରି ହୋଇଥାଏ। ଅତ୍ୟଧିକ କାରଖାନା ଥିବାରୁ…

ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ…

କ୍ୟୁବା ଉପରେ ନଜର

ଜର୍ମାନୀର ନାଜି ଶାସକ ଆଡ୍‌ଲଫ୍‌ ହିଟ୍‌ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍‌ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri