ଅନ୍‌ଲାଇନ୍‌ ଜୁଆ

ବିଚିତ୍ର ବିଶ୍ୱାଳ

ଗତ ଦେଢ଼ମାସ ହେବ ଆଇପିଏଲ୍‌ ଖେଳ ଟିଭିରେ ସିଧା ପ୍ରସାରଣ ହେଉଛି। ସନ୍ଧ୍ୟାଠାରୁ ରାତି ସାଢ଼େ ଏଗାରଟା ଯାଏ ଟିଭିରେ ପ୍ରସାରିତ ହେଉଥିବା ଏହି ଖେଳକୁ ଯେଉଁମାନେ ଦେଖୁଥିବେ, ସେମାନେ ନିଶ୍ଚିତ ଭାବେ ଲକ୍ଷ୍ୟକରୁଥିବେ ଯେ, ଖେଳ ମଝିରେ ଦେଉଥିବା ବିଜ୍ଞାପନର ସିଂହ ଭାଗ ଅକ୍ତିଆର କରିଛି ଅନ୍‌ଲାଇନ୍‌ ଖେଳର ଆପ୍‌। ଡ୍ରିମ୍‌ ଇଲେଭେନ୍‌, ଏଟୁଥ୍ରି, କ୍ରେଡ୍‌ ବାଉଂଟି, ମାଇଁ ଇଲେଭେନ୍‌ ସର୍କଲ, ୟୁଓ, ଏମ୍‌ପିଏଲ୍‌, ବଲ୍ଲେବାଜି, ମାଇଁ ଟିମ୍‌ ଇଲେଭେନ୍‌, ରମି ସର୍କଲ, କ୍ରିକ୍‌ ପ୍ଲେ ଆଦି ଆପ୍‌ର ବିଜ୍ଞାପନ ପ୍ରମୁଖ ଭାବେ ଆଇପିଏଲ୍‌ ଖେଳର ପ୍ରସାରଣ ସମୟରେ ଦେଖାଉଛି। ଏହି ସବୁ ବିଜ୍ଞାପନ ଅନ୍ୟ କାର୍ଯ୍ୟକ୍ରମଗୁଡ଼ିକ ସମୟରେ ମଧ୍ୟ ଟିଭିରେ ପ୍ରସାରଣ ହେଉଛି। ଖେଳର ପ୍ରସାରଣ ସମୟରେ ବା ଅନ୍ୟ କାର୍ଯ୍ୟକ୍ରମରେ ବିଜ୍ଞାପନ ଦେବାରେ ଅସୁବିଧା ନାହଁି। କିନ୍ତୁ ଚିନ୍ତାର ବିଷୟ ହେଉଛି, ଆର୍ଥିକ ସମ୍ପୃକ୍ତି ଥିବା ଏହିପରି ଅନ୍‌ଲାଇନ୍‌ ଖେଳର ବିଜ୍ଞାପନ ଟିଭିରେ ପ୍ରସାରଣ ହେବା ଓ ତାହାକୁ ଉତ୍ସାହିତ କରାଯିବା। ଏହି ସବୁ ବିଜ୍ଞାପନ ପ୍ରଚାରର ଶେଷରେ କୁହାଯାଉଛି, ଉକ୍ତ ଅନ୍‌ଲାଇନ୍‌ ଖେଳରେ ଆର୍ଥିକ କ୍ଷତି ସହିବାର ସମ୍ଭାବନା ଅଛି। ନିଜ ରିସ୍କରେ ନିଜେ ଖେଳନ୍ତୁ। ଏଥିରୁ ସିଧା ବୁଝିହେଉଛି ଯେ, ଏହି ସବୁ ଖେଳରେ ଆର୍ଥିକ କାରବାର ନିହିତ ରହିଛି। ଯଦି ଜିତିବ ଟଙ୍କା ପାଇବ ଓ ହାରିଲେ ଟଙ୍କା ହରେଇବ। ସିଧା ଅର୍ଥରେ କହିଲେ ଏହା ଏକ ପ୍ରକାର ଜୁଆ, ଯାହା ଅନ୍‌ଲାଇନ୍‌ ବା ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ଖେଳାଯାଉଛି। କୋମଳମତି କିଶୋର ଓ ଯୁବକମାନେ ସହଜ ଟଙ୍କା ପାଇବା ଆଶାରେ ଏହିସବୁ ଖେଳ ମାୟାରେ ପଡ଼ି ଲକ୍ଷ ଲକ୍ଷ ଟଙ୍କା ହରାଉଥିବା ଖବର ଶୁଣିବାକୁ ମିଳୁଛି। ଏହି ଡିଜିଟାଲ୍‌ ଜୁଆ ଭବିଷ୍ୟତର ଯୁବ ସମାଜକୁ ଘୋର ଅନ୍ଧାର ମଧ୍ୟକୁ ଟାଣିନେବ।
ଜ୍ଞାନକୌଶଳର ବିକାଶ ଓ ସ୍ମାର୍ଟଫୋନ୍‌ର ବହୁଳତା ଯୋଗୁ ଅନ୍‌ଲାଇନ୍‌ରେ ବହୁତ ଖେଳ ଉପଲବ୍ଧ ହୋଇଛି। ତାହାରି ସୁଯୋଗ ନେଇ ଅନେକ କମ୍ପାନୀ ଅନ୍‌ଲାଇନ୍‌ ଜୁଆ ମାଧ୍ୟମରେ ନିଜ ବେପାର ବଢ଼େଇବାରେ ଲାଗିଛନ୍ତି। ଆମ ଦେଶରେ ଆର୍ଥିକ ସମ୍ପୃକ୍ତି ଥିବା ଏହି ଅନ୍‌ଲାଇନ୍‌ ଖେଳର ବଜାର ଆକାର ୨୦୨୧ରେ ୭୯୦୦ କୋଟି ଥିବା ବେଳେ ୨୦୨୦ରେ ଏହାର ଆକାର ୬୫୦୦ କୋଟି ଟଙ୍କା ଥିଲା। ୨୦୨୪ରେ ଏହା ୧୫୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଏକ ରିପୋର୍ଟ ଅନୁସାରେ ୨୦୧୮ରେ ଆମ ଦେଶରେ ୨୫ କୋଟି ବ୍ୟବହାରକାରୀ ଏପରି ଅନ୍‌ଲାଇନ୍‌ ଗେମ୍‌ ଖେଳୁଥିବା ବେଳେ ୨୦୨୧ରେ ଏହା ୪୦ କୋଟିକୁ ବୃଦ୍ଧି ପାଇଛି। ଦୁର୍ଭାଗ୍ୟର ବିଷୟ ଯେ, ଏପରି ଭାବେ ଅନ୍‌ଲାଇନ୍‌ ଜୁଆ ବଢ଼ିଚାଲୁଥିବା ବେଳେ ସରକାରଙ୍କ ତରଫରୁ କୌଣସି ପ୍ରତିକାର ବ୍ୟବସ୍ଥା କରା ନ ଯାଇ ଓଲଟି ଟିଭିରେ ଏହାର ବିଜ୍ଞାପନ ଦିଆଯାଉଛି। କୋମଳମତି କିଶୋର ଓ ଯୁବକମାନେ ନିଜ ପ୍ରିୟ କ୍ରିକେଟ୍‌ ତାରକା ଓ ସେଲିବ୍ରିଟିଙ୍କ ମୁହଁରୁ ଏପରି ଜୁଆର ପ୍ରଚାର ଶୁଣି ସେ ଦିଗରେ ମନ ବଳେଇ ଭବିଷ୍ୟତକୁ ଘୋର ସଂକଟ ମଧ୍ୟକୁ ଠେଲି ଦେଉଛନ୍ତି।
ଆମ ଦେଶରେ ଜୁଆ ଖେଳ ରାଜ୍ୟର କ୍ଷମତା ଅଧୀନରେ ଆସୁଛି। ଆର୍ଥିକ ସମ୍ପୃକ୍ତି ଥିବା ଅନ୍‌ଲାଇନ୍‌ ଖେଳ ତଥା ଅନ୍‌ଲାଇନ୍‌ ଜୁଆକୁ ନେଇ ଆମ ଦେଶରେ କୌଣସି ପ୍ରକାର ସ୍ପଷ୍ଟ ଆଇନ ନାହଁି। ଅନ୍‌ଲାଇନ୍‌ ଖେଳରୁ ହେଉଥିବା ରୋଜଗାର ଉପରେ ସରକାରଙ୍କର ୩୦% ଜିଏସ୍‌ଟିର ବ୍ୟବସ୍ଥା ମଧ୍ୟ ଅଛି। କିଛି ରାଜ୍ୟ ଏପରି ଖେଳକୁ ନେଇ ଆଇନ ତିଆରି କରିଛନ୍ତି। ଆସାମ, ଓଡ଼ିଶା ଓ ତେଲଙ୍ଗାନାରେ ଅନ୍‌ଲାଇନ୍‌ ଜୁଆକୁ ନିଷେଧ କରାଯାଇଛି।
ଆର୍ଥିକ ସମ୍ପୃକ୍ତି ଥିବା ଦକ୍ଷତାଭିତ୍ତିକ ଖେଳଗୁଡ଼ିକୁ ଜୁଆ ଭାବେ ପରିଗଣିତ କରାଯାଏ ନାହଁି। କିନ୍ତୁ ଦିଲ୍ଲୀର ଏକ ଜିଲା କୋର୍ଟଙ୍କ ମତରେ ଆର୍ଥିକ ସମ୍ପୃକ୍ତି ଥିବା ଦକ୍ଷତାଭିତ୍ତିକ ଅନ୍‌ଲାଇନ୍‌ ଖେଳ ଜୁଆ ଭାବେ ପରିଗଣିତ ହେବ। ଏହା ବେଆଇନ। କାରଣ ଏପରି ଅନ୍‌ଲାଇନ୍‌ ଖେଳରେ ଖଳ କାରସାଦି ଓ ଠକେଇ ଆଦିର ସମ୍ଭାବନା ରହିଛି। ଯଦିଓ ଆମ ଦେଶରେ ଅନ୍‌ଲାଇନ୍‌ ଜୁଆକୁ ନେଇ କୌଣସି ଆଇନ ନାହଁି, କିନ୍ତୁ କମ୍ପାନୀଗୁଡ଼ିକୁ କେତେକ ବୈଷୟିକ ବୈଧତାକୁ ପାଳନ କରିବାକୁ ପଡ଼େ, ଯାହା ଏପରି ଆପ୍‌ ତିଆରି କରୁଥିବା ଓ ଚଳାଉଥିବା କମ୍ପାନୀଗୁଡ଼ିକ କରୁନାହାନ୍ତି। ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ଘୋଷଣା ୨୦୧୫ ଅନୁସାରେ ଆମ ଦେଶରେ ଲଟେରି ବ୍ୟବସାୟ କ୍ଷେତ୍ରରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶକୁ ନିଷେଧ କରାଯାଇଛି। ନିକଟ ଅତୀତରେ ଆନ୍ଧ୍ରପ୍ରଦେଶ ସରକାର ପ୍ଲେ ୱିନ୍‌ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଅନ୍‌ଲାଇନ୍‌ ଜୁଆ ଖେଳକୁ ନେଇ ଆମ ଦେଶରେ କୌଣସି ସ୍ପଷ୍ଟ ଆଇନ ନ ଥିବାରୁ କମ୍ପାନୀଗୁଡ଼ିକ ତା’ର ସୁଯୋଗ ନେଇ ଦରକାରୀ ନିୟମଗୁଡ଼ିକ ମଧ୍ୟ ପାଳନ ନ କରି ଅନ୍‌ଲାଇନ୍‌ ଜୁଆ ଚଳାଇ ରଖିଛନ୍ତି। ବ୍ୟାଙ୍କ୍‌ ଓ ପେମେଣ୍ଟ ଗେଟ୍‌ୱେଗୁଡ଼ିକ ମଧ୍ୟ ଏପରି ଅନ୍‌ଲାଇନ୍‌ ଜୁଆକୁ ସମର୍ଥନ ଦେଉଛନ୍ତି। ଏପରି ଅନ୍‌ଲାଇନ୍‌ ଜୁଆକୁ ନେଇ କୌଣସି ଆଇନ ନ ଥିବାରୁ କୋର୍ଟ ମଧ୍ୟ କିଛି ନିଷ୍ପତ୍ତି ନେଇପାରୁନାହଁି। ଜୁଆ ଓ ଅନ୍‌ଲାଇନ୍‌ ଖେଳକୁ ନେଇ ଏଯାବତ୍‌ ଆମ ଦେଶରେ କେନ୍ଦ୍ରୀୟ ସ୍ତରରେ କେବଳ ପବ୍ଲିକ୍‌ ଗ୍ୟାମ୍ବଲିଂ ଆକ୍ଟ-୧୮୬୭ ହଁି ବଳବତ୍ତର ଅଛି। ବର୍ତ୍ତମାନର ଆଧୁନିକ ଅନ୍‌ଲାଇନ୍‌ ଖେଳକୁ ଏହି ଆଇନ ଛୁଇଁ ପାରୁନାହଁି। ଫଳରେ ଅନ୍‌ଲାଇନ୍‌ ଖେଳର ଆପ୍‌ କମ୍ପାନୀଗୁଡ଼ିକ ଅନାୟାସରେ ତାଙ୍କ କାରବାର ଚଳାଇ ରଖିଛନ୍ତି। ନିକଟ ଅତୀତରେ ଏହି ସନ୍ଦର୍ଭରେ ଡି. ସିଲୁଭାଇ ଭେନାନ୍‌ସ ବନାମ ରାଜ୍ୟ ମାମଲାରେ ମାଡ୍ରାସ୍‌ ହାଇକୋର୍ଟର ମଦୁରାଇ ବେଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ, ଭାରତର ଯୁବକମାନଙ୍କୁ ଆର୍ଥିକ ସମ୍ପୃୃକ୍ତି ଥିବା ଅନ୍‌ଲାଇନ୍‌ ଖେଳର ମାୟାରୁ ବଞ୍ଚାଇବା ପାଇଁ ହେଲେ ଆଧୁନିକ ଅନ୍‌ଲାଇନ୍‌ ଖେଳକୁ ନିୟନ୍ତ୍ରଣ କରିବା ପାଇଁ ଏକ ସ୍ପଷ୍ଟ ଓ ଦୃଢ଼ କେନ୍ଦ୍ରୀୟ ଆଇନ୍‌ର ଆବଶ୍ୟକତା ରହିଛି। କୋର୍ଟ ଆହୁରି ପୋଲିସକୁ ପଚାରିଛନ୍ତି ଯେ, ତାସ୍‌ ମାଧ୍ୟମରେ ଖେଳା ଯାଉଥିବା ଜୁଆକୁ ପ୍ରତିରୋଧ କରାଯାଉଥିବା ବେଳେ ଅନ୍‌ଲାଇନ୍‌ ପ୍ଲାଟଫର୍ମରେ ଖେଳା ଯାଉଥିବା ଜୁଆକୁ ପୋଲିସ ମୌନ ଅନୁମତି ଦେଉଛି କିପରି। ଉତ୍ତରରେ ପୋଲିସ ବିଭାଗ କହିଛି ଯେ, ଅନ୍‌ଲାଇନ୍‌ ଜୁଆକୁ ନିୟନ୍ତ୍ରଣ କରିବା ପାଇଁ କୌଣସି ଆଇନ୍‌ର ବ୍ୟବସ୍ଥା ନାହିଁ। ମାଡ୍ରାସ ହାଇକୋର୍ଟ ଆହୁରି କହିଛନ୍ତି ଯେ, ତାମିଲନାଡ଼ୁ ସରକାର ଅନ୍‌ଲାଇନ୍‌ ଜୁଆକୁ ନିୟନ୍ତ୍ରଣ କରିବା ପାଇଁ ଯଥାଶୀଘ୍ର ସିକିମ୍‌, ନାଗାଲାଣ୍ଡ ଓ ତେଲଙ୍ଗାନା ପରି ଏକ ଦୃଢ଼ ଆଇନ ଆଣନ୍ତୁ।
କଥାରେ ଅଛି ମଦ ଓ ଜୁଆ ଯୁବ ସମାଜକୁ ନଷ୍ଟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ତେଣୁ ଯଥାଶୀଘ୍ର ସରକାର ଅନ୍‌ଲାଇନ୍‌ ଜୁଆକୁ ନିୟନ୍ତ୍ରଣ କରିବା ପାଇଁ ଦୃଢ଼ ଆଇନ ଆଣିବାର ବ୍ୟବସ୍ଥା କରିବା ଉଚିତ। ତା’ ପୂର୍ବରୁ ପ୍ରଥମେ ଏପରି ଅନ୍‌ଲାଇନ୍‌ ଜୁଆ ଆପ୍‌ର ବିଜ୍ଞାପନକୁ ନିଷେଧ କରାଯିବା ଉଚିତ।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର
ମୋ-୯୪୩୮୪୬୮୪୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri